ଏବେ ଓଡ଼ିଶା ସରକାର ଓ ଭାରତୀୟ ଜନତା ପାର୍ଟି ପାଖରେ ଗୋଟିଏ ଏଜେଣ୍ଡା। ଆଉ ସେ ଏଜେଣ୍ଡା ହେଲା ପ୍ରଚାର, ପ୍ରସାର। ଅର୍ଥାତ୍ ବାଇଦ ପିଟା ଅଭିଯାନ। ସବୁ ବିବାଦକୁ ପଛରେ ପକାଇ ସମସ୍ତଙ୍କୁ ଏହି ଏଜେଣ୍ଡା ପଛରେ ଲାଗିଯିବାକୁ ନିର୍ଦ୍ଦେଶ ବି ଦିଆଯାଇଛି। ଗତକାଲି ଏନେଇ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଏକ ବୈଠକ ବସିଥିଲା। ଏଥିରେ ମୋଦୀ ସରକାରଙ୍କ ୧୧ ବର୍ଷ ପୂର୍ତ୍ତ ଏବଂ ଓଡ଼ିଶାରେ ମୋହନ ସରକାରଙ୍କ ୧ ବର୍ଷ ପୂର୍ତ୍ତିକୁ ନେଇ କିପରି ପ୍ରଚାର କରାଯିବ ସେ ବିଷୟ ଆଲୋଚନା ହୋଇଥିଲା। କିନ୍ତୁ ପ୍ରଶ୍ନ ହେଉଛି ମୋହନ ସରକାରରେ ସଫଳତା କ’ଣ? ଯେଉଁ ଯୋଜନା ଓ ଘୋଷଣା ସବୁ ମୋହନଙ୍କ ସରକାର କରିଛି ତାହା ସଫଳ ହୋଇଛି କି?
ପ୍ରଚାର ସର୍ବସ୍ୱ ସରକାର ବୋଲି ଆମେ କହୁନୁ। ଯେତେବେଳେ ଯିଏ ବି ବିରୋଧୀ ଦଳରେ ରହିଛି ସେ ଏହିପରି ଅଭିଯୋଗ ତତ୍କାଳୀନ ସରକାରଙ୍କ ବିରୋଧରେ କରି ଆସିଛି। ୨୦୧୦ରୁ ୨୦୧୪ ଯାଏ କ୍ଷମତାରେ ଥିବା ୟୁପିଏ ସରକାରକୁ ସମାଲୋଚନା କରିବାକୁ ଯାଇ ତତ୍କାଳୀନ ବିରୋଧୀ ଦଳ ବିଜେପି ଏହି ବିଜ୍ଞାପନ ଖର୍ଚ୍ଚ ବିଷୟ ଉଲ୍ଲେଖ କରିଥିଲା। ସେତେବେଳେ ସରକାର ୨୬୫୮ କୋଟି ଟଙ୍କା ବିଜ୍ଞାପନ ବାବଦରେ ଖର୍ଚ୍ଚ କରିଥିବା ନେଇ ଚର୍ଚ୍ଚା ହୋଇଥିଲା।
ଏହାପରେ ବିଜେପି ସରକାର ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ କେନ୍ଦ୍ରରେ କ୍ଷମତାସୀନ ହେଲେ। ୧୦ ବର୍ଷ ଶାସନ ପରେ ସୂଚନା ଅଧିକାର ଆଇନ ମାଧ୍ୟମରେ ମଗାଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ସରକାର ୨୦୧୪ ଜୁନରୁ ୨୦୧୮ ମାର୍ଚ୍ଚ ଶେଷ ଭିତରେ ୫ ହଜାର କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ଜବାବ ଦେଲେ। ଅର୍ଥାତ୍ ବିଜେପି ସରକାର ପ୍ରଥମ ପର୍ଯ୍ୟାୟରେ ମାସକୁ ୧୦୪ କୋଟି ଟଙ୍କା କେବଳ ବିଜ୍ଞାପନ ମାଧ୍ୟମରେ ଖର୍ଚ୍ଚ କରୁଥିଲା। ଏବେ ସେ ଖର୍ଚ୍ଚ କେତେ ଜାଣିଛନ୍ତି? ୨୦୨୪-୨୫ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍ ଅନୁସାରେ ଖର୍ଚ୍ଚ ପରିମାଣ ହେଉଛି ୧୫୦୫ କୋଟି। ଅର୍ଥାତ୍ ମାସକୁ ୧୨୫ କୋଟି ଟଙ୍କା ଗତବର୍ଷ ସରକାର କେବଳ ନିଜର ପ୍ରଚାର ପ୍ରସାର ପାଇଁ ବିଜ୍ଞାପନ ଆକାରରେ ଖର୍ଚ୍ଚ କରିଛନ୍ତି।
