Syria Civil War : ଅଲ-ଅସଦ ପରିବାର ସିରିଆର ସଂଖ୍ୟାଲଘୁ ସିଆ ସମ୍ପ୍ରଦାୟର ହୋଇଥିବା ବେଳେ ସିରିଆର ଅଧିକାଂଶ ଜନସଂଖ୍ୟା ସୁନ୍ନି ମୁସଲମାନ। ଏହି ଧାର୍ମିକ ବିଭାଜନ ସିରିଆର ଗୃହଯୁଦ୍ଧର ଏକ ପ୍ରମୁଖ କାରଣ ହୋଇଛି। ତେବେ ସମଗ୍ର ବିଶ୍ୱରେ ସିଆ ଏବଂ ସୁନ୍ନି ମୁସଲମାନଙ୍କ ମଧ୍ୟରେ ଉତ୍ତେଜନାର ଅନେକ କାରଣ ରହିଛି ।
ସିରିଆରେ ଗୃହଯୁଦ୍ଧ ଏବେ ଟର୍ଣ୍ଣିଂ ପଏଣ୍ଟରେ ପହଞ୍ଚିଛି। ରାଷ୍ଟ୍ରପତି ଅଲ-ଅସଦଙ୍କୁ ବିଦ୍ରୋହୀମାନେ ହଟାଇ ଦେଇଛନ୍ତି। କ୍ଷମତାରୁ ହଟିବା ପରେ ସେ ରୁଷିଆ ପଳାୟନ କରିଛନ୍ତି। ସେଠାରେ ଏବେ ସେ ଋଷ ରାଷ୍ଟ୍ରପତିଙ୍କ ଆତିଥ୍ୟର ମଜା ନେଉଛନ୍ତି। ଗତ ୫୪ ବର୍ଷ ଧରି ସିରିଆ ଉପରେ କବଜା କରି ବସିଥିବା ଅସଦ ପରିବାରର ପତନ ଏମିତି କେଇ ସପ୍ତାହ ମଧ୍ୟରେ କେମିତି ହେଲା?
୧୯୭୦ ମସିହାରେ ଅସଦଙ୍କ ବାପା ଏକ ସାମରିକ ବିଦ୍ରୋହ ଦ୍ୱାରା କ୍ଷମତାକୁ ଆସନ୍ତି। ସେବେଠାରୁ ଅସଦ ପରିବାର ହିଁ ଥିଲା ସିରିଆର ଭାଗ୍ୟ ବିଧାତା। ଅସଦଙ୍କୁ ୨୦୧୧ରୁ ଗୃହଯୁଦ୍ଧର ସମ୍ମଖୀନ ହେବାକୁ ପଡ଼ିଛି। ପାଖାପାଖି ୧୩ ବର୍ଷ ଧରି ସେ ବିଦ୍ରୋହୀଙ୍କୁ ଅଟକାଇବାରେ ସଫଳ ହୋଇଥିଲେ। କିନ୍ତୁ ଗତମାସର ଘଟଣାକ୍ରମ ସିରିଆରେ ସବୁ ସମୀକରଣ ବଦଳାଇ ଦେଇଥିଲା।
ସିରିଆରେ ଯେଉଁ ଗୃହଯୁଦ୍ଧ ଚାଲିଥିଲା ତାହାର ଗୋଟିଏ ଅଧ୍ୟାୟର ଅନ୍ତ ଘଟିଛି। ଆଗକୁ ହୁଏତ ଅସଦ ସମର୍ଥକ ଆଉ ଏକ ଯୁଦ୍ଧ ଲଢ଼ି ପାରନ୍ତି। ତେବେ ସିରିଆ ଗୃହଯୁଦ୍ଧ ପଛର କାରଣ କ’ଣ, କେମିତି ଓ କାହିଁକି ସିରିଆର ସଂଖ୍ୟାଧିକ ଅସଦଙ୍କୁ ବିରୋଧ କରୁଥିଲେ? ଏହାର କାରଣ ଜାଣିବାକୁ ହେଲେ ଇତିହାସକୁ ଯିବାକୁ ପଡ଼ିବ।
ସିରିଆର ସଂଖ୍ୟାଲଘୁ କିନ୍ତୁ କରୁଥିଲେ ଶାସନ
