ଭାସ୍କର ପରିଚ୍ଛା
ଷୋଡ଼ଶ ଅର୍ଥ କମିଶନ ଆସନ୍ତା ମାସରେ ଓଡ଼ିଶା ଆସିବାର ଯୋଜନା ରହିଛି ତେଣୁ ସେ ସମୟରେ ରାଜ୍ୟ ସରକାର ୧୨,୫୬,୧୪୮ କୋଟି ଟଙ୍କା ଦାବି କରିବେ ଓ ଅର୍ଥ ମିଳିଲେ ତାହା ୨୦୨୬ରୁ ୨୦୩୧ ମଧ୍ୟରେ ଖର୍ଚ୍ଚ ହେବ। ଆଜି ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯେଉଁ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିଥିଲା ସେଥି ମଧ୍ୟରୁ ଏହା ଅନ୍ୟତମ।
କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ, ଶିକ୍ଷା କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ନିମନ୍ତେ ପ୍ରତି ପଞ୍ଚାୟତରେ ଏକ ଗୋଦାବରିଶ ମିଶ୍ର ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏଥିପାଇଁ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ। ୨୦୨୫ରେ ପ୍ରଥମ ପର୍ଯ୍ୟାୟରେ ୧୧୪ଟି ପଞ୍ଚାୟତରେ ଆଦର୍ଶ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ। ଏହା ଏକ ପ୍ରଗତିମୂଳକ ନିଷ୍ପତ୍ତି।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, ଓଡ଼ିଶା ଡାକ୍ତରୀ ଓ ସ୍ୱାସ୍ଥ୍ୟସେବା ନିୟମାବଳୀ-୨୦୧୭ର ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ନିଯୁକ୍ତି ସ୍ତରକୁ ୭ରୁ ହ୍ରାସ କରି ୬ରେ ସୀମିତ ରଖିବା ସହ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଦକ୍ଷ ମାନବ ସମ୍ବଳ ଯୋଗାଇଦେବା ନିମନ୍ତେ ୫ ହଜାର ଡାକ୍ତର ସହ ୧୨୬ ଦନ୍ତ ଚିକିତ୍ସକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ରାଜ୍ୟର ଗ୍ରାମାଞ୍ଚଳରେ ଡାକ୍ତର ଅଭାବ ଏବେବି ଲାଗି ରହିଥିବାବେଳେ ଏହି ନିଷ୍ପତ୍ତି ଯୋଗୁଁ ସେହି ସମସ୍ୟା ଆଉ ରହିବ ନାହିଁ ବୋଲି ଆଶା କରାଯାଉଛି।
ରାଜ୍ୟରେ ନୂତନ ଶୀତଳ ଭଣ୍ଡାର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପ୍ରୋତ୍ସାହନ ରାଶି ଯୋଗାଇ ଦେବେ। କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ଅନୁସୂଚିତ ଜାତି ଜନଜାତି ବର୍ଗଙ୍କ ପାଇଁ ବିନିଯୋଗ ପୁଞ୍ଜିର ମୋଟ୍ ୬୦% ଏବଂ ସାଧାରଣ ବର୍ଗଙ୍କ ପାଇଁ ୫୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ। ଶୀତଳଭଣ୍ଡାରକୁ ୫୦% ଯାଏ ବିଦ୍ୟୁତ୍ ଶୁଳ୍କ ରିହାତି ପ୍ରଦାନ ସହ ଦେଢ଼କୋଟି ଟଙ୍କା ପର୍ଯ୍ୟନ୍ତ ସ୍ୱତନ୍ତ୍ର ରିହାତି ଯୋଗାଇ ଦିଆଯିବ। କ୍ରମାଗତ ଆଳୁ ଓ ପିଆଜ ଅଭାବ ଲାଗି ରହିଥିବା କାରଣରୁ ପ୍ରତି ଜିଲ୍ଲାରେ ଶୀତଳ ଭଣ୍ଡାର ନିହାତି ଜରୁରୀ। ଗତ ସରକାର ଅମଳରେ ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱପୂର୍ଣ୍ଣ ଆରୋପ କରାଯାଇନଥିବାବେଳେ ମାଝୀ ସରକାର ସମସ୍ୟାର ସଠିକ୍ ମୂଲ୍ୟାୟନ କରିଛନ୍ତି ବୋଲି ଧରିବାକୁ ହେବ।
କ୍ୟାବିନେଟ୍ ଆହୁରି ମଧ୍ୟ ନିଷ୍ପତ୍ତି ନେଇଛି ଯେ ନିବେଶ କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବା ପାଇଁ ଆରଇଆର ପାୱାର ଇଲେକ୍ଟ୍ରୋନିକ୍ସ ଲିମିଟେଡ଼କୁ ନିବେଶ ପାଇଁ ସୁଯୋଗ ପ୍ରଦାନ କରାଯିବ। ଏହି କମ୍ପାନୀକୁ ଇନ୍ସେନଟିଭ ବାବଦରେ ପୂର୍ବରୁ ସ୍ଥିରୀକୃତ ୩୦%କୁ ବୃଦ୍ଧି କରାଯାଇ ମୋଟ ୫୦% ପ୍ରଦାନ କରାଯିବ। ଏଥିସହ ୧୧୦ କୋଟିର ପ୍ରୋତ୍ସାହନ ରାଶିଦ୍ଵାରା ରାଜ୍ୟର ନିବେଶ କ୍ଷେତ୍ର ଆହୁରି ସୁଦୃଢ ଏବଂ ସମୃଦ୍ଧ ହେବ।
କ୍ୟାବିନେଟ୍ ବୈଠକ ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବିବୃତିର ଗୁରୁତ୍ୱକୁ ଯଦି ଅନୁଶୀଳନ କରାଯାଏ ଏହି ନିଷ୍ପତ୍ତିଗୁଡ଼ିକ ରାଜ୍ୟରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ପୁଞ୍ଜି ନିବେଶ ଭଳି କ୍ଷେତ୍ରର ସାମଗ୍ରିକ ବିକାଶକୁ ସୁନିଶ୍ଚିତ କରିବ। ରାଜ୍ୟବାସୀଙ୍କ ଆଶା ଆକାଂକ୍ଷା ପୂରଣ ସହ ଓଡ଼ିଶାର ସାମାଜିକ, ଆର୍ଥିକ ସ୍ଥିତିକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଯାହା କହିଥିଲେ ତାହା ଆପାତତଃ ସ୍ପଷ୍ଟ।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ଓ ସ୍ତମ୍ଭକାର। ସେ ଓଡ଼ିଶା ଅନେକ ଖବର କାଗଜରେ କାମ କରିଛନ୍ତି। ଉଭୟ ଇଂରାଜୀ ଓ ଓଡ଼ିଆରେ ଅନେକ ପୁସ୍ତକ ରଚନା କରିଛନ୍ତି।)
Also readhttps://purvapaksa.com/sip-investment-power-become-crorepati-investing-daily-50-rupees-only/
ସଞ୍ଚୟ ଟିପ୍ସ; ୧୫ଶହ ଟଙ୍କା କରିଦେବ କୋଟିପତି, ଯଦି ଜାଣିନେବେ ସଞ୍ଚୟର ସୁପରହିଟ୍ ଏହି ଫର୍ମୁଲା