ଏହି ଲମ୍ବା ତାଲିକାରୁ ରାଜ୍ୟ ସରକାର ବାଦ୍ ପଡ଼ି ନାହାନ୍ତି। ରାଜ୍ୟରେ ନୂଆକରି ସରକାର ଗଢ଼ିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଧାନସଭାରେ ପୂର୍ବ ସରକାରକୁ ପ୍ରଚାର ଓ ପ୍ରସାରଧର୍ମୀ ସରକାର ବୋଲି ପରୋକ୍ଷରେ କହିଥିଲେ। ଏକ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଶ୍ରୀ ମାଝୀ କହିଥିଲେ ଯେ, ଜାନୁୟାରୀ ୨୦୨୩ରୁ ମେ’ ୨୦୨୪ ଭିତରେ ସରକାର ୩୩ କୋଟି ୭୧ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି।
ଅର୍ଥାତ୍ ପ୍ରତି ମାସରେ ରାଜ୍ୟ ତହବିଲରୁ ୨ କୋଟି ଟଙ୍କା ବିଭିନ୍ନ ପ୍ଲାଟଫର୍ମରେ ବିଜ୍ଞାପନ ପାଇଁ ଖର୍ଚ୍ଚ କରାଯାଉଥିଲା। ଖାଲି ସେତିକି ନୁହେଁ ମୋହନଙ୍କ ଏହି ଉତ୍ତର ପରେ ଗଣମାଧ୍ୟମରେ ପାଣ୍ଡିଆନ୍ଙ୍କ ପ୍ରଚାର ବାବଦରେ ଖର୍ଚ୍ଚ କଥା ପ୍ରସାରିତ ହେଲା। କୁହାଗଲା ଯେ ଏହି ସମୁଦାୟ ଖର୍ଚ୍ଚରୁ ପାଣ୍ଡିଆନ୍ଙ୍କ କାର୍ଯ୍ୟକ୍ରମ ପାଇଁ ସରକାର ୧୫ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ଅର୍ଥାତ୍ ମାସକୁ ୧ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କେବଳ ପାଣ୍ଡିଆନ୍ଙ୍କ ପାଇଁ ସରକାର ଖର୍ଚ୍ଚ କରୁଥିଲେ।
ପ୍ରଶ୍ନ ଉଠୁଛି ଏବେ କେତେ ହେଉଛି? ମୋହନ ସରକାର ଆସିବା ପରେ ଏହା କମିଛି କି? ଏ ବିଷୟରେ ତ କୌଣସି ତଥ୍ୟ ଏ ଯାଏ ପ୍ରକାଶିତ ହୋଇ ନାହିଁ। କିନ୍ତୁ ବଜେଟ୍ ବଣ୍ଟନକୁ ଦେଖିଲେ ସୂଚନା ଓ ଲୋକସମର୍କ ବିଭାଗ ଲାଗି ସରକାର ଦେଇଥିବା ୧୬୦କୋଟି ଟଙ୍କକାର ବଜେଟରେ ୮୬ କୋଟି ଟଙ୍କା ବିଭିନ୍ନ କାର୍ଯ୍ୟକ୍ରମ ଲାଗି ଆବଣ୍ଟିତ କରାଯାଇଛି। ଏଥିରେ ବିଜ୍ଞାପନ ବି ଅନ୍ତର୍ଭୁକ୍ତ। ପୁଣି ପର୍ଯ୍ୟଟନ ବିଭାଗ ଅନେକ ଅର୍ଥ ବିଜ୍ଞାପନ ଆକାରରେ ଖର୍ଚ୍ଚ କରିବାକୁ ନିଶ୍ଚିତତା କରିଥିବା ସୂଚନା ମିଳିଛି। ଏଣୁ ଏ ବାବଦରେ ଖର୍ଚ୍ଚ କେତେଗୁଣା ବଢ଼ିବ ତାହା ଆପଣମାନେ ବିଚାର କରନ୍ତୁ।