ବାସ୍ତବରେ ସିରିଆ ରାଷ୍ଟ୍ରପତି ବସାର ଅଲ-ଅସଦ ସିଆ ଇସଲାମିକ ସମ୍ପ୍ରଦାୟର ଅଟନ୍ତି। ଅଲ-ଅସଦ ପରିବାର ସିରିଆର ସଂଖ୍ୟାଲଘୁ ସିଆ ସମ୍ପ୍ରଦାୟର ହୋଇଥିବାବେଳେ ସିରିଆର ଅଧିକାଂଶ ଜନସଂଖ୍ୟା ସୁନ୍ନି ମୁସଲମାନ। ଏହି ଧାର୍ମିକ ବିଭାଜନ ସିରିଆର ଗୃହଯୁଦ୍ଧର ଏକ ପ୍ରମୁଖ କାରଣ ହୋଇଛି।
ପ୍ରଶ୍ନ ଉଠୁଛି, ସଂଖ୍ୟାଲଘୁ ସମ୍ପ୍ରଦାୟରୁ ଆସିଥିବା ଅଲ-ଅସଦ ପରିବାର ଏତେ ଦିନ କ୍ଷମତାରେ କେମିତି ରହିଲେ? ଏହା ପଛରେ ଅନେକ କାରଣ ରହିଛି। ଅଲ-ଅସଦ ପରିବାର ସବୁବେଳେ ସେନା ଉପରେ କଠୋର ନିୟନ୍ତ୍ରଣ ରଖିଛନ୍ତି। ଅଧିକାଂଶ ସୈନ୍ୟ ଥିଲେ ଆଲାଭିଟ୍ (ସିରିଆର ଏକ ସିଆ ସମ୍ପ୍ରଦାୟ) ଯିଏ କି ସେମାନଙ୍କୁ କ୍ଷମତାରେ ରହିବାରେ ସାହାଯ୍ୟ କରିଥିଲେ, ବିରୋଧୀଙ୍କୁ ଦମନ କରିବା ଏବଂ ସେମାନଙ୍କର କ୍ଷମତାକୁ ସୁଦୃଢ଼ କରିବା ପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକୁ ବ୍ୟବହାର କରିଥିଲେ। ରୁଷ୍ ଓ ଇରାନ୍ ଭଳି ଦେଶ ସବୁବେଳେ ଅଲ୍ ଅସଦ୍ ସରକାରକୁ ସମର୍ଥନ କରି ଆସୁଛନ୍ତି।
ସୁନ୍ନି ମୁସଲମାନମାନେ ଅସଦଙ୍କୁ କାହିଁକି ଶତ୍ରୁ ଭାବନ୍ତି?
ସିରିଆରେ ସୁନ୍ନି ଓ ସିଆ ସମ୍ପ୍ରଦାୟ ମଧ୍ୟରେ ଦୀର୍ଘ ଦିନ ଧରି ଧାର୍ମିକ ବିଭାଜନ ରହିଛି। ଦାବି କରାଯାଏ ଯେ ଅଲ-ଅସଦଙ୍କ ଶାସନ କାଳରେ ସୁନ୍ନି ସମ୍ପ୍ରଦାୟ ଅନେକ ପ୍ରକାର ନିର୍ଯାତନାର ସମ୍ମୁଖୀନ ହୋଇଥିଲେ। ସିରିଆରେ ଗୃହଯୁଦ୍ଧ ସମୟରେ ଅଲ-ଅସଦ ସରକାର ସୁନ୍ନି ବିଦ୍ରୋହୀଙ୍କ ବିରୋଧରେ ବଡ଼ ଧରଣର ହିଂସା ପ୍ରୟୋଗ କରିଥିଲେ। ଅଲ-ଅସଦ ସରକାରକୁ ଇରାନ ସମର୍ଥନ କରୁଛି, ଯାହାକୁ ଅନେକ ସୁନ୍ନି ମୁସଲମାନ ସିଆ ଇସଲାମର କେନ୍ଦ୍ର ବୋଲି ବିବେଚନା କରନ୍ତି। ଏହି କାରଣରୁ ସମଗ୍ର ବିଶ୍ୱରେ ସୁନ୍ନି ମୁସଲମାନମାନେ ଅଲ-ଅସଦଙ୍କୁ ନିଜର ଶତ୍ରୁ ବୋଲି ବିବେଚନା କରନ୍ତି।
ଭାରତରେ ସିଆ ମୁସଲମାନଙ୍କ ସ୍ଥିତି କ’ଣ?
