ଆପଣ କଳ୍ପନା କରିପାରିବେ କି ଉନବିଂଶ ଶତାବ୍ଦୀରେ ୟୁରୋପରେ ସାଇକେଲ ଆବିଷ୍କାର ହେବାବେଳେ ଅନେକ ଡାକ୍ତର ଓ ବୈଜ୍ଞାନିକ ନାକ ଟେକିଥିଲେ । ଯାହାକୁ ଆଜି ସ୍ୱାସ୍ଥ୍ୟ ପାଇଁ ସବୁଠାରୁ ଉତ୍ତମ ଜିନିଷ ବୋଲି ବିବେଚନା କରାଯାଉଛି, ତାକୁ ସେତେବେଳର ଡାକ୍ତର ଓ ବୈଜ୍ଞାନିକ ଅସ୍ୱାସ୍ଥ୍ୟକର ତଥା ବିପଜ୍ଜନକ କହି ଖାରଜ କରିଦେଇଥିଲେ । ଖବରକାଗଜରେ ଏହାକୁ ସମାଜକୁ ନଷ୍ଟ କରୁଥିବା ଖେଳଣା କୁହାଯାଇଥିଲା। କିନ୍ତୁ ମାତ୍ର କେଇ ଦଶନ୍ଧିରେ ସାଇକେଲ ଗମନାଗମନର ସବୁଠାରୁ ସହଜ ପନ୍ଥା ହୋଇଥିଲା ।
ଯଦିଓ ଏହା ସତ୍ୟ ଯେ ଉନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆସିଥିବା ସାଇକେଲର ପ୍ରାରମ୍ଭିକ ମଡେଲଗୁଡ଼ିକ ଅଦଭୂତ ଓ ବଡ଼ ଚକ ବିଶିଷ୍ଟ ଥିଲା। ପ୍ରାରମ୍ଭିକ ମଡେଲକୁ “ଡ୍ରେସିନା” କୁହାଯାଇଥିଲା, ଯାହାକୁ ୧୮୧୭ରେ କାର୍ଲ ଭନ ଡ୍ରେସେ ତିଆରି କରିଥିଲେ। ଏହାପରେ ୧୮୭୦ ପର୍ଯ୍ୟନ୍ତ “ହାଇ ହ୍ୱିଲର ଓ ପେନି-ଫାର୍ଥିଂ” ମଡେଲ ଆସିଥିଲା, ଯେଉଁଥିରେ ଆଗ ଚକ ବଡ଼ ଓ ପଛ ଚକ ଛୋଟ ଥିଲା।
ଲୋକେ କହୁଥିଲେ, “ଏହାକୁ ଚଳାଇବା ଅସମ୍ଭବ।” ସେ ସମୟରେ ସାଇକେଲରୁ ଲୋକେ ଖସି ପଡି ଆହତ ହେଉଥିଲେ। ତେଣୁ ଖବରକାଗଜ ଏହାକୁ “ମଣିଷକୁ ପକାଉଥିବା ଯନ୍ତ୍ର” ଓ “ବିପଜ୍ଜନକ ଖେଳଣା” ବୋଲି ଅଭିହିତ କରିଥିଲେ । ଅନେକ ଡାକ୍ତର ଆଶଙ୍କା ବ୍ୟକ୍ତ କରିଥିଲେ ଯେ ସାଇକେଲ ଚଢିବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ। ମୋଟାମୋଟି ଭାବେ ଆରମ୍ଭରେ ସାଇକେଲ ବଦନାମ ଥିଲା । କିନ୍ତୁ କିଛିଦିନ ପରେ ଏହି ବଦନାମୀର ଦାଗ ହଟିଗଲା।ଜ
