Second World War: ଦ୍ୱିତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ପରେ ଜାପାନ ବ୍ୟାପକ ପରିମାଣରେ ମହିଳାଙ୍କୁ ନିଯୁକ୍ତି ଦେବା ଆରମ୍ଭ କରିଥିଲା। ସେମାନେ ଏହାର ସେନାର ଏକ ଅତ୍ୟାବଶ୍ୟକ ଅଙ୍ଗ ଥିଲେ। ସେମାନଙ୍କ ଷ୍ଟେସନ ସମଗ୍ର ବିଶ୍ୱରେ ବ୍ୟାପିଯାଇଥିଲା। ତେବେ ଏଥିପାଇଁ ଜାପାନକୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡ଼ିଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଇତିହାସର ଫର୍ଦ୍ଦ ଭିତରେ ଲୁଚି ରହିଛି ଏମିତି ଅନେକ କଳା ସତ ଯାହା ଛାତି ଥରାଇ ଦିଏ। ଯୁଦ୍ଧର ଘନଘଟା ଭିତରେ କେବଳ ଲକ୍ଷଲକ୍ଷ ସୈନିକ ଅଥବା ସାଧାରଣ ନାଗରିକ ମରୁନଥିଲେ। ଲକ୍ଷାଧିକ ମହିଳା ଏହି କାଳଖଣ୍ଡରେ ଯୁଦ୍ଧକ୍ଷେତ୍ରରେ ପାଲଟି ଯାଇଥିଲେ ଯୌନଦାସୀ। ଜାପାନରେ ଯଦି ସେମାନଙ୍କ ନାମ କମ୍ଫର୍ଟ ଓମେନ୍ ଥିଲା ତେବେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଥେଲ’ ବା ବେଶ୍ୟାଳୟ ତିଆରି କରିଥିଲା ନାଜି ଜର୍ମାନୀ। ମହିଳାଙ୍କ ବିରୋଧରେ ଅତ୍ୟାଚାରରେ ମିତ୍ରଦେଶ ମଧ୍ୟ ପଛରେ ନ ଥିଲେ। ସେମାନଙ୍କ ବିରୋଧରେ ମଧ୍ୟ ନାରୀ ନିର୍ଯାତନାର ଅଭିଯୋଗ ଆସିଥିଲା। କିନ୍ତୁ ବିଜେତାର ଇତିହାସ ଭଳି ଇତିହାସ ପୃଷ୍ଠାରେ ଆମେରିକା ଓ ମିତ୍ର ଦେଶଙ୍କ ନାରୀ ନିର୍ଯାତନା କଥା କମ ଆଲୋଚିତ ହୁଏ। ଯୁଦ୍ଧ କାଳରେ ଜାପାନ ଯେଉଁଭଳିଭାବେ ଚୀନ, କୋରିଆ, ଫିଲିପାଇନ୍ସ ଭଳି ଦେଶର ଲକ୍ଷ ଲକ୍ଷ ମହିଳାଙ୍କୁ ସେମାନଙ୍କ ପରିବାରଠାରୁ ଛଡ଼ାଇ ନେଇ ବାରଙ୍ଗନା ସଜାଇଥିଲା, ତାହା ଆଜି ମଧ୍ୟ ମନରେ ଶିରହରଣ ସୃଷ୍ଟି କରେ। ଆଉ ଜାପାନ ନିଜର ଏହି କଳା ସତଠାରୁ ପିଛା ଛଡାଇବାକୁ ଚାହେଁ। ଆସନ୍ତୁ ଜାଣିବା କମ୍ଫର୍ଟ ଓମେନ୍ କ’ଣ ଥିଲା ଓ କେମିତି ଲକ୍ଷାଧିକ ମହିଳା ଏହାର ଶିକାର ହୋଇଥିଲେ।
