ଡ. ସମନ୍ୱୟ ନନ୍ଦ
ଗୋରା ସାମ୍ରାଜ୍ୟବାଦୀ ଶକ୍ତିମାନେ ବିଭିନ୍ନ ଦେଶ ଉପରେ ଶାସନ କରି ସେମାନଙ୍କ ସଂସ୍କୃତି ଉପରେ ଆକ୍ରମଣ କରିବା ସହ ଆର୍ଥିକଭାବେ ପ୍ରବଳ ମାତ୍ରାରେ ଶୋଷଣ କରିଥିଲେ । ବିଂଶ ଶତାବ୍ଦୀର ମଧ୍ୟ ଭାଗରେ ଏହି ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ କବଳରୁ ବିଭିନ୍ନ ଦେଶମାନେ ସ୍ୱାଧୀନତା ଲାଭ କଲେ ସତ; ହେଲେ ଏହି ସାମ୍ରାଜ୍ୟବାଦୀ ଶକ୍ତିମାନେ ଏହାପରେ ମଧ୍ୟ ଏହି ଦେଶମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ଜାରୀ ରଖିଛନ୍ତି। ବିକାଶ, ମାନବିକ ଅଧିକାର, ଗଣତନ୍ତ୍ର ଆଦି ବିଭିନ୍ନ କଥା କହି ଏହି ଦେଶମାନଙ୍କରେ ଫଣ୍ଡିଂ କରି ଗୋରା ଦେଶମାନେ ସେମାନଙ୍କୁ ନିୟନ୍ତ୍ରିତ କରିବା ଓ ଉକ୍ତ ଦେଶମାନଙ୍କୁ ସେମାନଙ୍କ ସ୍ୱାର୍ଥ ସାଧନ କରିବା କାର୍ଯ୍ୟ ଜାରୀ ରଖିଛନ୍ତି। ଡୋନାଲ୍ଡ ଟ୍ରମ୍ପ ଆମେରିକାରେ କ୍ଷମତାକୁ ଆସିବା ପରେ ଗତ ୨୯ ଜାନୁଆରୀ ଦିନ ୟୁନାଇଟେଡ ଷ୍ଟେଟ୍ ଏଜେନ୍ସୀ ଫର ଇଣ୍ଟରନ୍ୟାସନାଲ ଡେଭଲପମମେଣ୍ଟ (ୟୁଏସଏଡ)ର କାର୍ଯ୍ୟକଳାପ ଉପରେ କଟକଣା ଲଗାଇ ଦେଇଛନ୍ତି। ଏହାପରେ ସାରାବିଶ୍ୱରେ ଫଣ୍ଡିଂ କରୁଥିବା ଏହି ଆମେରିକୀୟ ଏଜେନ୍ସୀର କଳା କାରନାମା ଦିନକୁ ଦିନ ସାମନାକୁ ଆସୁଛି। ପ୍ରତିଦିନ ଏଥିରେ ନୂଆ ନୂଆ ଫର୍ଦ ଯୋଡ଼ି ହେବାରେ ଲାଗିଛି। ବିଭିନ୍ନ ଦେଶରେ ରହୁଥିବା ଓ ୟୁଏସଏଡର ଅର୍ଥରେ ଲାଭାନ୍ୱିତ ହେଉଥିବା ତଥାକଥିତ ଏନଜିଓକର୍ମୀ, ସାମ୍ବାଦିକ, ସାମାଜିକ କାର୍ଯ୍ୟକର୍ତ୍ତାମାନଙ୍କର ଅସଲ ରୂପ ମଧ୍ୟ ସମସ୍ତଙ୍କ ସାମନାକୁ ଆସୁଛି।
ୟୁଏସଏଡ କିଭଳି ଅର୍ଥ ପ୍ରଦାନ କରି ସାରାବିଶ୍ୱକୁ ପ୍ରଭାବିତ କରି ଆସିଛି ସେ ସମ୍ପର୍କରେ ଉଲ୍ଲେଖ କରାଗଲେ ଅନେକ ଲେଖା ଲେଖିବାକୁ ପଡ଼ିବ। ଆମେରିକା ୟୁଏସଏଡ ମାଧ୍ୟମରେ ବିଶ୍ୱର ବିଭିନ୍ନ ଦେଶମାନଙ୍କରେ ନିର୍ବାଚିତ ସରକାରକୁ ହଟାଇ ଥାଏ। ଏଥିପାଇଁ ସମସ୍ତ ପ୍ରକାର ଫଣ୍ଡିଂ କରାଯାଇଥାଏ। ଏଭଳି କରି ସେ ତାକୁ ସମର୍ଥନ କରୁଥିବା ବ୍ୟକ୍ତିବିଶେଷକୁ ଉକ୍ତ ଦେଶରେ ଶାସକ ଭାବରେ ବସାଇଥାଏ। ୟୁଏସଏଡର କାର୍ଯ୍ୟଧାରାକୁ ବୁଝିବା ପାଇଁ ଏହା କିଭଳିଭାବେ ଆମ ଦେଶ ଭାରତ, ପଡ଼ୋଶୀ ଦେଶ ବଙ୍ଗଳାଦେଶ କାମ କରିଥିଲା ସେ ବିଷୟରେ ଜାଣିଲେ ଆମେ ସେମାନଙ୍କର କାର୍ଯ୍ୟ କରିବାର ଉପାୟ ଓ କିଭଳିଭାବେ ଆମେରିକା ତାଙ୍କ ଦେଶରୁ ଥାଇ ଅନ୍ୟ ଦେଶଗୁଡ଼ିକୁ ନିୟନ୍ତ୍ରିତ କରିବାକୁ ଚେଷ୍ଟା କରିଥାଏ ତାହା ସହଜରେ ବୁଝିପାରିବା। ପବ୍ଲିକ ଡୋମେନରେ ଯେଉଁ ତଥ୍ୟମାନ ରହିଛି ସେହି ତଥ୍ୟ ଆଧାରରେ ହିଁ ୟୁଏସଏଡର କାର୍ଯ୍ୟଧାରାକୁ ବୁଝିବାକୁ ଚେଷ୍ଟା କରିବା।
ପ୍ରଥମେ ବଙ୍ଗଳାଦେଶ ବିଷୟରେ ଉଲ୍ଲେଖ କରିବା। ଗତବର୍ଷ ବଙ୍ଗଳାଦେଶରେ ନିର୍ବାଚିତ ସରକାର ଅର୍ଥାତ୍ ଶେଖ ହସିନାଙ୍କ ସରକାରକୁ କ୍ଷମତାଚ୍ୟୁତ କରାଇବା ବା ରିଜିମ ଚେଞ୍ଜ କରାଇବାରେ ଏହି କୁଖ୍ୟାତ ୟୁଏସଏଡର ପ୍ରମୁଖ ଭୂମିକା ରହିଥିଲା। ଏହାର କାରଣ ଥିଲା ବଙ୍ଗଳାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନା ଆମେରିକାକୁ ବଙ୍ଗଳାଦେଶରେ ଖୋଲାଖୋଲି ହସ୍ତକ୍ଷେପ କରିବାକୁ ଦେଇନଥିଲେ। ଆମେରିକା ୨୦୨୪ ମସିହା ସେପ୍ଟେମ୍ବର ୧୫ ତାରିଖରେ ପ୍ରକାଶିତ ସଣ୍ଡେ ଗାର୍ଡିଆନରେ ପ୍ରକାଶିତ ରିପୋର୍ଟ ଅନୁସାରେ ବଙ୍ଗଳାଦେଶରେ ରିଜିମ ଚେଞ୍ଜ ପାଇଁ ଆମେରିକା ୨୦୧୯ ମସିହାରୁ କାର୍ଯ୍ୟ ଆରମ୍ଭ କରି ଦେଇଥିଲା। ଆମେରିକାରୁ କାମ କରୁଥିବା ସରକାରୀ ଅନୁଦାନ ପ୍ରାପ୍ତ ଏଜେନ୍ସିମାନଙ୍କ ଦ୍ୱାରା ଏହି କାର୍ଯ୍ୟର କ୍ରିୟାନ୍ୱୟନ କରାଯାଇଥିଲା। ଆମେରିକାରୁ ଫଣ୍ଡିଂ କରି ଏହି କାମ କରାଯାଇଥିଲା ଓ ଏହାକୁ ଛାତ୍ର ଆନ୍ଦୋଳନ ବୋଲି ପ୍ରଚାରିତ କରାଯାଇଥିଲା। ଶେଷରେ ଆମେରିକା ସଫଳ ହେଲା ଓ ଏକ ନିର୍ବାଚିତ ସରକାରକୁ ଗାଦିଚ୍ୟୁତ କରି ଦିଆଗଲା ଓ ହିନ୍ଦୁମାନଙ୍କ ଉପରେ ଦମନଲୀଳା ଆରମ୍ଭ ହୋଇଥିଲା।
