ବର୍ତ୍ତମାନ ସମଗ୍ର ଦେଶରେ ଯୁଦ୍ଧ ପରିସ୍ଥିତି। ଯୁଦ୍ଧର ଟିକିନିକି ଖବର ଶୁଣିବା ପାଇଁ ସମସ୍ତେ ବ୍ୟଗ୍ର। ଦେଶର ଏହି ଯୁଦ୍ଧ ପରିସ୍ଥିତିରେ ରାଜ୍ୟ ରାଜନୀତିର ଏକ ପ୍ରମୁଖ ଅଂଶ ଥିବା ବିଜୁ ଜନତା ଦଳରେ ନେତାମାନଙ୍କ ଭିତରେ ଏବେ ଯୁଦ୍ଧ ପ୍ରସ୍ତୁତି ଚାଲିଛି। ଦଳ ଭିତରେ ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟମାନଙ୍କୁ ଅନୁପ୍ରବେଶକାରୀ ନେତାମାନେ କୋଣଠେସା କରିଛନ୍ତି। ଏହାକୁ ବିରୋଧ କରି ନିଜର ସମ୍ମାନ ରକ୍ଷା କରିବା ପାଇଁ ବରିଷ୍ଠ ନେତାମାନେ ଅଣ୍ଟା ଭିଡ଼ିବା ସହିତ ନେତୃତ୍ୱ ବିରୋଧରେ ସମରସଜ୍ଜା ଆରମ୍ଭ କରିଛନ୍ତି।
ଦଳର ସଭାପତି ପଦ ପାଇବା ପରେ ନବୀନ ପଟ୍ଟନାୟକ ଯେଉଁ ପଦପଦବୀ ମୁଆଁ ବାଣ୍ଟିଛନ୍ତି, ସେଥିରେ ଦଳର ଅନେକ ପ୍ରତିଷ୍ଠାତା ସଭ୍ୟ ଓ ବରିଷ୍ଠ ନେତା ଏକପ୍ରକାର ଲଣ୍ଡା ହୋଇଯାଇଛନ୍ତି। ଏପରି ହୋଇଛି ଯେ ସେମାନେ ଦଳରେ ଥାଇ ନ ଥିଲା ଭଳି। ଏହି ନେତାମାନଙ୍କର ଏଭଳି ପକ୍ଷଛେଦନ ହୋଇଛି ଯେ ସେମାନେ ନା କହିପାରୁଛନ୍ତି ନା ସହିପାରୁଛନ୍ତି। ଏହି ନେତାମାନେ ଆଗକୁ କ’ଣ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର।
ଦଳରେ କୋଣଠେସା ହୋଇଥିବା ତାଲିକାରେ ଥିବା ନେତାମାନେ ହେଲେ ଦଳର ପ୍ରତିଷ୍ଠାତା ତଥା ବରିଷ୍ଠ ସଦସ୍ୟ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ବଦ୍ରିନରାୟଣ ପାତ୍ର, ଅତନୁ ସବ୍ୟସାଚୀ ନାୟକ ଓ ବର୍ତ୍ତମାନର ବିଧାୟକ ଡକ୍ଟର ଅରୁଣ କୁମାର ସାହୁ, ପ୍ରଫୁଲ ମଲ୍ଲିକ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରା ପ୍ରମୁଖ।
ତେବେ ବିଜେଡି ନିର୍ବାଚନ ହାରିବା ପରେ ଦୁଇ ପୂର୍ବତନ ମନ୍ତ୍ରୀ ଦେବୀ ମିଶ୍ର ଓ ଅତନୁ ସବ୍ୟସାଚୀ ନବୀନଙ୍କ ଶିବିରର ଖାସ ଲୋକ ହୋଇଥିଲେ। ଏମାନେ ବି ନବୀନ ନିବାସରେ ନିୟମିତ ହାଜିରା ମାରୁଥିଲେ। ନବୀନଙ୍କ ଆଗରେ ପଛରେ ଛିଡ଼ାହୋଇ ତାଙ୍କର ପାଖଲୋକ ବୋଲି ବାର୍ତ୍ତା ଦେଉଥିଲେ। ସଭ୍ୟ ସଂଗ୍ରହ ଦାୟିତ୍ୱ ବି ନବୀନ ଏମାନଙ୍କ ଉପରେ ଛାଡ଼ିଥିଲେ।
