When did home registration begin in India?:୧୯୦୮ର ପଞ୍ଜୀକରଣ ଆଇନ ପ୍ରଣୟନ ସହିତ ଭାରତରେ ଗୃହଗୁଡ଼ିକର ପଞ୍ଜୀକରଣ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା, ଯାହା ୧୯୦୯ ଜାନୁଆରୀ ୧ ରେ କାର୍ଯ୍ୟକାରୀ ହୋଇଥିଲା।
ଆପଣ ଜାଣନ୍ତି କି ଭାରତରେ ଘର, ଜମି ଏବଂ ସମ୍ପତ୍ତିର ପଞ୍ଜୀକରଣ କେବେ ଆରମ୍ଭ ହୋଇଥିଲା? ପ୍ରଥମେ ସେମାନେ କେତେ ଟଙ୍କା ନେଉଥିଲେ? ୧୧୬ ବର୍ଷ ପୂର୍ବେ ଏହି ଆଇନ ଆସିବା ପରେ ଲୋକଙ୍କ ପ୍ରତିକ୍ରିୟା କ’ଣ ଥିଲା? ଆଉ ସବୁଠାରୁ ବଡ଼ କଥା ହେଉଛି ବ୍ରିଟିଶ ସରକାର କାହିଁକି ଏହି ଆଇନ ଆଣିଲେ।
୧୯୦୮ର ପଞ୍ଜୀକରଣ ଆଇନ ପ୍ରଣୟନ ସହିତ ଭାରତରେ ଗୃହଗୁଡ଼ିକର ପଞ୍ଜୀକରଣ ଆନୁଷ୍ଠାନିକ ଭାବରେ ଆରମ୍ଭ ହୋଇଥିଲା, ଯାହା ୧୯୦୯ ଜାନୁଆରୀ ୧ ରେ କାର୍ଯ୍ୟକାରୀ ହୋଇଥିଲା। ସମ୍ପତ୍ତି କାରବାର ସହିତ ଜଡ଼ିତ ବିଭିନ୍ନ ଦସ୍ତାବିଜର ପଞ୍ଜୀକରଣ ପାଇଁ ଏହି ଆଇନ ଏକ ସମ୍ପୂର୍ଣ୍ଣ ଆଇନଗତ ଢାଞ୍ଚା ସୃଷ୍ଟି କରିଥିଲା, ଯାହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆଇନଗତ ବୈଧତା ନିର୍ଦ୍ଧାରଣ କରିବା ଏବଂ ସମ୍ପତ୍ତି କାରବାରରେ ଠକେଇକୁ ରୋକିବା।
ପୂର୍ବରୁ ଭାରତରେ ଏଭଳି ବ୍ୟବସ୍ଥା ନ ଥିଲା। ମୋଗଲମାନଙ୍କ ସମୟରେ ସମ୍ପତ୍ତିର ପଞ୍ଜୀକରଣ ବ୍ୟବସ୍ଥା ଥିଲା, କିନ୍ତୁ ଏହା ଆଧୁନିକ ପଞ୍ଜୀକରଣ ବ୍ୟବସ୍ଥା ଭଳି ଶୃଙ୍ଖଳିତ ନ ଥିଲା। ମୋଗଲମାନଙ୍କ ସମୟରେ ଜମି ଓ ସମ୍ପତ୍ତି ଅଧିକାର ମୁଖ୍ୟତଃ ଜାଗିରଦାରୀ ବ୍ୟବସ୍ଥା ଓ ମନସବଦାରୀ ବ୍ୟବସ୍ଥା ମାଧ୍ୟମରେ ପରିଚାଳିତ ହେଉଥିଲା।