ସାଇକେଲ ସମାଜରେ ସ୍ୱାଧୀନତାର ପ୍ରତୀକ ମଧ୍ୟ ହୋଇଥିଲା। ମହିଳାମାନେ ଯେତେବେଳେ ପ୍ରଥମେ ସାଇକେଲ ଚଳାଇବା ଆରମ୍ଭ କଲେ, ସେତେବେଳେ ଅନେକ ଏହାକୁ ସମାଲୋଚନା କରିଥିଲେ। ସେମାନଙ୍କ ମତରେ ମହିଳାଙ୍କ ପକ୍ଷରେ ସାଇକେଲ ଚଳାଇବା ଅନୈତିକ ଅଟେ ।
ପ୍ରାରମ୍ଭିକ ସାଇକେଲଗୁଡ଼ିକ ବହୁତ ମହଙ୍ଗା ଥିଲା। ସହରର ରାସ୍ତାରେ ଘୂରୁଥିବା ହାଇ ହ୍ୱିଲର ଲୋକଙ୍କୁ ଭୟଭୀତ କରୁଥିଲା। ଅନେକ ସମୟରେ ଏହା ଦୁର୍ଘଟଣାର କାରଣ ହେଉଥିଲା। ସାଇକେଲରୁ ଖସିପଡୁଥିବା ଲୋକଙ୍କୁ ଖବରକାଗଜ ଓ କାର୍ଟୁନରେ ବହୁତ ମଜାକ କରାଯାଉଥିଲା। ଗାଁରେ ଲୋକେ ଏହାକୁ ଘୋଡ଼ା ବିନା ଦୌଡ଼ୁଥିବା ଆଶ୍ଚର୍ଯ୍ୟଜନକ ଜିନିଷ କହୁଥିଲେ।
ସାଇକେଲ ଅସ୍ୱାସ୍ଥ୍ୟକର !
କିଛି ଡାକ୍ତର ସାଇକେଲକୁ ଅସ୍ୱାସ୍ଥ୍ୟକର ବୋଲି ଘୋଷଣା କରିବାକୁ ପଛାଇ ନଥିଲେ । ସେମାନଙ୍କ ମତ ଥିଲା ଯେ, ନିରନ୍ତର ସାଇକେଲ ଚଳାଇବା ସ୍ନାୟୁ ଓ ମେରୁଦଣ୍ଡ ଉପରେ ଖରାପ ପ୍ରଭାବ ପକାଇବ। କେତେକେ ଏହାକୁ ବିପଜ୍ଜନକ ଖେଳ ମାନୁଥିଲେ। ସେତେବେଳେ ଏହାକୁ ବ୍ୟାୟାମ ବୋଲି ଗ୍ରହଣ କରାଯାଉ ନଥିଲା।
ଲୁହାର ଘୋଡ଼ା
୧୮୧୭ରେ କାର୍ଲ ଭନ ଡ୍ରେସେ ଜର୍ମାନୀରେ “ଡ୍ରେସିନା” ନାମକ ଏକ ସବାରୀ ତିଆରି କରିଥିଲେ, ଯାହାକୁ ଲୋକେ “ଲୁହାର ଘୋଡ଼ା” କହୁଥିଲେ। ଏହା ସାଇକେଲର ପ୍ରାରମ୍ଭିକ ରୂପ ଥିଲା। ଖବରକାଗଜରେ ଲେଖାଯାଇଥିଲା, “ଏହା ଦୁଇ ପାଦ ବିଶିଷ୍ଟ ମଣିଷ ପାଇଁ ବିପଜ୍ଜନକ। ଏଥିରୁ ଲୋକେ ଖସି ଆଘାତ ପାଇବେ।” ଅନେକ ସହରରେ ଲୋକେ ଏହାକୁ ଦେଖି ଭୟଭୀତ ହେଉଥିଲେ। ପିଲାମାନେ ଏହା ପଛରେ ଦୌଡ଼ୁଥିଲେ। ଗାଁଗଣ୍ଡାରେ ସାଇକଲେ ଚଳାଉଥିବା ଲୋକଙ୍କୁ ଥଟ୍ଟା ପରିହାସ କରାଯାଉଥିଲା । ଯେମିତି ଜର୍ମାନୀର ଗୋଟିଏ ଗାଁରେ ଜଣେ ଯୁବକ ସାଇକେଲ ଚଳାଇବାକୁ ଚେଷ୍ଟା କରି ଖସି ପଡ଼ିଥିଲେ । ଗାଁ ଲୋକ ତାଙ୍କୁ ପରିହାସ କରି କହିଥିଲେ ଯେ, “ଏହା ଜାଦୁର ଯନ୍ତ୍ର ନୁହେଁ, ବରଂ ହସର ଯନ୍ତ୍ର।”
ପ୍ରଥମେ ସାଇକେଲ ଚଲାଇବାକୁ ପାଗଳାମୀ କୁହାଯାଉଥିଲା
୧୮୭୦-୮୦ରେ ସାଇକେଲର ଆହୁରି ଉନ୍ନତ ରୂପ ହାଇ ହ୍ୱିଲର ବା ପେନି-ଫାର୍ଥିଂ ଆସିଲା । ଏହା ସାଇକେଲର ପରବର୍ତୀ ମଡେଲ ଥିଲା, ଯେଉଁଥିରେ ଆଗ ଚକ ବଡ଼ ଓ ପଛ ଚକ ଛୋଟ ଥିଲା। ଏହାକୁ ଦେଖି ଲୋକଙ୍କ ପ୍ରତିକ୍ରିୟା ଥିଲା, ଏହାକୁ ଚଳାଇବା ସାଧାରଣ ମଣିଷ ପାଇଁ ପାଗଳାମି । ଏମିତିକି ଲଣ୍ଡନରେ ଜଣେ ଧନୀ ଯୁବକ ଗୋଟିଏ ହାଇ ହ୍ୱିଲର କିଣି ରାସ୍ତାରେ ଯାଉଥିବା ବେଳେ ଦୁର୍ଘଟଣାର ଶିକାରହୋଇଥିଲେ । ଗୋଟିଏ ମୋଡ଼ ବୁଲିବା ବେଳେ ସାଇକେଲ ପଡ଼ିଯାଇଥିଲା । ପରଦିନ ଖବରକାଗଜର ହେଡଲାଇନ ଥିଲା: “ଯୁବକର ଉଡ଼ାଣ ବିଫଳ, ସାଇକେଲ ତାକୁ ଧରାଶାୟୀ କଲା।” ଏହି ଖବର ଲୋକଙ୍କ ମଧ୍ୟରେ ହସର କାରଣ ହେଲା ଓ ସହରରେ ଚର୍ଚ୍ଚାର ବିଷୟ ହେଲା
ମହିଳା ଓ ସାଇକେଲ
୧୮୯୦-୧୯୦୦ ଦଶକରେ ଆମେରିକା ଓ ଯୁରୋପରେ ମହିଳାମାନେ ମଧ୍ୟ ସାଇକେଲ ଚଳାଇବା ଆରମ୍ଭ କଲେ। ଖବରକାଗଜ ଓ ସମାଜ ଏହାକୁ “ଅନୈତିକ” ଓ “ବିପଜ୍ଜନକ” କହିଲେ। ୧୮୯୬ରେ ଏକ ବ୍ରିଟିଶ ଖବରକାଗଜ ଲେଖିଥିଲା: “ଯଦି ମହିଳା ସାଇକେଲ ଚଳାଇବେ ତେବେ ତାଙ୍କ ମର୍ଯ୍ୟାଦା ହାୱାରେ ଉଡ଼ିଯିବ।” ଫ୍ରାନ୍ସରେ ଏକ ପତ୍ରିକା ମଜାକିଆ ଢଙ୍ଗରେ ଲେଖିଥିଲା, “ମହିଳାମାନେ ଏବେ ଘୋଡ଼ା ବଦଳରେ ଲୁହାର ଜନ୍ତୁ ଉପରେ ସବାର ହେଉଛନ୍ତି।”
ସାଇକେଲ ଏତେ ବଦନାମ ଥିଲା ଯେ, ୟୁରୋପର କିଛି ସହରରେ ଗୋଟିଏ ନିୟମ ପ୍ରଣୟନ ହୋଇଥିଲା । ନିୟମ ଅନୁସାରେ ସାଇକେଲ ଚାଳକଙ୍କ ପଛରେ ଆଉ ଜଣେ ବ୍ୟକ୍ତି ହାତରେ ଲାଲ ପତାକା ଧରି ଦୌଡ଼ିବେ । ଯେମିତି ବାକି ଲୋକ ଜାଣି ପାରିବେ ଯେ,ସାଇକେଲ ଆସୁଛି ।
ଭାରତରେ ସାଇକେଲକୁ ନେଇ କ’ଣ ଥିଲା ପ୍ରତିକ୍ରିୟା ?
