ଡ. ସମନ୍ୱୟ ନନ୍ଦ
ମୁମ୍ବାଇରେ ୨୦୦୮ ମସିହାରେ ନଭେମ୍ବର ୨୬ତାରିଖ ଦିନ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ମାନେ ଆକ୍ରମଣ କରି ୧୭୫ଜଣ ନୀରିହ ନିରପରାଧ ଲୋକମାନଙ୍କୁ ହତ୍ୟା କରିଥିଲେ। ଏହାପରେ ଭାରତ ସରକାରଙ୍କ ପାକିସ୍ତାନ ଓ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦ ପ୍ରତି ଯେଭଳି ଦୃଷ୍ଟିକୋଣ ଥିଲା ସେତେବେଳେ କେହି ଭାରତୀୟ ଭାବି ନ ଥିବେ ଯେ ୨୦୨୫ ପରି ମଧ୍ୟ ସମୟ ଆସିବ ଯେତେବେଳେ ଭାରତରେ ଆତଙ୍କବାଦୀ ଆକ୍ରମଣ ହେଲେ କେବଳ ଯେ ପାକ ଅଧିକୃତ ଜାମ୍ମୁ-କାଶ୍ମୀର- ଲଦାଖ ସହ ପାକିସ୍ତାନର ପଞ୍ଜାବ ରାଜ୍ୟରେ ପ୍ରବେଶ କରି ଭାରତୀୟ ସେନା ଆକ୍ରମଣ କରିବ। ଭାରତ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଆତଙ୍କବାଦୀ ଓ ଆତଙ୍କବାଦୀ କାର୍ଯ୍ୟକଳାପର ଆଡ୍ଜାକୁ ସମ୍ପୂର୍ଣ ଭାବେ ଧ୍ୱସ୍ତ କରି ଦେବ। କାରଣ ୨୦୦୮ ମସିହା ବେଳେ ଭାରତ ସରକାରଙ୍କର ପାକିସ୍ତାନରେ ପ୍ରବେଶ କରି ଶତ୍ରୁକୁ ନିପାତ କରିବା ତ ଦୂରର କଥା ତାର ସୈନିକ ପ୍ରତିଶୋଧ କିପରି ନିଆଯାଇ ପାରିବ ସେ ନେଇ ମଧ୍ୟ ଚିନ୍ତା କରୁନଥିଲେ।
ମାତ୍ର ବର୍ତ୍ତମାନ ସ୍ଥିତି ବଦଳିଛି । ୨୦୧୪ପର ଠାରୁ ସ୍ଥିତିରେ ଲଗାତାର ପରିବର୍ତ୍ତନ ଆସିଛି। ଏବେ ଭାରତ ଘରେ ପଶି ଶତ୍ରୁମାନଙ୍କୁ ନିପାତ କରୁଛି । ପହଲଗାମ ଆକ୍ରମଣ ପରେ ଭାରତ ଦ୍ୱାରା କରାଯାଇଥିବା ଅପରେସନ ସିନ୍ଦୁର ସବୁ ଦିଗରୁ ସଫଳ ଥିଲା। ଅପରେସନ ସିନ୍ଦୁର ଦ୍ୱାରା ଭାରତ କ’ଣ କ’ଣ ଉଦ୍ଦେଶ୍ୟ ପୂରଣ କରିପାରିଛି ସେ ବିଷୟରେ ଆଲୋଚନା କରିବା।
