ବ୍ରିଟିଶ ଶାସନ କାଳରେ ଭାରତୀୟଙ୍କୁ ବିଭାଜନ କରିବା ପାଇଁ ଜାତିଭିତ୍ତିକ ବିଭାଜନର ମୂଳଦୁଆ ପଡ଼ିଥିଲା। ବ୍ରିଟିଶ ଶାସନ ସମୟରେ ଜିତିଭିତ୍ତିକ ବିକାଶ ନାଁରେ ୨ ଥର ଜନଗଣନା କରାଯାଇଥିଲା। ପ୍ରଥମେ ୧୯୩୧ ମସିହାରେ ଏବଂ ଦ୍ୱିତୀୟଟି ୧୯୪୧ ମସିହାରେ। କିନ୍ତୁ କେବଳ ୧୯୩୧ ମସିହାରେ ହିଁ ବିଭିନ୍ନ ଜାତି ଆଧାରରେ ସୂଚନା ସଂଗ୍ରହ ସମ୍ପୂର୍ଣ୍ଣ ହୋଇପାରିଥିଲା। ହେଲେ ୧୯୪୧ ମସିହାରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଯୋଗୁଁ ସମ୍ପୂର୍ଣ୍ଣ ତଥ୍ୟ ନେଇ ରିପୋର୍ଟ ପ୍ରକାଶ ପାଇପାରିନଥିଲା।
୧୯୩୧ ଜାତିଭିତ୍ତିକ ଜନ ଗଣନା ଅନୁସାରେ ବିଭିନ୍ନ ବର୍ଣ୍ଣ ତଥା ଜାତି ଆଧାରରେ ସମୁଦାୟ ଜନସଂଖ୍ୟାକୁ ବିଭକ୍ତ କରାଯାଇଥିଲା। ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର ଏବଂ ଅସ୍ପୃଶ୍ୟ ବର୍ଗରେ ଜନସଂଖ୍ୟାକୁ ଚିହ୍ନଟ କରାଯାଇଥିଲା। ଏହା ବ୍ୟତୀତ, ବିଭିନ୍ନ ଜାତି ଓ ଉପଜାତିଗୁଡ଼ିକର ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଥିଲା। ଆସନ୍ତୁ ନଜର ପକାଇବା ଏହି ଜନଗଣନାରେ ଥିବା ପ୍ରମୁଖ ବିନ୍ଦୁ ଉପରେ:-
ସେହି ଜନଗଣନା ଅନୁସାରେ, ଅନ୍ୟ ପଛୁଆ ବର୍ଗ ବା ଓବିସି ଜନସଂଖ୍ୟା ସମୁଦାୟ ଜନସଂଖ୍ୟାର ପ୍ରାୟ ୨୭% ଥିଲା, ଯାହା ପରବର୍ତ୍ତୀ ସମୟରେ ୧୯୮୦ର ମଣ୍ଡଳ କମିଶନ ଦ୍ୱାରା ଓବିସି ଆରକ୍ଷଣ ପାଇଁ ଆଧାର ଭାବେ ବ୍ୟବହୃତ ହୋଇଥିଲା।
ବ୍ରିଟିଶ ସରକାର ଏହି ତଥ୍ୟକୁ ପ୍ରଶାସନ, ଟିକସ ଆଦାୟ, ଓ ସାମାଜିକ ନୀତି ନିର୍ଧାରଣ ପାଇଁ ବ୍ୟବହାର କରିଥିଲେ। ଏହା ସମାଜରେ ଜାତିଗତ ସ୍ତରବିନ୍ୟାସକୁ ଆହୁରି ସୁଦୃଢ଼ କରିଥିଲା।
ସମାଜବିଜ୍ଞାନୀ ମାଇକେଲ ମାନ୍ଙ୍କ ମତରେ, ଏହି ଜନଗଣନା ବ୍ରିଟିଶମାନଙ୍କ ପ୍ରଶାସନିକ ଆବଶ୍ୟକତାକୁ ଅଧିକ ଗୁରୁତ୍ୱ ଦେଇଥିଲା ଏବଂ ଭାରତୀୟ ସମାଜର ବାସ୍ତବିକ ସାମାଜିକ ଚିତ୍ରଣ କରିବାରେ ସୀମିତ ଥିଲା।
୧୯୩୧ ଜାତିଭିତ୍ତିକ ଜନଗଣନାର ଫଳାଫଳ ଏବଂ ଏହାର ପରବର୍ତ୍ତୀ ପ୍ରଭାବ ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଥିଲା। ବ୍ରିଟିଶ ସରକାର ଜାତିଭିତ୍ତିକ ତଥ୍ୟକୁ “ବିଭାଜନ ଓ ଶାସନ” ନୀତିର ଅଂଶ ଭାବେ ବ୍ୟବହାର କରିଥିଲେ। ଏହି ତଥ୍ୟ ଜାତି ଓ ଧର୍ମ ଆଧାରରେ ସମାଜକୁ ବିଭକ୍ତ କରି ସ୍ୱାଧୀନତା ଆନ୍ଦୋଳନକୁ ଦୁର୍ବଳ କରିବାରେ ସହାୟକ ହୋଇଥିଲା। ଉଦାହରଣସ୍ୱରୂପ, ୧୯୩୨ର କମ୍ୟୁନାଲ ଆୱାର୍ଡ ଜାତି ଓ ଧର୍ମ ଆଧାରରେ ପୃଥକ ନିର୍ବାଚନ ମଣ୍ଡଳୀ ଘୋଷଣା କରିଥିଲା, ଯାହା ଦଳିତ ଓ ଅନ୍ୟ ସମ୍ପ୍ରଦାୟ ମଧ୍ୟରେ ବିଭେଦ ସୃଷ୍ଟି କରିଥିଲା।
