ବ୍ରାଜିଲର ରିଓ ଡି ଜେନେରୋ ଠାରେ ରବିବାର ଦିନ ଆରମ୍ଭ ହୋଇଥିବା ବ୍ରିକ୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଶ୍ଵିକ ସଂସ୍ଥାଗୁଡ଼ିକ ଉପରେ ସାଙ୍ଘାତିକ ଭାବରେ ବର୍ଷିଛନ୍ତି । ଏହି ସଂସ୍ଥାଗୁଡ଼ିକର କର୍ଯ୍ୟପ୍ରଣାଳୀ ଉପରେ ଆପତ୍ତି ଉଠାଇ ସେ କହିଛନ୍ତି ଯେ ଏମାନେ ସଂଘର୍ଷକୁ ରୋକିପାରୁ ନାହାନ୍ତି। ମହାମାରୀ ଓ ଆର୍ଥିକ ସଂକଟର ମୁକାବିଲା କରିପାରୁ ନାହାନ୍ତି। ଏପରିକି ସାଇବର ଓ ମହାକାଶ କ୍ଷେତ୍ରରେ ଦେଖାଦେଉଥିବା ନୂଆ ବିପଦକୁ ନେଇ କିଛି ସମାଧାନ ବି ଦେଇପାରୁ ନାହାନ୍ତି।
‘ଗ୍ଲୋବାଲ ସାଉଥ’ ବିନା ଏହି ଅନ୍ତର୍ଜାତୀୟ ସଂସ୍ଥାଗୁଡ଼ିକର କୌଣସି ମୂଲ୍ୟ ନାହିଁ । ଏମାନଙ୍କୁ ଦେଖିଲେ ଲାଗୁଛି ଯେମିତି ମୋବାଇଲରେ ସିମ୍ ଅଛି ସତ, କିନ୍ତୁ ନେଟ୍ୱର୍କ ନାହିଁ । ଗ୍ଲୋବାଲ ସାଉଥର ସ୍ଵର ଅଛି ଶାଣିତ ହୋଇଛି। କିନ୍ତୁ ନିଷ୍ପରି ଗ୍ରହଣ ପ୍ରକ୍ରିୟାରେ ଏହି ପ୍ରମୁଖ ଅର୍ଥନୀତିଗୁଡ଼ିକୁ ସାମିଲ୍ କରାଯାଉ ନାହିଁ ।
ଯେ ପର୍ଯ୍ୟନ୍ତ ଗ୍ଲୋବାଲ୍ ସାଉଥର ସ୍ୱରକୁ ନିଷ୍ପତ୍ତି ପ୍ରକ୍ରିୟାରେ ସାମିଲ କରା ନ ଯାଇଛି ସେ ପର୍ଯ୍ୟନ୍ତ ବୈଶ୍ୱିକ ସଂସ୍ଥାଗୁଡ଼ିକ ପ୍ରଭାବୀ ହୋଇପାରିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦର୍ଶାଇଛନ୍ତି। ମୋଦୀ କହିଛନ୍ତି, ବିଶ୍ୱ ପାଇଁ ଆଜି ଏକ ନୂଆ ବ୍ୟବସ୍ଥା ଜରୁରି ହୋଇପଡ଼ିଛି। ଏଥିପାଇଁ ଜାତିସଂଘ, ବିଶ୍ଵ ବାଣିଜ୍ୟ ସଂଗଠନ (ଡବ୍ଲ୍ୟୁଟିଓ) ଭଳି ଅନ୍ତର୍ଜାତୀୟ ସଂସ୍ଥାରେ ବ୍ୟାପକ ସଂସ୍କାର ଜରୁରି। ଏହି ସଂସ୍କାର ସାଙ୍କେତିକ ନ ହୋଇ ପ୍ରଭାବୀ ହେବା ଆବଶ୍ୟକ। ଆଜିକାର ‘ଏଆଇ’ ଯୁଗରେ ପ୍ରତି ସପ୍ତାହରେ ପ୍ରଯୁକ୍ତି ବଦଳୁଛି । ଏଭଳି ସ୍ଥିତିରେ ଏକ ବିଶ୍ଵ ସଂସ୍ଥା ୮୦ ବର୍ଷରେ ଥରେ ନ ବଦଳିବା ଆଦୌ ଗ୍ରହଣୀୟ ନୁହେଁ। ବିଂଶ ଶତାବ୍ଦୀର ଟାଇପରାଇଟର୍ ଏକବିଂଶ ଶତାବ୍ଦୀର ସଫ୍ଟୱେରକୁ ଚଳାଇ ପାରିବ ନାହି।
ମୋଦୀ କହିଲେ , ଆଜି ସମଗ୍ର ମାନବତା ଲାଗି ଆତଙ୍କବାଦ ଏକ ବଡ଼ ଆହ୍ବାନ ସାଜିଛି। ପହଲଗାମ୍ ଆକ୍ରମଣ କେବଳ ଭାରତ ପାଇଁ ନୁହେଁ, ସମଗ୍ର ମାନବତା ଲାଗି ଶକ୍ତ ଧକ୍କା। ତେଣୁ ଆତଙ୍କବାଦର ନିନ୍ଦା କେବଳ ଆମର ସୁବିଧା ନୁହେଁ, ବରଂ ସିଦ୍ଧାନ୍ତ ହେବା ଆବଶ୍ୟକ। ପ୍ରଧାନମନ୍ତ୍ରୀ ମୋଦି ବ୍ରିକ୍ ସମ୍ମିଳନୀର ଆୟୋଜନ ଲାଗି ବ୍ରାଜିଲ ରାଷ୍ଟ୍ରପତି ଲୁଲ ଡି ସିଲ୍ଭ।ଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଲେ , ଏହି ସମ୍ମିଳନୀରୁ ଯେଉଁ ଶକ୍ତି ମିଳିଛି, ତାହାକୁ ଶବ୍ଦରେ ପ୍ରକାଶ କରିହେବ ନାହିଁ। ବ୍ରିକ୍ସ ପରିବାରରେ ସାମିଲ ହୋଇଥିବ ନୂଆ ବନ୍ଧୁ ଇଣ୍ଡୋନେସିଆ ସମେତ ଅନ୍ୟ ଦେଶଗୁଡ଼ିକୁ ମୋଦୀ ଶୁଭେଚ୍ଛା ଜଣାଇଥିଲେ।
Also read https://purvapaksa.com/adhara-pana-ritual-of-lord-jagannath-and-siblings-held-today/