ଅରୁଣ ସାହୁ ଏମାନଙ୍କ ଭଳି ନ ହେଲେ ମଧ୍ୟ ନବୀନଙ୍କ ପାଖଲୋକ ହେବା ସହ ବିଧାନସଭାରେ ଶାସକ ଦଳକୁ ଶାଣିତ ଆକ୍ରମଣ କରୁଥିଲେ। ହେଲେ ଦଳର ସାଙ୍ଗଠନିକ ପରିବର୍ତ୍ତନରେ ଏହି ତିନିଜଣ ପୂରା ଲଣ୍ଡା। ତିନିଜଣଙ୍କୁ ଉପସଭାପତି ପଦ ମିଳିଛି। ଏହା କେବଳ ଔପଚାରିକତା। ଉପସଭାପତି ଦେବୀ ମିଶ୍ରଙ୍କୁ ମିଳିଛି ହେଡକ୍ୱାର୍ଟର ଅଫିସ ଦାୟିତ୍ଵ। ଅର୍ଥାତ୍ ଏହି ବରିଷ୍ଠ ନେତା ଶଙ୍ଖଭବନ ଜଗିବା ସହିତ ଗୁମାସ୍ତା କାମ କରିବେ। ତାଙ୍କୁ ସହାୟତା କରିବେ ଅନ୍ୟତମ ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ ଓ ପ୍ରତାପ ଜେନା। ଏମାନେ ସମସ୍ତେ ଅଫିସ ଦାୟିତ୍ୱରେ ଅର୍ଥାତ୍ ଏକ ପ୍ରକାରର ଗୁମାସ୍ତା କାମ।
ତେବେ ଅରୁଣଙ୍କ କଥା ଟିକେ ଅଲଗା। ସେ ସବୁବେଳେ ବିଜେପି ନେତାମାନଙ୍କ ଭଳି ଓବିସି କଥା କହୁଥିବାରୁ ଅଫିସ ଦାୟିତ୍ୱ ବଦଳରେ ତାଙ୍କୁ ଓବିସି ସେଲ ଦାୟିତ୍ୱ ମିଳିଛି। ବିଜେତିର ପଛୁଆବର୍ଗଙ୍କ କଥା ବୁଝିବେ ବିଧାୟକ ଅରୁଣ ସାହୁ।
ତେବେ ତିନି ଜଣଙ୍କୁ ଉପସଭାପତି ପଦ ମିଳିଥିଲେ ମଧ୍ୟ ନବୀନ ଏମାନଙ୍କୁ ତାଙ୍କ ରାଜନୈତିକ ବ୍ୟାପାର କମିଟି (ପିଏସି)ରେ ନେଇନାହାନ୍ତି। ଏମାନେ ଅଫିସ୍ ଜଗିବେ। ବିଭିନ୍ନ ସେଲ୍ କଥା ବୁଝିବେ। ଦଳର କୌଣସି ରାଜନୈତିକ କାମରେ ଏମାନେ ମୁଣ୍ଡ ପୁରାଇପାରିବେ ନାହିଁ। ଦେବୀ, ଅତନୁ ଓ ଅରୁଣଙ୍କୁ ପିଏସିରୁ ଦୂରରେ ରଖି ନବୀନ ସେମାନଙ୍କୁ ଅପମାନିତ କରିଛନ୍ତି ବୋଲି କହିଲେ ଭୁଲ ହେବନାହିଁ।
ଏହାଛଡ଼ା ଅନେକ ସମୟରେ ରୋକଠୋକ କଥା କହୁଥିବା ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବଦ୍ରି ନାରାୟଣ ପାତ୍ରଙ୍କୁ ଦଳର ପିଏସିରେ ସ୍ଥାନ ମିଳିନାହିଁ। ପ୍ରସନ୍ନ ଆଚାର୍ଯ୍ୟ ଯଦିଓ ପୂର୍ବରୁ କୃଷକମାନଙ୍କ ଆନ୍ଦୋଳନରେ ସାମିଲ ଥିଲେ କିନ୍ତୁ ଏବେ ସେ ନାହାନ୍ତି। ତାଙ୍କୁ ଦଳ ପକ୍ଷରୁ କୃଷକ ସେଲ୍ ଦାୟିତ୍ୱ ଦେଇ ପିଏସିରୁ ଦୂରେ ରଖାଯାଇଛି। ସେହିପରି ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦଳ ହାଇଜାକ ହେଉଥିବା କଥା କହିଥିବାରୁ ତାଙ୍କୁ ହାଜାକକାରୀ ଗୋଷ୍ଠୀ ଚକ୍ରାନ୍ତ କରି ସମବାୟ ସେଲ ଓ ବଦ୍ରି ନରାୟଣ ପାତ୍ରଙ୍କୁ ଶିକ୍ଷା ଓ ଶିକ୍ଷକ ସେଲ ଦିଆଯାଇ ଦଳର ନୀତି ନିର୍ଦ୍ଦାରଣ କମିଟିରୁ ଦୂରେଇ ରଖାଯାଇଛି।
