One nation One election : ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ଉପରେ କୋବିନ୍ଦ କମିଟିର ରିପୋର୍ଟକୁ ସେପ୍ଟେମ୍ବର ୧୮ତାରିଖରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୧୯ ରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଏକ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ନିଜର ଧାରଣା ରଖିଥିଲେ।
ସଂସଦର ଶୀତକାଳୀନ ଅଧିବେଶନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦ୍ର କ୍ୟାବିନେଟ୍ ବୈଠକରେ ‘ଏକ ଦେଶ ଗୋଟିଏ ନିର୍ବାଚନ‘ ବିଲ୍କୁ ଅନୁମୋଦନ ମିଳିଛି। ଏବେ ଶୀତ କାଳୀନ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଗୃହରେ ଉପସ୍ଥାପନ କରିପାରନ୍ତି।
ଏହା ପୂର୍ବରୁ ‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ସମ୍ପର୍କିତ କୋବିନ୍ଦ କମିଟିର ରିପୋର୍ଟକୁ ସେପ୍ଟେମ୍ବର ୧୮ରେ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲା। ୨୦୧୯ ରେ ୭୩ତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ରଥମେ ଏକ ଦେଶ, ଗୋଟିଏ ନିର୍ବାଚନ ବିଷୟରେ ନିଜର ଧାରଣା ରଖିଥିଲେ । ସେ କହିଛନ୍ତି ଯେ ଦେଶର ଏକୀକରଣ ପ୍ରକ୍ରିୟା ସର୍ବଦା ଚାଲିବା ଉଚିତ୍ । ୨୦୨୪ ରେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ଏ ନେଇ ନିଜର ମତ ରଖିଥିଲେ।
ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ବିତର୍କ କ’ଣ?
୨୦୧୯ ସ୍ୱାଧୀନତା ଦିବସଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଏକ ଦେଶ, ଗୋଟିଏ ନିର୍ବାଚନ’ କଥା କହିଥିଲେ। ସେବେଠାରୁ ଅନେକ ଥର ବିଜେପି ଗୋଟିଏ ଦେଶ, ଗୋଟିଏ ନିର୍ବାଚନ କଥା କହୁଛି। ଦେଶରେ ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭା ର ଏକକାଳୀନ ନିର୍ବାଚନ ହେବା ଉଚିତ ବୋଲି ଏହି ଧାରଣା ଆଧାରିତ । ବର୍ତମାନ ପ୍ରତି ୫ ବର୍ଷରେ ଲୋକସଭା ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେଉଛି। ଭାରତୀୟ ସମ୍ବିଧାନରେ ଏହାକୁ ଉଲ୍ଲେଖ କରାଯାଇଛି। ବିଭିନ୍ନ ରାଜ୍ୟର ବିଧାନସଭାର କାର୍ଯ୍ୟକାଳ ବିଭିନ୍ନ ସମୟରେ ଶେଷ ହୋଇଥାଏ, ସେହି ଅନୁଯାୟୀ ସେହି ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥାଏ।
ତେବେ ଏମିତି କିଛି ରାଜ୍ୟ ଅଛି ଯେଉଁଠି ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ହୋଇଥାଏ । ଏଥିରେ ଅରୁଣାଚଳ ପ୍ରଦେଶ, ଆନ୍ଧ୍ରପ୍ରଦେଶ, ଓଡ଼ିଶା ଓ ସିକ୍କିମ ଭଳି ରାଜ୍ୟ ରହିଛି। ଲୋକସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନ, ମଧ୍ୟପ୍ରଦେଶ, ତେଲେଙ୍ଗାନା, ଛତିଶଗଡ଼ ଓ ମିଜୋରାମ ଭଳି ରାଜ୍ୟରେ ନିର୍ବାଚନ ହୋଇଥିବା ବେଳେ ଲୋକସଭା ନିର୍ବାଚନ ଶେଷ ହେବାର ୬ ମାସ ମଧ୍ୟରେ ହରିୟାଣା ଓ ଜମ୍ମୁ-କଶ୍ମୀରରେ ନିର୍ବାଚନ ହୋଇଥିଲା। ଏହାପରେ ମହାରାଷ୍ଟ୍ର ଓ ଝାଡ଼ଖଣ୍ଡରେ ନିର୍ବାଚନ ହୋଇଥିଲା। ଏବେ ଦିଲ୍ଲୀରେ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି ।
‘ଗୋଟିଏ ଦେଶ, ଗୋଟିଏ ନିର୍ବାଚନ’ ବିତର୍କର କାରଣ କ’ଣ?
ବାସ୍ତବରେ ଆଇନ ଆୟୋଗଙ୍କ ଡ୍ରାଫ୍ଟ ରିପୋର୍ଟ ପରେ ୨୦୧୮ରେ ଏକ ଦେଶ ଗୋଟିଏ ନିର୍ବାଚନର ବିତର୍କ ଆରମ୍ଭ ହୋଇଥିଲା। ସେହି ରିପୋର୍ଟରେ ଅର୍ଥନୈତିକ କାରଣ ଦର୍ଶାଯାଇଥିଲା। ୨୦୧୪ ଲୋକସଭା ନିର୍ବାଚନ ଓ ପରବର୍ତ୍ତୀ ବିଧାନସଭା ନିର୍ବାଚନରେ ହୋଇଥିବା ଖର୍ଚ୍ଚ ପ୍ରାୟ ସମାନ ଥିଲା ବୋଲି କମିଶନ କହିଛନ୍ତି। ସେହିପରି ଏକକାଳୀନ ନିର୍ବାଚନ ହେଲେ ଏହି ଖର୍ଚ୍ଚକୁ ୫୦:୫୦ ଅନୁପାତରେ ବିଭକ୍ତ କରାଯିବ।
ସରକାରଙ୍କୁ ପ୍ରଦାନ କରାଯାଇଥିବା ଡ୍ରାଫ୍ଟ ରିପୋର୍ଟରେ ଆଇନ ଆୟୋଗ କହିଛନ୍ତି ଯେ ୧୯୬୭ ପରେ ଏକକାଳୀନ ନିର୍ବାଚନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିଲା। ଆୟୋଗ କହିଛନ୍ତି ଯେ ସ୍ୱାଧୀନତାର ପ୍ରାରମ୍ଭିକ ବର୍ଷଗୁଡ଼ିକରେ ଦେଶରେ ଗୋଟିଏ ଦଳ ଶାସନ କରୁଥିଲା ଏବଂ ଆଞ୍ଚଳିକ ଦଳ ଦୁର୍ବଳ ଥିଲା। ଧୀରେ ଧୀରେ ଅନ୍ୟ ଦଳମାନେ ଶକ୍ତିଶାଳୀ ହୋଇ ଅନେକ ରାଜ୍ୟରେ କ୍ଷମତାକୁ ଆସିଥିଲେ। ଏଥିସହିତ ସମ୍ବିଧାନର ଧାରା ୩୫୬ର ବ୍ୟବହାର ଏକକାଳୀନ ନିର୍ବାଚନ ପ୍ରକ୍ରିୟାକୁ ମଧ୍ୟ ବାଧାପ୍ରାପ୍ତ କରିଥିଲା। ଏବେ ଦେଶର ରାଜନୀତିରେ ପରିବର୍ତ୍ତନ ଆସିଛି । ଅନେକ ରାଜ୍ୟରେ ଆଞ୍ଚଳିକ ଦଳର ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ଏଥିସହିତ ଅନେକ ରାଜ୍ୟରେ ସେମାନଙ୍କର ସରକାର ମଧ୍ୟ ରହିଛି।
ଏକକାଳୀନ ନିର୍ବାଚନ ନେଇ କମିଟିର ସୁପାରିସ କ’ଣ ଥିଲା?
ଏକକାଳୀନ ନିର୍ବାଚନ ସୁପାରିଶକୁ ଦୁଇଟି ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯିବ ବୋଲି କମିଟି ନିଜ ରିପୋର୍ଟରେ କହିଛି। ପ୍ରଥମ ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାସାଙ୍ଗରେ ହେବ। ଦ୍ବିତୀୟ ପର୍ଯ୍ୟାୟରେ ସାଧାରଣ ନିର୍ବାଚନର ୧୦୦ ଦିନ ମଧ୍ୟରେ ସ୍ଥାନୀୟ ସଂସ୍ଥା ନିର୍ବାଚନ (ପଞ୍ଚାୟତ ଓ ପୌର) ଅନୁଷ୍ଠିତ ହେବ। ଏହା ଅଧୀନରେ ସମସ୍ତ ନିର୍ବାଚନ ପାଇଁ ଏକ ସାଧାରଣ ଭୋଟର ତାଲିକା ପ୍ରସ୍ତୁତ କରାଯିବ। ଏଥିପାଇଁ ସମଗ୍ର ଦେଶରେ ବିସ୍ତୃତ ଆଲୋଚନା ଆରମ୍ଭ ହେବ। ଏହା ସହ ଏକ କାର୍ଯ୍ୟକାରୀ ଗୋଷ୍ଠୀ ମଧ୍ୟ ଗଠନ କରାଯିବ।
କୋବିନ୍ଦ କମିଟି ମଧ୍ୟ କହିଛି
- ୧୯୫୧ରୁ ୧୯୬୭ ମଧ୍ୟରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଛି।
- ୧୯୯୯ମସିହାରେ ଆଇନ ଆୟୋଗଙ୍କ ୧୭୦ତମ ରିପୋର୍ଟରେ ୫ ବର୍ଷରେ ଗୋଟିଏ ଲୋକସଭା ଓ ସମସ୍ତ ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ପରାମର୍ଶ ଦିଆଯାଇଥିଲା।
- ୨୦୧୫ରେ ସଂସଦୀୟ କମିଟିର ୭୯ତମ ରିପୋର୍ଟରେ ଦୁଇଟି ପର୍ଯ୍ୟାୟରେ ଏକାସାଙ୍ଗରେ ନିର୍ବାଚନ କରିବାକୁ ପରାମର୍ଶ ଦିଆଯାଇଥିଲା।
- ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ରାଜନୈତିକ ଦଳ ଓ ବିଶେଷଜ୍ଞଙ୍କ ସମେତ ବିଭିନ୍ନ ଅଂଶୀଦାରଙ୍କ ସହ ବ୍ୟାପକ ଆଲୋଚନା କରିଥିଲେ।
- ରିପୋର୍ଟ ଅନଲାଇନରେ ଉପଲବ୍ଧ: https://onoe.gov.in
- ଦେଶରେ ଏକାସାଙ୍ଗରେ ନିର୍ବାଚନ କରାଇବା ପାଇଁ ବ୍ୟାପକ ସମର୍ଥନ ରହିଛି ବୋଲି ବ୍ୟାପକ ପ୍ରତିକ୍ରିୟା ପ୍ରକାଶ ପାଇଛି।
