ରାଜ୍ୟରେ ବର୍ଷେ ହେଲା ସରକାର ବଦଳିଛି। ୨୪ ବର୍ଷ ହେଲା ନିରନ୍ତର ଶାସନ କରିଥିବା ନବୀନ ପଟ୍ଟନାୟକ ଏବେ ବିରୋଧୀ ଦଳରେ ବସିଛନ୍ତି। ଗଣମାଧ୍ୟମରେ ଅନେକ ଚର୍ଚ୍ଚା ହେଉଛି। ଧ୍ୟାନ ନବୀନଙ୍କ ବିଫଳତା, ବିଜେଡିରେ ବିଶୃଙ୍ଖଳା, ପୂର୍ବଭଳି ପାଣ୍ଡିଆନ୍ଙ୍କ ପ୍ରଭାବ ପ୍ରଭୃତି ଅନେକ ଆଲୋଚନା ହୋଇଛି। ସୋସାଲ୍ ମିଡିଆରେ ବି ଏଗୁଡ଼ିକ ଅଗ୍ନି ସ୍ଫୁଲିଙ୍ଗ ଭଳି ବିସ୍ତାରିତ ହୋଇଛି। କିନ୍ତୁ ସବୁଠୁ ବଡ଼ କଥା ହେଉଛି ଗଲା ଏକ ବର୍ଷ ଭିତରେ କିଛି ପରିବର୍ତ୍ତନ ହୋଇଛି କି? ଶାସନ ହେଉ ବା ପ୍ରଶାସନରେ, ରାସ୍ତାଘାଟ ହେଉ ବା ଜଳସେଚନରେ, ଆସ୍ଥା ହେଉ ବା ସଂସ୍କୃତିର ସୁରକ୍ଷାରେ କିଛି ପରିବର୍ତ୍ତନ ଲକ୍ଷ୍ୟ କରାଯାଇଛି କି? ଆଇନ ଶୃଙ୍ଖଳା, ଦୁର୍ନୀତି, ମହିଳା ସୁରକ୍ଷା, ଆଭ୍ୟନ୍ତରୀଣ ସୁରକ୍ଷାକୁ ସରକାର ନିୟନ୍ତ୍ରଣକୁ ଆଣିପାରିଛନ୍ତି କି, ନା କେବଳ ବିଜେଡି ପଛରେ ଧାଉଁଥିବା ମିଡିଆକୁ ଦେଖି ନାହିରେ ତେଲ ପକାଇ କେନ୍ଦ୍ରର ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି? ଏ ବିଷୟକୁ ନେଇ ଆଜିର ଆଲୋଚନାରେ ‘ମୋହନଙ୍କ ପରେ ବଦଳିଛି କ’ଣ’।
ମୋହନ ଯେତେବେଳେ ଶାସନକୁ ଆସିଲେ ସେତେବେଳେ ସବୁଠାରୁ ବଡ଼ ଆହ୍ୱାନ ଥିଲା ଶାସନରେ ସମନ୍ୱୟ। ଏଥିପାଇଁ କାରଣ ଅନେକ ରହିଛି। ଗୋଟିଏ ପଟେ ବିଜେଡି ସୃଷ୍ଟି କରିଥିବା ତନ୍ତ୍ର ଉପରେ ବିଜେପିର ଭରସା ନ ଥିଲା। ବରିଷ୍ଠ ଅଧିକାରୀମାନେ ପୂର୍ବ ସରକାରରେ ପ୍ରଚଳିତ ଶାସନ ବ୍ୟବସ୍ଥାରୁ ହଟିବାକୁ ଚାହୁଁ ନ ଥିଲେ। ଫଳରେ ଅଚିହ୍ନା ନଈ, ଚିହ୍ନା ମଶାଣି ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ସିଧା ସିଧା କହିବାକୁ ଗଲେ ମୋହନଙ୍କ ନିଜ ଦଳର ଲୋକମାନେ ମଧ୍ୟ ତାଙ୍କୁ ବିରୋଧ କରିବାକୁ ପଛାଇ ନ ଥିଲେ ଯାହାକୁ ଓଡ଼ିଆ ରୁଢ଼ିରେ ଅଣ୍ଟି ଛୁରୀ ତଣ୍ଟି କାଟିବା ଭଳି ପରିସ୍ଥିତି କହିଲେ ଅତ୍ୟୁକ୍ତ ହେବ ନାହିଁ।
ଏଭଳି ପରସ୍ପର ବିରୋଧୀ ଶକ୍ତିଙ୍କ ଗହଣରେ ସରଳ, ଆଦିବାସୀ ପରିବାରରୁ ଆସିଥିବା ଚରିତ୍ରଟି ନଟୁ ଭଳି ଘୂରିବା ସ୍ୱାଭାବିକ। ଏହି ଧାରାରେ ନିଜର କକ୍ଷପଥ ନିର୍ଦ୍ଧାରଣ କରିବାର କଷ୍ଟକର ସମୟକୁ ଆହ୍ୱାନ ଦେଇ ନିଜର ଗତିକୁ କମାଇ ଉପଯୁକ୍ତ କେନ୍ଦ୍ରବିନ୍ଦୁ ଖୋଜିବାରେ ନଟୁଟି ଯେମିତି ଘୂରିବୁଲେ ସେମିତି ମୋହନଙ୍କ ଅବସ୍ଥା ଗତ ଏକ ବର୍ଷ ହେଲା ହୋଇଥିବା କୁହାଯାଏ। ତେବେ ନଟୁ କିଛି ସମୟ ଘୁରିବା ପରେ ଯଦି ଗତି ଧରି ନ ପାରେ ତେବେ ଶୋଇପଡ଼ିବା ସ୍ୱାଭାବିକ ହେଲାଭଳି ମୋହନଙ୍କ ଗତି କେତେ କ୍ଷୀପ୍ର ରହିଛି କେଉଁଠୁ ଶକ୍ତି ମିଳୁଛି ତାହା ଆଲୋଚନାର ବିଷୟ।
ମୋହନଙ୍କ କକ୍ଷପଥର ମୁଖ୍ୟ ଆହ୍ୱାନଗୁଡ଼ିକ ଭିତରେ ପ୍ରଥମ ହେଉଛନ୍ତି ଅମଲାତନ୍ତ୍ରୀ। ପୂର୍ବରୁ ଆମେ କହିଛୁ, ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରେ ଏଯାଏ ମୋହନ ଜଣେ ବିଶ୍ୱସ୍ତ ଅଧିକାରୀଙ୍କୁ ପାଇଲେ ନାହିଁ। ଦାୟିତ୍ୱ ଗ୍ରହଣ ପରେ ମୋହନ ନିଜର ମୁଖ୍ୟ ସହାୟକଭାବେ ବରିଷ୍ଠ ଅଧିକାରୀ ତଥା ନିର୍ବାଚନ କମିଶନର ନିକୁଞ୍ଜ ବିହାରୀ ଧଳଙ୍କୁ ବାଛିଥିଲେ। ନିର୍ବାଚନ ସମୟରେ ସେ ଯେଉଁ କାର୍ଯ୍ୟ କରି ବିଜେଡିର କଳା ଫର୍ଦ୍ଦକୁ ଚିରିବାରେ ସହାୟକ ହୋଇଥିଲେ, ତାହା ତାଙ୍କୁ ପ୍ରଭାବିତ କରିଥିଲା। ଏଣୁ କ୍ଷମତାକୁ ଆସିବା ପରେ ମୋହନ ମାଝୀ ଦଳୀୟ ଚାପରେ ନିକୁଞ୍ଜ ଧଳଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ମୁଖ୍ୟ ସଚିବଭାବେ ନିଯୁକ୍ତ କଲେ। ହେଲେ କିଛିଦିନ ପରେ ନିକୁଞ୍ଜ ଯେ ବିଜେପିର ନୀତି, ମୋହନଙ୍କ ଶୈଳୀ ସହ ଖାପ ଖୁଆଇ ପାରୁନାହାନ୍ତି ତାହା ସ୍ପଷ୍ଟ ହେଲା। ଏଣୁ ଜଣେ ଅବସରପ୍ରାପ୍ତ ଆଇପିଏସ୍ ତଥା ବିଜେପି ନେତା ପ୍ରକାଶ ମିଶ୍ରଙ୍କୁ ପରାମର୍ଶଦାତାଭାବେ ନିଯୁକ୍ତି ଦିଆଗଲା। ତଥାପି ସମସ୍ୟାରେ ସୁଧାର ନ ଆସିବାରୁ ବାବୁଙ୍କୁ ଦିଲ୍ଲୀ ଯିବାକୁ ବାଧ୍ୟ କରାଗଲା। ଆଉ ସେ ଚାକିରିର ଶେଷ ମୁହୂର୍ତ୍ତରେ ପୁଣି କେନ୍ଦ୍ରକୁ ଡେପ୍ୟୁଟେସନରେ ଗଲେ।
କଥା ସେତିକିରେ ଅଟକି ନାହିଁ, ଏହି ଘଟଣାକୁ ମାସେ ବିତିଲାଣି କିନ୍ତୁ ନିଜ ଦପ୍ତର ପାଇଁ ଜଣେ ଠିକଣା ଅଧିକାରୀଙ୍କୁ ବାଛି ପାରୁନାହାନ୍ତି ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଚାଲୁ ନାହିଁ କି କାର୍ଯ୍ୟ ହେଉନାହିଁ ତାହା ଆମେ କହୁନାହୁଁ, କିନ୍ତୁ ଯେଉଁ ପ୍ରଭାବ ପୂର୍ବରୁ ରହିଥିଲା ତାହା ପୂର୍ଣ୍ଣ ହୋଇଛି ତାହା କହିବାକୁ ଆମେ ପଛଘୁଞ୍ଚା ବି ଦେଉ ନାହୁଁ। ଏହା କେତେ ଭଲ ବା କେତେ ଖରାପ ତାହା ଆପଣମାନେ ଆଲୋଚନା କରନ୍ତୁ।
ଆପଣମାନେ କହିପାରନ୍ତି ଲୋକଙ୍କ ପ୍ରଶାସନଭାବେ ମୁଖ୍ୟମନ୍ତ୍ରୀ ନିଜ ଅଫିସର ନବକଳେବର କରିଛନ୍ତି। ଏଣୁ ନବୀନଙ୍କ ଭଳି ଅମଲା ଶାସନକୁ କାହିଁକି ଗୁରୁତ୍ୱ ଦେବେ? ଏ ପ୍ରଶ୍ନ ନିଶ୍ଚିତଭାବେ ସବୁ ଓଡ଼ିଶାବାସୀ ପଚାରିବା ଉଚିତ। ହେଲେ ଅଫିସର ନବକଳେବର ତ ହୋଇଛି, ପ୍ରଶାସନ ଲୋକାଭିମୁଖୀ ହୋଇପାରିଛି କି?
