ସ୍ବୟଂ ସିଦ୍ଧ
ଜୁନ ୧୨ ତାରିଖ ଗୁରୁବାର ଅପରାହ୍ନରେ ଗୁଜୁରାଟର ଅହମ୍ମଦାବାଦ ବିମାନବନ୍ଦରରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି । ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ AI-171 ଉଡ଼ାଣ ଭରିବାର ୩ ମିନିଟ ମଧ୍ୟରେ ଦୁର୍ଘଟଣା ଗସ୍ତ ହେବା ଫଳରେ ବ୍ୟାପକ ଧନଜୀବନର କ୍ଷୟକ୍ଷତି ଘଟିଛି । ଏହି ବିମାନରେ ଦୁଇଜଣ ପାଇଲଟଙ୍କ ସମେତ ୧୨ ଜଣ କ୍ରିୟୁ ମେମ୍ବର ଥିଲେ । ୨୩୦ ଯାତ୍ରୀ ଓ ୧୨ କ୍ରିୟୁ ମେମ୍ବରଙ୍କୁ ଯୋଡ଼ିଲେ ଏହି ସଂଖ୍ୟା ୨୪୨ ସ୍ପଷ୍ଟ ହୋଇଛି । ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣିଙ୍କ ସମେତ ଏଥିରେ ଥିଲେ ୧୬୯ ଭାରତୀୟ ଯାତ୍ରୀ ବ୍ରିଟେନର ୫୩ ଓ ପର୍ତ୍ତୁଗାଲର ୭ ଜଣ ଯାତ୍ରୀ । ମୋଟ ୨୪୩ ଯାତ୍ରୀଙ୍କୁ ନେଇ ଅହମ୍ମଦାବାଦ ସରଦାର ବଲ୍ଲଭ ଭାଇ ପଟେଲ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଭାରତୀୟ ସମୟ ୧.୩୫ ମିନିଟରେ ବିମାନଟି ଉଡାଣ ଭରିଥିଲା । ୪ ମିନିଟ ଭିତରେ ୬୨୫ ମିଟର ଉଚ୍ଚକୁ ଯାଇ ପଛ ପଟ ଦେଣାରେ ଲାଗିଯାଇଥିଲା ନିଆଁ । ତତ୍କାଳ ପାଇଲଟ କଣ୍ଟ୍ରୋଲ ରୁମକୁ ସହାୟତା ପାଇଁ ମେ ଡେ କଲ କରିଥିଲେ । ନିଆଁ ଓ ଧୁଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ୩ କିଲୋମିଟର ଅଂଚଳକୁ ଦୃଶ୍ୟମାନ ହୋଇଥିଲା ଏହାର ଭୟଙ୍କରତା । ଶେଷରେ ଡାକ୍ତର ମାନଙ୍କ ଏକ ଆବାସିକ କୋଠାରେ ମାଡ଼ ହୋଇ ବିମାନଟି ଜଳିଯାଇଥିଲା ।
ପ୍ରଥମ ନୁହଁ ବୋଇଂ ଦୁର୍ଘଟଣା :
ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ବୋଇଂର 787 ଡ୍ରିମଲାଇନର ସାମିଲ ଥିବା ସ୍ପଷ୍ଟ ହୋଇଛି । ଯଦିଓ ଦୁର୍ଘଟଣାର ଶିକାର ହୋଇଥିବା ଡ୍ରିମଲାଇନର ଏହା ପ୍ରଥମ ଦୁର୍ଘଟଣା କିନ୍ତୁ ବୋଇଂ ପାଇଁ ଏହା ଆଦୌ ପ୍ରଥମ ଘଟଣା ନୁହେଁ । ବୋଇଂ ଦ୍ୱାରା ନିର୍ମିତ ଅନେକ ବିମାନ ଏହା ପୂର୍ବରୁ ବାରମ୍ବାର ଦୁର୍ଘଟଣାର ସାମ୍ନା କରିଛି ।
ଗତ ବର୍ଷ ଜାନୁଆରୀରେ ଉଡ଼ାଣ ସମୟରେ ୭୩୭ ମ୍ୟାକ୍ସର ଡୋର ହଟାତ ଖସିପଡ଼ିଥିଲା। ଏହା ବ୍ୟତୀତ, ୨୦୧୮ ଏବଂ ୨୦୧୯ରେ ବୋଇଂ ୭୩୭ ମ୍ୟାକ୍ସ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ଲାୟନ୍ ଏୟାର ଫ୍ଲାଇଟ୍ ୬୧୦ ଏବଂ ଇଥିଓପିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୩୦୨ ଦୁର୍ଘଟଣାକୁ ସାମ୍ନା କରିଥିଲା । ଏହି କାରଣରୁ ବୋଇଂ ବିମାନକୁ ବନ୍ଦ କରିବାକୁ ପଡିଲା ଏବଂ କମ୍ପାନୀକୁ ୩୦ ବିଲିୟନ ଡଲାର ପର୍ଯ୍ୟନ୍ତ କ୍ଷତି ସହିବାକୁ ହୋଇଥିଲା । ୨୦୧୮ ଏବଂ ୨୦୧୯ ଦୁର୍ଘଟଣା ସମୟରେ ଯଥାକ୍ରମେ ୧୮୯ ଏବଂ ୧୫୭ ଜଣଙ୍କର ଜୀବନ ମଧ୍ୟ ଯାଇଥିଲା । ତଥାପି, ବର୍ତ୍ତମାନ ଏହା ବୋଇଂ ୭୩୭-୮୦୦ ସହିତ କାର୍ଯ୍ୟ କରୁଛି ।
କାହିଁକି ବଢୁଛି ବୋଇଂର ବିପଦ :
ବାରମ୍ବାର ଯାନ୍ତ୍ରିକ ତ୍ରୁଟି ଓ ପ୍ରଯୁକ୍ତିର ଆଧିନିକୀକରଣ ବାବଦରେ ପାଇଲଟଙ୍କୁ ତାଲିମ ଦିଆନଯିବା ଏଭଳି ଘଟଣାକୁ ବଢ଼ାଇଛି । ଏହା ସମେତ ଡିଜାଇନ/ସଫ୍ଟୱେୟାର ତ୍ରୁଟି କାରଣରୁ ଅତୀତରେ 737 MAX ବିମାନର MCAS ବିଫଳତା ସାମ୍ନାକୁ ଆସିଥିଲା । ପ୍ରଯୁକ୍ତିଗତ ସମସ୍ୟା ଏବଂ ଉତ୍ପାଦନ ଗୁଣବତ୍ତାର ଅଭାବର ନଗ୍ନ ନମୁନା ଭାବେ ୭୮୭ ବିମାନର ବ୍ୟାଟେରି ଘଟଣା ନିଆଯାଇପାରେ । ଏହି ଘଟଣା ଫଳରେ ବୋଇଂ ର ଖ୍ୟାତି ଉପରେ ପ୍ରଭାବ ପଡିଛି ଏବଂ ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ ଗୁରୁବାର ବୋଇଂ ର ସେୟାର ୮ ପ୍ରତିଶତରୁ ଅଧିକ ହ୍ରାସ ପାଇଛି ।
Also readhttps://purvapaksa.com/us-invite-to-pak-army-chief-for-military-parade/