ଭାରତୀୟ ସମ୍ବିଧାନର ଧାରା ୩୦ ଅନୁଯାୟୀ ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମୟୁ) ସଂଖ୍ୟାଲଘୁ ମାନ୍ୟତା ପାଇବାର ଅଧିକାର ରହିଛି ବୋଲି ସୁପ୍ରିମ୍ କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଏଏମୟୁର ସଂଖ୍ୟାଲଘୁ ମାନ୍ୟତା ନେଇ ଅନେକ ଥର କୋର୍ଟରେ ବିତର୍କ ହୋଇଛି। ଶୁକ୍ରବାର ସୁପ୍ରିମକୋର୍ଟ ରାୟ ଶୁଣାଇ ୫୭ ବର୍ଷ ପୂର୍ବେ ୧୯୬୭ମସିହାରେ ଦିଆଯାଇଥିବା ନିଜ ନିଷ୍ପତ୍ତିକୁ ରଦ୍ଦ କରିଦେଇଥିଲେ। ୫୭ ବର୍ଷ ତଳେ ସୁପ୍ରିମକୋର୍ଟ କହିଥିଲେ ଯେ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ଅନୁଷ୍ଠାନର ମାନ୍ୟତା ପାଇବା ପାଇଁ ଯୋଗ୍ୟ ନୁହେଁ।
ଆଲିଗଡ଼ ବିଶ୍ୱବିଦ୍ୟାଳୟ କିଏ ପ୍ରତିଷ୍ଠା କରିଛି ଓ ଏହା ପଛରେ କ’ଣ ଉଦ୍ଦେଶ୍ୟ ରହିଛି ତାହା ସ୍ଥିର କରିବା ପାଇଁ ନୂଆ ତିନି ଜଣିଆ ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଯଦି ତଦନ୍ତର ଫଳାଫଳ ସଂଖ୍ୟାଲଘୁ ସମ୍ପ୍ରଦାୟ ଆଡ଼କୁ ଇଙ୍ଗିତ କରିବ, ତେବେ ଏଏମୟୁ ଧାରା ୩୦ ଅନୁଯାୟୀ ସଂଖ୍ୟାଲଘୁ ମାନ୍ୟତା ଦାବି କରିବାକୁ ସକ୍ଷମ ହେବ।
ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତି ଆସିବ, କିନ୍ତୁ ଏହି ବାହାନାରେ ଆସନ୍ତୁ ଜାଣିବା କୌଣସି ଅନୁଷ୍ଠାନକୁ ସଂଖ୍ୟାଲଘୁ ମାନ୍ୟତା ମିଳିଲେ କ’ଣ ଫାଇଦା ମିଳିଥାଏ ଏବଂ ମାନ୍ୟତା ପ୍ରତ୍ୟାହାର କରାଗଲେ କ’ଣ କ୍ଷତି ହୋଇଥାଏ।
ସଂଖ୍ୟାଲଘୁ ମାନ୍ୟତା ପାଇବାର ଫାଇଦା?
ଭାରତୀୟ ସମ୍ବିଧାନର ଧାରା ୩୦ ଧାର୍ମିକ ଓ ଭାଷାଗତ ସଂଖ୍ୟାଲଘୁମାନଙ୍କୁ ସେମାନଙ୍କ ପସନ୍ଦର ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିବା ଏବଂ ଏହାର ପରିଚାଳନା କରିବାର ଅଧିକାର ଦେଇଛି।
ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘର ସମ୍ପାଦକ ଡ. ଓବେଦ ଅହମ୍ମଦ ସିଦ୍ଦିକି କହନ୍ତି ଯେ ଯଦି କୌଣସି ଅନୁଷ୍ଠାନକୁ ସଂଖ୍ୟାଲଘୁ ମାନ୍ୟତା ମିଳେ, ତେବେ ନାମଲେଖା ଏବଂ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ କୋଟା କାର୍ଯ୍ୟକାରୀ କରାଯାଏ। ଅନୁଷ୍ଠାନ ୫୦ ପ୍ରତିଶତ କୋଟା ଲାଗୁ କରିପାରିବ। ଅର୍ଥାତ୍ ସେହି ଅନୁଷ୍ଠାନ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ୫୦ ପ୍ରତିଶତ ସିଟ୍ ସଂରକ୍ଷିତ ହୋଇପାରିବ। ସେହିଭଳି ଅନୁଷ୍ଠାନରେ ସଂଖ୍ୟାଲଘୁ ସମ୍ପ୍ରଦାୟର ୫୦ ପ୍ରତିଶତ ଶିକ୍ଷକ ନିଯୁକ୍ତି ହୋଇପାରିବେ।
ସଂଖ୍ୟାଲଘୁ ମାନ୍ୟତା ମିଳିବା ପରେ ଏଭଳି ଅନୁଷ୍ଠାନଗୁଡ଼ିକୁ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଏବଂ ଅର୍ଥନୈତିକ ଦୁର୍ବଳ ବର୍ଗ (ଇଡବ୍ଲ୍ୟୁଏସ୍) ପାଇଁ ସିଟ୍ ସଂରକ୍ଷଣ କରିବାକୁ ପଡ଼ିବ ନାହିଁ। ଏକ ସଂଖ୍ୟାଲଘୁ ଅନୁଷ୍ଠାନ ନାମଲେଖା ପାଇଁ ଯୋଗ୍ୟତା ଏବଂ ଫି’ ନିଜେ ସ୍ଥିର କରିପାରିବ । ସରଳ ଭାଷାରେ କହିବାକୁ ଗଲେ ଅନୁଷ୍ଠାନକୁ ଅନେକ ପ୍ରକାର ର ସ୍ୱାଧୀନତା ମିଳିଥାଏ ।
ଏହାବ୍ୟତୀତ ସଂଖ୍ୟାଲଘୁ ଶିକ୍ଷାନୁଷ୍ଠାନଗୁଡ଼ିକୁ ପ୍ରଶାସନିକ ସ୍ୱାଧୀନତା ପ୍ରଦାନ କରାଯାଏ, ଯେଉଁଥିରେ ସେମାନଙ୍କ ପରିଚାଳନା ସଂସ୍ଥା ଏବଂ ଅନ୍ୟାନ୍ୟ କର୍ମଚାରୀଙ୍କୁ ଚୟନ କରିବାର ସ୍ୱାଧୀନତା ମଧ୍ୟ ଅନ୍ତର୍ଭୁକ୍ତ । ରାଜ୍ୟରୁ ଆର୍ଥିକ ସହାୟତା ପାଉଥିବା ଏଭଳି ଅନୁଷ୍ଠାନ ଅଣ ସଂଖ୍ୟାଲଘୁ ଗୋଷ୍ଠୀର ଛାତ୍ରଛାତ୍ରୀଙ୍କୁ ସମ୍ପୂର୍ଣ୍ଣ ବାଦ୍ ଦେଇପାରିବ ନାହିଁ।
ସଂଖ୍ୟାଲଘୁ ମାନ୍ୟତା ନ ପାଇବାର ଅସୁବିଧା କ‘ଣ?
ମାନ୍ୟତା ନମିଳିଲେ ୫୦ ପ୍ରତିଶତ କୋଟା କେବଳ ସେହି ଛାତ୍ରଛାତ୍ରୀ (ଆଭ୍ୟନ୍ତରୀଣ) ଙ୍କ ପାଇଁ ଲାଗୁ ହେବ ଯେଉଁମାନେ ପୂର୍ବରୁ ଅନୁଷ୍ଠାନରେ ଅଧ୍ୟୟନ କରୁଛନ୍ତି। ଆପଣ ଏହାକୁ ଏକ ଉଦାହରଣ ମାଧ୍ୟମରେ ବୁଝିପାରିବେ । ଯଦି ଜଣେ ଛାତ୍ର କୌଣସି ଅନୁଷ୍ଠାନରୁ ସ୍ନାତକ ହାସଲ କରୁଛନ୍ତି ଏବଂ ସେଠାରୁ ଅଧିକ ପିଜି କରିବାକୁ ଚାହୁଁଛନ୍ତି, ତେବେ ତାଙ୍କୁ ୫୦ ପ୍ରତିଶତ କୋଟାରେ ଅନ୍ତର୍ଭୁକ୍ତ କରାଯାଇପାରିବ । ଅର୍ଥାତ୍ ଅନୁଷ୍ଠାନ ଏହାର ୫୦ ପ୍ରତିଶତ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକତା ଦେଇଥାଏ। କିନ୍ତୁ ସଂଖ୍ୟାଲଘୁ ମାନ୍ୟତା ଅଭାବରୁ ବିଶେଷ କରି ୫୦ ପ୍ରତିଶତ ସଂଖ୍ୟାଲଘୁଙ୍କୁ ଆଡମିସନ୍ ଦିଆଯାଇପାରୁନାହିଁ।
