ଆମେରିକା ଭାରତୀୟ ସାମଗ୍ରୀ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରିବା ପାଇଁ ଏକ ସରକାରୀ ନୋଟିସ ଜାରି କରିଛି। ସାର୍ବଜନୀନ ନୋଟିସ ଅନୁଯାୟୀ, ଏହି ଅତିରିକ୍ତ ଶୁଳ୍କ ୨୭ ଅଗଷ୍ଟ ଦିନ ୧୨:୦୧(EST) ଠାରୁ କାର୍ଯ୍ୟକାରୀ ହେବ। ୬ ଅଗଷ୍ଟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ସ୍ୱାକ୍ଷରିତ କାର୍ଯ୍ୟନିର୍ବାହୀ ଅର୍ଡର ୧୪୩୨୯ ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଛି।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁକ୍ରେନ ଯୁଦ୍ଧ ଏବଂ ଋଷରୁ ତେଲ କିଣିବା ଘଟଣାକୁ ଧ୍ୟାନରେ ରଖି ଆମେରିକା ସରକାର ଭାରତ ଉପରେ ଏହି ଶୁଳ୍କ ଲାଗୁ କରିଛି। ଏହି ଶୁଳ୍କ ଆମେରିକା ଦ୍ୱାରା କାର୍ଯ୍ୟକାରୀ ନୀତିର ଏକ ଅଂଶ, ଯାହା ଋଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକୁ ଲକ୍ଷ୍ୟ କରିଥାଏ। ଭାରତରୁ ଆମଦାନି ହେଉଥିବା ଏକ ବିସ୍ତୃତ ତାଲିକାରେ ଥିବା ସାମଗ୍ରୀଗୁଡ଼ିକ ଉପରେ ଏହି ଅତିରିକ୍ତ ଶୁଳ୍କ ଲାଗୁ ହେବ ବୋଲି ଆମେରିକା କହିଛି । ନୋଟିସ ସହିତ ଜାରି ତାଲିକାରେ ଏଗୁଡ଼ିକ ଉଲ୍ଲେଖ କରାଯାଇଛି। ଅଗଷ୍ଟ ୨୭ ପରେ ଆମେରିକାରେ ପହଞ୍ଚିଥିବା କିମ୍ବା ସେଠାକାର ଗୋଦାମରୁ ବାହାରକୁ ନିଆଯାଇଥିବା ସମସ୍ତ ଭାରତୀୟ ସାମଗ୍ରୀ ଉପରେ ଏହି ଶୁଳ୍କ ଲାଗୁ ହେବ।
ସେହି ସମୟରେ, ଟ୍ରମ୍ପ ଏହା ମଧ୍ୟ ସୂଚାଇ ଦେଇଥିଲେ ଯେ ଯଦି କୌଣସି ଚୁକ୍ତି ନହୁଏ, ତେବେ ସେ ଋଷ ସହିତ ବାଣିଜ୍ୟ କରୁଥିବା ଦେଶଗୁଡ଼ିକ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିପାରିବେ। ଏହା ସହିତ, ଋଷ ଉପରେ ଅତିରିକ୍ତ କଟକଣା ମଧ୍ୟ ଲାଗୁ କରାଯାଇପାରିବ। ସେ ଚେତାବନୀ ଦେଇଛନ୍ତି ଯେ ଯଦି କୌଣସି ଅଗ୍ରଗତି ନହୁଏ, ତେବେ ଆଗାମୀ ସପ୍ତାହଗୁଡ଼ିକରେ ଭାରତକୁ “ଅତ୍ୟନ୍ତ ଗମ୍ଭୀର ପରିଣାମ” ଭୋଗିବାକୁ ପଡିବ। କିନ୍ତୁ ଏପର୍ଯ୍ୟନ୍ତ ଆମେରିକା ଋଷରୁ ତେଲ କିଣିବା ସତ୍ତ୍ୱେ ଚୀନ ଭଳି ଦେଶ ଉପରେ ଏପରି କୌଣସି କଟକଣା ଲଗାଇ ନାହିଁ।
ଏହା ଉଲ୍ଲେଖନୀୟ ଯେ ଅଗଷ୍ଟ ଆରମ୍ଭରେ ଟ୍ରମ୍ପ ଭାରତରୁ ଆସୁଥିବା ସାମଗ୍ରୀ ଉପରେ ୨୫ ପ୍ରତିଶତ ଅତିରିକ୍ତ ଶୁଳ୍କ ଲାଗୁ କରିଥିଲେ। ଏହା ସହିତ, ଆମେରିକା ଭାରତ ଉପରେ ମୋଟ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଥିଲା। ଭାରତ ରୁଷରୁ ତେଲ କିଣୁଥିବାରୁ ଏହି ଶୁଳ୍କ ଭାରତ ଉପରେ ଲଗାଯାଇଥିଲା। ଭାରତୀୟ ଅଧିକାରୀମାନେ ଏହି ଦ୍ୱିଗୁଣ ଶୁଳ୍କକୁ ଅନୁଚିତ ବୋଲି କହିଥିଲେ। ସେମାନେ ଆଶା ପ୍ରକାଶ କରିଛନ୍ତି ଯେ ଆଲୋଚନା ମାଧ୍ୟମରେ ଏହାର ସମାଧାନ ହୋଇପାରିବ ଏବଂ ଶୁଳ୍କ ହଟାଯାଇପାରିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜେ ୨୫ ଅଗଷ୍ଟ ସୋମବାର ଦିନ କହିଥିଲେ ଯେ ଆମେରିକାର ଆର୍ଥିକ ଚାପକୁ ଖାତିର ନକରି ଭାରତ ସରକାର ଏକ ରାସ୍ତା ଖୋଜିବ। ଅହମଦାବାଦରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଯେତେ ଚାପ ଆସିଲେ ମଧ୍ୟ ଆମେ ଏହାର ମୁକାବିଲା କରିବା ପାଇଁ ଆମର ଶକ୍ତି ବୃଦ୍ଧି କରିବୁ। ଆଜି ଆତ୍ମନିର୍ଭରଶୀଳ ଭାରତ ଅଭିଯାନକୁ ଗୁଜରାଟରୁ ବହୁତ ଶକ୍ତି ମିଳୁଛି ଏବଂ ଏହା ପଛରେ ଦୁଇ ଦଶନ୍ଧିର କଠିନ ପରିଶ୍ରମ ରହିଛି।
Also Read https://purvapaksa.com/big-reforms-in-gst-next-month/
