ବିଜୁ ଜନତା ଦଳର ଛାତ୍ର ଓ ଯୁବ ନେତାମାନଙ୍କ ଭିତରେ ଏକ ଉଦବେଗ ସୃଷ୍ଟି ହୋଇଛି। ଏହା ଯେ ତାଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ମିଳୁ ନାହିଁ। ଯେଉଁ ନେତାମାନେ ଦୀର୍ଘ ୨୪ ବର୍ଷ ହେଲା ନବୀନଙ୍କ ସହ ରହି କ୍ଷମତା, ଯଶ ଓ ଅର୍ଥ ଅର୍ଜନ କରିଛନ୍ତି ସେମାନେ ଆଉ ନିଜ କୁର୍ସି ଛାଡ଼ୁ ନାହାନ୍ତି। ଫଳରେ ତାଙ୍କ ଭବିଷ୍ୟତ ଆଉ ସେମାନେ ଦେଖିପାରୁ ନାହାନ୍ତି। ଏଣୁ ଅନେକ ଥର ଏହାର ସୁପ୍ତ ପ୍ରତିବାଦ କରିଛନ୍ତି ଦଳର ନେତା। ହେଲେ ଗଲା କିଛିଦିନ ତଳେ ପୁରୀରେ ଆୟୋଜିତ ଯୁବଛାତ୍ର ସମାବେଶରେ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଯୁବ ବିଧାୟକ ସୌଭିକ ବିଶ୍ୱାଳ ଯାହା କହିଲେ ତାହା ସମସ୍ତଙ୍କୁ ଜଳକା କରିଦେଇଛି। ସମସ୍ତଙ୍କ ମନରେ ପ୍ରଶ୍ନ କାହାକୁ ଟାର୍ଗେଟ କରିଲେ ସୌଭିକ? କିଏ ସେ ହୋଇଛନ୍ତି କୋଟିପତି? କାହା ପାଖରେ ରହିଛି ମେଞ୍ଚାଏ ଟଙ୍କା?
ଆଜି ବିଜୁ ଜନତା ଦଳର ସଂଗଠନରେ ଚାଲିଥିବା ଅନାସ୍ଥା, ଅବିଶ୍ୱାସ, ଭୟ ବାତାବରଣ ସମ୍ପର୍କରେ ଆଲୋଚନା କରିବା। ବ୍ୟବହାର କରୁଥିବା ଏ ଶବ୍ଦଗୁଡ଼ିକ ଓଡ଼ିଆ ଅଭିଧାନରେ ନକରାତ୍ମକ ଶବ୍ଦଭାବେ ଗ୍ରହଣ କରାଯାଏ। କିନ୍ତୁ ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳର ଯେଉଁ ସ୍ଥିତି ତାହାର କଥା ଅନୁଶୀଳନ କରିବାବେଳେ ଏପରି ଶବ୍ଦକୁ ପ୍ରୟୋଗ କରିବାକୁ ମୁଁ ବାଧ୍ୟ।
ନିକଟରେ ପୁରୀରେ ବିଜେଡିର ଯୁବ-ଛାତ୍ର ସମାବେଶ ହୋଇଥିଲା। ଦଳର ଅନେକ ପୁରୁଣା, ନୂଆ, ବରିଷ୍ଠ- କନିଷ୍ଠ ନେତାମାନେ ଯୋଗ ଦେଇଥିଲେ। ସଭାପତି ଉପସ୍ଥିତ ହୋଇନଥିଲେ କିନ୍ତୁ ରାଜନୀତିକ ପରାମର୍ଶଦାତା କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।
ଏହି ସଭାରେ କିନ୍ତୁ ଦି’ ଘଣ୍ଟା ୨୦ ମିନିଟ ପରେ ସମସ୍ତଙ୍କ ଧ୍ୟାନ ଗୋଟିଏ ସିଦ୍ଧାନ୍ତ ଆଡ଼କୁ ଆକର୍ଷିତ ହୋଇଥିଲା, ତାହାହେଲା- ବିଜେଡି ଶାସନ ସମୟରେ କିଛି ନେତା ଆର୍ଥିକ ମାଲେମାଲ ହୋଇଛନ୍ତି। ଆଉ ସେମାନେ ଗାଦି ମାଡ଼ି ବସିଛନ୍ତି। ଯୁବକମାନଙ୍କୁ ଆଗକୁ ଯିବାକୁ ଛାଡ଼ୁ ନାହାନ୍ତି।
ଏକଥା ମୁଁ କହୁନି। ୨ଘଣ୍ଟା ୨୨ ମିନିଟ ପରେ ବିଜେଡିର ଲାଇଭ୍ ଭିଡିଓକୁ ଯଦି ଆପଣ ଦେଖିବେ ତେବେ ଆପଣ ବି ଏ କଥା ଶୁଣି ମୁଣ୍ଡରେ ହାତ ଦେବେ, ଆଉ କହିବେ କ’ଣ ସବୁ ଚାଲିଛି?
