ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଆରମ୍ଭ ହୋଇଥିବା ଅପରେସନ ସିନ୍ଦୂରର ସବୁଠାରୁ ବଡ଼ ଶକ୍ତି ଥିଲା ଯେ ଏହାକୁ ନେଇ ସମଗ୍ର ଭାରତରେ ରାଜନୈତିକ ଐକ ଦେଖାଯାଇଥିଲା। ଭାରତୀୟ ସଶସ୍ତ୍ର ସେନା ଏହି ଅଭିଯାନରେ ନିଜର ଲକ୍ଷ୍ୟକୁ ଅତ୍ୟନ୍ତ ସଠିକତାର ସହ ହାସଲ କରିଥିଲା ଏବଂ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କାଶ୍ମୀର (PoK)ରେ ଆତଙ୍କବାଦୀଙ୍କର ୯ଟି ବଡ଼ ଆଡ୍ଡାକୁ ସମ୍ପୂର୍ଣ୍ଣ ରୂପେ ଧୂଳିସାତ କରିବାରେ ସଫଳତା ହାସଲ କରିଥିଲା। କିନ୍ତୁ, ଏହାପରେ ଏହି ପ୍ରସଙ୍ଗ ଉପରେ ମଧ୍ୟ ରାଜନୀତି ଆରମ୍ଭ ହୋଇଯାଇଛି ଏବଂ କୂଟନୈତିକ ସ୍ତରରେ ଭାରତର କଥାକୁ ବିଶ୍ୱର ଦେଶମାନଙ୍କ ସାମ୍ନାରେ ରଖିବା ପାଇଁ ଯାଉଥିବା ସାତ ଜଣିଆ ସର୍ବଦଳୀୟ ପ୍ରତିନିଧିମଣ୍ଡଳକୁ ନେଇ ମଧ୍ୟ ବିବାଦ ସୃଷ୍ଟି ହେଉଛି। ତେବେ, ଯେଉଁପରି ଭାବେ ପ୍ରତିନିଧିମଣ୍ଡଳରେ ସାମିଲ ସଦସ୍ୟମାନେ,ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛନ୍ତି, ସେଥିରୁ ଜାତୀୟ ସ୍ୱାର୍ଥର ଏହି ପ୍ରସଙ୍ଗରେ ବିରୋଧୀ ମେଣ୍ଟ ଇଣ୍ଡିଆ ବ୍ଲକରେ ସର୍ବସମ୍ମତି ନଥିବା ଦେଖାଯାଉଛି।
ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ ମଧ୍ୟ ଭାଗଭାଗ ଇଣ୍ଡିଆ ବ୍ଲକ
ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ଓ ଅପରେସନ ସିନ୍ଦୂରକୁ ନେଇ ଭାରତର ଆଭିମୁଖ୍ୟକୁ ନେଇ ବିଶ୍ୱର ଦେଶମାନଙ୍କ ବିଶ୍ୱାସ ହାସଲ କରିବା ପାଇଁ ବିଦେଶ ଗସ୍ତକୁ ଯାଉଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ କେନ୍ଦ୍ର ସରକାର ବିଭିନ୍ନ ରାଜନୈତିକ ଦଳର ସାଂସଦ ଓ ପ୍ରମୁଖ ନେତାମାନଙ୍କୁ ସାମିଲ କରିଛନ୍ତି। ଏହା ପଛରେ କାରଣ ହେଉଛି ଜାତୀୟ ସ୍ୱାର୍ଥର ଏହି ମୁଦ୍ଦାରେ ଭାରତର ଏକଜୁଟତାର ସନ୍ଦେଶ ବିଶ୍ୱର ଦେଶମାନଙ୍କ ପାଖରେ ପହଞ୍ଚାଇବା। ବିପକ୍ଷର ଯେଉଁ ସାଂସଦମାନଙ୍କୁ ଏହି ପ୍ରତିନିଧିମଣ୍ଡଳର ଅଂଶ କରାଯାଇଛି, ସେମାନେ ସରକାରଙ୍କ ନିଷ୍ପତ୍ତିର ଜୋରଦାର ପ୍ରଶଂସା କରିଛନ୍ତି। ଯେତେବେଳେ କଂଗ୍ରେସ ଓ ତୃଣମୂଳ କଂଗ୍ରେସ ପରି ଦଳଗୁଡ଼ିକ ଆଧିକାରିକ ଭାବେ ଏହି ମାମଲାରେ ସରକାରଙ୍କ ସଦସ୍ୟ ଚୟନ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।
ମୁସଲିମ ଲିଗ ଓ ସିପିଏମ ସରକାରଙ୍କ ନିଷ୍ପତ୍ତିରେ ଖୁସି
ବିଦେଶ ଯାଉଥିବା ସର୍ବଦଳୀୟ ପ୍ରତିନିଧିମଣ୍ଡଳକୁ ନେଇ ଇଣ୍ଡିଆ ବ୍ଲକରେ କେମିତି ଭିନ୍ନ ମତ ଦେଖାଯାଉଛି, ତାହାର ଏକ ବଡ଼ ଉଦାହରଣ ହେଉଛନ୍ତି ଲୋକସଭାରେ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML)ର ନେତା ଇ.ଟି. ମହମ୍ମଦ ବଶୀର। କେରଳର ଏହି ଦଳର କଂଗ୍ରେସ ସହ ଦଶନ୍ଧି ପୁରୁଣା ମେଣ୍ଟ ରହିଛି। କେରଳରେ ଏହା ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (UDF) ଅଧୀନରେ କଂଗ୍ରେସର ସହଯୋଗୀ ଏବଂ ଜାତୀୟ ସ୍ତରରେ ଇଣ୍ଡିଆ ବ୍ଲକର ଅଂଶ। ବଶୀର କହିଛନ୍ତି, ‘ଏହା ମୋ ପାଇଁ ସମ୍ମାନର ବିଷୟ ଯେ ମୁଁ ବିଶ୍ୱ ଦେଶମାନଙ୍କ ସାମ୍ନାରେ ଆମ ଜାତୀୟ କାରଣକୁ ଉପସ୍ଥାପନ କରୁଥିବା ଦଳରେ ସାମିଲ ହୋଇଛି। ଆମେ ଆତଙ୍କବାଦର ବିପଦ ଓ ପାକିସ୍ତାନର ଗତିବିଧି ବିଷୟରେ ମଧ୍ୟ କଥା ହେବୁ। ଆମେ ପାକିସ୍ତାନର ଭୁଲ କାର୍ଯ୍ୟକୁ ବିଶ୍ୱକୁ ଦେଖାଇବୁ।’ କେରଳରେ UDF ସହ ସତ୍ତାଧାରୀ LDF (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ)ର ଲଢ଼େଇ ଚାଲିଛି, ଯାହାର ନେତୃତ୍ୱ CPMର ହାତରେ ଅଛି; ଏବଂ ଏହା ମଧ୍ୟ ଇଣ୍ଡିଆ ବ୍ଲକରେ ସାମିଲ। CPM ସାଂସଦ ଜନ ବ୍ରିଟାସ ମଧ୍ୟ ଏହି ପ୍ରତିନିଧିମଣ୍ଡଳର ଅଂଶ। ସେ କହୁଛନ୍ତି, ‘ବିଦେଶରେ ଭାରତର ପ୍ରତିନିଧିତ୍ୱ କରିବା ପାଇଁ ଆମେ ଖୁସି ଅଛୁ। ଜାତିର ବିଶାଳ ସ୍ୱାର୍ଥରେ କାମ କରିବା ଆମ ପାଇଁ ଆନନ୍ଦର ବିଷୟ। ଅନେକ ମୁଦ୍ଦାରେ ସରକାରଙ୍କ ସହ ଆମର ମତଭେଦ ରହିଛି କିନ୍ତୁ ଏହି ପ୍ରସଙ୍ଗରେ ଆମେ ଏକ’
