ସମଗ୍ର ଦେଶରେ ମୋଦି ସରକାରଙ୍କ ୱାକଫ୍ ବୋର୍ଡ୍ ବିଲକୁ ନେଇ ବିତର୍କ ଚାଲିଛି। ମୁସଲିମ୍ ସମ୍ପ୍ରଦାୟ ଏହି ବିଲ ବିରୋଧରେ ମୋର୍ଚ୍ଚା ଖୋଲି ସାରିଛନ୍ତି। ମୁସଲିମଙ୍କୁ ଏଥିରେ କଂଗ୍ରେସ ଓ ସମାଜବାଦୀ ପାର୍ଟି ଭଳି ଦଳଙ୍କ ସମର୍ଥନ ମଧ୍ୟ ମିଳୁଛି। ମୁସଲିମ ସଂଗଠନ ଏହି ବିଲ ସେମାନଙ୍କ ଧର୍ମୀୟ ଅଧିକାରର ଉଲଙ୍ଘନ ବୋଲି କହୁଛନ୍ତି। ଏହା ଭିତରେ କିନ୍ତୁ ୱାକଫ୍ କୁ ନେଇ କେରଳରେ ଅଲଗା ପ୍ରକାରର ମାମଲା ସାମ୍ନାକୁ ଆସିଛି। ୱାକଫ୍ ବୋର୍ଡର ମନମୁଖି କାର୍ଯ୍ୟକଳାପ ବିରୋଧରେ କେରଳର ଏକ ହଜାରରୁ ଅଧିକ ଚର୍ଚ୍ଚ ଆନ୍ଦୋଳନକୁ ଓହ୍ଲାଇବାକୁ ଧମକ ଦେଇଛନ୍ତି। ଖ୍ରୀଷ୍ଟିଆନ ସଂଗଠନର କର୍ମୀ ୱାକଫ୍ ବିରୋଧରେ ଆମରଣ ଅନଶନ କରିବାକୁ ମଧ୍ୟ ଚେତାବନୀ ଦେଲେଣି। ତେବେ କ’ଣ ପୁରା ମାମଲା? କାହିଁକି ଖ୍ରୀଷ୍ଟିଆନ ମାନେ କେରଳରେ ଚର୍ଚ୍ଚ ନେତୃତ୍ୱରେ ୱାକଫ ବିରୋଧରେ ରାସ୍ତାକୁ ଓହ୍ଲାଇବାକୁ ଯାଉଛନ୍ତି?
ଗାଁ ଲୋକଙ୍କ ଜମି ଜବର ଦଖଲ କରିବାକୁ ଚାହୁଁଛି ୱାକଫ୍
କେରଳ ଚର୍ଚ୍ଚର ଅଭିଯୋଗ ଯେ, ୱାକଫ୍ ବୋର୍ଡ୍ ଖ୍ରୀଷ୍ଟିଆନଙ୍କ ଜମି ଓ ଭିଟାମାଟି ଅଧିକାର କରିବାକୁ ଚାହୁଁଛି। କୋଚ୍ଚି ଜିଲ୍ଲାର ମୁନମ୍ବମ ଓ ଚେରାଇ ଗାଁକୁ ନେଇ ତାଜା ବିବାଦ ଆରମ୍ଭ ହୋଇଛି। ଏହି ଦୁଇ ଗ୍ରାମ ଖ୍ରୀଷ୍ଟିଆନ ବହୁଳ। ତେବେ ଗ୍ରାମବାସୀଙ୍କ ଅଭିଯୋଗ ଯେ,ସେମାନଙ୍କ ଜମି ଓ ଘରଯାଗାକୁ ଜବରଦଖଲ କରିବାକୁ ୱାକଫ୍ ବୋର୍ଡ୍ ଉଦ୍ୟମ କରୁଛି। ତେଣୁ ଏହି ଦୁଇ ଗାଁ ଉପରେ ୱାକଫ୍ ନିଜ ଦାବି ରଖିଛି।
ଅନେକ ପୀଢି ଧରି ଗାଁରେ ରହି ଆସୁଛନ୍ତି ଖ୍ରୀଷ୍ଟିଆନ