ପ୍ରାରମ୍ଭରେ ଏକ ନିର୍ଦ୍ଦିଷ୍ଟ ପରିମାଣର ପଞ୍ଜୀକରଣ ଶୁଳ୍କ ଥିଲା, କିନ୍ତୁ ସମୟ କ୍ରମେ ରାଜ୍ୟମାନେ ସମ୍ପତ୍ତିର ମୂଲ୍ୟର ଏକ ପ୍ରତିଶତ ଆଦାୟ କରିବା ଆରମ୍ଭ କରିଥିଲେ। ଉଦାହରଣସ୍ୱରୂପ, ୨୦୨୪ ସୁଦ୍ଧା, ଅନେକ ରାଜ୍ୟ ସମ୍ପତ୍ତିର ବଜାର ମୂଲ୍ୟର ପ୍ରାୟ ୧% ପଞ୍ଜୀକରଣ ଶୁଳ୍କ ଭାବରେ ଆଦାୟ କରନ୍ତି, ରାଜ୍ୟ ଅନୁସାରେ ଷ୍ଟାମ୍ପ ଶୁଳ୍କ ଅଲଗା ଅଲାଗ ହୋଇଥାଏ।
ଗୃହ ରେଜିଷ୍ଟ୍ରି ପୂର୍ବରୁ ଷ୍ଟାମ୍ପ ଡ୍ୟୁଟି ନିୟମ ଲାଗୁ କରାଯାଇଥିଲା। ଏହା କିପରି ଆରମ୍ଭ ହେଲା?
ଭାରତରେ ଷ୍ଟାମ୍ପ ଡ୍ୟୁଟିର ଧାରଣା ୧୭୯୭ ର ନିୟମ ୬ରୁ ଉତ୍ପନ୍ନ ହୋଇଥିଲା, ଯାହା ବଙ୍ଗଳାରେ ଅଣାଯାଇଥିବା ପ୍ରଥମ ଷ୍ଟାମ୍ପ ଆଇନ ଥିଲା । ଏହି ନିୟମର ଉଦ୍ଦେଶ୍ୟ ଥିଲା ଲିଖିତ ଦାୟିତ୍ୱ ଏବଂ ଦସ୍ତାବିଜ ଉପରେ ଶୁଳ୍କ ଆଦାୟ କରି ରାଜସ୍ୱ ବୃଦ୍ଧି କରିବା, ଯାହା ପୋଲିସ ବ୍ୟବସ୍ଥା ପାଇଁ ବ୍ୟବସାୟୀଙ୍କ ଉପରେ ପୂର୍ବ ଟିକସର ସ୍ଥାନ ନେଇଥିଲା । ୧୮୯୯ ମସିହାର ଭାରତୀୟ ଷ୍ଟାମ୍ପ ଆକ୍ଟ ଏହି ବ୍ୟବସ୍ଥାଗୁଡ଼ିକୁ ସମ୍ପୂର୍ଣ୍ଣରୂପେ କାର୍ଯ୍ୟକାରୀ କରିଥିଲା । ତା’ପରେ ବ୍ରିଟିଶ ଆଇନ ଅନୁଯାୟୀ ବିଭିନ୍ନ କାରବାରରେ ଷ୍ଟାମ୍ପ ଡ୍ୟୁଟିର ନେଟୱାର୍କ ସୃଷ୍ଟି ହୋଇଥିଲା। ଏହି ନିୟମ ଏବେ ବି ଭାରତରେ ପ୍ରଚଳିତ ଷ୍ଟାମ୍ପ ଡ୍ୟୁଟି ନିୟମର ଆଧାର ହୋଇ ରହିଛି।
ଯେତେବେଳେ ପ୍ରଥମେ ଘର ଓ ସମ୍ପତ୍ତିର ପଞ୍ଜୀକରଣ ଆରମ୍ଭ ହୋଇଥିଲା, ସେତେବେଳେ ଫି‘ କ‘ଣ ଥିଲା?