ଜାପାନୀ କମ୍ଫର୍ଟ ୱିମେନ
ଦ୍ୱିତୀୟ ବିଶ୍ୱଯୁଦ୍ଧ ଯେତେବେଳେ ଆAll Postsରମ୍ଭ ହୋଇଥିଲା, ସେହି ସମୟରେ ଜାପାନ ବହୁସଂଖ୍ୟକ କମ୍ଫର୍ଟ ୱିମେନଙ୍କୁ ଭର୍ତ୍ତି କରିଥିଲା। ଏହା ଜାପାନର ସେନାର ଏକ ବାଧ୍ୟତାମୂଳକ ଅଂଶ ଥିଲା। ଏହାର ଷ୍ଟେସନ ସାରା ଦୁନିଆରେ ବ୍ୟାପିଥିଲା। ଏହାକୁ ନେଇ ଜାପାନରେ ବହୁତ ଆଲୋଚନା ହୋଇଥିଲା। ଜାପାନ ଦ୍ବିତୀୟ ବିଶ୍ୱଯୁଦ୍ଧ ସମୟରେ କମ୍ଫର୍ଟ ୱିମେନଙ୍କୁ ଯୌନ ଦାସୀ ଭାବେ ଭର୍ତ୍ତି କରିଥିଲା। କମ୍ଫର୍ଟ ୱିମେନଙ୍କୁ ଯବାନଙ୍କ ଯୌନ ଇଚ୍ଛାକୁ ପୂରଣ କରିବା ପାଇଁ ବାଧ୍ୟ କରାଯାଉଥିଲା। ୧୯୯୦ ଦଶକରେ କମ୍ଫର୍ଟ ୱିମେନଙ୍କ କାହାଣୀ ସାମ୍ନାକୁ ଆସିଥିଲା।
ପ୍ରଶ୍ନ ଉଠୁଛି, କମ୍ଫର୍ଟ ୱିମେନଙ୍କ ସହ ଜାପାନ ସୈନିକଙ୍କର କ’ଣ ସମ୍ପର୍କ ଥିଲା? ଦ୍ୱିତୀୟ ବିଶ୍ବଯୁଦ୍ଧ ସମୟରେ ସାରା ଦୁନିଆରେ ଜାପାନୀ ସେନା ନିଜର ଶିବିର ପ୍ରତିଷ୍ଠା କରୁଥିଲା, ସେଠାରେ କମ୍ଫର୍ଟ ୱିମେନଙ୍କୁ ରଖାଯାଉଥିଲା। ଏହି କଥା ସାମ୍ନାକୁ ଆସିବା ପରେ ହଙ୍ଗାମା ସୃଷ୍ଟି ହୋଇଥିଲା। ଯଦି କୌଣସି ଜାପାନୀ ସୈନିକଙ୍କ ସହ ଏହି କମ୍ଫର୍ଟ ୱିମେନଙ୍କର ପ୍ରେମ ହୋଇଯାଉଥିଲା, ତେବେ ସେ କ୍ଷେତ୍ରରେ ଉଭୟଙ୍କୁ ବହୁତ ସଜ୍ଜା ଦିଆଯାଉଥିଲା। କମ୍ଫର୍ଟ ୱିମେନ ଦ୍ୱିତୀୟ ବିଶ୍ୱଯୁଦ୍ଧର ଏକ କଳା ଅଧ୍ୟାୟ ଥିଲା ବୋଲି କୁହାଯାଉଥିଲା। ’କମ୍ଫର୍ଟ ୱିମେନ’ର ଉପଯୋଗ ଜାପାନୀ ସେନାଦ୍ୱାରା ଯୌନ ଦାସୀରୂପେ କରାଯାଇଥିଲା। ଜାପାନର ସେନା ଅନେକ ଦେଶରୁ ମହିଳାଙ୍କୁ ଜବରଦସ୍ତଭାବେ ଆଣି ସେମାନଙ୍କୁ ନିଯୁକ୍ତି ଦେଉଥିଲେ। ଜାପାନର ସୈନିକଙ୍କୁ ମନୋରଞ୍ଜନ କରିବା ଓ ଯୌନ ଇଚ୍ଛାକୁ ପାଳନ କରିବା ହିଁ ଥିଲା ଏହି କମ୍ଫର୍ଟ ୱିମେନଙ୍କର କାମ।
୧୯୩୨ରୁ ଆରମ୍ଭ ହୋଇଥିଲା ଜାପାନର କଳା କାରନାମା
ଜାପାନୀ ସେନାଙ୍କ ଯୌନ ଦାସୀ ପାଇଁ କମ୍ଫର୍ଟ ୱିମେନଙ୍କୁ ନିୟୋଜିତ କରାଯାଉଥିଲା। ଯେତେବେଳେ ଜାପାନୀ ସେନାର ସୈନିକଙ୍କ ’ଆବଶ୍ୟକତା’କୁ ପୂରଣ କରିବା ପାଇଁ କମ୍ଫର୍ଟ ଷ୍ଟେସନ ନିର୍ମାଣ କରାଯାଇଥିଲା, ସେହି ସମୟରେ ଏହି କଳା ଅଧ୍ୟାୟର ଆରମ୍ଭ ୧୯୩୨ରେ ଚୀନ-ଜାପାନ ଯୁଦ୍ଧ ସମୟରେ ହୋଇଥିଲା। ଧୀରେଧୀରେ ଯୁଦ୍ଧ ବଢ଼ିବା ସହିତ ଏହି ପ୍ରଣାଳୀ ଅନ୍ୟ ଦେଶମାନଙ୍କୁ ବ୍ୟାପିବାରେ ଲାଗିଥିଲା। ଜାପାନର ଯୁଦ୍ଧ ସମୟରେ କୋରିଆ, ଚୀନ, ଫିଲିପାଇନ୍ସ, ଇଣ୍ଡୋନେସିଆ, ମାଲେସିଆ, ଥାଇଲାଣ୍ଡ, ଭିଏତନାମ ଓ ଅନ୍ୟ ପ୍ରଶାନ୍ତ ଦ୍ୱୀପରୁ ହଜାର ହଜାର ମହିଳାଙ୍କୁ ବଳପୂର୍ବକ ଭର୍ତ୍ତି କରାଯାଇଥିଲା। ଅଧିକାଂଶ ମହିଳା ଗରିବ ଶ୍ରେଣୀର ଥିଲେ, ଯେଉଁମାନଙ୍କୁ କି ମିଥ୍ୟା ରୋଜଗାରର ପ୍ରତିଶ୍ରୁତି ଦେଇ ଧୋକ୍କା ଦିଆଯାଉଥିଲା ବା ସିଧାସଳଖ ଅପହରଣ କରି ନିଆଯାଉଥିଲା।
କମ୍ଫର୍ଟ ଷ୍ଟେସନମାନଙ୍କରେ ମହିଳାମାନଙ୍କ ସହ ଅତ୍ୟନ୍ତ କ୍ରୁର ବ୍ୟବହାର କରାଯାଉଥିଲା। ଏହି ମହିଳାମାନଙ୍କୁ ପ୍ରତିଦିନ ଅନେକ ସୈନିକଙ୍କ ସହ ସମ୍ବନ୍ଧ ସ୍ଥାପନ କରିବାକୁ ବାଧ୍ୟ କରାଯାଉଥିଲା। ସେମାନେ ସବୁ ପ୍ରକାରର ସ୍ୱାଧିନତାରୁ ବଞ୍ଚିତ ହେଉଥିଲେ। କିଛି ମହିଳାଙ୍କୁ ପ୍ରତାରିତ କରାଯିବା ସହ ଅନେକଙ୍କୁ ମାଡ଼ ମରାଯାଉଥିଲା। ଅସୁରକ୍ଷିତ ସମ୍ବନ୍ଧ କାରଣରୁ ଅନେକ ମହିଳା ଯୌନ ସଂକ୍ରାମକ ରୋଗର ଶିକାର ହେବା ସହ ଗର୍ଭବତୀ ହୋଇଥିଲେ। ଅନେକଙ୍କୁ ଜବରଦସ୍ତ ଗର୍ଭପାତ କରିବାକୁ ବାଧ୍ୟ କରାଯାଉଥିଲା। ଯେଉଁ ମହିଳାମାନେ ଖସିବାକୁ ଉଦ୍ୟମ କରୁଥିଲେ, ସେମାନଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯାଉଥିଲା। କେବେ କେବେ ମାଡ଼ ମଧ୍ୟ ମରାଯାଉଥିଲା।