ଅପରେସନ ସିନ୍ଦୁରରେ ଭାରତୀୟ ସେନା ପିଓଜେକେ ଓ ପାକିସ୍ତାନର ପଞ୍ଜାବ ରାଜ୍ୟରେ ପ୍ରବେଶ କରି ୯ଟି ଆତଙ୍କବାଦୀ କ୍ୟାମ୍ପକୁ ମାଟିରେ ମିଶାଇ ଦେଇଛି। ଏଥି ମଧ୍ୟରୁ ଜୈଶ ଏ ମୋହମ୍ମଦର ଆତଙ୍କବାଦୀ ଲଞ୍ଚ ପ୍ୟାଡ୍ ସମେତ ଲଶ୍କର ଏ ତୋଇବା ଓ ହିଜବୁଲ ମୁଜାହିଦ୍ଦିନର ଲଞ୍ଚ ପ୍ୟାଡ୍କୁ ମଧ୍ୟ ସମାପ୍ତ କରି ଦେଇଛି। ଏଥିରେ ଶତାଧିକ ଆତଙ୍କବାଦୀ ଓ ତାଙ୍କୁ ଟ୍ରେନିଂ ଦେଉଥିବା ଆତଙ୍କବାଦୀମାନଙ୍କର ସର୍ଦ୍ଦାରମାନେ ମଧ୍ୟ ସାମିଲ ଅଏଛନ୍ତି।
ଅପରେସନ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନ ସହ ଏନଗେଜମେଣ୍ଟର ନିୟମଗୁଡ଼ିକୁ ପୁନଃ ପରିଭାଷିତ କରିଛି। ପାକିସ୍ତାନ ମଧ୍ୟରେ ପ୍ରବେଶ କରି ( କେବଳ ପିଓଜେକେ ନୁହେଁ) ପଞ୍ଜାବର ମଧ୍ୟରେ ପ୍ରବେଶ କରି ଭାରତ ଆତଙ୍କବାଦୀ ଆଡ୍ଡାକୁ ଧ୍ୱସ୍ତ କରି ଭାରତ ସ୍ପଷ୍ଟ କରି ଦେଇଛି ଯେ ଯଦି ଭାରତ ବିରୁଦ୍ଧରେ ଆତଙ୍କବାଦୀ ଆକ୍ରମଣର ଷଡ଼ଯନ୍ତ୍ର ହେବ ତେବ କେବଳ ଏଲଓସି ପାର ନୁହେଁ ପାକିସ୍ତାନର କୌଣସି ସ୍ଥାନ ଭାରତ ପାଇଁ ଆକ୍ରମଣରୁ ଆଉ ଅପହଞ୍ଚ ନୁହେଁ। ଆତଙ୍କବାଦୀମାନେ ଯେଉଁଠି ଥାଆନ୍ତୁ ନା କାହିଁକି ତାଙ୍କୁ ମାଟିରେ ମିଶାଇ ଦିଆଯିବ।
ଅପରେସନ ସିନ୍ଦୁର ଜରିଆରେ ଭାରତ ନୂଆ ଷ୍ଟ୍ରାଟେଜିକ ଲାଲ ରେଖା ଟାଣିଛି। ଭାରତ ଏହି ଅପରେସନ ଜରିଆରେ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ଯଦି ପାକିସ୍ତାନ ଆତଙ୍କବାଦକୁ ନିଜର ଷ୍ଟେଟ ପଲିସିଭାବେ ଜାରୀ ରଖେ ତେବେ ତା’ର ସ୍ପଷ୍ଟ ଓ ଅତ୍ୟନ୍ତ ଭୀଷଣ ଜବାବ ଦିଆଯିବ। ଭାରତର ପୂର୍ବରୁ ରହି ଆସିଥିବା ନୀତି ଡିଟରେନ୍ସରୁ ଡାଇରେକ୍ଟ ଆକ୍ସନକୁ ପରିବର୍ତ୍ତିତ କରିଥିବା ସ୍ପଷ୍ଟ ହେଉଛି।
ସିନ୍ଦୁର ଅପରେସନର ଚତୁର୍ଥ ଗୁରୁତ୍ୱପୂର୍ଣ କଥା ହେଲା ଯେ ଭାରତ ପ୍ରଥମ ଥର ପାଇଁ ଆତଙ୍କବାଦୀ ଓ ଆତଙ୍କବାଦର ପ୍ରାୟୋଜକଙ୍କ ପାଇଁ ସମାନ ଦଣ୍ଡ ଦିଆଯିବ ବୋଲି ସ୍ପଷ୍ଟ ବାର୍ତା ଦେଇଛି। ପାକିସ୍ତାନ ସବୁବେଳେ ଦାବି କରି ଆସିଛି ଯେ ଭାରତରେ ଆତଙ୍କବାଦ କରି ଲୋକଙ୍କୁ ହତ୍ୟା କରୁଥିବା