ଗଦର ଫେମ ଅଭିନେତା ଉତ୍କର୍ଶ ଶର୍ମା ପୁରୀ ଆସି ଶ୍ରୀ ଜଗନ୍ନାଥଙ୍କର ଆଶୀର୍ବାଦ ନେଇଛନ୍ତି। ଖୁବ୍ଶୀଘ୍ର ସେ ଫିଲ୍ମ ‘ବନବାସ୍’ରେ ନଜର ଆସିବେ।
ନିଜର ଆଗାମୀ ଚଳଚ୍ଚିତ୍ର ବନବାସର ସଫଳତା ପାଇଁ ସେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଆସିଥିଲେ। ଏଥି ସହ ତାଙ୍କ ଆଗାମୀ ଚଳଚିତ୍ରର ପ୍ରମୋସନ ମଧ୍ୟ ଆରମ୍ଭ କରିଛନ୍ତି। ଯାହାକୁ ସେ ତାଙ୍କ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ହାତଯୋଡ଼ି ନମସ୍କାର କରୁଥିବାର ଦେଖାଯାଇଛି ।
ପୁରୀ ଗସ୍ତ ପରେ ଅଭିନେତା ଭୁବନେଶ୍ୱରର KIIT ଏବଂ KIIS ବିଶ୍ୱବିଦ୍ୟାଳୟ ପରିଦର୍ଶନ କରି ଛାତ୍ର ଓ ଦର୍ଶକଙ୍କ ସହ ଦେଖା କରିଥିଲେ। ଯାହା ତାଙ୍କ ଆଗାମୀ ଫିଲ୍ମ ‘ବନବାସ୍’ ପାଇଁ ପ୍ରମୋସନାଲ କାର୍ଯ୍ୟକଳାପର ଆରମ୍ଭ ଅଟେ। ‘ବନବାସ୍’ ଫିଲ୍ମରେ ଭେଟେରାନ୍ ଅଭିନେତା ନାନା ପାଟେକରଙ୍କ ସହ ଉତ୍କର୍ଶ ଶର୍ମା ଅଭିନୟ କରିଛନ୍ତି।
ଅକ୍ଟୋବର ୨୯ରେ ଥ୍ରୀଲରର ଟିଜର ଉନ୍ମୋଚିତ ହୋଇଥିଲା ଏବଂ ପରିବାର, ସମ୍ମାନ ଏବଂ ବଳିଦାନକୁ କେନ୍ଦ୍ର କରି ଏହାକୁ ତିଆରି କରାଯାଇଛି। ଏହି ଫିଲ୍ମଟି ଦେଶର ଅନେକ ସ୍ଥାନରେ ତଥା ଧାର୍ମିକ ସହର ବାରାଣାସୀରେ ସୁଟିଂ କରାଯାଇଛି। ଅନିଲ ଶର୍ମାଙ୍କ ଦ୍ୱାରା ନିର୍ମିତ, ନିର୍ଦ୍ଦେଶିତ ଏବଂ ଲିଖିତ ଏହି ଫିଲ୍ମ ଡିସେମ୍ବର ୨୦ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବ ।
ସନ୍ନି ଦେଓଲ ଏବଂ ଅମିଶା ପଟେଲଙ୍କ ଅଭିନୀତ ‘ଗଦର: ଏକ ପ୍ରେମ କଥା’ରେ ଶିଶୁ କଳାକାର ଭାବରେ ତାଙ୍କର ଚଳଚ୍ଚିତ୍ର ଜୀବନ ଆରମ୍ଭ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସେ ସନି ଦେଓଲ ଏବଂ ଅମିଶା ପଟେଲଙ୍କ ପୁଅ ଭୂମିକାରେ ଅଭିନୟ କରିଥିଲେ। ଯାହାକୁ ଦର୍ଶକଙ୍କ ବେଶ୍ ଭଲପାଇବା ମିଳିଥିଲା। ଏହି ଫିଲ୍ମରେ ଶିଶୁ କଳାକାରଭାବେ ସେ ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ।
ଏହାପରେ ତାଙ୍କୁ ଫିଲ୍ମ ‘ଜିନିୟସ’ରେ ଦେଖିବାକୁ ମିଳିଥିଲା। ଏହାକୁ ମଧ୍ୟ ତାଙ୍କ ପିତା ଅନିଲ ଶର୍ମା ମଧ୍ୟ ନିର୍ଦ୍ଦେଶନା ଦେଇଥିଲେ। ହେଲେ ଏହି ଚଳଚିତ୍ରରେ ଦର୍ଶକଙ୍କ ମନ ଜିତିବାରେ ବିଫଳ ହୋଇଥିବାବେଳେ ଫିଲ୍ମଟି ବକ୍ସ ଅଫିସରେ ଫେଲ ମାରିଥିଲା। ଏହାପରେ ପୁଣିଥରେ ତାଙ୍କୁ ଫିଲ୍ମ ‘ଗଦର-୨’ରେ ଦେଖିବାକୁ ମିଳିଥିଲା।
ଏହି ଫିଲ୍ମରେ ଅଭିନେତା ଦର୍ଶକଙ୍କର ହରେଇ ଥିବା ଭଲପାଇବାକୁ ପୁଣିଥରେ ଜିତିବା ପାଇଁ ସଫଳ ହୋଇଥିଲେ। ତେବେ ଡିସେମ୍ବର ୨୦ରେ ସାରା ବିଶ୍ୱରେ ମୁକ୍ତିଲାଭ କରିବାକୁ ଯାଉଛି ଫିଲ୍ମ ‘ବନବାସ୍’ । ବକ୍ସ ଅଫିସ୍ ରେ ଫିଲ୍ମଟି କଣ କମାଲ କରିବ ଦେଖିବାକୁ ବାକି ରହିଲା।
PREVIOUS POST: https://purvapaksa.com/baaghi-4-first-poster-release/