ଏବେ ଆସିବା ରାଜ୍ୟ ସରକାରଙ୍କ ସଫଳତାର କାହାଣୀକୁ। ଯାହାକୁ ନେଇ ପ୍ରଚାର ଓ ପ୍ରସାର ପାଇଁ ସରକାରୀ କଳ ଓ ଦଳ ପ୍ରସ୍ତୁତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ ଏଥିରେ ସରକାରଙ୍କ ଘୋଷଣା ଏବଂ ନିର୍ବାଚନ ପ୍ରତିଶ୍ରୁତିର କାର୍ଯ୍ୟକାରୀତାକୁ ଗୁରୁତ୍ୱ ଦିଆଯାଇଛି। ସେଥିରେ ସୁଭଦ୍ରା, ଓବିସିଙ୍କୁ କୋଟା, ଶ୍ରୀମନ୍ଦିର ପ୍ରସଙ୍ଗ, ରାସନ କାର୍ଡ, ସ୍ୱାସ୍ଥ୍ୟ କାର୍ଡ, ଆଇନ ଶୃଙ୍ଖଳା ପରିସ୍ଥିତି ଭଳି ବିଷୟ ସାମିଲ ହୋଇଛି। ମୁଁ ଏଠାରେ ଏ ବିଷୟକୁ ଆଉ ଟିକେ ବ୍ୟାଖା କରିବାକୁ ଚାହୁଁଛି।
ପ୍ରଥମେ ସୁଭଦ୍ରା ଯୋଜନା। ଏହି ଯୋଜନାରେ ସରକାର ମହିଳାମାନଙ୍କୁ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବାର ବ୍ୟବସ୍ଥା କରିଛନ୍ତି। ଏହା ମାଧ୍ୟମରେ ସରକାର ବିଜେଡିର ଏସ୍ଏଚ୍ଜି ଗଡ଼କୁ ଭାଙ୍ଗି ବିଜେପି ମହିଳାଙ୍କ ଭୋଟ୍ ଅକ୍ତିଆର ପାଇଁ ବ୍ୟବସ୍ଥା କରିଥିବା କୁହାଯାଏ। କିନ୍ତୁ ସରକାରୀଭାବେ ଏହା ଉଦ୍ଦେଶ୍ୟ ନୁହେଁ। ସରକାରୀ ଭାବେ ଏହାକୁ ମହିଳାଙ୍କ ସଶକ୍ତିକରଣର ଏକ ଅଙ୍ଗଭାବେ ଗ୍ରହଣ କରାଯାଇ ତାଙ୍କୁ ସିଧାସଳଖ ଟଙ୍କା ସହାୟତା ପ୍ରଦାନ କରିବାର ଯୋଜନାଭାବେ ଗ୍ରହଣ କରାଯାଏ।
ସରକାରକୁ ଆସିବା ଦିନଠାରୁ ସମ୍ପୂର୍ଣ୍ଣ ସରକାରୀ କଳ ଏ ବ୍ୟବସ୍ଥା କରୁଥିଲେ ମଧ୍ୟ ଏଯାଏ ସମସ୍ତ ଯୋଗ୍ୟ ମହିଳାଙ୍କୁ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ପାରିନାହିଁ। ପୁଣି ସରକାରକୁ ଆସିବା ପୂର୍ବରୁ ବିଜେପି ମହିଳାଙ୍କୁ ପ୍ରତିବର୍ଷ ପ୍ରିପେଡ୍ କାର୍ଡ ମାଧ୍ୟମରେ ୫୦ ହଜାର ଟଙ୍କାର ସହାୟତା ଦେବ ବୋଲି କହିଥିଲା। ହେଲେ ତାହାକୁ ବହୁ ଚତୁରତାର ସହ ୫ ବର୍ଷକୁ ୫୦ ହଜାର ଟଙ୍କା ବୋଲି ସମ୍ପ୍ରସାରିତ କରାଯାଇଛି।
