A true royal drama ବରୋଦାର ମହାରାଣୀ ସୀତା ଦେବୀ, ନିଜର ବିଳାସପୂର୍ଣ୍ଣ ଜୀବନଶୈଳୀ ପାଇଁ ସାରା ବିଶ୍ୱରେ ପରିଚିତ। ତାଙ୍କୁ ଭାରତର ୱାଲିସ ସିମ୍ପସନ କୁହାଯାଏ। ଏକଦା ସୀତା ଦେବୀ ଓ ପ୍ରକୃତ ଡଚେସ୍ ଅଫ୍ ୱିଣ୍ଡସର ୱାଲିସ ସିମ୍ପସନଙ୍କ ମଧ୍ୟରେ ସାକ୍ଷାତ ହୋଥିଲା। ସୀତା ଦେବୀଙ୍କ ତାଛଲ୍ୟରେ ୱାଲିସ ସିମ୍ପସନଙ୍କ ମୁହଁରୁ ହସ ଲିଭିଯାଇଥିଲା। ୧୯୫୭ରେ ଘଟିଥିବା ଏହି ଘଟଣା ଥିଲା ଅସଲରେ ରାଜକୀୟ ଡ୍ରାମା। ପୂର୍ବ ରାଜରାଜ୍ୟର ରାଣୀମାନେ ସେମାନଙ୍କର ସୌନ୍ଦର୍ଯ୍ୟ, ସାହସ, ସେବା ଓ ସାମାଜିକ କାର୍ଯ୍ୟ ଇତ୍ୟାଦି ପାଇଁ ପ୍ରାୟତଃ ସ୍ୱତନ୍ତ୍ର ପରିଚିତ ହାସଲ କରିଥିଲେ। କିନ୍ତୁ ବିଂଶ ଶତାବ୍ଦୀର ବ୍ରିଟିଶ ରାଜ ସମୟେର ଏଭଳି କିଛି ରାଣୀ ଥିଲେ, ଯଉଁମାନେ ନିଜର ବିଳାସପୂର୍ଣ୍ଣ ଲାଇଫ ଷ୍ଟାଇଲ ପାଇଁ ମଧ୍ୟ ଚର୍ଚ୍ଚାରେ ରହିଥିଲେ। ସୀତା ଦେବୀ ସେମାନଙ୍କ ମଧ୍ୟରେ ଥିଲେ ଅନ୍ୟତମ।
- ସିମ୍ପସନଙ୍କ ହାରକୁ ପାଦର ପାଉଁଜି ଭାବେ ସମ୍ବୋଧନ କରିଥିଲେ ସୀତା ଦେବୀ
- କହିଥିଲେ ‘ହାରଟି ତୁମ ଗଳାଠୁ ଏହା ମୋ ପାଦରେ ଭଲ ଦେଖାଯାଉଥିଲା’
ବରୋଦାର ମହାରାଣୀ ସୀତା ଦେବୀ (୧୯୧୭-୧୯୮୯) ଐଶ୍ୱର୍ଯ୍ୟ ଓ ବିଳାସରେ ପରିପୂର୍ଣ୍ଣ ଜୀବନ ଯାପନ ପାଇଁ ପ୍ରସିଦ୍ଧ ଥିଲେ । ସେ ଦେଶ ବିଦେଶ ବୁଲିବା ଓ ହାଇ-ପ୍ରୋଫାଇଲ୍ ପାର୍ଟିରେ ଯୋଗ ଦେବାକୁ ନେଇ ବେଶ ପରିଚିତ ଥିଲେ। ସେ ବରୋଦାର ମହାରାଜା ପ୍ରତାପ ସିଂହରାଓ ଗାଏକୱାଡ (୧୯୦୮-୧୯୬୮)ଙ୍କ ପତ୍ନୀ ଥିଲେ। ମହାରାଜା ଗାଏକୱାଡ ସେତେବେଳେ ବିଶ୍ୱର ଶ୍ରେଷ୍ଠ ଦଶ ଜଣ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ପରିଗଣିତ ହେଉଥିଲେ । ୧୯୪୩ରେ ମାଡ୍ରାସ ଘୋଡ଼ା ଦୌଡ଼ କ୍ଲବରେ ମହାରାଜା ଗାଏକୱାଡ ଓ ସୀତା ଦେବୀଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢିଉଠିଥିଲା। ସୀତା ଦେବୀ ସେତେବେଳେ ଆନ୍ଧ୍ରପ୍ରଦେଶର ଭୁୟୁରର ଜଣେ ଧନୀ ଜମିଦାର ଏମ.ଆର.ଆପ୍ପା ରାଓ ବାହାଦୁରଙ୍କ ପତ୍ନୀ ଥିଲେ। ଉଭୟଙ୍କର ୩ଟି ସନ୍ତାନ ମଧ୍ୟ ରହିଥିଲା।
