ନିୟନ୍ତ୍ରଣ ରେଖା ନିକଟରେ ଜମ୍ମୁକାଶ୍ମୀରର ପୁଞ୍ଚ ସେକ୍ଟରରେ ଭାରତୀୟ ସଶସ୍ତ୍ର ବାହିନୀ ଦ୍ୱାରା କରାଯାଇଥିବା ସଫଳ ଅନୁପ୍ରବେଶ ବିରୋଧୀ ଅଭିଯାନରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଭାରତୀୟ ସେନାର ସୂଚନା ଅନୁଯାୟୀ, ନିୟନ୍ତ୍ରଣ ରେଖା ପାର କରି ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ଅପରେସନ ଶିବଶକ୍ତି ଅଧୀନରେ ଏନ୍କାଉଣ୍ଟର କରାଯାଇ ନିପାତ କରାଯାଇଛି ।
ଭାରତୀୟ ସୈନ୍ୟମାନେ ନିୟନ୍ତ୍ରଣ ରେଖା ପାର କରି ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଦୁଇ ଜଣ ଆତଙ୍କବାଦୀଙ୍କୁ ନିହତ କରିଥିବା ସେନା ପକ୍ଷରୁ ସୂଚନା ଦିଆଯାଇଛି । ଦ୍ରୁତ କାର୍ଯ୍ୟାନୁଷ୍ଠାନ ଏବଂ ସଠିକ ଗୁଳିଚାଳନା ଏହି ଘୃଣ୍ୟ ଯୋଜନାକୁ ପଣ୍ଡ କରିଥିଲା। ଦୁଇ ଜଣ ଆତଙ୍କବାଦୀ ନିହତ ହେବା ସହ ତିନୋଟି ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି। ସେନାର ଗୁପ୍ତଚର ୟୁନିଟ୍ ଏବଂ ଜମ୍ମୁକାଶ୍ମୀର ପୋଲିସର ସମନ୍ୱିତ ଗୁଇନ୍ଦା ସୂଚନା ଯୋଗୁଁ ଏହି ଅଭିଯାନ ସଫଳ ହୋଇଥିଲା ଏବଂ ଏହି ଅଭିଯାନ ଏବେ ବି ଜାରି ରହିଛି” ବୋଲି ଭାରତୀୟ ସେନା ପକ୍ଷରୁ କୁହାଯାଇଛି ।
ଏହି ଅଭିଯାନ ଅପରେସନ ମହାଦେବର ମାତ୍ର ଦୁଇ ଦିନ ପରେ ଆରମ୍ଭ ହୋଇଛି, ଯେଉଁଥିରେ ପହଲଗାମ ଆକ୍ରମଣରେ ସାମିଲ ଥିବା ତିନି ଜଣ ଏଲ୍ଇଟି ଆତଙ୍କବାଦୀଙ୍କୁ ମରା ଯାଇଥିଲା। ଗୁପ୍ତଚର ସୂଚନା ପରେ ୨୭ ଜୁଲାଇରେ ଏହି ଅଭିଯାନ ଆରମ୍ଭ ହୋଇଥିଲା, ଯାହା ପରେ ସୁରକ୍ଷା ବାହିନୀ ଲିଡୱାସର ଉଚ୍ଚ ଏବଂ ଘନ ପର୍ବତମାଳାରେ ଏକ ବିଶାଳ ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ୨୮ ଜୁଲାଇରେ ଆତଙ୍କବାଦୀମାନଙ୍କୁ ଠାବ କରାଯାଇଥିଲା ଏବଂ ଉଭୟ ପାର୍ଶ୍ୱରୁ ଗୁଳିଚାଳନା ଆରମ୍ଭ ହୋଇଥିଲା, ଯାହା ଫଳରେ ସୁଲେମାନ ଓରଫ ହାସିମ ମୁସା, ୟାସିର ଓରଫ ଜିବ୍ରାନ ଏବଂ ଆବୁ ହମଜା ଆଫଗାନି ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ପାକିସ୍ତାନ-ଭିତ୍ତିକ ଗୋଷ୍ଠୀ ‘ଦି ରେଜିଷ୍ଟାନ୍ସ ଫ୍ରଣ୍ଟ’ (TRF) ସହିତ ଜଡିତ ଥିଲେ, ଯାହା ଲସ୍କର-ଏ-ତୈବା (LeT) ର ଏକ ଶାଖା ସଂଗଠନ।
ଭାରତୀୟ ସେନା ଅନୁଯାୟୀ, ଜମ୍ମୁ ଏବଂ କାଶ୍ମୀର ପୋଲିସ ସହଯୋଗରେ ୟୁନିଟଗୁଡ଼ିକରୁ ମିଳିଥିବା ସମନ୍ୱିତ ଗୁଇନ୍ଦା ସୂଚନା ଉପରେ ଆଧାରିତ ଏକ ସଫଳ ଅପରେସନ ପରେ ଅପରେସନ ଶିବଶକ୍ତି ଆରମ୍ଭ କରାଯାଇଥିଲା। ଭାରତୀୟ ସେନା କହିଛି ଯେ ଏହି ଅଞ୍ଚଳରେ ଆହୁରି କିଛି ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି, ତେଣୁ ଅପରେସନ ଏବେ ବି ଜାରି ରହିଛି। ଅପରେସନ ସ୍ଥଳରେ ସେନା ଦ୍ୱାରା ଏକ ବ୍ୟାପକ ସର୍ଚ୍ଚ ଅପରେସନ୍ କରାଯାଉଛି।