ଲୋକଙ୍କ ସହିତ ପାକିସ୍ତାନୀ ସରକାରଙ୍କର କୌଣସି ସମ୍ପର୍କ ନାହିଁ ଓ ଏମାନେ ସମସ୍ତେ ନନ୍ ଷ୍ଟେଟ ଆକ୍ଚର ତେଣୁ ତାଙ୍କ ଉପରେ ପାକିସ୍ତାନୀ ସରକାରଙ୍କ ନିୟନ୍ତ୍ରଣ ନାହିଁ। ଭାରତ ପ୍ରଥମ ଥର ପାଇଁ ଅପରେସନ ସିନ୍ଦୁର ଜରିଆରେ ଭାରତ ପାକିସ୍ତାନରୁ ବସି ସରକାରୀ ପ୍ରୋତ୍ସାହନରେ କାମ କରୁଥିବା ଆତଙ୍କବାଦୀ ସଂଗଠନଗୁଡ଼ିକୁ ଜଣାଇ ଦେଇଛି ଏବେ ପାକିସ୍ତାନ ବି ତୁମକୁ ବଞ୍ଚାଇ ପାରିବ ନାହିଁ। ଅପରେସନ ସିନ୍ଦୁର ଜରିଆରେ ଦିଆଯାଇଥିବା ଏହି ବାର୍ତ୍ତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଅପରେସନ ସିନ୍ଦୁର ପାକିସ୍ତାନୀ ଏୟାର ଡିଫେନ୍ସ ସିଷ୍ଟମ କେତେ ଦୁର୍ବଳ ତାହାକୁ ମଧ୍ୟ ପ୍ରମାଣିତ କରିଦେଇଛି। ଚୀନଦ୍ୱାରା ଯୋଗାଣ କରାଯାଇଥିବା ଏୟାର ଡିଫେନ୍ସ ସିଷ୍ଟମକୁ ଆରାମରେ ଅତିକ୍ରମ କରି ଭାରତ ତା’ର ବାୟୁ ଆକ୍ରମଣ ମିଶନକୁ ପୂରା କରିପାରିଛି। ମାତ୍ର ଅଧ ଘଣ୍ଟା ମଧ୍ୟରେ ପାକିସ୍ତାନ ମଧ୍ୟରେ ପ୍ରବେଶ କରି ଭାରତ ତା’ର ସୈନିକ ଉଦ୍ଦେଶ୍ୟକୁ ପୂରଣ କରିପାରିଛି। ଏହା ସହିତ ଅପରେସନ ସିନ୍ଦୁରରୁ ଆଉ ଏକ କଥା ସ୍ପଷ୍ଟ ହୋଇଛି ଯେ ଭାରତର ଏୟାର ଡିଫେନ୍ସ ସିଷ୍ଟମ ବିଶ୍ୱର ସର୍ବେଶ୍ରେଷ୍ଠ ସିଷ୍ଟମ। ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମକୁ ବିଶ୍ୱର ସର୍ବେଶ୍ରେଷ୍ଠ ସିଷ୍ଟମ ବୋଲି ମନେକରାଯାଇଥାଏ। ତେବେ ଇସ୍ରାଏଲର ପ୍ରତିରକ୍ଷା ସୀମା ଖୁବ୍ କମ। ଭାରତର ସୀମା ଗୁଜରାତଠାରୁ ଆରମ୍ଭ କରି ଜାମ୍ମୁ କାଶ୍ମୀର ଯାଏ ରହିଛି। ଏତେ ଦୀର୍ଘ ସୀମାକୁ ଭାରତର ଏୟାର ଡିଫେନ୍ସ ସିଷ୍ଟମ ଜଗିବା ସହ ପାକିସ୍ତାନର ଶହ ଶହ ଡ୍ରୋନ ଓ କ୍ଷେପଣାସ୍ତ୍ରକୁ ମାରି ପକାଇ ଦେବା ପରେ ଭାରତ ତାର ଏୟାର ଡିଫେନ୍ସ ସିଷ୍ଟମ କେତେ ଶକ୍ତିଶାଳୀ ତାହା ପ୍ରମାଣିତ କରିପାରିଛି। ଭାରତର ଏହି ମଲ୍ଟି