ରାଜା ଗାଏକୱାଡଙ୍କ ପ୍ରେମରେ ପଡି ସୀତା ଦେବୀ ପ୍ରଥମ ସ୍ୱାମୀଙ୍କୁ ଛାଡ଼ ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ସେ ଇସଲାମ ଧର୍ମ ଗ୍ରହଣ କରିଥିଲେ। ଛାଡ଼ପତ୍ର ମିଳିବା ପରେ ସେ ପୁନର୍ବାର ହିନ୍ଦୁ ଧର୍ମ ଗ୍ରହଣ କରିଥିଲେ ଓ ବରୋଦା ମହାରାଜାଙ୍କୁ ବିବାହ କରିଥିଲେ। ମହାରାଜା ପ୍ରତାପ ରାଓ ଗାଏକୱାଡ ସେତେବେଳେ ବିଶ୍ୱର ଅଷ୍ଟମ ଧନୀ ଓ ଭାରତର ଦ୍ୱିତୀୟ ଧନୀ ବ୍ୟକ୍ତିଥିଲେ। ବରୋଦା ରାଜ ପରିବାରରେ ପ୍ରବେଶ କରିବା ପରେ ସୀତା ଦେବୀଙ୍କ ବିଳାସପୂର୍ଣ୍ଣ ଜୀବନଶୈଳୀ ନୂଆ ରୂପ ନେଇଥିଲା। ମର୍ସିଡିସ୍, ରୋଲ୍ସ ରୟସ ଭଳି ଦାମୀ କାର ଚଲାଇବା, ଦେଶ ବିଦେଶ ଭ୍ରମଣ କରିବା ଓ ହାଇ ପ୍ରୋଫାଇଲ ପାର୍ଟିରେ ଯୋଗ ଦେବା ପାଇଁ ବାଟ ଫିଟି ଯାଇଥିଲା।
ବରୋଦାର ମହାରାଣୀଙ୍କର ଦାମୀ ଏବଂ ବିରଳ ଅଳଙ୍କାର ପ୍ରତି ପ୍ରବଳ ଦୁର୍ବଳତା ରହିଥିଲା। ଦାମୀ ଓ ଅମୂଲ୍ୟ ରତ୍ନରେ ପରିପୂର୍ଣ୍ଣ ଅଳଙ୍କାର ସଂଗ୍ରହ କରିବା ଓ ପିନ୍ଧିବାରେ ସୀତା ଦେବୀ ବହୁ ଅର୍ଥ ଖର୍ଚ୍ଚ କରୁଥିଲେ। ତାଙ୍କର ଅଳଙ୍କାର ପରିଧାନ ୟୁରୋପର ସମ୍ଭ୍ରାନ୍ତ ସମାବେଶରେ ଆଲୋଚନାର ବିଷୟ ପାଲଟିଥିଲା । ଥରେ ବିଦେଶ ଭ୍ରମଣ କରିବା ପାଇଁ ସେ ସାଙ୍ଗରେ ୧୦୦୦ରୁ ଅଧିକ ଶାଢୀ ନେଉଥିଲେ।
ଫିଫ୍ଥ-ଆଭେନ୍ୟୁରେ ଥିବା ୱାଲ୍ଡର୍ଫ-ଆଷ୍ଟୋରିଆ ଏବଂ ନ୍ୟୁୟର୍କ ସିଟିର ୩୩ତମ ଷ୍ଟ୍ରିଟରେ ଉପସ୍ଥିତ ଥିଲେ କିମ୍ବା ଲଣ୍ଡନର ଡର୍ଚେଷ୍ଟରରେ ଥିବା ବେଳେ ତାଙ୍କ କାନଫୁଲ, ନେକଲେସ୍, ବ୍ରେସଲେଟ୍ ଏବଂ ମୁଦିଗୁଡ଼ିକ ଅତିଥିମାନଙ୍କୁ ଆକର୍ଷିତ କରୁଥିଲା।
