ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଥିବା ଦୁଇ ଦିନିଆ ଉତ୍କର୍ଷ ଓଡ଼ିଶା- ମେକ୍ ଇନ୍ ଓଡ଼ିଶା କନକ୍ଲେଭ ୨୦୨୫ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। କେବଳ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନକୁ ଅପେକ୍ଷା।
ମଙ୍ଗଳବାର ଦିନ ଆରମ୍ଭ ହେବାକୁ ଥିବା ଏହି ସମ୍ମେଳନ ଉଭୟ ବିଶ୍ୱ ତଥା ଘରୋଇ ନିବେଶକଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ଦିଷ୍ଟ। ଏଥିରେ ଓଡ଼ିଶା ତା’ର ଶିଳ୍ପ ଦକ୍ଷତା ପ୍ରଦର୍ଶନ କରିବାକୁ ଅଣ୍ଟା ଭିଡ଼ିଚି। ଏହି କାର୍ଯ୍ୟକ୍ରମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦ୍ଘାଟନ କରିବେ। ଭୁବନେଶ୍ୱରର ଜନତା ମଇଦାନରେ ଅନୁଷ୍ଠିତ ଷ୍ଟାର୍ଟ ଅପ୍ ଓଡ଼ିଶା, ଓଡ଼ିଶାରେ ଦକ୍ଷ ଏବଂ ମହିଳା ଉଦ୍ୟୋଗୀ ବିଷୟରେ ତିନିଟି ମୁଖ୍ୟ ବିଷୟବସ୍ତୁକୁ କେନ୍ଦ୍ର କରିବ।
ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଛନ୍ତି ଯେ ଅନ୍ତର୍ଭୂକ୍ତ ତଥା ନିରନ୍ତର ବିକାଶକୁ ପ୍ରୋତ୍ସାହିତ କରୁଥିବା ଏହି କନକ୍ଲେଭ ଓଡ଼ିଶାକୁ ବିଶ୍ୱ ଶିଳ୍ପ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାକୁ ଚେଷ୍ଟା କରୁଛି। ‘ଏହି କନକ୍ଲେଭ କେବଳ ପୁଞ୍ଜି ବିନିଯୋଗ ଶିଖର ଅତିକ୍ରମ କରିବ ତାହା ନୁହେଁ; ଏହା ଏକ ପରିବର୍ତ୍ତନଶୀଳ ଯାତ୍ରାକୁ ପ୍ରତିପାଦିତ କରିବ। ଭାରତର ଶିଳ୍ପ ବିପ୍ଳବକୁ ଆଗେଇ ନେବାକୁ ଓଡ଼ିଶା ପ୍ରସ୍ତୁତ, ଏବଂ ଆମେ ଶିଳ୍ପ ନେତା, ଉଦ୍ୟୋଗୀ ଏବଂ ଉଦ୍ଭାବକମାନଙ୍କୁ ଓଡ଼ିଶାର ବିପୁଳ ସମ୍ଭାବନା ଆବିଷ୍କାର କରିବାକୁ ଏବଂ ଏହି ଯାତ୍ରାରେ ଭାଗ ନେବାକୁ ଉତ୍ସାହିତ କରିବୁ।’
ଓଡ଼ିଶା ୨୦୩୬ର ଦୂରଦୃଷ୍ଟି ହାସଲ କରିବାରେ ଏହି କନକ୍ଲେଭ ଏକ ମହତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅଟେ ଏବଂ ଭାରତର ଶିଳ୍ପ ପ୍ରଗତିରେ ଓଡ଼ିଶାର ମହତ୍ଵପୂର୍ଣ୍ଣ ଭୂମିକାକୁ ଗୁରୁତ୍ୱ ଦେଇ ବିକାଶ ଭାରତ ୨୦୪୭ର ଜାତୀୟ ଲକ୍ଷ୍ୟରେ ସହାୟକ ହେବ।
୨୦ଟି ଦେଶର ୧୦୦ରୁ ଅଧିକ ଅନ୍ତର୍ଜାତୀୟ ପ୍ରତିନିଧୀ ଏବଂ କୂଟନୀତିଜ୍ଞଙ୍କ ସମେତ ୭୫୦୦ରୁ ଅଧିକ ଶିଳ୍ପ ପ୍ରତିନିଧୀ ପଞ୍ଜୀକୃତ କରି ସାରିଥିବା ଜଣାପଡ଼ିଛି।ଏହି କନକ୍ଲେଭ ବିଶ୍ୱବ୍ୟାପୀ ଆଗ୍ରହ ସୃଷ୍ଟି କରିବାକୁ ଯାଉଛି। ସିଙ୍ଗାପୁର, ଅଷ୍ଟ୍ରେଲିଆ ଏବଂ ମାଲେସିଆ ଆଲୋଚନା ଏବଂ ସହଯୋଗୀ ପ୍ରୟାସର ନେତୃତ୍ୱ ନେବେ। ଭିଏତନାମ, ଜିମ୍ବାୱେ, କାଜାଖସ୍ତାନ, ଭେନେଜୁଏଲା, ବ୍ରିଟେନ, ଆମେରିକା, ଏବଂ ନେପାଳ ଭଳି ଦେଶରୁ ପ୍ରତିନିଧୀମାନେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଲକ୍ଷ୍ମୀ ନିୱାସ ମିତ୍ତଲ, କୁମାର ମଙ୍ଗଲମ ବିର୍ଲା, ଅନିଲ ଅଗ୍ରୱାଲ, ସାଜନ ଜିନ୍ଦଲ ଏବଂ କରଣ ଆଦାନୀଙ୍କ ସମେତ ଉଲ୍ଲେଖନୀୟ ଶିଳ୍ପପତିମାନେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଆଲ ଓରାମ ଏବଂ ଅଶ୍ୱିନୀ ବୈଷ୍ଣବଙ୍କ ସହ ଯୋଗଦେବେ।
ନବୀକରଣ ଯୋଗ୍ୟ ଶକ୍ତି, ସବୁଜ ଇନ୍ଧନ ଏବଂ ସର୍କୁଲାର ଅର୍ଥବ୍ୟବସ୍ଥାକୁ ପ୍ରୋତ୍ସାହନ ଦେଉଥିବାବେଳେ ଉତ୍କର୍ଷ ଓଡ଼ିଶା କନକ୍ଲେଭ ବୈଷୟିକ, ବସ୍ତ୍ର, ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ୍ସ, ସ୍ୱତନ୍ତ୍ର ଧାତୁ ଏବଂ ଚଳଚ୍ଚିତ୍ର ଏବଂ ମିଡିଆ ଭଳି କ୍ଷେତ୍ର ଉପରେ ଗୁରୁତ୍ୱ ଦେବ। ଏହି ପଦକ୍ଷେପଗୁଡ଼ିକ ସ୍ଥାୟୀ ବିକାଶ ସହିତ ବିଶ୍ୱ ସ୍ତରରେ ଭାଗିଦାରୀର ବୃଦ୍ଧି ପାଇଁ ଓଡ଼ିଶାର ଭୂମିକାକୁ ପ୍ରଦର୍ଶିତ କରିବ।
Also readhttps://purvapaksa.com/presidents-january-26-speech-birsa-munda-indian-legal-system-and-isro/
ରାଷ୍ଟ୍ରପତିଙ୍କ ଜାନୁଆରୀ ୨୬ ଭାଷଣ: ବିର୍ସା ମୁଣ୍ଡା, ଭାରତୀୟ ଆଇନ ବ୍ୟବସ୍ଥା ଓ ଇସ୍ରୋ