ପଞ୍ଜୀକରଣ ଆଇନ ୧୯୦୮ ଅନୁଯାୟୀ ୧୯୦୯ ମସିହାରେ ଯେତେବେଳେ ଭାରତରେ ଘର ପଞ୍ଜୀକରଣ ଆରମ୍ଭ ହୋଇଥିଲା, ସେତେବେଳେ ସାରାଦେଶରେ ଘର ଗୁଡ଼ିକର ପଞ୍ଜୀକରଣ ପାଇଁ ନିର୍ଦ୍ଦିଷ୍ଟ ଶୁଳ୍କ ଆଜି ଭଳି ମାନକ ନ ଥିଲା। ତେବେ ଏହି ଆଇନରେ ରାଜ୍ୟ ସରକାରମାନେ ନିଜସ୍ୱ ଫି’ ସ୍ଥିର କରିପାରିବେ। ପ୍ରାରମ୍ଭିକ ପର୍ଯ୍ୟାୟରେ, ପଞ୍ଜୀକରଣ ରାଶି ସାଧାରଣତଃ ଏକ ନାମମାତ୍ର ପରିମାଣ ଥିଲା, ପ୍ରାୟତଃ ସମ୍ପତ୍ତିର ମୂଲ୍ୟର ପ୍ରାୟ ୧%। ଯେତେବେଳେ ପ୍ରଥମେ ଏହି ଆଇନ ପ୍ରଣୟନ କରାଯାଇଥିଲା, ସେତେବେଳେ ସମ୍ପତ୍ତି ପଞ୍ଜୀକରଣ ଶୁଳ୍କ ଏହାର ମୂଲ୍ୟର ପ୍ରତି ୧୦୦ ଟଙ୍କା ପାଇଁ ୩ ଟଙ୍କା ଥିଲା। କିନ୍ତୁ ସମୟ କ୍ରମେ ରେଜିଷ୍ଟ୍ରିର ପରିମାଣ ବଦଳି ଯାଇଥିଲା। ସମ୍ପତ୍ତି ପଞ୍ଜୀକରଣ ଉପରେ ରାଜ୍ୟଗୁଡ଼ିକ ଭିନ୍ନ ଭିନ୍ନ ସୀମା ଏବଂ ଅତିରିକ୍ତ ଶୁଳ୍କ ଲଗାଇଥିଲେ।
ସେତେବେଳେ ସମ୍ପତ୍ତି ରେଜିଷ୍ଟ୍ରି ଆକ୍ଟ ୧୯୦୮ କାହିଁକି ଅଣାଯାଇଥିଲା, ଏହାର ଆବଶ୍ୟକତା କାହିଁକି ଅନୁଭବ କରାଗଲା?
ଯେହେତୁ ଏହି ରେଜିଷ୍ଟ୍ରି ସମ୍ପତ୍ତି କାରବାରକୁ ଆଇନଗତ ମାନ୍ୟତା ଦେଇଥିଲା, ତେଣୁ ଏହା ମାଧ୍ୟମରେ ସମ୍ପତ୍ତିର ମାଲିକାନା ଏବଂ ଅଧିକାର ରେକର୍ଡ କରାଯିବା ଉଚିତ, ଯାହାଦ୍ୱାରା ଏହାକୁ ବୈଧ କରାଯାଇପାରିବ। ଏହାଦ୍ୱାରା ସମ୍ପତ୍ତି ମାଲିକଙ୍କ ଏହି ସମ୍ପତ୍ତି ଉପରେ ଦାବି କରିବାର ଅଧିକାର ସୁରକ୍ଷିତ ରହିବ। ସମ୍ପତ୍ତି ମାଲିକାନାକୁ ନେଇ ବିବାଦ ହେବାର ଆଶଙ୍କା କମ ରହିବ। ସମ୍ପତ୍ତି ଠକେଇ ଆଶଙ୍କା କମିବ। ଯେପରିକି ଗୋଟିଏ ସମ୍ପତ୍ତିକୁ ଏକାଧିକ କ୍ରେତାଙ୍କୁ ବିକ୍ରି କରିବା କିମ୍ବା ନକଲି ମାଲିକାନା ଦସ୍ତାବିଜ ତିଆରି କରିବା ଘଟଣା କମିବ।