ଶିକ୍ଷକ ନିଯୁକ୍ତି ଓ ଶିକ୍ଷାଦାନରେ ଅନୁଷ୍ଠାନକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଅର୍ଥାତ୍ ୟୁଜିସିର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପଡ଼ିବ। ଅର୍ଥାତ୍ ଯେ କୌଣସି ଛାତ୍ର ନାମଲେଖା କରିପାରିବେ ଏବଂ ଯେ କୌଣସି ଶିକ୍ଷକ ଚାକିରି ପାଇଁ ଆବେଦନ କରିପାରିବେ। ତେଣିକି ସେ ଯେ କୌଣସି ଧର୍ମର ହୁଅନ୍ତୁ ନା କାହିଁକି।
ସରକାର କହୁଛନ୍ତି ଯେ ଯଦି କୌଣସି ଘରୋଇ ଅନୁଷ୍ଠାନ ନିଜ ଅର୍ଥରେ ଚାଲୁଛି ତେବେ ସେ ନିଜର ନିୟମ କୁ କାର୍ଯ୍ୟକାରୀ କରିପାରିବେ, କିନ୍ତୁ ସରକାରୀ ସହାୟତା ପାଇଥିବା ଅନୁଷ୍ଠାନ ମାନେ ନିଜେ ଏଭଳି ସ୍ଥିତି କୁ କାର୍ଯ୍ୟକାରୀ କରିପାରିବେ ନାହିଁ। ଅର୍ଥାତ ସରକାରୀ ସହାୟତା ପାଉଥିବା ଅନୁଷ୍ଠାନ ସରକାରୀ ନିୟମ ଅନୁସାରେ ପରିଚାଳିତ ହେବେ।
ତେବେ ଏଇଠି ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ, ୧୯୬୭ରେ ସୁପ୍ରିମକୋର୍ଟ ଅଲ୍ଲିଗଡ଼ ବିଶ୍ୱବିଦ୍ୟାଳୟକୁ ନେଇ କଣ ରାୟ ଦେଇଥିଲେ। ଆସନ୍ତୁ ଇତିହାସର ପୃଷ୍ଠା ଓଲଟାଇ ଜାଣିବା କଣ ଥିଲା ପୁରା ମାମଲା।
1967ରେ ସୁପ୍ରିମକୋର୍ଟ କଣ ରାୟ ଦେଇଥିଲେ
୫୭ ବର୍ଷ ପୂର୍ବେ ୧୯୬୭ମସିହାରେ ଏସ୍ ଅଜିଜ୍ ବାଶା ବନାମ ଭାରତ ସରକାର ମାମଲାରେ ସୁପ୍ରିମ୍ କୋର୍ଟ ଅଲ୍ଲିଗଡ଼ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ଅନୁଷ୍ଠାନର ମାନ୍ୟତା ଦେବାକୁ ମନା କରିଦେଇଥିଲେ। ୫୭ ବର୍ଷ ପରେ ଏବେ ସୁପ୍ରିମକୋର୍ଟ ନିଜ ରାୟକୁ ନିଜେ ରଦ୍ଦ କରିଛନ୍ତି। ୧୯୬୭ରୁ ୨୦୨୪ ଭିତରେ ସଂଖ୍ୟାଲଘୁ ମାନ୍ୟତାକୁ ନେଇ ଅନେକ କିଛି ଘଟିଛି। ଯେମିତିକି ୨୦୦୫ମସିହାରେ ଏଏମୟୁ ନିଜକୁ ଏକ ସଂଖ୍ୟାଲଘୁ ଅନୁଷ୍ଠାନ ଭାବେ ବିବେଚନା କରି ମୁସଲମାନ ଛାତ୍ରଛାତ୍ରୀଙ୍କ ପାଇଁ ଡାକ୍ତରୀ ପିଜି ପାଠ୍ୟକ୍ରମରେ ୫୦ ପ୍ରତିଶତ ସିଟ୍ ସଂରକ୍ଷଣ କରିଥିଲା। ଏହା ବିରୋଧରେ ହିନ୍ଦୁ ଛାତ୍ରମାନେ ଆହ୍ଲାବାଦ ହାଇକୋର୍ଟରେ ପହଞ୍ଚିଥିଲେ। ୨୦୦୬ ମସିହାର ରାୟରେ ହାଇକୋର୍ଟ ଏଏମୟୁକୁ ସଂଖ୍ୟାଲଘୁ ଅନୁଷ୍ଠାନ ଭାବେ ବିବେଚନା କରିନଥିଲେ। ଏହି ନିଷ୍ପତ୍ତି ପରେ ଏଏମୟୁ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଏବଂ ୨୦୧୯ରେ ଏହି ମାମଲାକୁ ୭ ଜଣବିଚାରପତିଙ୍କୁ ନେଇ ଗଠିତ ସାମ୍ବିଧାନିକ ଖଣ୍ଡପୀଠକୁ ପଠାଯାଇଥିଲା।