ଗାଁ ଲୋକଙ୍କ କହିବା ହେଉଛି ଯେ,ସେମାନେ ଅନେକ ପିଢ଼ି ଧରି ଗାଁରେ ରହି ଆସୁଛନ୍ତି। ନିଜ ଜମି ଉପରେ ଖଜଣା ମଧ୍ୟ ଦେଉଛନ୍ତି। ଖଜଣାର କପି ମଧ୍ୟ ସେମାନଙ୍କ ପାଖରେ ଅଛି। ଏମିତିରେ ୱାକଫ୍ କେମିତି ଗାଁ ଜମି ଉପରେ ନିଜ ଅଧିକାର ରଖିପାରେ । ଏହାକୁ ନେଇ କେରଳର ଚର୍ଚ୍ଚ ଗୁଡ଼ିକ କ୍ରୋଧିତ ଅଛନ୍ତି। ସେମାନଙ୍କ ଅଭିଯୋଗ ଯେ, ୱାକଫ୍ ବୋର୍ଡ୍ ଷଡ଼ଯନ୍ତ୍ର କରି ଗାଁ ଲୋକଙ୍କ ଜମି ହଡ଼ପ କରିବାକୁ ଚାହୁଁଛି।
ଆମରଣ ଅନଶନରେ ଗାଁ ଲୋକ
ୱାକଫର ଦାବି ବିରୋଧରେ ଗାଁ ଲୋକଙ୍କ ମଧ୍ୟରେ ଆକ୍ରୋଶ ଏତେ ଅଧିକ ଯେ,କିଛି ବ୍ୟକ୍ତି ଆମରଣ ଅନଶନରେ ବସିଛନ୍ତି। ମୁନମ୍ବବ ଭୂସଂରକ୍ଷଣ ସମିତି ଚେତାବନୀ ଦେଇଛି ଯେ, ଯଦି ଶୀଘ୍ର ମାମଲାର ସମାଧାନ ନହୁଏ ତେବେ ସେମାନେ ଆନ୍ଦୋଳନକୁ ଆହୁରି ତୀବ୍ର କରିବେ। ଚର୍ଚ୍ଚ ମଧ୍ୟ ଏହି ଗାଁ ଲୋକଙ୍କ ସପକ୍ଷରେ ଛିଡ଼ା ହେଲାଣି।
କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଦାବି
ସିରୋ ମାଲାବାର ଚର୍ଚ୍ଚର ଚିଫ୍ ମେଜର ଆର୍କ ବିଶପ୍ ରାଫେଲ ଥାଟିମ୍ କହିଛନ୍ତି ଯେ,ଏହି ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଜରୁରୀ ଅଟେ। କାରଣ ଏହା ଏକ ମାନବୀୟ ସଂକଟ। ମୁନମ୍ବମ ମାମଲାର ସମାଧାନ ସାମ୍ବିଧାନିକ ଭାବେ ହେଉ। ଶନିବାର ଦିନ ଆର୍କ ବିଶପ୍ ଅନଶନରେ ବସିଥିବା ଆନ୍ଦୋଳନକାରୀଙ୍କୁ ସାକ୍ଷାତ୍ କରିଥିଲେ।
କେରଳ କ୍ୟାଥଲିକ୍ କଂଗ୍ରେସ ନେତୃତ୍ୱରେ ବିକ୍ଷୋଭ
କେରଳ କ୍ୟାଥଲିକ୍ କଂଗ୍ରେସ ନେତୃତ୍ୱରେ ରବିବାରଠାରୁ ବିକ୍ଷୋଭ ପ୍ରଦର୍ଶନ ଆରମ୍ଭ ହୋଇଛି। ରବିବାର ଦିନ ଏକ ହଜାର ଚର୍ଚ୍ଚର ପ୍ରତିନିଧି ରାସ୍ତାକୁ ଓହ୍ଲାଇ ଗ୍ରାମବାସୀଙ୍କୁ ସମର୍ଥନ କରିଥିଲେ। ଅନ୍ୟପକ୍ଷରେ କେରଳ ୱାକଫ୍ ଓ ହଜ୍ ତୀର୍ଥଯାତ୍ରା ମନ୍ତ୍ରୀ ଦୁଇ ଗାଁର ବାସିନ୍ଦାଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, କାହାରିକି ମଧ୍ୟ ବେଦଖଲ କରାଯିବ ନାହିଁ। କିନ୍ତୁ ଦୁଇ ଗାଁର ଲୋକ ମନ୍ତ୍ରୀଙ୍କ କଥାକୁ ଭରସା କରିପାରୁନାହାନ୍ତି।
ତେବେ ୱାକଫ୍ କ’ଣ ?