ଚୌଦ୍ୱାର ବିଧାୟକ ସୌଭିକ୍ ବିଶ୍ୱାଳ କହୁଛନ୍ତି, ‘୨୪ ବର୍ଷର ଶାସନରେ ବିଜୁ ଛାତ୍ର ଓ ଯୁବ ଜନତା ଦଳର ଭାଇ ଭଉଣୀମାନଙ୍କ ଅନେକ ଭୂମିକା ରହିଛି। ଯେଉଁଭଳି ଭାବେ ବିପର୍ଯ୍ୟୟ ହୋଇଛି ତାହା ସହଜରେ ଗ୍ରହଣୀୟ ନୁହେଁ। ନୂଆ ସରକାର କ’ଣ କରୁଛନ୍ତି ଓ ପୂର୍ବ ସରକାର କ’ଣ କରୁଛନ୍ତି ତାହା ତୁଳନା କଲେ ଏହା ସ୍ପଷ୍ଟ ହେବ। କିନ୍ତୁ ଦଳର ବରିଷ୍ଠ ନେତା ବିଶେଷ କରି ଯେଉଁମାନେ ନେତୃତ୍ୱ ନେଉଛନ୍ତି, ଯେଉଁମାନେ ନବୀନଙ୍କ ଆଶୀର୍ବାଦରେ ନିଜର ଆର୍ଥିକ ସ୍ଥିତିକୁ ଯଥେଷ୍ଟ ମଜଭୁତ କରିଛନ୍ତି ସେମାନେ ପ୍ରଚ୍ଛଦପଟ୍ଟରେ ରୁହନ୍ତୁ। ଯେଉଁମାନେ ଆମ ଦଳ ପାଇଁ ରକ୍ତ ବୁହାଇଛନ୍ତି, ସମୟ ଦେଇଛନ୍ତି, ଝାଳ ବୁହାଇଛନ୍ତି ସେମାନଙ୍କୁ ଆଗକୁ ଛାଡ଼ନ୍ତୁ’।
ସୌଭିକ ପ୍ରାୟ ଶେଷ ବକ୍ତା ଥିଲେ। ଅଳ୍ପ ସମୟ ପାଇଁ କହିଥିଲୋ। କିନ୍ତୁ ନିଜର ଭାଷଣରେ ସ୍ୱତନ୍ତ୍ରତା ଥିଲା। ଏହା ଯଦି କାହାଦ୍ୱାରା ପ୍ରଭାବିତ ହୋଇନଥାଏ ତେବେ ସୌଭିକ ଦଳର ମଞ୍ଜ କଥା କହିଛନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ସେ କହିଛନ୍ତି ‘ଯେଉଁମାନେ ସତ୍ୟ ଧର୍ମ, ନ୍ୟାୟ ଓ ନିଷ୍ଠାରେ ରହି କାମ କରିଛନ୍ତି ସେମାନଙ୍କୁ ନେତୃତ୍ୱ ଦିଆଯାଉ। ସେମାନେ ଆସିଲେ ଆମ ଦଳ ନିଶ୍ଚିତଭାବେ ଆଗକୁ ଯିବ’।
ତାଙ୍କ ଭାଷଣରୁ ତିନିଟି ପ୍ରମୁଖ ବିନ୍ଦୁକୁ ଏଠାରେ ଉପସ୍ଥାପନ କରାଯାଇପାରେ।
- ପ୍ରଥମ ବିନ୍ଦୁଟି ହେଉଛି, ଯୁବକମାନଙ୍କୁ ନେତୃତ୍ୱ ନେବାକୁ ସୁଯୋଗ ମିଳୁ ନାହିଁ।
- ଦ୍ୱିତୀୟରେ କିଛି ନେତା ଯେଉଁମାନେବାଡ଼ ପକାଇ ବସିଛନ୍ତି ସେମାନଙ୍କ ପାଖରେ ଅଜସ୍ର ପଇସା ରହିଛି। ସେମାନେ ନବୀନଙ୍କ ଶାସନ ସମୟରେ ଅର୍ଜନ କରିଛନ୍ତି। ଏବଂ