ସେହିପରି ଦୁଇଟି ସିଧାସଳଖ ଜନସାଧାରଣଙ୍କୁ ଫାଇଦା ପହଞ୍ଚାଇବାର ଯୋଜନା ହେଉଛି ସ୍ୱାସ୍ଥ୍ୟ ବୀମା କାର୍ଡ ଏବଂ ରାସନ୍ କାର୍ଡ। ଏ ଦୁଇ କାର୍ଡ ବଣ୍ଟନରେ ଏତେ ଅବ୍ୟବସ୍ଥା ଯେ, ଯେଉଁ ଦୁର୍ଦ୍ଦଶା ଲୋକେ ଭୋଗୁଥିଲେ ତାହା ଜାରି ରହିଛି। ରାସନ୍ କାର୍ଡ ବଣ୍ଟନ ଏ ଯାଏ ଠିକଣାଭାବେ ହୋଇପାରିନାହିଁ। ଭୂତ କାର୍ଡକୁ ଠାବ କରିବା ଲାଗି ରାଜ୍ୟ ସରକାର ଇ-କେଓ୍ୱାଇସି ଭଳି ନାଟକ ରଚିଥିଲେ ବି ତାହା କେବଳ ମିଡିଆ ପ୍ରଚାରରେ ହିଁ ସୀମିତ ରହିଛି। ଅର୍ଥାତ୍ ନା ଭୂତ ଖାଉଟିଙ୍କୁ ଧରାଯାଇପାରିଛି ନା ନୂଆ ଯୋଗ୍ୟଙ୍କୁ ସଂଯୋଗ କରାଯାଇଛି।
ଅନ୍ୟ ଏକ କାର୍ଡ ଯୋଜନା ହେଉଛି ସ୍ୱାସ୍ଥ୍ୟବୀମା କାର୍ଡ। ଗତ ସରକାରରେ ଦଳୀୟ ନାମରେ ଚତୁରତାର ସହ ଲୋକଙ୍କୁ ସରକାରଙ୍କ ଚିକିତ୍ସା ସେବା କାର୍ଡ ପ୍ରଦାନ କରାଯାଇଥିଲା। ବିଜେପି ସରକାରକୁ ଆସିବା ପରେ ଏହାକୁ ଉଚ୍ଛେଦ କରି କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କାର୍ଡ ଲାଗୁ କରାଇଲା। ଏ ଭିତରେ ସରକାରଙ୍କୁ ୧ ବର୍ଷ ପୂରିଲାଣି ହେଲେ ଲୋକଙ୍କ ପାଖରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଅନ୍ତ ହୋଇପାରୁ ନାହିଁ। ଆଜି ବି ଆୟୁଷ୍ମାନ କାର୍ଡ ନେଇ କ୍ତରଖାନାରେ ହଇରାଣ ହେଉଥିବା ଖବର ମିଡିଆରେ ଚର୍ଚ୍ଚା ହେଉଛି। ଖାଲି ସେତିକି ନୁହେଁ ଆୟୁଷ୍ମାନ କାର୍ଡ ପାଇବା ପାଇଁ ବି ଜନ ସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଣୁ ସେମାନେ ପୁରୁଣା ବିଜୁ ସ୍ୱାସ୍ଥ୍ୟକାର୍ଡ ଧରି ଡାକ୍ତରଖାନା ଆସୁଛନ୍ତି, ଚିକିତ୍ସା ସେବା ପାଉଛନ୍ତି।
ଆଉ ଏକ ସମ୍ବେଦନଶୀଳ ପ୍ରସଙ୍ଗ ଯାହା ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ସହ ଜଡ଼ିତ, ତାହା ହେଲେ ଶ୍ରୀମନ୍ଦିରରେ ଶୃଙ୍ଖଳିତ ଦର୍ଶନ। ରତ୍ନ ଭଣ୍ଡାର ଗଣତି ଭଣତି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସମ୍ପ୍ରସାରଣ। ଏହି ପ୍ରସଙ୍ଗ ନିର୍ବାଚନ ସମୟରେ ବିଜେପିର ମୁଖ୍ୟ ସ୍ଲୋଗାନ ହୋଇଥିଲା। ଶାସନକୁ ଆସିବା ପରେ ମଧ୍ୟ ଅନେକ କାର୍ଯ୍ୟକ୍ରମ ହେଲା। ବାରମ୍ବାର ମନ୍ତ୍ରୀଙ୍କୁ ଗଣମାଧ୍ୟମରେ ଦେଖିବାକୁ ମିଳିଲା। ଜାତୀୟ ଆନ୍ତର୍ଜାତିକ ମିଡିଆରେ ଆଲେଚନା ହେଲା। ରତ୍ନ ଭଣ୍ଡାର ଖୋଲିଲା। କିନ୍ତୁ ଆଜି ଯାଏ ଗଣତି ହୋଇପାରିଲା ନାହିଁ କି ରତ୍ନ ଭଣ୍ଡାରର ମରାମତି ସରିଲା ନାହିଁ। ଗୋଟିଏ ରଥଯାତ୍ରାରୁ ଆଉ ଏକ ରଥଯାତ୍ରା ଆସିଲାଣି ଏ ବିଷୟରେ କେବେ ପୂର୍ଣ୍ଣଛେଦ ପଡ଼ିବ ତାହା କେବଳ ଶ୍ରୀ ଜଗନ୍ନାଥଙ୍କୁ ହିଁ ଜଣା।
ଶ୍ରୀମନ୍ଦିର ସୁରକ୍ଷା ନେଇ ସରକାର ଆଦୌ ଯତ୍ନବାନ ନାହାନ୍ତି। ଏହା ହୋଇଥିଲେ ବାରମ୍ବାର ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ିବା ଏବଂ ବେଆଇନଭାବେ ଅଣ ହିନ୍ଦୁ ପ୍ରବେଶ କରିବା ପ୍ରସଙ୍ଗ ସାମ୍ନାକୁ ଆସି ନ ଥାଆନ୍ତା। ପୁଣି ଶୃଙ୍ଖଳିତ ଦର୍ଶନ ଲାଗି ପ୍ରତିବଦ୍ଧ ଥିବା ରାଜ୍ୟ ସରକାର ନିଜର ପ୍ରତିଶ୍ରୁତିକୁ ଭୁଲିଯାଇଥିବା ପରି ମନେହେଉଛି। ଶ୍ରୀମନ୍ଦିର ଚାରିକଡ଼ରେ ଥିବା ମଠ ମନ୍ଦିରର ପୁନରୁଦ୍ଧାର ଲାଗି କହିଥିବା ବିଜେପି ଏବେ ଚୁପ୍ ରହିଛି।
ପୁରୀ କଥା ପରେ ରାଜ୍ୟରେ ଅନୁପ୍ରବେଶ ଓ ଆଭ୍ୟନ୍ତରୀଣ ସୁରକ୍ଷା କଥା ଆଲୋଚନା କରିବା। ଏ ବିଭାଗ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଛି। ଅର୍ଥାତ୍ ଗୃହମନ୍ତ୍ରୀ ଭାବେ ରାଜ୍ୟରେ ପଶୁଥିବା ବେଆଇନ ବାଂଲାଦେଶୀଙ୍କ ପାଇଁ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ସେ ଚୁପ୍ ହୋଇ ବସୁଛନ୍ତି। ଏହି ଯୋଗୁ କେବଳ କେନ୍ଦ୍ରାପଡ଼ା, ବାଲେଶ୍ୱର କି ଭଦ୍ରକ ନୁହେଁ, ଭୁବନେଶ୍ୱରରରେ ମଧ୍ୟ ବେଆଇନ ବାଂଲାଦେଶୀଙ୍କ ସଂଖ୍ୟା ବଢ଼ି ଚାଲିଛି। ଏପରିକି ଭୁବନେଶ୍ୱର ମେୟର ସେମାନଙ୍କ ପ୍ରତି ସହାୟକ ହୋଇ ମତ ଦେଉଥିବାବେଳେ ବିଜେପି ସରକାର ଚୁପ୍ ବସିଛି।
ରାଜ୍ୟର ଆଇନ ଶୃଙ୍ଖଳା କଥା ପଡ଼ିବାବେଳେ ଏହା କେତେ ତଳକୁ ଖସିଛି ତାହା ବି ଦର୍ଶାଇବାକୁ ହେବ। ଖଣି ମାଫିଆଙ୍କୁ ସାବାଡ଼ କରିବା ବଦଳରେ ଖଣି ମାଫିଆ ବାରମ୍ବାର ସରକାରୀ ଅଧିକାରୀଙ୍କୁ ମାଡ଼ ମାରୁଛନ୍ତି। ଏପରିକି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ମୟୂରଭଞ୍ଜରେ ଏପରି