ସେହିପରି ଭାରତରେ ୟୁଏସଏଡ ଭାରତୀୟ ସମାଜକୁ ବିଭାଜିତ କରିବା ଓ ନିର୍ବାଚନକୁ ପ୍ରଭାବିତ କରିବାକୁ ଫଣ୍ଡିଂ କରୁଥିବାର ଦେଖିବାକୁ ମିଳିଥିଲା। ୨୦୦୪ରୁ ୨୦୧୩ ଯାଏ ୟୁଏସଏଡ ଭାରତ ସରକାରଙ୍କୁ ୨୦୪,୨୮ ମିଲିୟନ ୟୁଏସ୍ ଡଲାର ପ୍ରଦାନ କରିଥିବାବେଳେ ବିଭିନ୍ନ ଏନଜିଓ ମାନଙ୍କୁ ୨୧୧୪.୯୬ ମିଲିୟନ ୟୁଏସ୍ ଡଲାର ପ୍ରଦାନ କରିଥିଲା। ହେଲେ ମୋଦୀ ସରକାର କ୍ଷମତାରେ ଆସିବା ପରେ ହଠାତ୍ ଭାରତ ସରକାରଙ୍କୁ ୟୁଏସଏଡ ପକ୍ଷରୁ କରାଯାଉଥିବା ଫଣ୍ଡିଂ ହଠାତ ହ୍ରାସ ପାଇ ୧.୫୧ ମିଲିୟନ (୨୦୧୫ ଯାଏ) ହୋଇଯାଇଥିଲା ଓ କିନ୍ତୁ ଏନଜିଓମାନଙ୍କୁ ପ୍ରଦାନ କରାଯାଉଥିବା ୟୁଏସଏଡର ଫଣ୍ଡିଂ ବଢ଼ି ୨୬୭୯ ମିଲିୟନ ୟୁଏସ୍ ଡଲାର ହୋଇଯାଇଥିଲା। ୟୁଏସଏଡ ପକ୍ଷରୁ ଗଣତନ୍ତ୍ର, ମାନବିକ ଅଧିକାର ଓ ଗଭର୍ଣ୍ଣାନ୍ସ ନାମରେ ଫଣ୍ଡିଂ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ଯାତ୍ରା ସମୟରେ ଅର୍ଥାତ ୨୦୨୨ ମସିହାରେ ଆଶ୍ଚର୍ଯ୍ୟଜନକଭାବେ ହଠାତ ଫଣ୍ଡିଂ ବୃଦ୍ଧି ପାଇଥିଲା। ଯଦି ଆମେ ସାର୍ବଜନୀନ ଡୋମେନରେ ଥିବା ତଥ୍ୟକୁ ଦେଖିବା ତେବେ ପାଇବା ଭାରତର ଲୋକମାନଙ୍କୁ ଖ୍ରୀଷ୍ଟିଆନିଟିରେ କନଭର୍ଟ କରିବା କାମରେ ଲାଗିଥିବା କ୍ୟାଥୋଲିକ ରିଲିଫ ସର୍ଭିସ ନାମକ ଖ୍ରୀଷ୍ଟିଆନ ମିଶନାରୀ ସଂସ୍ଥାକୁ ସର୍ବାଧିକ ୨୧୮ ମିଲିୟନ ଆମେରିକୀୟ ଡଲାର ଅର୍ଥ ଅନୁଦାନଭାବେ ପ୍ରାପ୍ତ ହୋଇଛି। ସେହିପରି କେୟାର ଇଣ୍ଟରନ୍ୟାସନାଲ ନାମକ ଏନଜିଓକୁ ମଧ୍ୟ ୨୦୮ ମିଲିୟନ ଆମେରିକୀୟ ଡଲାର ଅନୁଦାନ ପ୍ରାପ୍ତ ହୋଇଛି। ଓସିସିଆରପି ନାମକ ଏକ ପ୍ରକଳ୍ପକୁ ମଧ୍ୟ ୟୁଏସଏଡ ପକ୍ଷରୁ ବିପୁଳ ଧନରାଶି ଅର୍ଥାତ ୪୭ ମିଲିୟନ ଆମେରିକୀୟ ଡଲାର ପ୍ରାପ୍ତ ହୋଇଛି। ଆଉ ଏକ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଯେ ଓସିସିଆରପି ପ୍ରୋଜେକ୍ଟ ଜରିଆରେ ଅନେକ ରିପୋର୍ଟ ଲେଖା କରାଯାଇଥିଲା ଓ ସବୁ ରିପୋର୍ଟଗୁଡ଼ିକ ନରେନ୍ଦ୍ର ମୋଦୀ ସରକାରଙ୍କ ବିରୁଦ୍ଧରେ ଥିଲା। ଏହି ରିପୋର୍ଟଗୁଡ଼ିକୁ ନିର୍ବାଚନ ପୂର୍ବରୁ ନରେନ୍ଦ୍ର ମୋଦୀ ସରକାର ବିରୁଦ୍ଧରେ ବ୍ୟବହାର କରାଯାଇଥିଲା। କେବଳ ସେତିକି ନୁହେଁ ୟୁଏସଏଡ ପକ୍ଷରୁ ଭାରତୀୟ ସାମ୍ବାଦିକମାନଙ୍କୁ କଥିତ ରୁପେ ପ୍ରଶିକ୍ଷଣ ଦିଆଯାଇଥିଲା ଯାହାର ମୂଳ ଉଦ୍ଦେଶ୍ୟ ଥିଲା ଏହି ସାମ୍ବାଦିକମାନଙ୍କ ଜରିଆରେ ମିଡିଆ ନ୍ୟାରେଟିଭକୁ ପ୍ରଭାବିତ କରିବା।
