ଦିନକୁ ଧରାପଡୁଛନ୍ତି ଜଣେ ଦୁର୍ନୀତିଗ୍ରସ୍ତ ବାବୁ। ବିଏମସି ଇଂଜିନିୟର ପରେ ଧରାପଡ଼ିଛନ୍ତି ଡେପୁଟି ରେଞ୍ଜର। ଜଙ୍ଗଲ ବିଭାଗ ବାବୁଙ୍କ ଧନ ଦେଖି ଅଧିକାରୀ ହେଲେ ଆଶ୍ଚର୍ଯ୍ୟ। ଜୟପୁର ବନଖଣ୍ଡ ଡେପୁଟି ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରେ ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଚଢାଉ କରିଥିବା ବେଳେ ଟଙ୍କା ଗଣି ଗଣି ହାଲିଆ ହେଲେଣି ଅଧିକାରୀ। ଆଜି ଭିଜିଲାନ୍ସ ୬ଟି ସ୍ଥାନରେ ଚଢାଉ କରିଥିବା ବେଳେ ମିଳିଛି ଦେଢ କୋଟି ଟଙ୍କା ସହ ଅଧା କିଲୋ ସୁନା ଓ ୧ କିଲୋ ରୂପା ଜବତ କରିଛି । ୬ ଡିଏସ୍ପି, ୫ ଇନ୍ସପେକ୍ଟର ଓ ୯ ଏଏସଆଇ ଚଢ଼ାଉରେ ସାମିଲ ରହିଥିବା ବେଳେ ଜୟପୁରର ୪ଟି ଓ ଭୁବନେଶ୍ୱରର ଗୋଟିଏ ଜାଗାରେ ଚାଲିଛି ଚଢ଼ାଉ। ରେଞ୍ଜର ରାମଚନ୍ଦ୍ର ନେପାକଙ୍କ ଘରୁ ଆଖି ଖୋସି ହେଲା ଭଳି ଲକର ଭର୍ତ୍ତି ଟଙ୍କା ମିଳିଛି।
ଏହାସହ ଘରୁ ମିଳିଛି ୧୬ ସ୍ଵର୍ଣ୍ଣମୁଦ୍ରା ସହିତ ଅଧ କିଲେ ସୁନା, ବାବୁଙ୍କ ରହିଛି ୪ କୋଟିର କୋଠା, ଫାର୍ମ ହାଉସ। ୧୯୮୯ରେ ଗ୍ରାମ ବନକର୍ମଚାରୀରୁ ଭାବେ ରେଞ୍ଜର ରାମଚନ୍ଦ୍ର ଚାକିରୀ ଆରମ୍ଭ କରିଥିବା ବେଳେ ମାତ୍ର ୩୬ ବର୍ଷରେ କୋଟି କୋଟି ସମ୍ପତ୍ତିର ମାଲିକ ହୋଇଛନ୍ତି। ଟଙ୍କାର ପାହାଡ଼ ଠିଆ କରାଇଦେବାର ଲାଳସା ଆଜି ଜଙ୍ଗଲୀ ବାବୁଙ୍କ ଭାରି ପଡ଼ିଛି। ଜୟପୁରରେ ଦୁଇଟି ଜମି ଏବଂ ଆଲିସାନ ଘର ମଧ୍ୟ ରହିଛି । କଳା ଧନକୁ ରଖିବା ପାଇଁ ଘରେ ସିକ୍ରେଟ ଚାମ୍ବର ତିଆରି କରିଥିଲେ ନେପାକ । କିଛି ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ରାମଚନ୍ଦ୍ର । ହେଲେ ତା ପୂର୍ବରୁ ଆଜି ଭୁବନେଶ୍ୱର ସମେତ ୬ଟି ସ୍ଥାନରେ ଚଢାଉ କରି ବାବୁଙ୍କ କଳା ଟଙ୍କା ର ହିସାବ କରୁଛି ଭିଜିଲାନ୍ସ । ଏବେ ମଧ୍ୟ ଚଢାଉ ଚାଲିଥିବା ଆହୁରି ସଂପତ୍ତି ଭିଜିଲାନ୍ସ ହାତରେ ଲାଗିପାରେ ବୋଲି ଅନୁମାନ କରାଯାଉଛି।
Also Readhttps://purvapaksa.com/odisha-launches-intra-state-river-linking-project-to-tackle-floods-droughts/