ଗୋଟିଏ ଛୋଟ ଉଦାହରଣ ଆପଣଙ୍କୁ ଦେବାକୁ ଚାହିଁବି। ଲୋକଙ୍କ ଦୁଃଖ ସୁଖକୁ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ପ୍ରତି ସପ୍ତାହରେ ଲୋକଙ୍କ ପାଇଁ ଦରବାର ବସାଇ ଅନ୍ ସ୍ପଟ ଫଇସଲା କରିବା ବ୍ୟବସ୍ଥା କରିଥିଲେ। ବେଶ୍ ଜାକଜମକରେ ଏହା ଆରମ୍ଭ ହୋଇଥିଲା। ଅଭିଯୋଗ ପ୍ରକୋଷ୍ଠର ନବକଳେବର ହେଲା। ମିଡିଆ ବନ୍ଧୁଙ୍କ ଉପସ୍ଥିତିରେ ଅଭିଯୋଗ ଶୁଣାଣି ହେଲା। ଏମିତି ଦୁଇଟି ସୋମବାର ଚାଲିଲା କିନ୍ତୁ ଆଉ ତା’ପରେ ମାସକୁ ଥରେ ବି ବସିବା କଷ୍ଟକର ହେଲା। ଅର୍ଥାତ୍ ଲୋକଙ୍କ ସରକାର ଲୋକଙ୍କୁ ପ୍ରତାରଣା କରିବା ଆରମ୍ଭ ହେଲା।
ଅବଶ୍ୟ ସମ୍ବଲପୁରରେ ଅଭିଯୋଗ ଶୁଣାଣୀ କରି ବେଶ୍ ପ୍ରଶଂସା ସାଉଁଟିଛନ୍ତି ମୁଖ୍ୟମନ୍ତ୍ରୀ। କିନ୍ତୁ ସବୁ ସପ୍ତାହରେ ନ ହେଲେ ପାକ୍ଷିକ ଅଭିଯୋଗ ଶୁଣାଣିକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ମୋହନ। ଏହା କ’ଣ ରାଜ୍ୟବାସୀଙ୍କ ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ ହେବା ଉଚିତ ନୁହେଁ?
ଆଉ ଗୋଟିଏ କଥା। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଧିକ ଉନ୍ନତ କରିବା ତଥା ମୁଖ୍ୟମନ୍ତ୍ରୀଙ୍କ ରହିବା ଲାଗି ଯେଉଁଭଳି ଭାବେ ବିଳାସବ୍ୟସନର ବ୍ୟବସ୍ଥା କରାଯାଇଛି ତାହା ବି ଅନେକ ସମୟରେ ଆଲୋଚନା ହେଉଛି। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ଭଳି ଏହା ମୋହନଙ୍କ ଲାଗି ୟୁଟର୍ଣ୍ଣର ବାଟ ନ ଖୋଲୁ।
ପୂର୍ବରୁ ପୁଲିସ ଖାଲି ଆଇନ ଶୃଙ୍ଖଳା ଦେଖୁଥିଲା। ହେଲେ ଗତ ସରକାର ସମୟରେ ପୁଲିସ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିଲେ। ସେହି ପୁଲିସଙ୍କ ବିରୁଦ୍ଧରେ ବିଜେପି ବିଷୋଦ୍ଗାଧର କରିଥିଲା। ଆଜି କିନ୍ତୁ କ୍ଷମତାକୁ ଆସିବା ପରେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ତାଙ୍କୁ ଓଡ଼ିଶାରୁ କେନ୍ଦ୍ରୀୟ ଡେପ୍ୟୁଟେସନରେ ଯିବା ଲାଗି ବାଟ ସୁଗମ କରିବାରେ ସିଦ୍ଧହସ୍ତ ହୋଇଛନ୍ତି। ଡିଏସ୍ କୁଟ୍ଟେଙ୍କଠାରୁ ଆରମ୍ଭ କରି ରବିକାନ୍ତ, ଆଶିଷ ସିଂହଙ୍କ ପରି ଅଧିକାରୀ କେନ୍ଦ୍ରର ଗୋଟିଏ ବିଭାଗକୁ ଯିବା ନିଶ୍ଚିତଭାବେ ଏହି ସରକାରର କ୍ଷମତା ଓ ଦକ୍ଷତାକୁ ପଦାରେ ପକାଇଛି।
ସେହି ଫର୍ମୁଲା ବିବାଦୀୟ ଆଇଏଏସ୍ଙ୍କ କ୍ଷେତ୍ରରେ ବି ଲାଗୁ ହୋଇଛି। ନିକଟରେ ଭିଭି ଯାଦବ, ଭିନୀଲ କ୍ରିଷ୍ଣା କେନ୍ଦ୍ରକୁ ଯାଇଛନ୍ତି ଆଉ ଅନ୍ୟ କେତେକ ବରିଷ୍ଠ ଅଧିକାରୀ ଧାଡ଼ିରେ ଅପେକ୍ଷା କରିଛନ୍ତି। ପୁଣି ଯେଉଁ କିଛି ଅଧିକାରୀ ନବୀନଙ୍କ ସମୟରେ ଭିନ୍ନ ଭିନ୍ନ ଉଚ୍ଚ ପଦବୀରେ ରହି ବିଭିନ୍ନ ଅଭିଯୋଗରେ ଅଭିଯୁକ୍ତ ଥିଲେ ସେମାନଙ୍କୁ ବି ମୋହନ ସରକାର କାର୍ଯ୍ୟାନୁଷ୍ଠାନ ବଦଳରେ ଥଇଥାନ କରିଛନ୍ତି। ପୁଣି ସବୁଠାରୁ ବିବାଦୀୟ ରହିଥିବା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ପୂର୍ବତନ ଅଧିକାରୀ ଭିକେ ପାଣ୍ଡିଆନ୍ ଏବଂ ତାଙ୍କ ପତ୍ନୀ ଆଇଏଏସ ସୁଜାତାଙ୍କୁ ସୁଗମ ବିଦାୟ ଦେଇଛନ୍ତି। ତାଙ୍କ ଭିଆରଏସ ଆବେଦନକୁ ଏତେଶୀଘ୍ର ଗ୍ରହଣ କରାଗଲା ଯେ, ଯାହା ଭାରତର ଇତିହାସରେ କ୍ୱଚିତ୍ ଉଦାହରଣ ଭାବେ ଆଗକୁ ଗଣାଯିବ।
ବିରୋଧୀ ଦଳରେ ଥିବାବେଳେ ସେହି ମୋହନ ମାଝୀ ଏବଂ ତାଙ୍କ ସହଯୋଗୀ ଏହି ଅଧିକାରୀଙ୍କ ବିରୋଧରେ ବିଷୋଦ୍ଗାର କରୁଥିଲେ। ଏଣୁ କ୍ଷମତାକୁ ଆସିବା ପରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଆଶା କରାଯାଉଥିଲା। ହେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠନ ବଦଳରେ ତାଙ୍କୁ ତାଙ୍କ ଇଚ୍ଛା ଅନୁସାରେ ସୁବିଧା ସମ୍ପ୍ରସାରଣ କରିବା ନିହାତିଭାବେ ମୋହନଙ୍କ ଦୃଢ଼ତାକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି।