ଭାରତରେ କିଭଳିଭାବେ ଭୋଟ ପ୍ରତିଶତ ବଢ଼ାଯିବ ଏଇଥି ପାଇଁ ମଧ୍ୟ ଆମେରିକାର ୟୁଏସଏଡ ପକ୍ଷରୁ ବିପୁଳ ଅର୍ଥ ଭାରତରେ ଖର୍ଚ୍ଚ କରାଯାଇଥିବାର ରିପୋର୍ଟ ଆସୁଛି। ଏ ସମ୍ପର୍କରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଶ୍ନ କରିଛନ୍ତି ଯେ ଖୋଦ୍ ଆମେରିକାରେ ଭୋଟ୍ଦାନର ପ୍ରତିଶତ ଏତେ କମ ଥିବାବେଳେ ଏହି ଅର୍ଥ ଆମେରିକାରେ ଖର୍ଚ୍ଚ କରାଯାଇ ଭୋଟଦାନର ପ୍ରତିଶତକୁ ବଢ଼ାଇବାକୁ ପ୍ରୟାସ କାହିଁକି କରାଯାଉନଥିଲା। ଭାରତରେ କାହିଁକି କରାଯାଉଥିଲା?
ଗଣମାଧ୍ୟମରେ ପ୍ରକାଶିତ ହୋଇଥିବା ବିଭିନ୍ନ ଅନୁସନ୍ଧାନମୂଳକ ରିପୋର୍ଟରେ ଯେଉଁ ତଥ୍ୟ ସାମନାକୁ ଆସୁଛି ତାହା ଅତ୍ୟନ୍ତ ବିପଜ୍ଜନକ। ୟୁଏସଏଡ ପକ୍ଷରୁ ଭାରତର ୫୪ଟି ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଫଣ୍ଡିଂ କରାଯାଇଛି। ଏମାନଙ୍କ ମଧ୍ୟରେ ଏନଜିଏଓ, ମିଡିଆ ସଂସ୍ଥା, ଶୈକ୍ଷଣିକ ସଂସ୍ଥା ଓ ବ୍ୟକ୍ତିବିଶେଷମାନେ ଅଛନ୍ତି। ଫଣ୍ଡିଂ କରାଯାଇଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷମାନେ ଭାରତ ବିରୋଧୀ ନ୍ୟାରେଟିଭ ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥାନ୍ତି। ଏହି ଫଣ୍ଡିଂର ଅସଲ ଉଦ୍ଦେଶ୍ୟ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ଅସ୍ଥିର କରିବା, ଭାରତର ସାମ୍ବିଧାନିକ ସଂସ୍ଥାଗୁଡ଼ିକୁ ଦୁର୍ବଳ କରିବା ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ଦୁଷ୍ପ୍ରଚାର କରିବା। ୟୁଏସଏଡ ପକ୍ଷରୁ ଫଣ୍ଡିଂ କରାଯାଇଥିବା ଏଥି ମଧ୍ୟରୁ ଅଧିକାଂଶ ସଂସ୍ଥା ଓ ବ୍ୟକ୍ତିବିଶେଷ ଦିଲ୍ଲୀ ଆଧାରିତ। ତେଣୁ ଭାରତ ଓ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୁଦ୍ଧରେ ସର୍ବାଧିକ ଷଡ଼ଯନ୍ତ୍ର ଦିଲ୍ଲୀରୁ ହିଁ ହେଉଥିଲା।
