ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏବର୍ଷର ବହୁ ପ୍ରଚାରିତ ମହାକୁମ୍ଭ ଉତ୍ସବ ବୁଧବାରର ଅତ୍ୟନ୍ତ ଶୋକାବହ ଅଘଟଣ ଯୋଗୁଁ ଭିନ୍ନ ଚର୍ଚ୍ଚାକୁ ଆସିଛି। ପ୍ରତି ୧୨ ବର୍ଷରେ ଭାରତରେ ୪ଟି ତୀର୍ଥ ସ୍ଥାନରେ ହେଉଥିବା ଏହି ଧାର୍ମିକ କାର୍ଯ୍ୟକ୍ରମ ଦେଶର ସଂଖ୍ୟାଗରିଷ୍ଠ ହିନ୍ଦୁ ସମ୍ପ୍ରଦାୟ ଲାଗି ଏକ ଉଲ୍ଲେଖନୀୟ ଆଧାତ୍ମିକ ତଥା ସାଂସ୍କୃତିକ ଉତ୍ସବ। କେନ୍ଦ୍ର ଓ ଉତ୍ତରପ୍ରଦେଶରେ ଶାସନରେ ଥିବା ହିନ୍ଦୁବାଦୀ ବିଜେପି କୁମ୍ଭମେଳାକୁ ସମସ୍ତ ପ୍ରକାର ଶ୍ରେଷ୍ଠତ୍ୱ ସହ ଉପସ୍ଥାପିତ କରିବା ସ୍ୱାଭାବିକ।
ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଆଲାହାବାଦ ସହରର ନାମକୁ ବଦଳାଇ ପ୍ରୟାଗରାଜ କରିବା ପରେ ଏହି ସହରର ଗୁରୁତ୍ୱ ପ୍ରତିପାଦିତ ହୋଇଛି। ମହାକୁମ୍ଭର ବିସ୍ତୃତ ପ୍ରଚାର ପ୍ରସାରଦ୍ୱାରା ପର୍ଯ୍ୟଟନ ଅର୍ଥନୀତିକୁ ଦୃଢ଼ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତ ଉତ୍ତର ପ୍ରଦେଶ ସରକାର।
ବୁଧବାର ପବିତ୍ର ମୌନି ଅମାବାସ୍ୟାରେ ସଙ୍ଗମ ଅଞ୍ଚଳରେ କୋଟି କୋଟି ତୀର୍ଥଯାତ୍ରୀ ପବିତ୍ର ବୁଡ଼ ପକାଇବା ପାଇଁ ପ୍ରୟାସ କରିବାରୁ ଦଳଚକଟା ହୋଇ ଯେଉଁ ଅଘଟଣ ଘଟିଲା ତାହା କାର୍ଯ୍ୟକ୍ରମର ବ୍ୟାପକ ଆୟୋଜନକୁ ଭଣ୍ଡୁର କରିଦେଲା। ସରକାରୀଭାବେ ଅନ୍ୟୁନ ୩୦ ଜଣ ଭକ୍ତ ଏଥିଯୋଗୁଁ ମୃତ୍ୟୁବରଣ କରିବା ସାଙ୍ଗକୁ ବେଶ୍ ସଂଖ୍ୟକ ତୀର୍ଥଯାତ୍ରୀ ଦଳଚକଟାରେ ଆଇତ ହୋଇଛନ୍ତି।