- ତୃତୀୟ ବିନ୍ଦୁଟି ହେଉଛି ଯେଉଁମାନେ ଏବେ ନେତୃତ୍ୱ ନେଉଛନ୍ତି ସେମାନଙ୍କ ପାଖରେ ସତ୍ୟ, ଧର୍ମ, ନ୍ୟାୟ ଓ ନିଷ୍ଠା ନାହିଁ।
ଏ ତିନିଟି ବିନ୍ଦୁ ଜଣେ ଦୁଇଥରର ଯୁବ ବିଧାୟକ କହିବା ସାମଗ୍ରିକଭାବେ ଯୁବ ନେତାଙ୍କ ଅସନ୍ତୋଷକୁ ବଖାଣିବା ଛଡ଼ା ଆଉ କିଛି ହୋଇନପାରେ। କିଛିଦିନ ତଳେ ସେହି ପୁରୀରେ ପ୍ରଥମଥର ପାଇଁ ବିଧାୟକ ହୋଇଥିବା ସୁନୀଲ ମହାନ୍ତି ବି ସମାନ ଅସନ୍ତୋଷ ଝାଡ଼ିଥିଲେ। ତାଙ୍କୁ ନ ନେଇ ଦଳର କୌଣସି ପଦପଦବୀରେ କିମ୍ବା ଜିଲ୍ଲା ଦାୟିତ୍ୱରେ ନ ଥିବା ପ୍ରତାପ ଦେବ ପୁରୀ ସଂଗଠନ ବାବଦରେ ଚର୍ଚ୍ଚା କରୁଥିଲେ। ପୁରୀ ସଂଗଠନକୁ ଭାଙ୍ଗିବା ଲାଗି ଏହା ଏକ ପ୍ରୟାସ ହୋଇପାରେ ବୋଲି ବି ଆଲୋଚନା ହୋଇଥିଲା।
ଏହାଙ୍କ ପୂର୍ବରୁ ଯୁବ ବିଧାୟକମାନେ ଏକାଠି ଏକ ରେଷ୍ଟୁରାଣ୍ଟରେ ବସିବା, କିଛି ବିଧାୟକଙ୍କ ଘରେ ଏକାଠି ହେବା ପ୍ରଭୃତି ଘଟଣା ମଧ୍ୟ ଏହି ମର୍ମରେ ଉଲ୍ଲେଖଯୋଗ୍ୟ। ଖାଲି ସେତିକି ନୁହେଁ କିଛି ଯୁବ ନେତା ନବୀନ ନିବାସରେ ମଧ୍ୟ ବର୍ତ୍ତମାନର ପରିଚାଳନାରେ ଅସନ୍ତୁଷ୍ଟ ହୋଇଥିଲେ। ନାରାବାଜୀ କରିଥିଲେ। ଯେଉଁଥିପାଇଁ କିଛି ନେତାଙ୍କୁ ନୋଟିସ୍ ମିଳିଥିଲା ଆଉ ନବୀନ ନିଜେ ଆସି ଗଣମାଧ୍ୟମକୁ ଟିପ୍ପଣୀ ଦେଇଥିଲେ।
ସେତେବେଳେ ଫୋକସ୍ ରହିଥିଲା ପାଣ୍ଡିଆନ୍ଙ୍କ ଉପରେ। ଜନ ସାଧାରଣ ଏବଂ ନେତା ସମସ୍ତେ ପାଣ୍ଡିଆନ୍ଙ୍କ ଉପରେ ଦୋଷ ଲଦୁଥିଲେ। ହେଲେ ପାଣ୍ଡିଆନ୍ ଏବେ ଦଳୀୟ ବ୍ୟାପାରରେ ନାହାନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ଏଣୁ ଯୁବନେତାଙ୍କ ଆଖି ପାଣ୍ଡିଆନ୍ ଗୋଷ୍ଠୀଙ୍କ ଉପରେ ରହିଛି। ଯେଉଁ ନେତାମାନେ ଏକଦା ପାଣ୍ଡିଆନ୍ଙ୍କ ଗୁଡ ବୁକରେ ଥିଲେ ସେମାନେ ଏବେ ଦଳ ପରିଚାଳନାର ମୋହରା ହୋଇଛନ୍ତି ବୋଲି କୁହାଯାଉଛି।