ଏହି ଆଇନ ସମ୍ପତ୍ତି କାରବାରର ଏକ ସ୍ଥାୟୀ ସର୍ବସାଧାରଣ ରେକର୍ଡ ସ୍ଥାପନ କରିଥିଲା, ଯାହା ସ୍ୱଚ୍ଛତାକୁ ସହଜ କରିଥିଲା ଏବଂ ମାଲିକାନା ଯାଞ୍ଚ ପାଇଁ ଅନୁମତି ଦେଇଥିଲା।
ପଞ୍ଜୀକୃତ ଦସ୍ତାବିଜ ମାଲିକାନା ସ୍ପଷ୍ଟ କରି ସମ୍ପତ୍ତି କ୍ରୟ, ବିକ୍ରୟ କିମ୍ବା ବନ୍ଧକ ରଖିବା ପ୍ରକ୍ରିୟାକୁ ସରଳ କରିଥାଏ, ଯାହା ନେଣଦଣ କାରବାରକୁ ସହଜ କରିଥାଏ।
ଏହାବ୍ୟତୀତ ପଞ୍ଜୀକରଣ ଶୁଳ୍କ ଏବଂ ଷ୍ଟାମ୍ପ ଡ୍ୟୁଟି ସରକାରଙ୍କ ପାଇଁ ରାଜସ୍ୱ ସୃଷ୍ଟି କରିଥିଲା, ଯାହା ଜନସେବା ଏବଂ ଭିତ୍ତିଭୂମିର ବିକାଶରେ ଯୋଗଦାନ ଆରମ୍ଭ କରିଥିଲା । ମୋଟାମୋଟି ଭାବେ ଏହା ରିୟଲ ଇଷ୍ଟେଟ୍ କାରବାରରେ ଆଇନଗତ ସ୍ପଷ୍ଟତା ଏବଂ ନିରାପତ୍ତା ସୃଷ୍ଟି କରିଛି।
ଏହି ଆଇନ ଅନୁଯାୟୀ ପ୍ରତ୍ୟେକ ସମ୍ପତ୍ତି ପଞ୍ଜୀକରଣ କରିବା କ‘ଣ ଜରୁରୀ ଥିଲା, ଯଦି କେହି ଏପରି କରୁନାହାଁନ୍ତି, ତେବେ କ‘ଣ ବ୍ୟବସ୍ଥା କରାଯାଇଥିଲା?
ପଞ୍ଜୀକରଣ ଆଇନ-୧୯୦୮ ଅନୁଯାୟୀ ୧୯୦୯ ମସିହାରୁ ସମସ୍ତ ପ୍ରକାର ସମ୍ପତ୍ତି ଦସ୍ତାବିଜ ପଞ୍ଜୀକରଣ ନ କଲେ ସ୍ବତନ୍ତ୍ର ଜରିମାନା ବ୍ୟବସ୍ଥା କରାଯାଇଥିଲା। ଏହି ଜରିମାନା ସିଧାସଳଖ ଲାଗୁ କରାଯାଇନଥିଲା, କିନ୍ତୁ ଏପରି ବ୍ୟବସ୍ଥା କରାଯାଇଥିଲା ଯେ ଲୋକମାନେ ପଞ୍ଜୀକରଣ କରିବାକୁ ବାଧ୍ୟ ହୋଇଥିଲେ। ଉଦାହରଣ ସ୍ୱରୂପ, ଯଦି ସମ୍ପତ୍ତିକୁ ନେଇ ବିବାଦ ହୁଏ ଏବଂ ମାମଲା ଅଦାଲତକୁ ଯାଏ, ତେବେ ଅଦାଲତ ସମ୍ପତ୍ତିର ମୂଳ ମାଲିକଙ୍କ ଦାବିକୁ ବିଚାର କରିବେ ନାହିଁ।
ଯଦି କୌଣସି ସମ୍ପତ୍ତି କାରବାର ପଞ୍ଜୀକୃତ ହୋଇନଥାଏ, ତେବେ ଏହା ମାଲିକାନା ପ୍ରମାଣ କରିବାରେ ଜଟିଳତା ସୃଷ୍ଟି କରିବ । ମୋଟାମୋଟି ଭାବେ ଅଣପଞ୍ଜୀକୃତ ସମ୍ପତ୍ତିକୁ ବେଆଇନ ବୋଲି ବିବେଚନା କରାଯିବ।
୧୧୪ ବର୍ଷ ପୂର୍ବେ ଯେତେବେଳେ ଭାରତରେ ଏହି ଆଇନ ଲାଗୁ ହୋଇଥିଲା ସେତେବେଳେ ଲୋକଙ୍କ ପ୍ରତିକ୍ରିୟା କ‘ଣ ଥିଲା?