ଲେୟାର ଏୟାର ଡିଫେନ୍ସ ସିଷ୍ଟମରେ ନିଜସ୍ୱ ଆକାଶତୀର ସିଷ୍ଟମର ପ୍ରଭାବ ମଧ୍ୟ ବିଶ୍ୱ ଦେଖିବାକୁ ପାଇଛି। ଏବେ ଭାରତ ଏହି କ୍ଷେତ୍ରରେ ତାର ସାମର୍ଥ୍ୟ ପ୍ରଦର୍ଶନ କରିବା ଅନ୍ୟ ଦେଶମାନଙ୍କୁ ଭାରତର ଆଡଭାନ୍ସ ଡିଫେନ୍ସ ସିଷ୍ଟମ ବିକ୍ରି କରିବାର ସୁଯୋଗ ସୃଷ୍ଟି ହୋଇଛି।
ଅପରେସନ ସିନ୍ଦୁରର ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଭାରତ ଏହି ଅପରେସନରେ କୌଣସି ପ୍ରକାର ସିଭିଲିଆନ ଓ ଅଣ ମିଲିଟାରୀ ଟାର୍ଗେଟକୁ ଆଦୌ ଟାର୍ଗେଟ କରିନାହିଁ। ଭାରତ ଏହାଦ୍ୱାରା ସ୍ପଷ୍ଟ କରିଛି ଯେ ତା’ର ଲଢ଼େଇ କେବଳ ଆତଙ୍କବାଦୀଙ୍କ ବିରୁଦ୍ଧରେ। ଯଦି ପାକିସ୍ତାନୀ ସେନା ଆତଙ୍କବାଦୀଙ୍କ ସମର୍ଥନରେ ଆସେ ଓ ଭାରତ ଉପରେ ଆକ୍ରମଣ କରେ ତେବେ ପାକିସ୍ତାନୀ ସେନାକୁ ମଧ୍ୟ ଭାରତ ଖୁବ ସହଜରେ ଟାର୍ଗେଟ କରିପାରେ।
ଅପରେସନ ସିନ୍ଦୁରର୍ ଭାରତର ତିନି ସେନା ବାୟୁ ସେନା, ସ୍ଥଳ ସେନା ଓ ନୌସେନା ସମ୍ପୂର୍ଣ ସମନ୍ୱୟରେ କାର୍ଯ୍ୟ କରିଛନ୍ତି। ସାରା ବିଶ୍ୱରେ ଭାରତର ମିଳିତ ସୈନ୍ୟ ଶକ୍ତି କିଭଳି ଭାବେ ତା’ର ପ୍ରଭାବ ବଢାଉଛି ତାହାକୁ ମଧ୍ୟ ଏହି ଅପରେସନ ପ୍ରମାଣିତ କରିଛି।
ଅପରେସନ ସିନ୍ଦୁର ଜରିଆରେ ଭାରତ ସାରାବିଶ୍ୱକୁ ଏକ ଗୁରୁତ୍ୱପୂର୍ଣ ବାର୍ତ୍ତା ଦେଇଛି। ଭାରତ ଦେଖାଇ ଦେଇଛି ଯେ ଏବେ ତା’ର ନାଗରିକ ମାନଙ୍କର ଜୀବନକୁ ରକ୍ଷା କରିବା ପାଇଁ କେଉଁ ଦେଶର ଅନୁମତି ଆବଶ୍ୟକ କରୁନାହିଁ। ନିଜର ନାଗରିକମାନଙ୍କ ଜୀବନ ରକ୍ଷା ପାଇଁ ଆତଙ୍କବାଦୀମାନେ ଯେଉଁଠି ଥାଆନ୍ତୁ ନା କାହିଁକି ଭାରତ ତାଙ୍କୁ ନିପାତ କରିବ ଓ ପାକିସ୍ତାନ ଯଦି ଆକ୍ରମଣକ କରେ ତେବେ ଭାରତ ତା’ର ଉପଯୁକ୍ତ ଜବାବ ଦେବ, ଏହା ଭାରତ ଏହି ଅପରେସନ ଜରିଆରେ ସ୍ପଷ୍ଟ କରିଛି।