ନିଜ କବଜାରେ ଥିବା କ୍ଷେତ୍ରମାନଙ୍କରେ ଜାପାନୀ ସେନା କମ୍ଫର୍ଟ ଷ୍ଟେସନ ସ୍ଥାପନ କରିଥିଲା। ସେଥିମଧ୍ୟରେ ସାମିଲ ଥିଲା:-
ଚୀନ- ନାନିଜିଙ୍ଗ, ବେଜିଂ, ଶଂଘାଈ ସମେତ ଅନେକ ବଡ଼ ବଡ଼ ସହର।
କୋରିଆ- ଅଧିକୃତ କୋରିଆର ଅନେକ ଅଞ୍ଚଳରେ ଥିବା ଜାପାନୀ ସେନା ଶିବିରରେ ବହୁ ସଂଖ୍ୟକ କୋରିଆନ ମହିଳାଙ୍କୁ କମ୍ଫର୍ଟ ୱିମେନ ଭାବେ ଭର୍ତ୍ତି କରାଯାଇଥିଲା।
ଫିଲିପାଇନ୍ସରେ ମଧ୍ୟ ଅନେକ ମହିଳାଙ୍କୁ ଯୌନ ଦାସୀ କରାଯାଇଥିଲା।
ବର୍ମା (ମ୍ୟାଁମାର), ଥାଇଲାଣ୍ଡ, ଭିଏତନାମ, ଇଣ୍ଡୋନେସିଆ, ମଲୟ (ମାଲେସିଆ)ରେ ମଧ୍ୟ କମ୍ଫର୍ଟ ଷ୍ଟେସନ ରହିଥିଲା। ପ୍ରଶାନ୍ତ ମହାସାଗରୀୟ ଦ୍ୱୀପ, ଗୁଆମ, ସାଇପନରେ ମଧ୍ୟ ଜାପାନୀ ସେନା ପାଇଁ ଷ୍ଟେସନ ସ୍ଥାପନ କରାଯାଇଥିଲା।
ଦ୍ୱିତୀୟ ବିଶ୍ୱଯୁଦ୍ଧର ସମାପ୍ତି ପରେ, ଜାପାନର କମ୍ଫର୍ଟ ଓ୍ୱିମେନ ପ୍ରଣାଳୀକୁ ସମାପ୍ତ କରି ଦିଆଯାଇଥିଲା। ଦଶକ ଦଶକ ପର୍ଯ୍ୟନ୍ତ ଏହାକୁ ଲୁଚାଇ ରଖାଯାଇଥିଲା। ଯୁଦ୍ଧ ସମାପ୍ତ ହେବା ପରେ ଅନେକ ମହିଳାଙ୍କୁ ନିଜର ପରିବାରମାନେ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସମାଜରେ ସେମାନଙ୍କୁ ବଦନାମୀ ଓ ବହିଷ୍କାର ସହ୍ୟ କରିବାକୁ ପଡ଼ିଥିଲା। ସେମାନେ ମାନସିକ ଓ ଶାରୀରିକଭାବେ ଗଭୀର ଆଘାତ ପାଇ ଜୀବନ ଜିଇବାକୁ ବାଧ୍ୟ ହୋଇଥିଲେ। ୧୯୯୦ ଦଶକରେ କିଛି ଜୀବିତ କମ୍ଫର୍ଟ ୱିମେନ ସାର୍ବଜନିକଭାବେ ନିଜର କାହାଣୀର ପର୍ଦ୍ଦାଫାସ କରିବା ପରେ ଏହି ପ୍ରସଙ୍ଗ ଅନ୍ତରାଷ୍ଟ୍ରୀୟ ସ୍ତରର ଧ୍ୟାନ ଆକର୍ଷଣ କରିଥିଲା। ୧୯୯୩ରେ ଜାପାନ ସରକାର ’କୋନୋ ଷ୍ଟେଟମେଣ୍ଟ’ ଜାରି କରି ଜାପାନୀ ସେନା କମ୍ଫର୍ଟ ୱିମେନ ପ୍ରଣାଳୀ ସାମିଲ କରିଥିବା ସ୍ୱୀକାର କରିଥିଲା। ୨୦୧୫ରେ ଜାପାନ ଓ ଦକ୍ଷିଣ କୋରିଆ ମଧ୍ୟରେ ଏକ ବୁଝାମଣା ହୋଇଥିଲା, ଯାହାଦ୍ୱାରା ଜାପାନରେ ପୀଡ଼ିତ ମହିଳାମାନଙ୍କ ପାଇଁ ସହାୟତା ଘୋଷଣା କରାଯାଇଥିଲା। ଏହି ପ୍ରସଙ୍ଗରେ ଜାପାନ ଆଂଶିକ କ୍ଷମା ପ୍ରାର୍ଥନା କରିଥିଲା ବୋଲି କୁହାଯାଏ। ମାତ୍ର କିଛି ଜାପାନୀ ରାଷ୍ଟ୍ରବାଦୀ ଏହି ତଥ୍ୟକୁ ଗ୍ରହଣ କରିନଥାନ୍ତି। ଅନ୍ୟପକ୍ଷରେ ଦକ୍ଷିଣ କୋରିଆ ଓ ଅନ୍ୟ ପ୍ରଭାବିତ ଦେଶମାନଙ୍କରେ ଆଜି ମଧ୍ୟ ଏହା ଏକ ବଡ଼ ପ୍ରସଙ୍ଗ ହୋଇ ରହିଛି।
କମ୍ଫର୍ଟ ୱିମେନ ଆଜି ମଧ୍ୟ ଇତିହାସର ଏକ ସମ୍ବେଦନଶୀଳ ଓ ବିବାଦାସ୍ପଦ ବିଷୟ। ଏହି ବିଷୟକୁ ନେଇ ଦକ୍ଷିଣ କୋରିଆରେ ଅନେକ ସ୍ମାରକ ଓ ସଂଗ୍ରହାଳୟ ତିଆରି ହୋଇଛି। ଅନ୍ତରାଷ୍ଟ୍ରୀୟ ସ୍ତରରେ, ମାନବିକାଧିକାର ସଂଗଠନମାନେ ଜାପାନର ଏହି ପ୍ରସଙ୍ଗକୁ ଅଧିକ ଗୁରୁତ୍ୱ ଦେବାକୁ ଦାବି ହୋଇଛି। କମ୍ଫର୍ଟ ୱିମେନଙ୍କୁ ପ୍ରେମ କରିବା ନେଇ ଜାପାନୀ ସୈନିକଙ୍କ ପାଇଁ କଡ଼ା ନିୟମ ରହିଥିଲା। ଯଦି କୌଣସି ସୈନିକ ଓ କମ୍ଫର୍ଟ ୱିମେନଙ୍କ ମଧ୍ୟରେ ପ୍ରେମ ହୋଇଯାଉଥିଲା, ତେବେ ସେମାନଙ୍କ ସମ୍ପର୍କକୁ ସମାପ୍ତ କରିବାକୁ ବାଧ୍ୟ କରାଯାଉଥିଲା। ଏହାକୁ ନେଇ ଜାପାନୀ ସୈନିକ ଓ ମହିଳା ଉଭୟଙ୍କୁ କଠୋର ଦଣ୍ଡ ବିଧାନ କରାଯାଉଥିଲା। ଜାପାନୀ ସୈନିକଙ୍କୁ ଜେଲରେ ଭର୍ତ୍ତି କରାଯାଉଥିଲା ଓ ମହିଳାଙ୍କୁ ଶାରୀରିକ ନିର୍ଯାତନା ଦିଆଯାଉଥିଲା।
କିଛି କମ୍ଫର୍ଟ ୱିମେନ ଗର୍ଭବତୀ ହେବା ସହ ତାଙ୍କର ସନ୍ତାନ ମଧ୍ୟ ଜନ୍ମ ହୋଇଥିଲେ। ମାତ୍ର ସେମାନେ ଗର୍ଭବତୀ ହୁଅନ୍ତି କିମ୍ବା ଶିଶୁ ଜନ୍ମ କରନ୍ତୁ, ଏହାକଥା ଜାପାନୀ ସେନା କଦାପି ଚାହୁଁ ନଥିଲା। ସେଥିପାଇଁ ଅନେକ ସ୍ଥାନରେ ଜାପାନୀ ସେନା ଡାକ୍ତରଙ୍କୁ ନିଯୁକ୍ତି