ଏନସିପି (ଏସପି) ଓ ଶିବସେନା (ୟୁବିଟି) ଏମପି ମଧ୍ୟ ଉତ୍ସାହିତ
ଏକ ସର୍ବଦଳୀୟ ପ୍ରତିନିଧିମଣ୍ଡଳର ନେତୃତ୍ୱ ଏନସିପି (ଏସପି)ର ସାଂସଦ ସୁପ୍ରିୟା ସୁଲେ କରୁଛନ୍ତି। ସେ ସରକାରଙ୍କ ପକ୍ଷରୁ ପ୍ରତିନିଧିମଣ୍ଡଳର ଅଂଶ କରାଯିବା ଉପରେ ଏକ୍ସରେ ଲେଖିଛନ୍ତି, ‘ମୁଁ ଏହା କହିବାକୁ ଖୁସି ଯେ ମୁଁ ଭାରତ ତରଫରୁ ଏକ ବିଶେଷ ଗୋଷ୍ଠୀରେ ସାମିଲ ହେଉଛି। ଏହି ଗୋଷ୍ଠୀ ବିଭିନ୍ନ ଦଳର ଲୋକଙ୍କୁ ନେଇ ଗଠିତ। ଆମେ ସମସ୍ତେ ମିଶି ବିଶ୍ୱର ସାମ୍ନାରେ ଭାରତର ପକ୍ଷ ରଖିବୁ। ମୁଁ ଏହି ଦାୟିତ୍ୱକୁ ଖୁସିରେ ଗ୍ରହଣ କରିଛି। ମୁଁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀ, ମନ୍ତ୍ରୀ କିରେନ ରିଜିଜୁ ଜୀ ଓ ବୈଦେଶିକ ମନ୍ତ୍ରଣାଳୟକୁ ଧନ୍ୟବାଦ ଦେଉଛି।’ ମହାରାଷ୍ଟ୍ରରେ ସୁଲେଙ୍କ ଦଳ କଂଗ୍ରେସ ଓ ଶିବସେନା (ୟୁବିଟି) ସହିତ ବିରୋଧି ମହା ବିକାଶ ଅଘାଡ଼ି (MVA)ର ଅଂଶ। କେନ୍ଦ୍ରରେ ଏହି ସମସ୍ତ ଦଳ ଇଣ୍ଡିଆ ବ୍ଲକର ଅଂଶିଦାର ଦଳ। ସେହିପରି ଶିବସେନା (ୟୁବିଟି)ର ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ମଧ୍ୟ ପ୍ରତିନିଧିମଣ୍ଡଳର ଅଂଶ ହେବାରେ ନିଜକୁ ଗୌରବାନ୍ୱିତ ଅନୁଭବ କରୁଛନ୍ତି। ସେ ଅପରେସନ ସିନ୍ଦୂରକୁ ନେଇ ମଧ୍ୟ ମୋଦୀ ସରକାରଙ୍କ ନିଷ୍ପତ୍ତିର ପ୍ରଶଂସା କରୁଛନ୍ତି ଏବଂ ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ ସାମିଲ ହେବା ନେଇ ଏକ୍ସରେ କହିଛନ୍ତି, ‘ମୁଁ ବହୁତ ଖୁସି ଯେ ମୁଁ ମିଶନ ସିନ୍ଦୂରର ଅଂଶ ହେଉଛି। ରବି ଶଙ୍କର ଜୀଙ୍କ ନେତୃତ୍ୱରେ, ଆମେ ସମସ୍ତେ ମିଶି ପଶ୍ଚିମ ଇଉରୋପ ଯାଉଛୁ। ଏହା ସମସ୍ତ ଦଳର ଏକତ୍ରିତ ପ୍ରୟାସ। ଆମର ଲକ୍ଷ୍ୟ ହେଉଛି ବିଶ୍ୱକୁ ଜଣାଇବା ଯେ ପାକିସ୍ତାନ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଛି। ଆମେ ପାକିସ୍ତାନର ସତ୍ୟତାକୁ ବିଶ୍ୱ ସାମ୍ନାରେ ଆଣିବାକୁ ଚାହୁଁଛୁ। ଏହା ଆତଙ୍କବାଦ ବିରୁଦ୍ଧରେ ଆମର ‘ଏକଜୁଟ ପ୍ରୟାସ’। ଆମେ ‘ଫାଇଟ ବ୍ୟାକ’ କରୁଛୁ।’
ଦେଶଭକ୍ତି ଗୀତ ଜରିଆରେ ଆଭିମୁଖ୍ୟ ସ୍ପଷ୍ଟ କଲେ ମନୀଷ ତିୱାରୀ
ଶଶି ଥରୁରଙ୍କୁ ପ୍ରତିନିଧି ମଣ୍ଡଳିରେ ସାମିଲ କରିବାକୁ ନେଇ କଂଗ୍ରେସ ତରଫରୁ ବିବାଦ ଆରମ୍ଭ ହୋଇଥିଲା । ଦଳକୁ ନପଚାରି ଥରୁରଙ୍କୁ ଟିମରେ ସାମିଲ କରିବାକୁ ନେଇ କଂଗ୍ରେସ ଆପତି କରିଥିଲା । ସେହିଭଳି ଟିଏମସି ଓ ତାଙ୍କ ନେତ୍ରୀ ମମତା ବାନାର୍ଜୀ ତାଙ୍କ ଦଳର ସାଂସଦ ୟୁସୁଫ ପଠାନଙ୍କୁ ଏଥିରେ ଦଳର ମତାମତ ନନେଇ ସାମିଲ କରିବା ଉପରେ ଆପତ୍ତି ଜଣାଇଥିଲେ ଏବଂ ତାଙ୍କୁ ଏହି ଅଭିଯାନରେ ପଠାଇବାକୁ ମନା କରି ଦେଇଥିଲେ। କିନ୍ତୁ, କଂଗ୍ରେସର ଆପତ୍ତିକୁ ଏଡ଼ାଇ ସର୍ବଦଳୀୟ ପ୍ରତିନିଧିମଣ୍ଡଳରେ ସାମିଲ ଦଳର ଅନ୍ୟ ଜଣେ ସାଂସଦ ମନୀଷ ତିୱାରୀ ମଧ୍ୟ ଏକ୍ସର ବ୍ୟବହାର କରି ସରକାରଙ୍କ ନିଷ୍ପତ୍ତିରେ ନିଜର ଇରାଦା ସ୍ପଷ୍ଟ କରିଛନ୍ତି। ସେ ଏକ ଦେଶଭକ୍ତି ଗୀତର ଭିଡିଓ ପୋଷ୍ଟ କରି ଲେଖିଛନ୍ତି, ‘ଫିଲ୍ମ ‘ଆକ୍ରମଣ’ (୧୯୭୫)ର ଏହି ଗୀତ ଆମକୁ କହୁଛି ଯେ ଦେଶର ଡାକରାକୁ କିପରି ଜବାବ ଦେବା ଉଚିତ।’ ତିୱାରୀ ଗୀତର ପଙ୍କ୍ତିଗୁଡ଼ିକ ମଧ୍ୟ ଲେଖିଛନ୍ତି, ‘ଦେଖୋ ବୀର ଜବାନୋ ଅପନେ ଖୁନ ପେ ଯେ ଇଲଜାମ ନା ଆଏ, ମାଁ ନା କହେ କେ ମେରେ ବେଟେ ବକ୍ତ ପଡ଼ା ତୋ କାମ ନା ଆଏ।’
Also readhttps://purvapaksa.com/raja-colander-the-serial-killer-who-drank-brain-soup-after-killing/