ପୂର୍ବ ସଂଘର୍ଷ ସମୟରେ ଭାରତକୁ ସେତେଟା ସମର୍ଥନ ମିଳି ନ ଥିବାବେଳେ ଚଳିତ ଥର ଭାରତକୁ ଅଧିକ ବୈଶ୍ୱିକ ସମର୍ଥନ ମିଳିଛି। ପାକିସ୍ତାନର ସମର୍ଥନରେ ବାହାରକୁ ଆସୁଥିବା ଆରବର ମୁସଲମାନ ଦେଶ ମାନେ ମଧ୍ୟ ଚଳିତ ଥର ପାକିସ୍ତାନ ସମର୍ଥନରେ ଆସି ନ ଥିଲେ। ତୁର୍କୀ, ଚୀନ୍ ଭଳି କିଛି ଦେଶକୁ ଛାଡ଼ି ଅନ୍ୟ ଦେଶଗୁଡ଼ିକ ଖୋଲାଖୋଲିଭାବେ ପାକିସ୍ତାନର ସମର୍ଥନରେ ନ ବାହାରିବା ମଧ୍ୟ ଭାରତର ବଢ଼ୁଥିବା କୂଟନୈତିକ ପ୍ରଭାବକୁ ପ୍ରମାଣିତ କରିଛି।
ଅପରେସନ ସିନ୍ଦୁର ପରେ କାଶ୍ମୀର ନ୍ୟାରେଟିଭକୁ ମଧ୍ୟ ଭାରତ ସମ୍ପୂର୍ଣରୂପେ ବଦଳାଇ ଦେଇଛି। ଭାରତର ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରି ଦେଇଛନ୍ତି ଯେ ପାକିସ୍ତାନ ସହିତ ଯେବେ ବି କଥାବାର୍ତ୍ତା ହେବ କାଶ୍ମୀର ପ୍ରସଙ୍ଗ ନୁହେଁ ବରଂ ପାକ୍ ଅଧିକୃତ ଜାମ୍ମୁ କାଶ୍ମୀର ପ୍ରସଙ୍ଗରେ ହେବ। ଆଉ ସବୁଠାରୁ ବଡ଼ କଥା ହେଲା ଯେ ଭାରତ ସରକାର ସ୍ପଷ୍ଟ କରିଛନ୍ତି ଯେ ଏବେ ଭାରତରେ କୌଣସି ଆତଙ୍କବାଦୀ ଆକ୍ରମଣହେଲେ ତାହାକୁ ଭାରତ ବିରୁଦ୍ଧରେ ଯୁଦ୍ଧ ବୋଲି ଧରାଯିବ। ଏହା ଅପରେସନ ସିନ୍ଦୁରର ସଫଳତା କାରଣରୁ ଏହା ହୋଇପାରିଛି।
ଅପରେସନ ସିନ୍ଦୁର ଦକ୍ଷିଣ ଏସିଆର ଭୂରାଜନୈତିକ ଓ ରଣନୈତିକ ପରିଦୃଶ୍ୟକୁ ସମ୍ପୂର୍ଣ ବଦଳାଇ ଦେଇଛି। ଏହା କେବଳ ସୈନ୍ୟ ଅଭିଯାନ ନ ଥିଲା ବରଂ ଭାରତର ସାର୍ବଭୌମତ୍ୱ, ଦୃଢ ସଂକଳ୍ପର ବହୁ ଆୟାମୀ ପ୍ରଦର୍ଶନ ଥିଲା। ଆତଙ୍କବାଦୀ ନେଟୱର୍କ ଓ ତାଙ୍କର ପ୍ରାୟୋଜକମାନଙ୍କୁ ଅଭୂତପୂର୍ବ ସ୍ପଷ୍ଟତାର ସହ ଟାର୍ଗେଟ କରି ଭାରତ ସ୍ପଷ୍ଟ ବାର୍ତ୍ତା ଦେଇଛି ଯେ ସୀମା ହେଉ ବା କୂଟନୈତିକ ଜଟିଳତା ଯେତେ ଥାଉ ନା କାହିଁକି ଆତଙ୍କବାଦର ସାମନା ତ୍ୱରିତ ଓ ଆନୁପାତିକ ଭାବେ ପ୍ରତିକାର କରାଯିବ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/obcs-kalanimis-arun-raja-srikant/