ଭାରତରେ ସାଇକେଲର ଆରମ୍ଭ ଉନବିଂଶ ଶତାବ୍ଦୀର ଶେଷଭାଗରେ ହୋଇଥିଲା। ବ୍ରିଟିଶ ଶାସନ ସମୟରେ ଇଂଲଣ୍ଡରୁ ଆସିଥିବା ଏହି “ନୂଆ ଯନ୍ତ୍ର” ପ୍ରଥମେ ବମ୍ବେ (ଆଜିର ମୁମ୍ବାଇ), କଲିକତା ଓ ମଦ୍ରାସ ଭଳି ବନ୍ଦରଗୁଡ଼ିକରେ ଦେଖିବାକୁ ମିଳିଥିଲା। ସେସମୟରେ ଏହାକୁ ସାଧାରଣ ଲୋକେ ନୁହେଁ, କେବଳ ଇଂରେଜ ଅଫିସର ଓ କିଛି ଧନୀ ଭାରତୀୟ କିଣି ପାରୁଥିଲେ।
ସେସମୟରେ ଲୋକେ ଏହାକୁ ଦେଖି “ଶୟତାନର ଗାଡ଼ି”, “ଉଡ଼ନ୍ତା ଶଗଡ଼”, ଓ କେତେବେଳେ “ଦୁଇ ଚକର ଆଶ୍ଚର୍ଯ୍ୟଜନକ ଜିନିଷ” କହୁଥିଲେ। ଗ୍ରାମାଞ୍ଚଳରେ ଅନେକ ଲୋକ ଏହାକୁ ଦେଖି ଭୟଭୀତ ହେଉଥିଲେ। ସେମାନଙ୍କୁ ଲାଗୁଥିଲା ଯେ ଏହା ଜାଦୁ ବା କୌଣସି ଇଂରେଜର ଚାଲାକିରେ ତିଆରି ହୋଇଥିବା ଭୂତ ଗାଡ଼ି।
ଭାରତରେ ସାଇକେଲ ସାମାଜିକ ପ୍ରତିଷ୍ଠାର ପ୍ରତୀକ ଥିଲା
ଭାରତରେ ସାଇକେଲ ସାମାଜିକ ପ୍ରତିଷ୍ଠାର ପ୍ରତୀକ ଥିଲା। ସେସମୟରେ ସାଇକେଲ ବହୁତ ମହଙ୍ଗା ଥିଲା। ୧୮୯୦ ଦଶକରେ ଏକ ସାଇକେଲର ମୂଲ୍ୟ ୩୦୦-୪୦୦ ଟଙ୍କା ପର୍ଯ୍ୟନ୍ତ ଥିଲା, ଯେତେବେଳେ ଜଣେ କର୍ମଚାରୀଙ୍କ ମାସିକ ମଜୁରୀ ମାତ୍ର ୧୦-୧୫ ଟଙ୍କା ଥିଲା। ଏହି କାରଣରୁ ଏହା କେବଳ ଇଂରେଜ ଅଫିସର, ଭାରତୀୟ ଜମିଦାର ଓ ନବାବଙ୍କ ଶୌକ ହୋଇ ରହିଥିଲା।