ଏବେ ଖଣ୍ଡପୀଠ ଏଏମୟୁର ସଂଖ୍ୟାଲଘୁ ଅନୁଷ୍ଠାନ ମାନ୍ୟତା ବଜାୟ ରହିବ ବୋଲି ରାୟ ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ୫୭ ବର୍ଷ ତଳେ ଦିଆଯାଇଥିବା ନିଜ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ନିଜେ ରଦ୍ଦ କରିଛନ୍ତି। ତେବେ ୨୦୦୬ ଆହ୍ଲାବାଦ ହାଇକୋର୍ଟଙ୍କ ରାୟର ବୈଧତା ନିର୍ଦ୍ଧାରଣ ପାଇଁ ଏକ ନୂତନ ଖଣ୍ଡପୀଠ ଗଠନ ପାଇଁ ମାମଲାର ନ୍ୟାୟିକ ରେକର୍ଡକୁ ପ୍ରଧାନ ବିଚାରପତିଙ୍କ ନିକଟରେ ଉପସ୍ଥାପନ କରାଯିବା ଉଚିତ ବୋଲି ସୁପ୍ରିମ୍ କୋର୍ଟ ୪:୩ ସଂଖ୍ୟାଗରିଷ୍ଠତାରେ କହିଛନ୍ତି। ଜାଣନ୍ତୁ କ’ଣ ଥିଲା ସେହି ୫୭ ବର୍ଷର ନିଷ୍ପତ୍ତି।
କେମିତି ଆରମ୍ଭ ହେଲା ପୂରା ବିବାଦ ?
ପ୍ରତିଷ୍ଠାତା ସାର୍ ସୟଦ ଅହମ୍ମଦ ଖାନ୍ ଭାରତରେ ଅକ୍ସଫୋର୍ଡ ଓ କେମ୍ବ୍ରିଜ୍ ଭଳି ବିଶ୍ୱବିଦ୍ୟାଳୟ ନିର୍ମାଣ କରିବାର ସ୍ୱପ୍ନ ଦେଖିଥିଲେ ଏବଂ ଏହା ଆଲିଗଡ଼ ମୁସଲିମ୍ ବିଶ୍ୱବିଦ୍ୟାଳୟ (ଏଏମ୍ୟୁ)ର ପ୍ରତିଷ୍ଠା ପାଇଁ ପଥ ପ୍ରଶସ୍ତ କରିଥିଲା। ସେତେବେଳେ ବିଶ୍ୱବିଦ୍ୟାଳୟ ନିର୍ମାଣ ପାଇଁ ଅନୁମତି ନ ମିଳିବାରୁ ୧୮୭୩ ମସିହା ଫେବ୍ରୁଆରି ୯ ତାରିଖରେ ଏକ କମିଟି ଗଠନ କରାଯାଇଥିଲା, ଯେଉଁଥିରେ ଏକ ମଦ୍ରାସା ନିର୍ମାଣ ପାଇଁ ଘୋଷଣା କରାଯାଇଥିଲା ଏବଂ ଆଲିଗଡ଼ରେ ମଦ୍ରାସାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।
ଅବସର ପରେ ସାର୍ ସୟଦ ଅହମ୍ମଦ ଖାଁ ମଦ୍ରାସାତୁଲ ଉଲୁମକୁ ମହମ୍ମଦନ୍ ଆଙ୍ଗ୍ଲୋ-ଓରିଏଣ୍ଟାଲ କଲେଜରେ ପରିଣତ କରିଥିଲେ ଏବଂ ସେଠାରେ ଇଂରାଜୀ ପଢ଼ାଇବା ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ ସେ ଦାନ ମାଧ୍ୟମରେ ପାଣ୍ଠି ସଂଗ୍ରହ କରିଥିଲେ ଏବଂ ୧୯୨୦ ମସିହାରେ ଏହି ମହାବିଦ୍ୟାଳୟକୁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପରିଣତ କରାଯାଇଥିଲା ।
ଏବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହେଲା ବିବାଦ । ୧୯୫୧ମସିହାରେ ମୁସଲମାନ ଛାତ୍ରଛାତ୍ରୀଙ୍କୁ ଧାର୍ମିକ ଶିକ୍ଷାଉଚ୍ଛେଦ କରିବା ସହ ଏଏମୟୁ ଆଇନର ଧାରା ୮ ଓ ୯କୁ ଉଚ୍ଛେଦ କରାଯାଇଥିଲା। ଏଭଳି ଭାବେ ସବୁ ଧର୍ମର ଲୋକଙ୍କ ପାଇଁ ବିଶ୍ୱବିଦ୍ୟାଳୟର ଦ୍ୱାର ଖୋଲାଯାଇଥିଲା ।
ଏଏମୟୁ ଅଧିନିୟମ, ୧୯୨୦ର ଧାରା ୨୩ରେ ମଧ୍ୟ ସଂଶୋଧନ କରାଯାଇଥିଲା, ଯାହା ପରେ ବିଶ୍ୱବିଦ୍ୟାଳୟ ମାନବ ବିକାଶ ସମ୍ବଳ ମନ୍ତ୍ରଣାଳୟ ଅଧୀନରେ ଅନ୍ୟ ଏକ ବିଶ୍ୱବିଦ୍ୟାଳୟ ଭାବରେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ୧୯୬୭ମସିହାରେ ସୁପ୍ରିମକୋର୍ଟର ୫ ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ମାମଲା ପହଞ୍ଚିଥିଲା ଯେ ଏହାର ସଂଖ୍ୟାଲଘୁ ମାନ୍ୟତା ବଜାୟ ରହିବ କି ନାହିଁ।
୫୭ ବର୍ଷ ତଳେ ବିଶ୍ୱବିଦ୍ୟାଳୟ ଓ ସୁପ୍ରିମ୍ କୋର୍ଟଙ୍କ ଯୁକ୍ତି କ‘ଣ ଥିଲା?
୧୯୬୭ମସିହାରେ ଶୁଣାଣି ସମୟରେ ବିଶ୍ୱବିଦ୍ୟାଳୟର ଯୁକ୍ତି ଥିଲା ଯେ ସାର୍ ସୟଦ ଏହି ଅନୁଷ୍ଠାନ ନିର୍ମାଣ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ। ସଂଖ୍ୟାଲଘୁଙ୍କ ହିତ ପାଇଁ ସଂଖ୍ୟାଲଘୁଙ୍କ ପ୍ରୟାସ ଯୋଗୁଁ ଏହା ଆରମ୍ଭ ହୋଇଥିଲା । ତେଣୁ ଏହାକୁ ସଂଖ୍ୟାଲଘୁ ଅନୁଷ୍ଠାନର ମାନ୍ୟତା ଦିଆଯିବା ଦରକାର।
ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ କହିଥିଲେ ଯେ ସାର୍ ସୟଦ ଏବଂ ତାଙ୍କ କମିଟି ବ୍ରିଟିଶ ସରକାରଙ୍କ ନିକଟକୁ ଯାଇଛନ୍ତି। ବ୍ରିଟିଶ ସରକାର ଏକ ଆଇନ ପ୍ରଣୟନ କରି ଏହି ବିଶ୍ୱବିଦ୍ୟାଳୟକୁ ସ୍ୱୀକୃତି ଦେଇଥିଲେ, ତେଣୁ ଏହା ମୁସଲମାନମାନଙ୍କ ଦ୍ୱାରା ସୃଷ୍ଟି ହୋଇନଥିଲା କିମ୍ବା ସେମାନଙ୍କ ଦ୍ୱାରା ଆରମ୍ଭ ହୋଇନଥିଲା । ତେଣୁ ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟକୁ ସଂଖ୍ୟାଲଘୁ ମାନ୍ୟତା ଦିଆଯାଇପାରିବ ନାହିଁ।
ଆଇନରେ ପରିବର୍ତ୍ତନ କରି ସଂଖ୍ୟାଲଘୁ ମାନ୍ୟତା ପ୍ରଦାନ
ସୁପ୍ରିମ୍ କୋର୍ଟଙ୍କ ରାୟର ୧୩ ବର୍ଷ ପରେ ୧୯୮୧ମସିହାରେ କେନ୍ଦ୍ର ସରକାର ଏଏମୟୁ ଆଇନର ଧାରା ୨(୧)ରେ ସଂଶୋଧନ କରି ଏହାକୁ ସଂଖ୍ୟାଲଘୁ ମାନ୍ୟତା ଦେଇଥିଲେ।
ଏବେ କ‘ଣ ରହିଛି ସୁପ୍ରିମକୋର୍ଟଙ୍କ ଯୁକ୍ତି?