ଅପର ପକ୍ଷରେ ଦଳରେ ନୂଆକରି ଯୋଗଦେଇଥିବା ତଥା ନିର୍ବାଚନ ରାଜନୀତିରେ ବିଫଳ ହୋଇଥିବା ପାଣ୍ଡିଆନଙ୍କ ଏକାନ୍ତ ଅନୁଗତ ସଂନ୍ତୃପ୍ତ ମିଶ୍ରଙ୍କୁ ପିଏସିରେ ସ୍ଥାନ ମିଳିଛି। ପ୍ରଫୁଲ ମଲ୍ଲିକ, ଭୂପିନ୍ଦର ସିଂହ, ଶଶିଭୂଷଣ ବେହେରାଙ୍କୁ ଦଳରେ ଆଦୌ ଗୁରୁତ୍ୱ ଦିଆଯାଇନାହିଁ। ଏହି ନେତାମାନେ ଦଳ ନିର୍ବାଚନ ହାରିବା ପରେ ଏଥିପାଇଁ ପାଣ୍ଡିଆନ ଓ ତାଙ୍କ ୫-ଟି ଯୋଜନା ଦାୟୀ ବୋଲି ସର୍ବସାଧାରଣରେ ଅଭିଯୋଗ କରିବାକୁ ସଂକୋଚ କରିନଥିଲେ।
ଅତନୁ, ଦେବୀ ଓ ଅରୁଣ ପୂର୍ବତନ ମନ୍ତ୍ରୀ କେବଳ ବରିଷ୍ଠ ନୁହନ୍ତି ଓଡ଼ିଶା ରାଜନୀତିର ଜଣେ ଜଣେ ପରିପକ୍ୱ ନେତା କହିଲେ ଭୁଲ ହେବନାହିଁ। ଦେବୀ ମିଶ୍ର ପୁରୁଖା ନେତା ହୋଇଥିବାବେଳେ ନବୀନଙ୍କ ଶତ୍ରୁ ବିଜୟ ମହାପାତ୍ରଙ୍କୁ ହରାଇଥିଲେ ଅତନୁ। ଅରୁଣଙ୍କ ନାମରେ ମଧ୍ୟ ଅପରାଜେୟ ତାଲିକାରେ ରହିଛି। ତେବେ ଏହି ତିନିଜଣଙ୍କୁ କ୍ଷମତାଶୂନ୍ୟ କରିବା ପଛରେ ପାଣ୍ଡିଆନ ଓ ତାଙ୍କ ଏକାନ୍ତ ଅନୁଗତ ବବି ଦାସଙ୍କ ସୁଚିନ୍ତିତ ଯୋଜନା ରହିଥିବା ଆଲୋଚନା ହେଉଛି। ନିର୍ବାଚନ ହାରିବା ପରେ କିଛିଦିନ ନୀରବ ରହିବା ପରେ ହଠାତ୍ ଆବିର୍ଭାବ ହୋଇଥିବା ବବିଦାସ ନିଜର ସୁରକ୍ଷା ପାଇଁ ଏହି ତିନିଜଣଙ୍କୁ ଜଣଙ୍କୁ ଦଳର ନୀତି ନିର୍ଦ୍ଧାରଣ କମିଟିରୁ ଦୂରେଇ ରଖିଛିନ୍ତି।
କାରଣ ଏମାନେ ଯଦି ପିଏସିରେ କିଛି ପରାମର୍ଶ ଦେବେ, ତେବେ ବବିଙ୍କ ଯୋଜନା କାର୍ଯ୍ୟ କରିବ ନାହିଁ। ଏହାଛଡ଼ା ଏମାନେ ସମୟ ସୁବିଧା ଦେଖି ବିଜେତି ବିପର୍ଯ୍ୟୟରେ ବବି ଦାସଙ୍କ ଭୂମିକା କିଭଳି ରହିଛି, ତା’ର ପୋଲ୍ ମଧ୍ୟ ଖୋଲିଦେବାର ସମ୍ଭାବନା ରହିଛି। ତେଣୁ କାଇଦା କରି ଦଳରେ ତିନିଜଣ ନେତାଙ୍କୁ ଶେଷ କରିବା ପାଇଁ ଯେଉଁ ଗୋଟି ଚାଳନା ହୋଇଥିଲା ନବୀନ ଶେଷରେ ସେଥିରେ ମୋହର ମାରିଛନ୍ତି।
ବିଜେଡିର ସାଂଗଠନିକ ନବକଳେବର ପରେ ଭି କେ ପାଣ୍ଡିଆନଙ୍କ ପ୍ରାଦୁର୍ଭାବ ସ୍ପଷ୍ଟ ହୋଇଛି। ଏହାକୁ ନେଇ ଦଳ ଭିତରେ ଅସନ୍ତୋଷ ବଢ଼ିଲାଣି। ‘ପାଣ୍ଡିଆନପନ୍ଥୀ’ଙ୍କର ସକ୍ରିୟତା ଦଳରେ ଅସ୍ୱସ୍ତିକର ପରିବେଶ ସୃଷ୍ଟି କରିଛି। ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସ୍ୱାଗତ କାର୍ଯ୍ୟକ୍ରମ ବାତିଲ୍ ହେବା ତାହାର ଏକ ପ୍ରତିଫଳନ ବୋଲି କୁହାଯାଉଛି । ଯୁଦ୍ଧ ପରିସ୍ଥିତି ଆଳ ଦେଖାଇ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିଲେ ବି ବାସ୍ତବ ସ୍ଥିତି ଭିନ୍ନ ବୋଲି ଦଳୀୟ ମହଲରେ ଚର୍ଚ୍ଚା ଚାଲିଛି।