କିଛି ନେତା ତ ପଦପଦବୀରେ ନ ଥାଇ ଅଯାଚିତ କ୍ଷମତା ଉପଭୋଗ କରୁଛନ୍ତି। ସେ ପ୍ରଣବ ପ୍ରକାଶ ଦାସ ହୁଅନ୍ତୁ କି ମାନସ ରଞ୍ଜନ ମଙ୍ଗରାଜ। ଅଥବା ପ୍ରତାପ କେଶରୀ ଦେବ ବା ସସ୍ମିତ ପାତ୍ର ଏସବୁଙ୍କ ନାଁ ଏଠାରେ ଉଲ୍ଲେଖ କରାଯାଇପାରେ। ବିଗତ ଦିନମାନଙ୍କରେ ଏମାନେ ଅନେକ ପଦପଦବୀ ସହ କ୍ଷମତା ମଣ୍ଡନ କରିଥିଲେ।
ଆଜି କିଛି ପରାମର୍ଶଦାତା କମିଟିର ସଦସ୍ୟ ହୋଇଛନ୍ତି ତ ଅନେକଙ୍କୁ କୌଣସି ପଦପଦବୀ ମିଳି ନାହିଁ। କିନ୍ତୁ ଯେଉଁମାନେ ସଂଗ୍ରାମ କରୁଛନ୍ତି, ଦଳ ପାଇଁ ଝାଳ ବୁହାଇଛନ୍ତି, ଲହୁ ଲୁହାଣ ହୋଇଛନ୍ତି ସେମାନଙ୍କୁ ଦଳ ପଚାରୁ ନାହିଁ ବୋଲି ସୌଭିକ୍ ଦଳର ନେତୃତ୍ୱଙ୍କୁ ମନେପକାଇ ଦେଇଛି। ସୌଭିକଙ୍କ ଏହି ଉକ୍ତି କେବେ ଇଙ୍ଗିତ କରୁନାହିଁ ଯେ, ସେ ଦଳରେ ଅସନ୍ତୁଷ୍ଟ, ଦଳର ବିକଳ୍ପ ଖୋଜୁଛନ୍ତି କିନ୍ତୁ ଏହା ସ୍ପଷ୍ଟ କରୁଛନ୍ତି ଯେ, ଯୁବାବର୍ଗ ଦଳରେ ସନ୍ତୁଷ୍ଟ ନାହାନ୍ତି। ସେମାନଙ୍କୁ ଯୋଗ୍ୟତା ଅନୁସାରେ ପଦପଦବୀ ମିଳୁ ନାହିଁ।
ଯଦି ଭାରତ ଏକ ଯୁବକ ବହୁଳ ରାଷ୍ଟ୍ର ସେଠାରେ ଯୁବକମାନଙ୍କୁ ଅଂଶୀଦାର କରିବାର ଆବଶ୍ୟକତା ରହିଛି। ପୁଣି ୨୦୨୯ ପାଇଁ ପ୍ରସ୍ତୁତ ହେବାବେଳେ ଏ ବିଷୟକୁ ବିଜେଡି ଭୁଲୁଛି କାହିଁକି।
ଆଜି ତ ପୂର୍ବତନ ଛାମୁ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁମ୍ମାଇ ଗସ୍ତରେ ଯାଇଛନ୍ତି, ନିଜର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ । ସୁସ୍ଥ ହୋଇ ଫେରିଲେ ନିଶ୍ଚିତଭାବେ ଏ ଦିଗରେ ଧ୍ୟାନ ଦେଇପାରନ୍ତି।
Also readhttps://purvapaksa.com/odisha-politics-one-is-leaving-another-is-coming/
Odisha Politics: One is leaving, another is coming ।। ଓଡ଼ିଶା ରାଜନୀତି: ଜଣେ ଯାଉଛନ୍ତି-ଆଉ ଜଣେ ଆସୁଛନ୍ତି