ଅନେକ ଲୋକ ଏହି ଆଇନକୁ ସ୍ୱାଗତ କରିଥିଲେ, କାରଣ ଏଭଳି ଆଇନର ଆବଶ୍ୟକତା ଅନୁଭବ କରାଯାଇଥିଲା। ଠକେଇର ଅନେକ ମାମଲା ସାମ୍ନାକୁ ଆସୁଥିଲା। ସମ୍ପତ୍ତିକୁ ନେଇ ବିବାଦ ଲାଗି ରହିଥିଲା, ତେଣୁ କିଛି ସମ୍ପତ୍ତି ମାଲିକ ଓ କ୍ରେତା ଏହାକୁ ପ୍ରଶଂସା କରିଥିଲେ, ଯଦିଓ ଏହି ଆଇନର ବ୍ୟବହାରିକ କାର୍ଯ୍ୟକାରିତାକୁ ନେଇ ଚିନ୍ତା ଥିଲା। ବିଶେଷ କରି ଯେଉଁ ଅଞ୍ଚଳରେ ଅମଲାତାନ୍ତ୍ରିକ ଅପାରଗତା ଓ ଦୁର୍ନୀତି ଅଧିକ ଥିଲା। ସମାଲୋଚକମାନେ ଏହା ମଧ୍ୟ କହୁଥିଲେ ଯେ ଆଇନର ଉଦ୍ଦେଶ୍ୟ ସତ୍ତ୍ୱେ ଏଥିରେ ତ୍ରୁଟି ରହିଛି, ଯାହାର ଉପଯୋଗ କରାଯାଇପାରିବ, ଯାହା ଏହାର ଉଦ୍ଦେଶ୍ୟକୁ କ୍ଷୁଣ୍ଣ କରିବ। କିଛି ଲୋକଙ୍କୁ ଏହି ପ୍ରକ୍ରିୟା ଅତ୍ୟନ୍ତ ଜଟିଳ ଲାଗିଥିଲା। ଯେଉଁକାରଣରୁ ଅନେକ ଲୋକ ସମ୍ପତ୍ତି ପଞ୍ଜୀକରଣ କରିବାକୁ ମନା କରିଦେଇଥିଲେ। ଦ୍ୱନ୍ଦ୍ୱ ମଧ୍ୟ ସୃଷ୍ଟି ହୋଇଥିଲା।
ବର୍ତ୍ତମାନ କେଉଁ ଭାରତୀୟ ରାଜ୍ୟରେ ସର୍ବନିମ୍ନ ରେଜିଷ୍ଟ୍ରି ଫି‘ ରହିଛି?
- ଭାରତର ଅନେକ ରାଜ୍ୟରେ ସମ୍ପତ୍ତି ପଞ୍ଜୀକରଣ ଶୁଳ୍କ କମ୍।
- ଗୁଜରାଟରେ ପଞ୍ଜୀକରଣ ଶୁଳ୍କ ପରିମାଣ ସମ୍ପତ୍ତିର ମୂଲ୍ୟର ୧% ଧାର୍ଯ୍ୟ କରାଯାଇଛି।
- ଗୁଜରାଟ ଭଳି ରାଜସ୍ଥାନରେ ମଧ୍ୟ ପଞ୍ଜୀକରଣ ଶୁଳ୍କ ୧ ପ୍ରତିଶତ ରହିଛି, କ୍ରେତା ପୁରୁଷ ହୁଅନ୍ତୁ କି ମହିଳା।
- ଅରୁଣାଚଳ ପ୍ରଦେଶରେ ଏହା ୧% ରହିଛି।
- ଛତିଶଗଡ଼ରେ ପଞ୍ଜୀକରଣ ଶୁଳ୍କ ୧%।
କେଉଁ ରାଜ୍ୟରେ ସର୍ବାଧିକ ପଞ୍ଜୀକରଣ ଶୁଳ୍କ ରହିଛି?