ଦୁର୍ଘଟଣା ପରେ ଯେଉଁ ବିଶ୍ଲେଷଣ ଆରମ୍ଭ ହୋଇଛି ସେଥିରେ କୁହାଯାଉଛି ଯେ ସଠିକ୍ ଭିଡ଼ ପରିଚାଳନା ହୁଏତ ଏହି ଦଳାଚକଟାକୁ ଏଡ଼ାଇ ପାରିଥାନ୍ତା। ରାଜ୍ୟ ସରକାରଙ୍କ ସବୁ ପ୍ରକାର ପ୍ରସ୍ତୁତି ଓ ତା’ପଛରେ କେନ୍ଦ୍ରର ସବୁ ସହାୟତା ତଥା ପ୍ରୋତ୍ସାହନ ସତ୍ତ୍ୱେ ଏହି ବିପର୍ଯ୍ୟୟ ଅତୀତର ଅନୁରୂପ ଅଘଟଣଗୁଡ଼ିକର ତାଲିକା ସହ ଯୋଡ଼ା ହୋଇଗଲା।
ପୃଥିବୀର ସବୁଠାରୁ ଜନବହୁଳ ଦେଶ ଭାରତରେ ହିନ୍ଦୁ ସମ୍ପ୍ରଦାୟର ସଂଖ୍ୟାଗରିଷ୍ଠତା ସହ ସେମାନଙ୍କର ବାର ମାସରେ ତେରଯାତ୍ରା ଧାର୍ମିକ ଉତ୍ସବଗୁଡ଼ିକ ଘନିଷ୍ଠଭାବେ ସଂଯୁକ୍ତ। ଭାରତୀୟ ମାନସିକତାରେ ପରମ୍ପରାଗତଭାବେ କୁମ୍ଭମେଳା ଭଳି ପ୍ରସିଦ୍ଧ ଉତ୍ସବଗୁଡ଼ିକ ଦେଶର ଐତିହ୍ୟର ଗୁରୁତ୍ୱପୂର୍ଣ୍ଣ ଅଂଶ। ଏଣୁ ଏଥରର ପ୍ରୟାଗରାଜ ମହାକୁମ୍ଭରେ ଯେ ତ୍ରିବେଣୀ ସଙ୍ଗମରେ ବୁଡ଼ ପକାଇବା ପାଇଁ କୋଟି କୋଟି ଲୋକ ଦେଶର କୋଣ ଅନୁକୋଣରୁ ପହଞ୍ଚିବା ମୂଳରୁ ଅନୁମାନ କରାଯାଉଥିଲା। ତାହା ଏଯାଏଁ ହୋଇ ଆସିଛ ସେହି ଧାରା। ପ୍ରଶାସନ ପକ୍ଷରୁ ଭକ୍ତମାନଙ୍କୁ ନିବେଦନ କରାଯାଇଥିଲା ଯେ, ସେମାନେ ପହଞ୍ଚିବାମାତ୍ରେ ପ୍ରଥମ ଘାଟରେ ବୁଡ଼ ପକାଇବା ଉଚିତ। ତାହା ଭିଡ଼କୁ ଏଡ଼ାଇବା ପାଇଁ ଉଦ୍ଦିଷ୍ଟ ଥିଲା। ସେଥିପାଇଁ ମଧ୍ୟ ପ୍ରଚାର କରାଯାଇଥିଲା ଯେ, ସଙ୍ଗମର ସମସ୍ତ ଘାଟ ସମାନଭାବେ ପବିତ୍ର । କିନ୍ତୁ ଏହି ନିବେଦନ ସହ ଆବଶ୍ୟକ ସକାରାତ୍ମକ ପଦକ୍ଷେପ ନିଆଯିବା ଉଚିତ ଥିଲା ଯେଉଁଥିରେ ତୀର୍ଥଯାତ୍ରୀଙ୍କୁ ଶୃଙ୍ଖଳିତଭାବେ ନିଆଯାଇ ଘାଟକୁ ଛଡ଼ାଯାଇଥାନ୍ତା। ଭବିଷ୍ୟତର ଅନୁରୂପ କାର୍ଯ୍ୟକ୍ରମଗୁଡ଼ିକ ପାଇଁ ଏଥିରୁ ଶିକ୍ଷା ମିଳିଛି। ଏଥରର ମହାକୁମ୍ଭରେ ଯେଉଁ ବିପର୍ଯ୍ୟୟ ଘଟିଲା ତାହା ପୁଣି ପ୍ରମାଣ କରିଦେଇଛି ଯେ, ସମସ୍ତ ସୁରକ୍ଷା ସତ୍ତ୍ୱେ ଏପରି ଧାର୍ମିକ ଭିଡ଼ଗୁଡ଼ିକରେ ଦଳାଚକଟା ଅଘଟଣଗୁଡ଼ିକୁ ଏଡ଼ାଯାଇ ପାରିବନାହିଁ।