ଏବେ ଏକ ବର୍ଷ ପୂର୍ତ୍ତି ପାଇଁ ସରକାର ତତ୍ପର ରହିଛନ୍ତି। ନାଚ ଗୀତ, ମଉଜ ଓ ଉତ୍ସବ ପାଳନ ପାଇଁ ସାରାରାଜ୍ୟରେ ବ୍ୟବସ୍ଥା କରାଯାଇଛି। ଏହା ଏକ ସଫଳତାର ବର୍ଷ ବୋଲି ସରକାର ଗ୍ରହଣ କରୁଛନ୍ତି। ଏସଫଳତା ଭିତରେ ଓବିସିଙ୍କୁ ଆସନ ସଂରକ୍ଷଣ, ଚାକିରି ବୟସ ସୀମା କୋହଳ କରିବା ଆଦି ଗୁରୁତ୍ୱପୂର୍ଣ୍ଣ ହୋଇଛି। କିନ୍ତୁ ସାଧାରଣ ଲୋକଙ୍କ ଲାଗି ଜନ ଭିତ୍ତିଭୂମି ସୃଷ୍ଟିରେ ସରକାର କ’ଣ କରିଛନ୍ତି? ନୂଆ ରେଳ ଲାଇନ୍ ଉନ୍ମୁକ୍ତ ହୋଇଛି କି? ନୂଆ ସଡ଼କପଥରେ ଗାଡ଼ି ଗଡ଼ିଛି କି? ନୂଆ କାରଖାନାଟିଏ ମୋହନ ଖୋଲିବାରେ ସକ୍ଷମ ହୋଇଛନ୍ତି କି? ଏମିତ ଅନେକ ପ୍ରଶ୍ନ ଉଙ୍କି ମାରିବା ସ୍ୱାଭାବିକ କଥା।
ଅନ୍ୟ ପକ୍ଷରେ ମହିଳାଙ୍କ ପାଇଁ ଅଧିକ ଦିନ ମାତୃତ୍ୱ ଛୁଟି, ଋତୁଶ୍ରାବ ପାଇଁ ମାସିକିଆ ଛୁଟି ପ୍ରଭୃତି ଘୋଷଣା କରି ସରକାର ଲିଙ୍ଗଭିତ୍ତିକ ନ୍ୟାୟ ପ୍ରଦାନ କରିଥିବା ତଥା ବାହାବା ନେବାକୁ ଉଦ୍ୟମ କରୁଥିବା ଚର୍ଚ୍ଚା ହୋଇଛି। ଏହାସହ ସୁଭଦ୍ରା ଯୋଜନାକୁ ଏକ ସଫଳ ଯୋଜନାବେ ସରକାର ଗ୍ରହଣ କରିଛନ୍ତି। କିନ୍ତୁ ନୂଆ ରାସନ କାର୍ଡ ପ୍ରଦାନ, ସ୍ୱାସ୍ଥ୍ୟବୀମା ଯୋଜନାର ସରଳୀକରଣ କରିବାରେ ଏଯାଏ ବିଫଳ ରହିଛନ୍ତି ସରକାର। ଆଜି ରୋଗୀଟିଏ ଚିକିତ୍ସା ପାଇଁ ହନ୍ତସନ୍ତ ହେଉଛି, ଆଜି ଗରିବ ବ୍ୟକ୍ତିଟିର ନାଁ କଟିଥିବାରୁ ସେ ରାସନ କାର୍ଡ ପାଇଁ ନେତାଙ୍କ ଦୁଆର ଦୁଆର ବୁଲୁଛି।
ଆଜି ଇଞ୍ଜିନିୟରମାନେ ବିପୁଳ ଧନର ମାଲିକ ଥିବା ପ୍ରତିଦିନ ଭିଜିଲାନ୍ସ ଉନ୍ମୋଚନ କରୁଛି। ଏହା ସ୍ପଷ୍ଟ କରୁଛି ଯେ, ଏହି ବର୍ଷେ ଭିତରେ ତୃଣମୂଳସ୍ତରର ଦୁର୍ନୀତି ବଢ଼ିଛି। ଆଶ୍ରମ ସ୍କୁଲରେ ଛାତ୍ରୀମାନେ ଗର୍ଭବତୀ ହେବା ପ୍ରମାଣ କରୁଛି ଯେ, ଶୃଙ୍ଖଳା ରକ୍ଷା କ୍ଷେତ୍ରରୁ ସରକାର ଧ୍ୟାନଚ୍ୟୁତ କରିଛନ୍ତି। ଏହା କ’ଣ ଏକ ଲୋକଙ୍କ ସରକାରର ଏକ ବର୍ଷ ପୂର୍ତ୍ତିର ଉତ୍ସବ ପାଳନ ହୋଇପାରେ! ବିଚାର ଆପଣଙ୍କର।
Also readhttps://purvapaksa.com/supreme-court-does-not-stay-rs-1-lakh-compensation-on-opsc/