କୁହାଯାଏ ଯେ କଲିକତା ଓ ବମ୍ବେର କିଛି ପାର୍ସୀ ବ୍ୟବସାୟୀ ପ୍ରଥମେ ସାଇକେଲ ଆଣିଥିଲେ। ସେମାନେ ଏହାକୁ ସାମାଜିକ ପ୍ରତିଷ୍ଠାର ପ୍ରତୀକ ଭାବେ ବ୍ୟବହାର କରୁଥିଲେ। ରବିବାର ସକାଳେ ସେମାନେ ଧଳା ପୋଷାକ ଓ ଟୋପି ପିନ୍ଧି ରାସ୍ତାରେ ସାଇକେଲ ଚଳାଉଥିଲେ, ଯାହା ଦେଖି ଲୋକେ ଆଶ୍ଚର୍ଯ୍ୟ ହେଉଥିଲେ।
ଭାରତରେ ଯୌତୁକରେ ସାଇକେଲ
ସାଇକେଲ ଚଳାଇବା ସହଜ ନଥିଲା। ପ୍ରାରମ୍ଭିକ ମଡେଲ “ହାଇ ହ୍ୱିଲର” ବା “ପେନି-ଫାର୍ଥିଂ” ଭଳି ବଡ଼ ଚକ ବିଶିଷ୍ଟ ଥିଲା, ଯେଉଁଥିରେ ଚଢ଼ିବା ଓ ସନ୍ତୁଳନ ରଖିବା ବହୁତ କଷ୍ଟକର ଥିଲା। ତେଣୁ ଲୋକେ ଏହାକୁ ମଜାକରେ “ଖସିବାର ଗାଡ଼ି” ମଧ୍ୟ କହୁଥିଲେ। ୧୯୦୦ ଦଶକରେ କଲିକତାର ଖବରକାଗଜରେ ରିପୋର୍ଟ ମିଳେ ଯେ କିପରି “ଅନେକ ବାବୁ ଓ କ୍ଲର୍କ ଅଫିସ ଯାଉଥିବା ବେଳେ ସାଇକେଲରେ ଚଢ଼ି ଖସି ପଡ଼ୁଥିଲେ, ଫଳରେ ରାସ୍ତାଘାଟରେ ଲୋକଙ୍କ ପରିହାସର ପାତ୍ର ହେଉଥିଲେ।” ଧୀରେ ଧୀରେ ସାଇକେଲକୁ “କିରାନୀଙ୍କ ଗାଡ଼ି” କୁହାଗଲା, କାରଣ ସହରର ଅଫିସ ଯାଉଥିବା ବାବୁମାନେ ଏହା ବ୍ୟବହାର କରୁଥିଲେ।
୧୯୨୦ ମସିହା ବେଳକୁ ପଞ୍ଜାବରେ କୃଷକମାନେ ସାଇକେଲରେ ହାଟ-ବଜାର ଯାଉଥିଲେ। ପ୍ରାରମ୍ଭରେ ସେମାନେ ଏହାକୁ ଏତେ ମୂଲ୍ୟବାନ ମାନୁଥିଲେ ଯେ ଘରେ ସାଇକେଲ ରଖିବା ପାଇଁ ଅଲଗା କୋଠରୀ ତିଆରି କରୁଥିଲେ। ୧୯୩୦-୪୦ ଦଶକରେ ଅନେକ ସ୍ଥାନରେ ଯୌତୁକରେ ସାଇକେଲ ଦେବା ଏକ ସାମାଜିକ ପ୍ରତିଷ୍ଠାର ପ୍ରତୀକ ହେଲା। ଏହା ୧୯୬୦-୭୦ ଦଶକ ପର୍ଯ୍ୟନ୍ତ ଚାଲିଥିଲା। ବରଯାତ୍ରୀରେ ବରକୁ ସାଇକେଲରେ ବସାଇ ଘୁରାଇବାର କାହାଣୀ ମଧ୍ୟ ରହିଛି।