ଦେଉଥିଲା। ଉକ୍ତ ଡାକ୍ତରମାନେ ମହିଳାଙ୍କୁ ଜବରଦସ୍ତି ଗର୍ଭପାତ କରାଉଥିଲେ। ମାତ୍ର କିଛି ମହିଳା ଗର୍ଭପାତରୁ ବର୍ତ୍ତି ଯାଇଥିଲେ ଓ ଶିଶୁଙ୍କୁ ଜନ୍ମ ଦେଇଥିଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ପରେ ଜାପାନୀ ସୈନିକ ନିଜ ଦେଶକୁ ଫେରିଯାଇଥିଲେ। କିଛି ଶିଶୁଙ୍କୁ ପରିଚୟ ସ୍ପଷ୍ଟ ହୋଇପାରିନଥିଲା। କିଛି ଶିଶୁଙ୍କୁ ସେମାନଙ୍କ ମା’ମାନେ କୋଳେଇ ନେବାକୁ ପ୍ରୟାସ କରିଥିଲେ, ମାତ୍ର ସେମାନଙ୍କୁ ଗ୍ରହଣ କରିବାକୁ କେହିନଥିଲେ।
ଅନ୍ୟ ଦେଶମାନଙ୍କରେ କ’ଣ ଘଟିଥିଲା
୧- ନାଜୀ ଜର୍ମାନୀ (୨ୟ ବିଶ୍ୱଯୁଦ୍ଧ, ୧୯୩୯-୧୯୪୫)
ନାଜୀ ଶାସନ ସମୟରେ ଜର୍ମାନୀ ସୈନିକଙ୍କ ପାଇଁ ’ବେହରମାଚଟ-ବୋର୍ଥେଲ’ (Wehrmacht Brothels) ନାମକ ବେଶ୍ୟାଳୟ ନିର୍ମାଣ କରାଯାଇଥିଲା, ଯେଉଁଠାରେ ମହିଳାଙ୍କୁ ଜବରଦସ୍ତ ରଖାଯାଇଥିଲା। ଅଧିକାଂଶ ମହିଳାଙ୍କୁ କବଜା କରାଯାଇଥିବା ଦେଶ (ଫ୍ରାନ୍ସ, ପୋଲାଣ୍ଡ, ୟୁକ୍ରେନ ଓ ରୁଷ)ରୁ ଅଣାଯାଇଥିଲା। ଅନେକ ଇହୁଦୀ ଓ ସ୍ଲାବ ମହିଳାଙ୍କୁ ମଧ୍ୟ ଯାତନା ଶିବିରରେ ଯୌନ ଦାସୀ ପାଇଁ ବାଧ୍ୟ କରାଯାଉଥିଲା।
୨- ସୋଭିଏତ ସଂଘର ଲାଲ ସେନା (୧୯୪୪-୧୯୪୫), ୨ୟ ବିଶ୍ୱଯୁଦ୍ଧର ଶେଷରେ)
ଯେତେବେଳେ ସୋଭିଏତ ସେନାରେ ଜର୍ମାନୀ, ପୋଲାଣ୍ଡ ଓ ଅନ୍ୟ ୟୁରୋପୀୟ ଦେଶମାନେ ପ୍ରବେଶ କରିଥିଲେ, ସେହି ସମୟରେ ବହୁ ସଂଖ୍ୟକ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିବା ମାମଲା ସାମ୍ନାକୁ ଆସିଥିଲା। କିଛି ଅନୁମାନ ମୁତାବକ, ୧୯୪୫ରେ ବର୍ଲିନକୁ କବଜା କରିବା ସମୟରେ ୧୦ ଲକ୍ଷରୁ ଅଧିକ ଜର୍ମାନୀ ମହିଳାଙ୍କୁ ଦୁଷ୍କର୍ମ କରାଯାଇଥିଲା।
୩- ଆମେରିକା ଓ ମିତ୍ର ଦେଶମାନଙ୍କର ସେନା