ଅତୀତର ତିକ୍ତ ଅଭିଜ୍ଞତା ଦୃଷ୍ଟିରୁ ପ୍ରୟାଗ- ମହାକୁମ୍ଭରେ କର୍ତ୍ତୃପକ୍ଷ ସବୁପ୍ରକାର ଆୟୋଜନ କରିଥିଲେ। ଶ୍ରଦ୍ଧାଳୁମାନଙ୍କର ସୁରକ୍ଷା ସେଥିରେ ପ୍ରାଧାନ୍ୟ ପାଇଥିଲା। ଭାରତରେ ଏଭଳି ଧାର୍ମିକ ଭିଡ଼ଗୁଡ଼ିକରେ ଗ୍ରାମାଞ୍ଚଳରୁ ବେଶୀ ଲୋକ ଆସିଥାନ୍ତି। ସେମାନେ ସୁରକ୍ଷା ସାବଧାନତା ସହ ଅଭ୍ୟସ୍ତ ନୁହନ୍ତି। ଅବଶ୍ୟ ମହାକୁମ୍ଭକୁ ମଧ୍ୟ ବିଦେଶୀମାନେ ଆସିଥିଲେ ଓ ଦେଶର ସେଲିବ୍ରିଟିମାନେ ମଧ୍ୟ ପହଞ୍ଚିଥିଲେ। କିନ୍ତୁ ସେମାନଙ୍କ ପାଇଁ ସବୁବେଳେ ଭିଆଇପି ସୁରକ୍ଷା ବ୍ୟବସ୍ଥା ହୁଏ। ଏଭଳି ଦଳାଚକଟା ଅଘଟଣରେ ସେମାନଙ୍କର କୌଣସି ଅସୁବିଧା ହୁଏନାହିଁ।
ଏଣୁ ବିରୋଧୀଦଳ ଏଥରର ବିପର୍ଯ୍ୟୟ ପରେ ସମାଲୋଚନା କରିଛନ୍ତି ଯେ ଭିଆଇପି ସୁରକ୍ଷାକୁ ଗୁରୁତ୍ୱ ଦିଆଯିବାରୁ ଏପରି ଅଘଟଣ ଘଟିଲା। ମୋଟାମୋଟିଭାବେ ଦେଖିବାକୁ ଗଲେ ନିରାପଦଭାବେ ତୀର୍ଥଯାତ୍ରୀମାନଙ୍କର ବୁଡ଼ ପକାଇବା ବ୍ୟବସ୍ଥା ହୋଇଥିଲେ ହେଁ ନିଶ୍ଚିତଭାବେ କିଛି ତ୍ରୁଟି ବିଚ୍ୟୁତି ବୁଧବାରର ସମସ୍ୟାର କାରଣ। ଅଧିକ ଭିଡ଼ ହେବା ଜାଣି କର୍ତ୍ତୃପକ୍ଷ ମଙ୍ଗଳବାରଦିନ ଆବଶ୍ୟକ ସୂଚନା ଜାରି କରିଥିଲେ। ସେଥିରେ ଭକ୍ତମାନଙ୍କୁ ନିର୍ଦ୍ଦେଶନାମାକୁ ମାନିବା ପାଇଁ କୁହାଯାଇଥିଲା। କିନ୍ତୁ ଅଘଟଣ ପୂର୍ବରୁ କୌଣସି ତୀର୍ଥଯାତ୍ରୀ ଆଖଡ଼ା ମାର୍ଗର ବାରିକେଡ ଉପରେ ଚଢ଼ି ଯିବାରୁ ଆୟୋଜକ ନିରାପତ୍ତା ରକ୍ଷୀମାନେ ଅସୁବିଧାରେ ପଡ଼ିଯାଇଥିଲେ। ଘଟଣାକୁ କିଛିଟା କମ୍ କରିବା ପାଇଁ ଉତ୍ତରପ୍ରଦେଶ ସରକାର ଉଦ୍ୟମ କରିଥିବା କୁହାଯାଇଛି । ବୋଧହୁଏ କୁମ୍ଭମେଳା ଆହୁରି ଅଧିକ ସମୟ ଥିବାରୁ ଆୟୋଜନଙ୍କୁ ତଥା ନକାରାତ୍ମକ ପ୍ରଚାରକ ଏଡ଼ାଇବା ଲାଗି ଏହା କରାଯାଇଥାଇପାରେ।
ଅବଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପରିବାର ଲୋକଙ୍କୁ ହରାଇଥିବା ଭକ୍ତମାନଙ୍କୁ ନିଜର ଶୋକ ଜଣାଇଛନ୍ତି। କାହିଁକି ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲା ତା’ର ବିଧିବଦ୍ଧ ଦେନ୍ତ ଦରକାର। କେଉଁମାନେ ନିଜ ଦାୟିତ୍ୱରେ ଅବହେଳା କରିଛନ୍ତି ସେମାନଙ୍କୁ ଚିହ୍ନଟ କରିବାକୁ ହେବ। ନିଶ୍ଚିତଭାବେ ଅବଶିଷ୍ଟ ସମୟର ସୁରକ୍ଷା ଲାଗି ଏହା ସାହାଯ୍ୟ କରିବ।
ଦେଶର ଅନ୍ୟତ୍ର ଅନୁରୂପ ଧାର୍ମିକ କାର୍ଯ୍ୟକ୍ରମ ସକାଶେ ମହାକୁମ୍ଭ ବିପର୍ଯ୍ୟୟରୁ ଏବେକାର ଅଘଟଣରେ ଗୋପନୀୟତାକୁ ମନେରଖିବା ଉଚିତ। ତାହା ଭବିଷ୍ୟତର ସୁରକ୍ଷା ଓ ପ୍ରସ୍ତୁତି କୌଶଳ ପାଇଁ ଗୁରୁତ୍ୱପୂର୍ଣ୍ଣ। କର୍ତ୍ତୃପକ୍ଷ ଏବେ ନିରାପତ୍ତା ବ୍ୟବସ୍ଥାର ସମୀକ୍ଷା କରି ଆବଶ୍ୟକ ପଡ଼ିଲେ ଅବଶିଷ୍ଟ ସମୟ ପାଇଁ କୌଶଳ ସଂଶୋଧନ କରିବେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଭକ୍ତଙ୍କ ସୁରକ୍ଷା ସରକାରଙ୍କ ପ୍ରଥମ ଅଗ୍ରାଧିକାର।
ମହାକୁମ୍ଭର ଅବଶିଷ୍ଟ ୪ ସପ୍ତାହ ପାଇଁ ଏହି ସୂତ୍ରକୁ ପାଳନ ସରକାର କରିବେ। ଦେଶର ଆଧ୍ୟାତ୍ମିକ ମହତ୍ତ୍ଵକୁ ଗୌରବର ସହ ଉପସ୍ଥାପନ କରିବା ଉଚିତ। ପ୍ରୟାଗରାଜ କୁମ୍ଭମେଳା ବିପର୍ଯ୍ୟୟ ଜନିତ ଭୟ ଓ ଆଶଙ୍କା ଦ୍ୱାରା ଆଚ୍ଛାଦିତ ହେବା ଅନୁଚିତ।
