Odisha: ଓଡ଼ିଶାରେ ବର୍ଷକୁ ଯେତିକି ଡାଲିଜାତୀୟ ଶସ୍ୟ ଆବଶ୍ୟକ ତାହାଠାରୁ ୩/୪ ଗୁଣ ଅଧିକ ଉତ୍ପାଦନ ହେଉଛି । ହେଲେ ବର୍ଷସାରା ଡାଲି ପାଇଁ ଓଡ଼ିଶା କିନ୍ତୁ ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ତେବେ ଓଡ଼ିଶାରୁ ଉତ୍ପାଦିତ ଡାଲି କୁଆଡେ ଯାଉଛି ତାହା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ସରକାରୀ ହିସାବରେ ଓଡ଼ିଶା ପାଇଁ ବର୍ଷକୁ ୩.୧୨ ଲକ୍ଷ ମେଟ୍ରିକ ଟନ୍ ଡାଲି ଆବଶ୍ୟକ ଥିବାବେଳେ ୧୩ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଡାଲି ଫଳୁଛି। ତେବେ ଓଡ଼ିଶାରୁ ଉତ୍ପାଦିତ ହେଉଥିବା ଡାଲିଗୁଡିକ କୁଆଡ଼େ ଯାଉଛି ତାହା ଏବେ ପ୍ରଶ୍ନବାଚୀ ହୋଇଛି । କାରଣ ଡାଲି ପାଇଁ ଓଡ଼ିଶା ବର୍ଷସାରା ଅନ୍ୟରାଜ୍ୟ ଉପରେ ନିର୍ଭରଶୀଳ ଥିବାବେଳେ ସେହିସବୁ ରାଜ୍ୟର ବ୍ୟବସାୟୀମାନେ ଓଡ଼ିଶାର ଡାଲି ବଜାରକୁ ନିୟନ୍ତ୍ରଣ କରୁଛନ୍ତି।
ଓଡ଼ିଶାରେ ଡାଲି ଜାତୀୟ ଶସ୍ୟର ଉତ୍ପାଦନ ବୃଦ୍ଧି ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଆନୁକୂଲ୍ୟରେ ଜାତୀୟ ଖାଦ୍ୟ ନିରାପତ୍ତା ମିଶନ କାର୍ଯ୍ୟକାରୀ ହେଉଛି । ଡାଲି ଉତ୍ପାଦନ ବୃଦ୍ଧି ପାଇଁ ୨୦୦୭-୦୮ରୁ ଏହି ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ଏହି ଯୋଜନାରେ ଚାଷୀମାନଙ୍କୁ ମିନି କିଟ୍ ପ୍ରଦାନ ସହିତ ତୃଣନାଶକ, କୀଟନାଶକ, ଜୈବିକ ସାର, ଅଣୁସାର ଆଦି ୫୦ ପ୍ରତିଶତ ରିହାତି ଦରରେ ଯୋଗାଯାଉଛି । ଏଥି ସହିତ ରିହାତି ଦରରେ କୀଟନାଶକ ସିଞ୍ଚନ ଯନ୍ତ୍ର, ପାଣି ପକା ପାଇପ୍, ବିହନ ସଂରକ୍ଷଣ ଡ୍ରମ ଇତ୍ୟାଦି ମଧ୍ୟ ଯୋଗାଇ ଦିଆଯାଉଛି।
ସରକାରୀ ପ୍ରୋତ୍ସାହନ ପରେ ରାଜ୍ୟ ରାଜ୍ୟରେ ଡାଲି ଉତ୍ପାଦନ ବୃଦ୍ଧି ପାଇବାରେ ଲାଗିଛି। ହେଲେ ଲକ୍ଷ୍ୟ କରାଯାଉଛି ଯେ ଚାଷୀମାନେ ଯେଉଁ ହାରରେ ଧାନ ଚାଷ ପାଇଁ ଆଗ୍ରହ ଦେଖାଉଛନ୍ତି ସେହି ହାରରେ ଡାଲି ଜାତୀୟ ଶସ୍ୟପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଯେଉଁମାନେ ଡାଲି ଚାଷ କରୁଛନ୍ତି ସେମାନେ ପାରମ୍ପରିକ ଭାବେ ମୁଗ, ବିରି, କୋଳଥ ଆଦି ଚାଷ କରୁଥିବାବେଳେ ହରଡ ଓ ବୁଟ ଚାଷ ସେଭଳି ବହୁଳଭାବେ ଓଡ଼ିଶାରେ ହେଉନାହିଁ ।
ଯେତିକି ବି ଡାଲି ଚାଷ ଓଡ଼ିଶାରେ ଚାଷୀମାନେ କରୁଛନ୍ତି ଅମଳ ସମୟରେ ତାହା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ହାତକୁ ଚାଲିଯାଉଛି। ଗୋଟିଏ ପଟେ ସରକାର ଧାନ ଭଳି ଡାଲି ଜାତୀୟ ଶସ୍ୟକୁ ଠିକଣାଭାବେ ଖରିଦ ନ କରିବା ଏବଂ ଅନ୍ୟପଟେ ଆବଶ୍ୟକ ଡାଲି ପ୍ରକ୍ରିୟାକରଣ କାରଖାନା ନ ଥିବାରୁ ଚାଷୀମାନେ ବ୍ୟବସାୟୀଙ୍କ ହାତରେ ଶାଗମାଛ ଦରରେ ଡାଲି ବିକ୍ରି କରିଦେଉଛନ୍ତି। ସେହି ଡାଲି ଅନ୍ୟ ରାଜ୍ୟରେ ପ୍ରକ୍ରିୟାକରଣ ହୋଇ ଓଡ଼ିଶା ଆସିବା ସହିତ ଚଢ଼ା ଦରରେ ବିକ୍ରି ହେଉଛି।
ଓଡ଼ିଶାର ଖାଉଟିମାନେ ହରଡ ଡାଲି ଓ ବୁଟ ଡାଲି ଉପରେ ଅଧିକ ନିର୍ଭରଶୀଳ ଥିବାରୁ ଓଡ଼ିଶାର ବ୍ୟବସାୟୀମାନେ ବର୍ଷସାରା ଅନ୍ୟରାଜ୍ୟରୁ ଏହା ଆମଦାନୀ କରୁଛନ୍ତି ଏବଂ ଏ ବାବଦରେ ଓଡ଼ିଶାରୁ ଶହ ଶହ କୋଟି ଟଙ୍କାର ମୁନାଫା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନେଇ ଯାଉଛନ୍ତି।
ALSO READ: https://purvapaksa.com/govt-to-continue-rs-10-lakh-interest-free-loan-to-shg/