ଶୁକ୍ରବାର ଦିନ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ ଯେ କୌଣସି ଅନୁଷ୍ଠାନ କେବଳ ଏକ ଆଇନ ଦ୍ୱାରା ସୃଷ୍ଟି ହୋଇଥିବାରୁ ଏହାର ସଂଖ୍ୟାଲଘୁ ମାନ୍ୟତା ହରାଇବ ନାହିଁ। ବିଶ୍ୱବିଦ୍ୟାଳୟ କିଏ ପ୍ରତିଷ୍ଠା କରିଛି ଏବଂ ଏହା ପଛରେ କ’ଣ ଉଦ୍ଦେଶ୍ୟ ଥିଲା ତାହାର ତଦନ୍ତ କରିବା ଉଚିତ ବୋଲି ଅଧିକାଂଶ ମତ ଦେଇଛନ୍ତି। ଯଦି ସେହି ଅନୁସନ୍ଧାନ ସଂଖ୍ୟାଲଘୁ ସମ୍ପ୍ରଦାୟକୁ ସୂଚାଉଛି, ତେବେ ଅନୁଷ୍ଠାନ ଧାରା ୩୦ ଅନୁଯାୟୀ ସଂଖ୍ୟାଲଘୁ ମାନ୍ୟତା ଦାବି କରିପାରିବ। ଏହି ତଥ୍ୟଗତ ଆକଳନ ପାଇଁ ସାମ୍ବିଧାନିକ ଖଣ୍ଡପୀଠ ମାମଲାକୁ ନିୟମିତ ଖଣ୍ଡପୀଠକୁ ପଠାଇ ଦେଇଛନ୍ତି।
ବର୍ତ୍ତମାନ ଏଏମୟୁର ସ୍ଥିତି କ‘ଣ?
ଏଏମୟୁ ବର୍ତ୍ତମାନ ପାଇଁ ଏହାର ସଂଖ୍ୟାଲଘୁ ମାନ୍ୟତା ବଜାୟ ରଖିବ । ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ଅଜିଜ୍ ବାଶାଙ୍କ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ରଦ୍ଦ କରିଛନ୍ତି। ସୁପ୍ରିମକୋର୍ଟର ୭ ଜଣିଆ ସାମ୍ବିଧାନିକ ଖଣ୍ଡପୀଠରେ ୪-୩ଟି ରାୟରେ ସ୍ଥିତାବସ୍ଥା ବଜାୟ ରଖାଯାଇଛି, ସଂଖ୍ୟାଲଘୁ ମାନ୍ୟତା ରହିବ କି ନାହିଁ ତାହା ସ୍ଥିର ହୋଇନାହିଁ। ସାମ୍ବିଧାନିକ ଖଣ୍ଡପୀଠର ସଂଖ୍ୟାଗରିଷ୍ଠନିଷ୍ପତ୍ତିରେ ସଂଖ୍ୟାଲଘୁ ମାନ୍ୟତା, ସର୍ତ୍ତାବଳୀ ନିର୍ଦ୍ଧାରଣ ପାଇଁ ୩ ଜଣବିଚାରପତିଙ୍କୁ ନେଇ ଏକ ନୂତନ ଖଣ୍ଡପୀଠ ଗଠନ କରିବାକୁ କୁହାଯାଇଛି, ଯାହା କି ପରବର୍ତ୍ତୀ ସମୟରେ ପ୍ରଧାନ ବିଚାରପତିଙ୍କ ଦ୍ୱାରା ସ୍ଥିର କରାଯିବ।
Previous article : https://purvapaksa.com/credit-card-warning-signs/