ୱାକଫ୍ ଏକ ଇସଲାମିକ ଶବ୍ଦ। ଯାହାର ଅର୍ଥ ହେଉଛି କୌଣସି ଧାର୍ମିକ କିମ୍ବା ଧର୍ମାର୍ଥ ଉଦ୍ଦେଶ୍ୟ ପାଇଁ କୌଣସି ସମ୍ପତ୍ତିର ସ୍ଥାୟୀ ସମର୍ପଣ। ସମ୍ପତ୍ତି ଚଳ ଓ ଅଚଳ ହୋଇପାରେ। ଅନ୍ୟପକ୍ଷରେ ୱାକଫ ବୋର୍ଡ ହେଉଛି ଏକ ଆଇନଗତ ସଂଗଠନ ଯିଏ ୱାକଫ୍ ସମ୍ପତ୍ତିର ପରିଚାଳନା କରିଥାଏ। ଦେଶର ସବୁ ରାଜ୍ୟରେ ୱାକଫ୍ ବୋର୍ଡ୍ ରହିଛି। ୱାକଫ୍ ସମ୍ପତ୍ତି ବାବଦରେ କିଛି ଜରୁରୀ ସୂଚନା ନିମ୍ନରେ ପ୍ରଦାନ କରାଯାଇଛି।
ୱାକଫ୍ ସମ୍ପତ୍ତିର ସ୍ୱାମିତ୍ୱ କୌଣସି ବ୍ୟକ୍ତିଙ୍କ ପାଖରେ ନ ଥାଏ
- ୱାକଫ୍ ସମ୍ପତ୍ତିକୁ ୱାକଫ ତିଆରି କରିଥିବା ବ୍ୟକ୍ତିଙ୍କ ଦ୍ୱାରା ନିର୍ଧାରିତ ସର୍ତ୍ତ ଅନୁସାରେ ଜନତା କିମ୍ବା କୌଣସି ବିଶେଷ ଲାଭାର୍ଥୀଙ୍କ ପାଇଁ ଟ୍ରଷ୍ଟରେ ରଖାଯାଏ।
- ୱାକଫ ସମ୍ପତ୍ତିର ପଞ୍ଜୀକରଣ ଅନିବାର୍ଯ୍ୟ ହୋଇଥାଏ।
- ୱାକଫ ବୋର୍ଡ୍,ସମ୍ପତ୍ତିର ପଞ୍ଜୀକରଣ, ପ୍ରବନ୍ଧନ ଓ ସଂରକ୍ଷଣ କରିଥାଏ।
- ଦେଶରେ ସିଆ ଓ ସୁନି ଦୁଇ ପ୍ରକାରର ୱାକଫ୍ ବୋର୍ଡ୍ ରହିଛି।
- ୱାକଫ୍ ସଂଶୋଧନ ବିଧେୟକ ୨୦୨୪ କ’ଣ କହୁଛି ?
- ନୂଆ ସଂଶୋଧନ ବିଧେୟକରେ ସରକାର ୪୦ ସଂଶୋଧନର ପ୍ରସ୍ତାବ ଦେଇଛନ୍ତି।
- ଏହି ବିଧେୟକର ଲକ୍ଷ୍ୟ ହେଉଛି ୱାକଫ୍ ବୋର୍ଡର କାର୍ଯ୍ୟକୁ ପାରଦର୍ଶୀ କରିବା ଓ ମହିଳାଙ୍କୁ ବୋର୍ଡରେ ସାମିଲ କରିବା
- ବୋର୍ଡରେ ଅତିକମରେ ଦୁଇଜଣ ଅଣ ହିନ୍ଦୁ ସଦସ୍ୟ ରହିବେ।
କ’ଣ ପାଇଁ ୱାକଫ୍ ବୋର୍ଡକୁ ନେଇ ବିବାଦ?
ୱାକଫ୍ ବୋର୍ଡକୁ ସରକାର ଅସିମିତ ଶକ୍ତି ଦେଇଛନ୍ତି ବୋଲି ଅଭିଯୋଗ ହୋଇ ଆସୁଛି। ୱାକଫ୍ ସମ୍ପତିକୁ ବିଶେଷ ଦର୍ଜା ଦିଆଯାଇଛି। ଏହା କୌଣସି ଟ୍ରଷ୍ଟଠାରୁ ମଧ୍ୟ ଉପରେ। ୱାକଫ୍ ବୋର୍ଡ ପାଖରେ କୌଣସି ମଧ୍ୟ ସମ୍ପତ୍ତିର ଯାଞ୍ଚ କରିବାର ଅଧିକାର ରହିଛି। କୌଣସି ସମ୍ପତ୍ତି ୱାକଫ୍ କିଏ ନୁହେଁ ତାହାର ଯାଞ୍ଚ୍ ୱାକଫ୍ ବୋର୍ଡ୍ ନିଜ ତରଫରୁ କରି ପାରିବ। ଯଦି ବୋର୍ଡ କୌଣସି ସମ୍ପତ୍ତି ଉପରେ ଦାବି କରେ ତେବେ ତାକୁ ଖାରଜ କରିବା ଅସମ୍ଭବ ହୋଇଯାଏ। ୱାକଫ୍ ଆଇନର ଧାରା ୮୫ ଅନୁସାରେ ବୋର୍ଡର ଆଦେଶକୁ ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯାଇ ପାରିବ ନାହିଁ।
Previous article :https://purvapaksa.com/president-of-the-united-states-oath-taking/
