Delhi Election Result: ଅନେକ ଆଲୋଚନା, ତର୍କ ଓ ପରିବର୍ତ୍ତିତ ରାଜନୀତି ଭିତରେ ଭାରତର ରାଜଧାନୀ କ୍ଷେତ୍ର ଦିଲ୍ଲୀ ଶାସନରେ ପରିବର୍ତ୍ତନ ହେବାକୁ ଯାଉଛି।
ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ଗଣତିର ଧାରା ଏହାକୁ ସ୍ପଷ୍ଟ କରୁଛି। ପ୍ରାରମ୍ଭିକ ପର୍ଯ୍ୟାୟ ହୋଇଥିଲେ ମଧ୍ୟ ଏହି ଫଳାଫଳ ଏକ୍ଜିଟ୍ ପୋଲ ଅନୁମାନକୁ ସଟିକ ପ୍ରମାଣିତ କରୁଛି। ଅର୍ଥାତ୍ ୨୭ ବର୍ଷ ପରେ ଭାରତୀୟ ଜନତା ପାର୍ଟିର ଦ୍ୱିତୀୟ ପିଢ଼ିର ନେତାମାନେ ଦିଲ୍ଲୀର ମଙ୍ଗ ଧରିବାକୁ ଯାଉଛନ୍ତି। ଏହା ବିଜେପି ଓ ନରେନ୍ଦ୍ର ମୋଦୀଙ୍କ ରାଜନୀତି ପାଇଁ ଏକ ନୂଆ ଅଧ୍ୟାୟ ହୋଇପାରେ କିନ୍ତୁ ଦେଶର ଆଞ୍ଚଳିକ ଦଳମାନଙ୍କ ପାଇଁ ଏହା କି ଇଙ୍ଗିତ ଦେବ?
ଏ ପ୍ରଶ୍ନ ବିଭିନ୍ନ ପ୍ରଦେଶରେ ଅଣ କଂଗ୍ରେସ ବା ଅଣ ବିଜେପି ଅଥବା ରାଜ୍ୟ ଭିତ୍ତିକ ରାଜନୀତିରେ ରାଜ୍ୟରେ କ୍ଷମତା ଦଖଲ କରିଥିବା ଅଥବା ଶକ୍ତ ବିରୋଧ କରୁଥିବା ଦଳ ମାନଙ୍କ ପାଇଁ ଏକ ମୋଡ଼ ପରିବର୍ତ୍ତନକାରୀ ଆହ୍ୱାନ ଆଣୁଛି। ଓଡ଼ିଶା ବି ଏଥିରୁ ବାଦ୍ ପଡ଼ି ନାହିଁ। କାରଣ ୨୪ ବର୍ଷ ଧରି ଓଡ଼ିଶାରେ କ୍ଷମତାସୀନ ଥିବା ନବୀନ ପଟ୍ଟନାୟକଙ୍କ ନିରଙ୍କୁଶ କ୍ଷମତାକୁ ଗତ ମେ’-ଜୁନ୍ ମାସରେ ଠିକ୍ ଏମିତି ଏକ ପରିବେଶ ଅପ୍ରତ୍ୟାଶିତ ଭାବେ କ୍ଷମତାଚ୍ୟୁତ କରିଥିଲା, ଯାହା ଏବେ ଦିଲ୍ଲୀରେ ଦେଖିବାକୁ ମିଳୁଛି।
ରାଜନୀତିକ ବିଶାରଦଙ୍କ ଗଣନା ଅନୁସାରେ ଆପ୍ ଆବାହକ ଅରବିନ୍ଦ କେଜ୍ରିଓ୍ୱାଲ୍ ଚୁପ୍ ବସିବା ଲୋକ ନୁହଁନ୍ତି। ଚିରାଚରିତ ଭାବେ ସେ ସରକାରଙ୍କୁ ବଦନାମ କରିବା ବା ସମାଲୋଚନା କରିବା ପାଇଁ କାର୍ଯ୍ୟକ୍ରମ ହାତକୁ ନେବାକୁ ଚାହିଁବେ। ପୁଣି ଶ୍ରୀ କେଜ୍ରିଓ୍ୱାଲ ରାଜନୀତି ଅପେକ୍ଷା ସମ୍ବେଦନଶୀଳତାକୁ ଅଧିକ ଦେଖନ୍ତି ଏଣୁ ତାଙ୍କ କାର୍ଯକ୍ରମ ଅନେକ ସମୟରେ ଶାସକଙ୍କୁ ହରଡ଼ଘଣାରେ ପକାଇବ। ଆଉ ୨୭ ବର୍ଷ ପରେ ଫେରିଥିବା ବିଜେପି ଏହାକୁ କଦାପି କରିବାକୁ ଦେବ ନାହିଁ। ବିଗତ ବର୍ଷ ଗୁଡ଼ିକରେ ଆପ୍ର ଦୁର୍ନୀତିକୁ ଲୋକଲୋଚନାକୁ ଆଣିବା ସହ ଆଇନ ସହାୟତାରେ ଏହାର ନେତାଙ୍କୁ କୋର୍ଟ ବାରଣ୍ଡାରେ କାଟିବାକୁ ବାଧ୍ୟ କରିବ ବିଜେପି।
ଅର୍ଥାତ୍ କେଜ୍ରିଓ୍ୱାଲ୍ଙ୍କ ପାଇଁ ଏବେ ଆଉ ଭଲ ସମୟ ଆସିବ ନାହିଁ। ଏହି ସ୍ରୋତରେ ଦଳ ଭାଙ୍ଗିବାର ଆଶଙ୍କା ବି ଜୋର୍ଦାର ହେବା ସ୍ୱଭାବିକ। ୨୦୩୦ ବେଳକୁ ଆମ୍ ଆଦମୀ ପାର୍ଟିର ସଂଗଠନ ଏହାଦ୍ୱାରା ଦୁର୍ବଳ ହୋଇଥିବା ଏଥିରେ ସନ୍ଦେହ ନାହିଁ।
ଦିଲ୍ଲୀ ଭଳି ଓଡ଼ିଶାରେ ଅଣ କଂଗ୍ରେସ ରାଜନୀତି ଅତ୍ୟନ୍ତ ସକ୍ରିୟ ରହି ଆସିଛି। ଯାହାର ଫାଇଦା ବିଜୁ ଜନତା ଦଳ ୧୯୯୭ରୁ ଉଠାଇ ଆସିଛି। ଏବେ କିନ୍ତୁ ଦେଶରେ କଂଗ୍ରେସ ବିରୋଧୀ ତରଙ୍ଗ ପ୍ରବାହିତ ହେଉଛି। ଖାଲ ସେତିକି ନୁହେଁ ରାଜ୍ୟଗୁଡ଼ିକରେ ଆଞ୍ଚଳିକ ଦଳଗୁଡ଼ିକ ମଧ୍ୟ କଂଗ୍ରେସ ସହ ଏକାଠି ଚାଲିବାକୁ ଭରସା କରିପାରୁ ନାହାନ୍ତି। ଓଡ଼ିଶାରେ ବି ସେହି ଧାରା ରହିଛି। ଏବେ ପ୍ରଶ୍ନ ଉଠୁଛି ବିନା ବିଜେପି ଓ କଂଗ୍ରେସ ସମର୍ଥନରେ ବିଜେଡି ଭଳି ଆଞ୍ଚଳିକ ଦଳଗୁଡ଼ିକର କ’ଣ ହେବ?
ଏହା ସତ୍ୟ ଯେ, ବିଜେଡି ବିଗତ ୨୮ ବର୍ଷ ଭିତରେ ନିଜ ପାଇଁ ଭିତ୍ତିଭୂମିର ବିକାଶ କରିପାରିଛି। ନିଜର ସୁବିଶାଳ ପାର୍ଟି ଅଫିସ ସହ, ଗଣମାଧ୍ୟମ ଓ ପାଣ୍ଠି ବି ରହିଛି। ଏହା ହୁଏତ ଆଉ ୫ ବର୍ଷ ଯାଏ ଦଳକୁ ସ୍ଥିତାବସ୍ଥାରେ ନେଇପାରେ କିନ୍ତୁ ଆସନ୍ତା ନିର୍ବାଚନରେ ଯଦି ବର୍ତ୍ତମାନର ପରିସ୍ଥିତି ଆସେ ଏବେ ଦଳ କ୍ଷମତାରୁ ବାହାରେ ରହେ ତେବେ କର୍ମୀ ଓ ଲୋକଙ୍କ ଆଶା ସହ ତାଳରେ ତାଳ ମିଳାଇପାରିବ ତ ବିଜେଡି?
ALSO READ: https://purvapaksa.com/how-upa-era-numbers-blow-a-hole-in-rahul-gandhis-poll-fraud-allegations/