ଘଟଣା ନିକଟରେ ଆଲୋଡ଼ନ ସୃଷ୍ଟି କରିଛି। ଖାଲି ସେତିକି ନୁହେଁ ଏ ରାଜ୍ୟରେ ବେଆଇନଭାବେ ବିସ୍ଫୋରକ ଚାଲାଣ ଏବଂ ଏହାକୁ ମାଓବାଦୀମାନେ ଲୁଟିନେବା ଘଟଣା ରାଜ୍ୟର ହୁଗୁଳା ସୁରକ୍ଷା ବ୍ୟବସ୍ଥାକୁ ବୟାନ କରୁଛି। ମେ’ ୨୭ରୁ ଜୁନ୍ ୩ ତାରିଖ ଭିତରେ ମାଓବାଦୀ ଲୁଟି ନେଇଥିବା ବିସ୍ଫୋରଣକୁ ଫେରାଇ ଆଣିବାରେ ଓଡ଼ିଶା ପୁଲିସ ସମର୍ଥ ନ ହେବା ଏହାର ପାରିଲା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଓଡ଼ିଆ ଅସ୍ମିତା ଦ୍ୱାହି ଦେଇ ବିଜେପି ୨୪ ବର୍ଷର ବିଜଦ ସରକାରକୁ ହରାଇ କ୍ଷମତାକୁ ଆସିଥିଲା । ବିଜେପି କ୍ଷମତାକୁ ଆସିବାର ବର୍ଷ ପୂରଣ ଉତ୍ସବ ପାଇଁ ଏବେ ସଜବାଜ ଜୋରସୋରରେ ଚଳାଇଛି । କିନ୍ତୁ ସରକାର ଗଠନ ହେବାର ବର୍ଷକ ପରେ ଓଡ଼ିଆ ଅସ୍ମିତା ପାଣ୍ଠି ଏବେ କେଉଠି ଅଛି ଓ ତାହା କିପରି ପରିଚାଳିତ ହେଉଛି ତାକୁ ନେଇ ନାନା ପ୍ରଶ୍ନ ଉଠିବାରେ ଲାଗିଛି । ମୋହନ ମାଝୀଙ୍କ ସରକାର ୨୦୨୪ ଜୁନ୍ ୧୨ତାରିଖରେ କ୍ଷମତାକୁ ଆସିବାର ମାତ୍ର ମାସକ ମଧ୍ୟରେ ଜୁଲାଇ ୧୦ତାରିଖରେ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଅସ୍ମିତା ପାଇଁ ୨୦୦କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ ନିମନ୍ତେ ନିଷ୍ପତ୍ତି ନେଇଥିଲେ। ଏହି ନିଷ୍ପତ୍ତିର ୧୫ଦିନ ପରେ ବାର୍ଷିକ ବଜେଟରେ ମଧ୍ୟ ଅର୍ଥବରାଦ କରିଥିଲେ। କିନ୍ତୁ ବିଜେପିର ନିର୍ବାଚନ ଜିତିବାର ଅମୋଘ ଅସ୍ତ୍ର ଓଡ଼ିଆ ଅସ୍ମିତା ନିମନ୍ତେ କ୍ୟାବିନେଟ୍ ୧୦ମାସ ପୂର୍ବରୁ ନେଇଥିବା ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ନିମନ୍ତେ ସରକାରୀ କଳ ଦାୟିତ୍ୱରେ ଥିବା ବିଜଦ ମାର୍କ ଅଫିସରମାନେ ଏବେ ବାଧକ ସାଜିଥିବା ଆଲୋଚନା ହେଉଛି। ବର୍ଷେ ଭିତରେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗରେ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ପାରିନାହିଁ ତାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ଓଡ଼ିଆ ଅସ୍ମିତା ପାଇଁ କର୍ପସ ପାଣ୍ଠି ପାଇଁ ଜୁଲାଇ ୧୦ରେ କ୍ୟାବିନେଟ୍ ନିଷ୍ପତ୍ତି ଓ ଜୁଲାଇ ୨୫ରେ ବିଧାନସଭାରେ ଉପସ୍ଥାପିତ ୨୦୨୪-୨୫ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟରେ ୨୦୦କୋଟି ଟଙ୍କାର ଅର୍ଥ ବ୍ୟୟବରାଦ ହୋଇଥିଲା। ଏହି ଅର୍ଥକୁ ବିଭାଗୀୟ ଅଧିକାରୀମାନେ ପ୍ରାୟ ୧୦ମାସ ପକାଇ ରଖିବା ପରେ ଗତ ବୁଧବାର ସେମାନଙ୍କର ନିଜ ଭାଙ୍ଗିଛି। ଏଥିପାଇଁ ବିଭାଗ ପକ୍ଷରୁ ଏକ ପର୍ସନାଲ ଲେଜର(ପିଏଲ) ଆକାଉଣ୍ଟ ଖୋଲିବା ସହ ଏହି ପାଣ୍ଠି ପରିଚାଳନା ଓ ଉପଯୋଗ ନିମନ୍ତେ ଏକ କମିଟି ଗଠନ କରିଛନ୍ତି। ଏହି କର୍ପସ ପାଣ୍ଠି ଗଠନ ନିମନ୍ତେ ୨୦୦କୋଟି ଟଙ୍କାର ଅର୍ଥ ବରାଦ ସତ୍ତ୍ୱେ ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ କାହିଁକି ୧୦ମାସ ଚୁପ୍ ବସିଥିଲା ତାକୁ ନେଇ ପ୍ରଶ୍ନ ଉଠିଛି।
ବିଜେପି ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଏବେ ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଛ। ମୋହନ ସରକାର କ୍ଷମତାକୁ ଆସିବା ପରେ ଏହି ଯୋଜନାରେ ୫ହଜାର କୋଟି ଟଙ୍କାର ବ୍ୟୟବରାଦ କରିବା ସହ ପ୍ରାୟ ୩୫ ପ୍ରତିଶତ ଅର୍ଥକୁ ଗ୍ରାମାଞ୍ଚଳରେ ସଡ଼କ ଭିତ୍ତିଭୂମି ନିର୍ମାଣ ଓ ଉନ୍ନତି ପାଇଁ ଖର୍ଚ୍ଚ କରିବାକୁ ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ କେତେ ରାଜସ୍ୱ ଗାଁ ଓ ପଡ଼ାକୁ ଏବେସୁଦ୍ଧା ସବୁଦିନିଆ ରାସ୍ତା ନାହିଁ ତଥା ସେଠାର ବାସିନ୍ଦାମାନେ ଯୋଗାଯୋଗର ସୁବିଧାରୁ ବଞ୍ଚିତ ଅଛନ୍ତି ସେ ସମ୍ପର୍କରେ ନିର୍ଦ୍ଧାରିତ ଫର୍ମାଟରେ ତଥ୍ୟ ଅଫିସରମାନେ ଦେଉନାହାନ୍ତି ।
ଯଦି ଏମିତି ସଫଳତାକୁ ନେଇ ସରକାର ପ୍ରଚାର ପ୍ରସାର କରିବେ ତେବେ ତାହା କେବଳ ସରକାରଙ୍କ ଅପରାଗତାକୁ ଲୁଚାଇବା ଓ ରାଜ୍ୟବାସୀଙ୍କୁ ଭୁଆଁ ବୁଲାଇବା ଛଡ଼ା ଆଉ କିଛି ହୋଇନପାରେ।
Also readhttps://purvapaksa.com/paddy-fields-are-disappearing-japans-rice-farming-in-crisis/