ଶେଷରେ ଗୋଟିଏ କଥାର ଉଲ୍ଲେଖ କରିବା ଅତ୍ୟନ୍ତ ଜରୁରୀ ମନେହେଉଛି। ଆମେରିକା ଓ ଅନ୍ୟ ଗୋରା ଦେଶମାନେ ବିଭିନ୍ନ ମାଧ୍ୟମରେ ଅନ୍ୟ ସାର୍ବଭୌମ ଦେଶମାନଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରୁଥିବାର ଅଭିଯୋଗ ବାରମ୍ବାର ହୋଇ ଆସୁଛି। ହେଲେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଧନ୍ୟବାଦ ଦେବାକୁ ପଡ଼ିବ ଯେ ସେ ଆମେରିକାଦ୍ୱାରା ବିଭିନ୍ନ ଦେଶରେ ବିକାଶ, ମାନବିକ ଅଧିକାର, ଗଣତନ୍ତ୍ର ଓ ଅନ୍ୟ ବାହାନାରେ ଯେଭଳିଭାବେ ହସ୍ତକ୍ଷେପ କରାଯାଉଥିଲା ଓ ବିପୁଳ ମାତ୍ରାରେ ଧନରାଶି ସେହି ଦେଶରେ ଖର୍ଚ୍ଚ କରାଯାଉଥିବା ତା’ ଉପରୁ ନିଜେ ପରଦା ଉଠାଇ ଦେଇଛନ୍ତି। ତେଣୁ ସେ ନିଶ୍ଚିତଭାବେ ଧନ୍ୟବାଦର ପାତ୍ର।
ଟ୍ରମ୍ପ ତାଙ୍କ ଦେଶରୁ କରାଯାଉଥିବା ଏହି କଳାକାରନାମା ଉପରୁ ପରଦା ଉଠାଇ ଦେଇଛନ୍ତି। ଏବେ ପରବର୍ତ୍ତୀ କାମ ଭାରତକୁ କରିବାର ଅଛି। ୟୁଏସଏଡରୁ ଲାଭାନ୍ୱିତ ହୋଇଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷମାନଙ୍କୁ ଚିହ୍ନଟ କରିବା ଓ ସେମାନଙ୍କର ପରଦାଫାଶ କରାଯିବାର ଆବଶ୍ୟକତା ରହିଛି। ଭଦ୍ର ମୁଖା ପିନ୍ଧି ମାନବାଧିକାର, ଗଣତନ୍ତ୍ର ଆଦିର କଥା କହି ବିଦେଶୀ ଅର୍ଥରେ ନାଚୁଥିବା ଏହି ସଂସ୍ଥା ଓ ବ୍ୟକ୍ତିବିଶେଷମାନେ କିଏ ତାହା ଉପରେ ପରଦା ଉଠାଇବାର ଆବଶ୍ୟକତା ରହିଛି। ସେମାନେ କିଭଳିଭାବେ ବିଦେଶରୁ ଅର୍ଥ ପାଇ ଭାରତ ବିରୁଦ୍ଧରେ କାମ କରୁଥିଲେ ଓ କ’ଣ କ’ଣ କରୁଥିଲେ ତାହାର ରହସ୍ୟୋଦ୍ଘାଟନ ହେବା ଜରୁରୀ। କାରଣ ଏହା ଦେଶର ସୁରକ୍ଷା ସହ ଜଡ଼ିତ ପ୍ରସଙ୍ଗ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/the-fundamental-difference-between-zakir-hussain-and-irfan-ansari/