ସାଂଗଠନିକ ନିଯୁକ୍ତି ପରେ ବିଜେଡିରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଶେଷ କରି ରାଜନୈତିକ ବ୍ୟାପାର କମିଟିକୁ ଯେପରି ଗଠନ କରାଯାଇଛି, ତାହାକୁ କେହି ସହଜରେ ଗ୍ରହଣ କରିପାରୁ ନାହାନ୍ତି। ଏହି ନେତାମାନଙ୍କୁ ଏବେ ‘ପାଣ୍ଡିଆନପନ୍ଥୀ’ ଭାବେ ଆଖ୍ୟା ଦିଆଗଲାଣି। ପାଣ୍ଡିଆନଙ୍କ ପ୍ରତି ସମର୍ପଣ ଭାବରୁ ଏମାନେ କମିଟିରେ ସ୍ଥାନ ପାଇଲେ ବୋଲି ରାଜନୈତିକ ମହଲରେ କୁହାଯାଉଛି।
ଆଉ ପାଣ୍ଡିଆନଙ୍କୁ ସାମାନ୍ୟ ସମାଲୋଚନା କରିଥିବା ନେତାମାନଙ୍କୁ କେବଳ ପିଏସିରୁ ନୁହେଁ, ସଂଗଠନରୁ ବି ଆଡ଼େଇ ଦିଆଯାଇଛି। ବିଜେଡି ପରି ୨୪ ବର୍ଷ ଶାସନ କରିଥିବା ଏକ ବୃହତ୍ ଆଞ୍ଚଳିକ ଦଳର ସର୍ବୋଚ୍ଚ ନୀତି ନିର୍ଦ୍ଧାରକ ସଂସ୍ଥା ପିଏସିରେ ଅଭିଜ୍ଞ ନେତାମାନଙ୍କୁ ରଖା ନ ଯିବା ଦଳର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଫଳରେ ନେତାମାନେ ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡ଼ିଛନ୍ତି। ଦଳୀୟ କାର୍ଯ୍ୟକ୍ରମରେ କେହି ଆଗ୍ରହ ଦେଖାଉ ନାହାନ୍ତି।
କେବଳ ସେତିକି ନୁହେଁ ଦଳରେ ଅଲୋଡ଼ା ହୋଇପଡ଼ିଥିବା ଏହି ପ୍ରତିଷ୍ଠାତା ତଥା ବରିଷ୍ଠ ନେତାମାନେ କିପରି ଦଳକୁ ହାଇଜାକ୍ କରିନେଇଥିବା ପାଣ୍ଡିଆନ ଓ ତାଙ୍କ ଅନୁଗତମାନଙ୍କୁ ଉଚିତ ଶିକ୍ଷା ଦେବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଥିବା ସୂଚନା ମିଳୁଛି। ଏହି ଅସନ୍ତୁଷ୍ଟ ନେତାମାନେ ପାଣ୍ଡିଆନଙ୍କ ଦାଉରୁ ଦଳକୁ ରକ୍ଷା କରିପାରୁଛନ୍ତି ନା ପ୍ୟାରୀମୋହନ ମହାପାତ୍ର, ବିଜୟ ପଟ୍ଟନାୟକ, ପ୍ରଫୁଲ ଘଡ଼ାଇ, ପ୍ରଭାତ ତ୍ରିପାଠୀଙ୍କ ଭଳି ଦଳରୁ ସବୁଦିନ ପାଇଁ ବିଦା ହୋଇଯିବେ ତାହା ସମୟ କହିବ।
Also readhttps://purvapaksa.com/chinese-interference-in-the-indian-army-chinese-weapon-sales-in-cambodia/