ଆଗାମୀ ପିଙ୍କ ବଲ୍ ଟେଷ୍ଟରେ ଭାରତ ଏକାଦଶ ପରିବର୍ତ୍ତନ କରିବା ନିଶ୍ଚିତ । ଅଧିନାୟକ ରୋହିତ ଶର୍ମା ଓ ଫିଟ୍ ହୋଇସାରିଥିବା ଶୁଭମନ ଗିଲ୍ ଖେଳିବେ ଦ୍ୱିତୀୟ ଟେଷ୍ଟ । ଏମାନଙ୍କ ବ୍ୟତୀତ ଆଉ ଜଣେ ଖେଳାଳିଙ୍କୁ ପରିବର୍ତ୍ତନ କରିବାକୁ ଯୋଜନା ହେଉଥିବା ଗଣମାଧ୍ୟମରେ ଚର୍ଚ୍ଚା ହେଉଛି । ସେ ହେଉଛନ୍ତି ସ୍ପିନ୍ ବୋଲିଂ ଅଲରାଉଣ୍ଡର ୱାସିଂଟନ ସୁନ୍ଦର । ପ୍ରଥମ ଟେଷ୍ଟ ଖେଳିଥିବା ସୁନ୍ଦରଙ୍କୁ ବିଶ୍ରାମ ଦେଇ ରବିନ୍ଦ୍ର ଜାଡ଼େଜା କିମ୍ବା ରବି ଚନ୍ଦ୍ରନ ଅଶ୍ୱିନଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶକୁ ଫେରାଇ ଆଣିବାକୁ କିଛି ପୂର୍ବତନ ଖେଳାଳି ମତ ଦେଇଛନ୍ତି ।
ଭାରତ ବୋଲିଂ ବିଭାଗ ପରିବର୍ତ୍ତନ କରିବା ଲକ୍ଷ୍ୟରେ ନାହିଁ । ଅଷ୍ଟ୍ରେଲିଆ ଦଳରେ ୪ଜଣ ବାମ ହାତି ବ୍ୟାଟର ରହିଥିବାରୁ ଜଣେ ଡାହଣ ହାତି ଅଫସ୍ପିନର ଦଳରେ ରହିବା ଆବଶ୍ୟକ । ଭେଟେରାନ ରବି ଚନ୍ଦ୍ରନ ଅଶ୍ୱିନ ଡାହଣ ହାତି ସ୍ପିନର ହୋଇଥିଲେ ହେଁ ତାଙ୍କ ତୁଳନାରେ ସୁନ୍ଦରଙ୍କ ବ୍ୟାଟିଂ ଟେକନିକ୍ ଓ ଫୁଟୱାର୍କ ବେଶ୍ ଉନ୍ନତ । ତେଣୁ ତାଙ୍କୁ ବାଦ ଦେବା ସମ୍ଭାବନା ନାହିଁ ।
ନିକଟରେ ସୁନ୍ଦର ଭଲ ଫର୍ମ ଦେଖାଇଛନ୍ତି। ନଭେମ୍ବର ୩୦ ରେ କାନବେରାରେ ପ୍ରଧାନମନ୍ତ୍ରୀ ଏକାଦଶ ବିପକ୍ଷ ପିଙ୍କ୍ ବଲ୍ ଅଭ୍ୟାସ ମ୍ୟାଚରେ ସେ ୪୨ ରନ୍ କରି ଅପରାଜିତ ରହିବା ସହ ୩୮ ରନ୍ ବିନିମୟରେ ଗୋଟିଏ ୱିକେଟ୍ ନେଇଥିଲେ। ବିଶେଷ କରି ନ୍ୟୁଜିଲାଣ୍ଡ ବିପକ୍ଷରେ ପୁନେରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟରେ ସେ ୧୧୫ ରନ୍ ଦେଇ ୧୧ ୱିକେଟ୍ ନେଇଥିଲେ।
previous article: https://purvapaksa.com/new-zealand-and-england-were-both-docked-three-world-test-championship-wtc-points/