ମହାରାଣୀଙ୍କର ମାଇସନ୍ ଦାମୀ ଗହଣା ପ୍ରସ୍ତୁତ କରୁଥିବା ଫ୍ରାନ୍ସର ଚର୍ଚ୍ଚତ ବ୍ରାଣ୍ଡ ଭାନ୍ କ୍ଲିଫ୍ ଏବଂ ଆର୍ପେଲ୍ସଙ୍କ ପ୍ରତି ବିଶେଷ ଦୁର୍ବଳତା ରହିଥିଲା। ସେ ଉକ୍ତ କମ୍ପାନୀର ସମ୍ମାନିତ କ୍ଲାଏଣ୍ଟ ଥିଲେ। ଉକ୍ତ କମ୍ପାନୀର କର୍ମଚାରୀମାନେ ତାଙ୍କୁ ‘ମିସେସ୍ ବ୍ରାଉନ୍’ ବୋଲି ସମ୍ବୋଧିତ କରୁଥିଲେ। ଏପରିକି ମହାରାଣୀ ନିୟମିତ ବ୍ୟବହାର କରୁଥିବା ଜିଭଛେଲା ମଧ୍ୟ ଭାନ୍ କ୍ଲିଫ୍ ଏବଂ ଆର୍ପେଲ୍ସଙ୍କ ଦ୍ୱାରା ତିଆରି କରାଯାଇଥିଲା।
ସମ୍ପୂର୍ଣ୍ଣ କାହାଣୀର ଅସଲ ମଜାଦାର ଘଟଣାଟି ଘଟିଥିଲା ୧୯୫୩ ମସିହାରେ। ସୀତା ଦେବୀ ନ୍ୟୁୟର୍କର ହ୍ୟାରି ୱିନଷ୍ଟନ ଜୁଏଲାରୀ ହାଉସକୁ ଏକ ଯୋଡ଼ା ଅଳଙ୍କାର ବିକ୍ରି କରିଥିଲେ । ଉଚ୍ଚମାନର ପାନା ଓ ହୀରାରେ ତିଆରି ହୋଇଥିବା ମହାରାଣୀଙ୍କର ଏହି ସୁନ୍ଦର ପାଉଁଜିକୁ ଗହଣା ବ୍ୟବସାୟୀ ଭାଙ୍ଗି ଏକ ହାର ତିଆରି କରିଥିଲେ।
ସୌଭାଗ୍ୟବଶତଃ ସେତେବେଳର ଡଚେସ୍ ଅଫ୍ ୱିଣ୍ଡସର ୱାଲିସ ସିମ୍ପସନ ଏହି ହାରଟି କିଣିଥିଲେ। ୧୯୫୭ମସିହାରେ ୱାଲଡୋର୍ଫ-ଆଷ୍ଟୋରିଆ ହୋଟେଲରେ ଆୟୋଜିତ ଏକ ବଲରେ ସୀତା ଦେବୀ ଓ ୱାଲିସ ସିମ୍ପସନଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଉଭୟ ପରସ୍ପରକୁ ଅତିକ୍ରମ କରୁଥିବା ସମୟରେ ସିମ୍ପସନଙ୍କ ବେକରେ ସୀତା ଦେବୀଙ୍କ ନଜର ପଡ଼ିଥିଲା। ଦିନେ ସେ ପିନ୍ଧିଥିବା ପାଉଁଜିକୁ ୱାଲିସ୍ ହାର କରି ପିନ୍ଧିଥିବା ଦେଖି ସୀତା ଦେବୀ ହସିଥିଲେ। ୱାଲିସଙ୍କ ବେକ ଅପେକ୍ଷା ସେହି ଗହଣା ତାଙ୍କ ବାଦରେ ଅଧିକ ସୁନ୍ଦର ଦେଖା ଯାଉଥିଲା ବୋଲି ସୀତା ଦେବୀ ମନ୍ତବ୍ୟ ଦେଇଥିଲେ। ୱାଲିସ ଏହି ତାଛଲ୍ୟରେ ଲଜ୍ଜା ଅନୁଭବ କରିଥିଲେ। ପରେ ସେ ଉକ୍ତ ହାରକୁ ୱିନଷ୍ଟନ ଜୁଏଲାରୀ ହାଉସକୁ ଫେରାଇ ଦେଇଥିଲେ।
previous article: https://purvapaksa.com/australian-heiress-joan-falkiner-married-the-nawab-of-princely-state-of-palanpur/
ଅଷ୍ଟ୍ରେଲୀୟ ଉତ୍ତରାଧିକାରୀ, ପାଲନପୁରର ନବାବ ଏବଂ ପରମ୍ପରାକୁ ଉଲ୍ଲଂଘନ କରୁଥିବା ରାଜବିବାହ