ପୁଣି ଏହି ଜାତିଭିତ୍ତିକ ତଥ୍ୟ ଜାତୀୟତାବାଦୀ ନେତାମାନଙ୍କୁ, ବିଶେଷ କରି ଭାରତୀୟ ଜାତୀୟ କଂଗ୍ରେସକୁ, ଜାତିବାଦୀ ରାଜନୀତି ବିରୋଧରେ ଏକତା ଗଢ଼ିବାରେ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ମହାତ୍ମା ଗାନ୍ଧୀ ଏବଂ ଡ. ବାବାସାହେବ ଆମ୍ବେଦକରଙ୍କ ମଧ୍ୟରେ ପୁଣେ ଚୁକ୍ତି (୧୯୩୨) ଏହି ଜନଗଣନାର ପରୋକ୍ଷ ପ୍ରଭାବ ଥିଲା, ଯେଉଁଥିରେ ଦଳିତମାନଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ନିଷ୍ପତ୍ତି ହୋଇଥିଲା।
୧୯୩୧ ଜନଗଣନାର ତଥ୍ୟ ସ୍ୱାଧୀନତା ପରେ ମଧ୍ୟ ରାଜନୈତିକ ଓ ସାମାଜିକ ନୀତି ନିର୍ଧାରଣରେ ପ୍ରଭାବ ପକାଇଥିଲା। ୧୯୮୦ ମଣ୍ଡଳ କମିଶନ ଓବିସି ଜନସଂଖ୍ୟାର ଅନୁମାନ ପାଇଁ ୧୯୩୧ ଜନଗଣନା ତଥ୍ୟକୁ ଆଧାର କରିଥିଲା, ଯାହା ୧୯୯୦ରେ ଓବିସି ପାଇଁ ୨୭% ଆରକ୍ଷଣ ଘୋଷଣାରେ ଗୁରୁତ୍ୱପୂର୍ଣ୍ଣ ହୋଇଥିଲା। ଏହି ନିଷ୍ପତ୍ତି ଭାରତରେ ଜାତିଭିତ୍ତିକ ରାଜନୀତିକୁ ଆହୁରି ତୀବ୍ର କରିଥିଲା।
ଏହା ବିଭିନ୍ନ ରାଜ୍ୟଗୁଡ଼ିକରେ, ଯେପରି ବିହାର ଓ ଉତ୍ତର ପ୍ରଦେଶରେ, ଓବିସି ଓ ଦଳିତ ରାଜନୈତିକ ଦଳଗୁଡ଼ିକର ଉତ୍ଥାନରେ ଯେମିତି ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି ସହାୟକ ହୋଇଥିଲା।
ସ୍ୱାଧୀନତା ପରେ, ଜବାହରଲାଲ ନେହେରୁ ଓ ତାଙ୍କ ମନ୍ତ୍ରୀମଣ୍ଡଳ ୧୯୫୧ରେ ଅନୁସୂଚିତ ଜାତି ଓ ଜନଜାତି ବ୍ୟତୀତ ଅନ୍ୟ ଜାତିଗୁଡ଼ିକର ଜନଗଣନା ନ କରିବାକୁ ନିଷ୍ପତ୍ତି ନେଇଥିଲେ, କାରଣ ସେମାନେ ଜାତିବାଦକୁ ହ୍ରାସ କରିବା ଏବଂ ଏକ ଜାତୀୟ ପରିଚୟ ଗଢ଼ିବା ଚାହୁଁଥିଲେ।
ତଥାପି, ୧୯୩୧ ଜନଗଣନାର ତଥ୍ୟ ଏବଂ ଏହାର ଆଧାରରେ ହୋଇଥିବା ଆରକ୍ଷଣ ନୀତି ରାଜନୈତିକ ବିବାଦର କାରଣ ହୋଇଛି। ଅନେକ ରାଜନୈତିକ ଦଳ, ବିଶେଷ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଓ ଆରଜେଡି, ଜାତିଭିତ୍ତିକ ଜନଗଣନାର ପୁନରାବୃତ୍ତି ପାଇଁ ଦାବି କରୁଥିଲେ। ଏବେ ମୋଦୀଙ୍କ ନିଷ୍ପତ୍ତି ସେମାନଙ୍କ ମୁହଁରେ ତାଲା ପକାଇ ରାଜନୀତିର ପଲାକୁ ନିଜ ପକ୍ଷଭୁକ୍ତ କରିଛି।
Also readhttps://purvapaksa.com/nirbhay-yuva-puraskar-winners-to-take-charge-of-developed-india/