- ମେଘାଳୟ: ଷ୍ଟାମ୍ପ ଡ୍ୟୁଟି ହାର ୯.୯୦% ରହିଛି, ଯାହା ଭାରତୀୟ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ।
- କେରଳ: ଏହି ରାଜ୍ୟରେ ଷ୍ଟାମ୍ପ ଡ୍ୟୁଟି ହାର ୮% ରହିଛି, ଯାହା କି ଯଥେଷ୍ଟ ଅଧିକ।
- ନାଗାଲାଣ୍ଡରେ ଷ୍ଟାମ୍ପ ଡ୍ୟୁଟି ୮.୨୫% ଧାର୍ଯ୍ୟ କରାଯାଇଛି।
- ମଧ୍ୟପ୍ରଦେଶରେ ଏହି ହାର ୮% ରହିଛି
- ତାମିଲନାଡୁରେ ଷ୍ଟାମ୍ପ ଡ୍ୟୁଟି ପ୍ରାୟ ୭%
- ଉତ୍ତରପ୍ରଦେଶରେ ଏହା ୬ ପ୍ରତିଶତ ରହିଛି
- ପଞ୍ଜାବରେ ୭% ରହିଛି।
- ହରିୟାଣାରେ ୫-୭%।
ଲାଲ ଦୋରା ଜମି କ‘ଣ, ଏହା ପଞ୍ଜୀକୃତ ହୋଇଛି କି?
ଲାଲ ଦୋରା ବ୍ରିଟିଶ ଶାସନ ସମୟରେ ୧୯୦୮ ମସିହାରେ ସ୍ଥାପିତ ହୋଇଥିବା ଜମିକୁ ବୁଝାଏ ଏବଂ ଏହା ଏକ ସୀମା ଯାହା ଏକ ଗ୍ରାମର ବାସିନ୍ଦାଙ୍କୁ ଚାଷ ଜମିରୁ ଅଲଗା କରିଥାଏ। ଲାଲ ଦୋରା ଜମି ମୁଖ୍ୟତଃ ଆବାସିକ ଏବଂ ଅଣକୃଷି ଉଦ୍ଦେଶ୍ୟରେ ବ୍ୟବହୃତ ହୁଏ। ଯେପରିକି ଗୋରୁ ପାଳନ ଏବଂ କୃଷି ଜାତ ଦ୍ରବ୍ୟର ସଂରକ୍ଷଣ।
ଲାଲ ଦୋରା ସାର୍ଟିଫିକେଟରେ ପ୍ରମାଣିତ ହୋଇଛି ଯେ ଜମି ଏକ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାମରେ ଅଛି ଏବଂ ଏହା ପାଣି, ବିଜୁଳି ଭଳି ମୌଳିକ ସୁବିଧା ପାଇଁ ଜରୁରୀ। ଲାଲ ଦୋରା ସମ୍ପତ୍ତି ସାଧାରଣତଃ ପଞ୍ଜୀକୃତ ହୋଇନଥାଏ, ଯେଉଁ କାରଣରୁ ସେମାନଙ୍କୁ ବ୍ୟାଙ୍କ ଋଣ ମିଳେ ନାହିଁ ଏବଂ ମାଲିକାନାର କୌଣସି ଠୋସ୍ ପ୍ରମାଣ ନ ଥାଏ।
Also readhttps://purvapaksa.com/why-is-oshos-death-still-a-mystery/