ଫ୍ରାନ୍ସରେ ୧୯୪୪-୧୯୪୫ ସମୟରେ ଆମେରିକା, ବ୍ରିଟିଶ ଓ ଫ୍ରାନ୍ସିସ ସୈନିକଙ୍କ ଉପରେ ଦୁଷ୍କର୍ମ ଓ ଯୌନ ହିଂସାର ଅଭିଯୋଗ ଅଣାଯାଇଥିଲା। ଆମେରିକା ସେନା କୋରିଆ ଓ ଭିଏତନାମ ଯୁଦ୍ଧ ଅବସରରେ ସ୍ଥାନୀୟ ମହିଳାଙ୍କ ସହ ସମ୍ବନ୍ଧ ସ୍ଥାପନ କରିଥିଲେ ଓ କିଛି ସ୍ଥାନରେ ସୈନିକଙ୍କ ପାଇଁ ବେଶ୍ୟାଳୟ ସଞ୍ଚାଳନ କରାଯାଇଥିଲା। କୋରିଆନ ଯୁଦ୍ଧ (୧୯୫୦-୧୯୫୩) ସମୟରେ ଦକ୍ଷିଣ କୋରିଆରେ ଆମେରିକା ସୈନିକଙ୍କ ପାଇଁ ବେଶ୍ୟାଳୟ ତିଆରି କରାଯାଇଥିଲା, ଯେଉଁଠାରେ କି ମହିଳାଙ୍କୁ ରଖାଯାଉଥିଲା।
୪- ଭିଏତନାମ ଯୁଦ୍ଧ (୧୯୫୫-୧୯୭୫)
ଭିଏତନାମ ଯୁଦ୍ଧ ସମୟରେ ଆମେରିକା ସୈନିକଙ୍କ ପାଇଁ ‘ବାର ଗାର୍ଲ’ ଓ ‘ଆର ଆଣ୍ଡ ଆର (ରିଷ୍ଟ ଆଣ୍ଡ ରିକଭରୀ) କେନ୍ଦ୍ର’ ସ୍ଥାପନ କରାଯାଇଥିଲା, ଯେଉଁଠାରେ ମହିଳାଙ୍କୁ ଶୋଷଣ କରାଯାଉଥିଲା। ଆମେରିକା ଓ ଦକ୍ଷିଣ କୋରିଆନ ସୈନିକମାନେ ଅନେକ ଭିଏତନାମ ମହିଳାଙ୍କ ସହ ଦୁଷ୍କର୍ମ କରିଥିଲେ। ଫଳରେ ହଜାର ହଜାର ’ଲାଇ ଦାଈ ହାନ’ (କୋରିଆ-ଭିଏତନାମୀ ଶଙ୍କର ଶିଶୁ) ଜନ୍ମ ହୋଇଥିଲେ।
୫- ବୋସ୍ନିଆ ଯୁଦ୍ଧ (୧୯୯୨-୧୯୯୫)
ବାଲକାନ ସଂଘର୍ଷ ସମୟରେ, ସର୍ବିଆ ସେନା ମୁସଲିମ ବୋସ୍ନିଆନ ମହିଳାମାନଙ୍କୁ ଦୁଷ୍କର୍ମ କରି ’ରେପ କ୍ୟାମ୍ପ’ରେ ବନ୍ଦୀ କରିଥିଲେ। ସଂଗଠିତ ଭାବେ ସେମାନଙ୍କୁ ଶୋଷଣ କରାଯାଇଥିଲା। ଉକ୍ତ ଯୁଦ୍ଧ ସମୟରେ ୨୦ ହଜାରରୁ ଅଧିକ ମହିଳା ରେପର ଶିକାର ହୋଇଥିବା ଅନୁମାନ କରାଯାଉଛି।
ଜାପାନୀ କମ୍ଫର୍ଟ ୱିମେନ ପ୍ରଣାଳୀ ସବୁଠାରୁ ସଂଗଠିତ ଥିଲା, ଯେଉଁଠାରେ କି ମହିଳାଙ୍କୁ ପଞ୍ଜିକୃତ କରାଯାଉଥିଲା। ସେମାନେ ସୈନିକମାନଙ୍କୁ ନିୟମିତଭାବେ ସେବା ଦେବାକୁ ବାଧ୍ୟ ହେଉଥିଲେ।
Also readhttps://purvapaksa.com/5-march-2025-daily-horoscope/