ଏବେ ଆସନ୍ତୁ ଭାରତରେ ରହୁଥିବା ସିଆ ମୁସଲମାନଙ୍କ ସ୍ଥିତି ବିଷୟରେ ଆଲୋଚନା କରିବା। ଭାରତରେ ସିଆ ମୁସଲମାନଙ୍କ ସଂଖ୍ୟା ପ୍ରାୟ ୨୦%। ସେମାନେ ଦେଶର ବିଭିନ୍ନ ସ୍ଥାନରେ ବାସ କରନ୍ତି, କିନ୍ତୁ ସେମାନଙ୍କର ଅଧିକାଂଶ ଜନସଂଖ୍ୟା ଉତ୍ତରପ୍ରଦେଶ, ବିହାର ଏବଂ ପଶ୍ଚିମବଙ୍ଗରେ ବସବାସ କରନ୍ତି। ଭାରତରେ ସିଆ ମୁସଲମାନମାନେ ସାଧାରଣତଃ ଅନ୍ୟ ଧର୍ମ ଏବଂ ସମ୍ପ୍ରଦାୟ ସହିତ ଶାନ୍ତିପୂର୍ଣ୍ଣ ସହବାସ ପାଇଁ ଜଣାଶୁଣା। କିନ୍ତୁ ସୁନ୍ନି ମୁସଲମାନ ଓ ସିଆ ମୁସଲମାନଙ୍କ ମଧ୍ୟରେ ଉତ୍ତେଜନା ଲାଗି ରହିଛି।
ସିଆ ଓ ସୁନ୍ନି ମୁସଲମାନଙ୍କ ମଧ୍ୟରେ ପାର୍ଥକ୍ୟ କାହିଁକି?
ସିଆ ଓ ସୁନ୍ନି ମୁସଲମାନଙ୍କ ମଧ୍ୟରେ ଥିବା ମତଭେଦ ଗଭୀର। ସିଆ ମୁସଲମାନମାନେ ବିଶ୍ୱାସ କରନ୍ତି ଯେ ଇମାମମାନଙ୍କୁ ପ୍ରଫେଟ୍ ମହମ୍ମଦ ନିଯୁକ୍ତ କରିଥିଲେ ଏବଂ ଏହି ପଦ ବଂଶାନୁକ୍ରମିକ ଅଟେ। ଅପରପକ୍ଷରେ ସୁନ୍ନି ମୁସଲମାନମାନେ ବିଶ୍ୱାସ କରନ୍ତି ଯେ ଇମାମମାନଙ୍କୁ ସମ୍ପ୍ରଦାୟଦ୍ୱାରା ନିଯୁକ୍ତ କରାଯାଏ। କୁରାନ ଏବଂ ହାଦିସର ବ୍ୟାଖ୍ୟାକୁ ନେଇ ମଧ୍ୟ ଦୁଇ ସମ୍ପ୍ରଦାୟ ମଧ୍ୟରେ ମତଭେଦ ରହିଛି।
ଦୁଇ ସମ୍ପ୍ରଦାୟର ଧାର୍ମିକ ରୀତିନୀତିରେ ମଧ୍ୟ କିଛି ପାର୍ଥକ୍ୟ ରହିଛି। ଯେପରିକି ମହରମ ପାଳନ କରିବାର ତରିକା, ନମାଜ ପଢ଼ିବାର ତରିକା ଇତ୍ୟାଦି। ଇତିହାସରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଅନେକ ବିବାଦ ଦେଖାଦେଇଛି ଯାହା ଉଭୟଙ୍କ ମଧ୍ୟରେ ଅବିଶ୍ୱାସ ଏବଂ ଘୃଣା ସୃଷ୍ଟି କରିଛି। ବେଳେବେଳେ ରାଜନୈତିକ କାରଣରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ମଧ୍ୟ ବୃଦ୍ଧି ପାଇଥାଏ। ଅନେକ ଦେଶରେ ସିଆ ମୁସଲମାନମାନଙ୍କୁ ସାମାଜିକ ଓ ଅର୍ଥନୈତିକ ଦୃଷ୍ଟିରୁ ନିମ୍ନମାନର ବୋଲି ବିବେଚନା କରାଯାଏ, ଯାହା ଦୁଇ ସମ୍ପ୍ରଦାୟ ମଧ୍ୟରେ ଅସମାନତା ଏବଂ ଅସନ୍ତୋଷ ସୃଷ୍ଟି କରିଥାଏ। ତେବେ ଦୁଇ ସମ୍ପ୍ରଦାୟ ମଧ୍ୟରେ ଅନେକ ଲୋକ ଅଛନ୍ତି ଯେଉଁମାନେ ପରସ୍ପର ସହ ଶାନ୍ତିରେ ରହୁଛନ୍ତି।
