ଆମେରିକା ରାଷ୍ଟ୍ରପତି ଟ୍ରମ୍ପ କେତେବେଳେ କ’ଣ କହିବେ ଓ କ’ଣ କରିବେ ତାହାର ପୂର୍ବାନୁମାନ ଅସମ୍ଭବ। ଏମିତିରେ ଟ୍ରମ୍ପଙ୍କ ବାବଦରେ ତାଙ୍କ ବିରୋଧୀ କୁହନ୍ତି ଯେ, ସିଏ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପ୍ରତିଦିନ ଅତିକମରେ ଏକୋଇଶ ମିଛ କୁହନ୍ତି। ଭାରତ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ଥିବାବେଳେ ଟ୍ରମ୍ପ ଆକାଶରୁ ଖସି ଯୁଦ୍ଧବିରତିର ଘୋଷଣା କରିଦେଲେ। କିନ୍ତୁ ଯୁଦ୍ଧ ବିରତି ଘୋଷଣାରେ ମାତ୍ର ତିନି ଘଣ୍ଟା ପରେ ପାକିସ୍ତାନ ପୁଣି ଆକ୍ରମଣ ଆରମ୍ଭ କରିଦେଲା। ଟ୍ରମ୍ପଙ୍କୁ ଏଥିପାଇଁ ଅନ୍ତର୍ଜାତୀୟ ସ୍ତରରେ ବେଜିତ ହେବାକୁ ପଡ଼ିଲା।
ପାକିସ୍ତାନକୁ ଚୀନ୍ର ଧମକ
ଅବଶ୍ୟ କୁହାଯାଉଛି ଯେ, ଚୀନ୍, ଚାପରେ ଚେପା ହୋଇ ପାକିସ୍ତାନ ଏମିତି କରିଥିଲା। ଚୀନ୍ କାଳେ ପାକିସ୍ତାନକୁ ଧମକାଇଥିଲା ଯେ, ତୁମେ ଆମକୁ ନ ଜଣାଇ ଯୁଦ୍ଧବନ୍ଦ କରି ଆମକୁ ଅପମାନିତ କରିଛ। ଚୀନ୍ର ସମ୍ମାନ ରକ୍ଷା କରିବାକୁ ଯାଇ ପାକିସ୍ତାନ ତିନିଘଣ୍ଟା ପରେ ପୁନଃଆକ୍ରମଣ ଆରମ୍ଭ କରିଥିଲା। ଆଉ କିଛିଘଣ୍ଟା ପରେ ଆକ୍ରମଣ ବନ୍ଦ କରିଥିଲା। ଏମିତି କରି ଭିକାରିସ୍ତାନ ନିଜର ଦୁଇ ବାପାଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଥିଲା। କିନ୍ତୁ ଟ୍ରମ୍ପ ମହାଶୟ ଏହା ପରଠାରୁ ଗୋଟିଏ ପରେ ଗୋଟିଏ ମିସାଇଲ ମାଡ଼ କରିବା ଆରମ୍ଭ କରିଛନ୍ତି।
ଗାଲ ମାଧବ ଟ୍ରମ୍ପଙ୍କ ମୁହଁ ଉପରୁ ମାସ୍କ ହଟିଲା
ସେ ଦାବି କରିଛନ୍ତି ଯେ, ଭାରତ ପାକିସ୍ତାନ ସହ ବାଣିଜ୍ୟ ବନ୍ଦ କରିବାକୁ ଧମକ ଦେଇ ଓ ଭାରତକୁ ପରମାଣୁ ଯୁଦ୍ଧର ଡର ଦେଖାଇ ସେ ଯୁଦ୍ଧ ବିରତି କରାଇଛନ୍ତି। କିନ୍ତୁ ଭାରତ ମଙ୍ଗଳବାର ଦିନ ଗାଲ ମାଧବ ଟ୍ରମ୍ପଙ୍କ ମୁହଁ ଉପରୁ ମାସ୍କ ହଟାଇ ଦେଇଛି। ଭାରତୀୟ ବୈଦେଶିକ ବିଭାଗ ସ୍ପଷ୍ଟଭାବେ କହିଛି ଯେ, ଯୁଦ୍ଧ ବିରତି ପାଇଁ ଆମେ କାହା ପାଖକୁ ଯାଇନଥିଲୁ କି କାହା ସହିତ କୌଣସି ଆଲୋଚନ କରିନଥିଲୁ। ଭାରତ ତରଫରୁ କୁହାଯାଇଛି ଯେ, ପାକିସ୍ତାନ ଭୟଭୀତ ହୋଇ ଆମ ପାଖକୁ ଆସିଥିଲା। ଆମେରିକା ସହିତ ଟ୍ରେଡ୍, କାଶ୍ମୀର ବିବାଦ କିମ୍ବା ପରମାଣୁ ଆକ୍ରମଣ ନେଇ କିଛି ବି ଆଲୋଚନା ହୋଇନଥିଲା। ଆସନ୍ତୁ ବିସ୍ତୃତଭାବେ ଜାଣିବା ଭାରତ କ’ଣ କହିଛି।
ଟ୍ରମ୍ପ କହିଥିଲେ ଯେ ପାକିସ୍ତାନ ପରମାଣୁ ଆକ୍ରମଣ କରିବାକୁ ଯାଉଥିଲା, ମୁଁ ଭାରତକୁ ଜଣାଇଲି ଏବଂ ତା’ପରେ ସେମାନେ ଯୁଦ୍ଧବିରତି କଲେ। ପରେ ସେ କହିଲେ, ଆମେ ଭାରତ ଓ ପାକିସ୍ତାନକୁ କହିଥିଲୁ ଯେ ଯଦି ଯୁଦ୍ଧ ବନ୍ଦ ନୁହେଁ, ତେବେ ଆମେ ବାଣିଜ୍ୟ କରିବୁ ନାହିଁ। ପୁଣି କହିଲେ, କାଶ୍ମୀର ଉପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦରେ ଆମେ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ ଅଛୁ। ଭାରତ ଟ୍ରମ୍ପଙ୍କର ଏହି ସମସ୍ତ ଦାବିକୁ ମିଛ ବୋଲି କହି ଖାରଜ କରିଦେଇଛି। ବୈଦେଶିକ ମନ୍ତ୍ରାଳୟ କହିଛି, ଆମେରିକୀୟ ନେତାମାନଙ୍କ ସହ କାଶ୍ମୀର କିମ୍ବା ବାଣିଜ୍ୟ ବିଷୟରେ କୌଣସି ଆଲୋଚନା ହୋଇନାହିଁ। ଭାରତ ପରମାଣୁ ବ୍ଲାକମେଲିଂ ସହିବ ନାହିଁ।
ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ଯେତେବେଳେ ଆମେ ବିଶ୍ୱର ଅନ୍ୟ ଦେଶମାନଙ୍କ ସହ ଆଲୋଚନା କରୁଥିଲୁ, ତେବେ ଭାରତର ବାର୍ତ୍ତା ସମ୍ପୂର୍ଣ୍ଣ ସ୍ପଷ୍ଟ ଥିଲା। ଆମେ ସାର୍ବଜନୀନ ଭାବେ ଯାହା କହୁଥିଲୁ, ସେହି କଥା ହିଁ ବିଶ୍ୱର ଯେକୌଣସି ନେତାଙ୍କ ସହ ବ୍ୟକ୍ତିଗତ ଆଲୋଚନାରେ ମଧ୍ୟ କୁହାଯାଇଥିଲା। ଆମେ ସ୍ପଷ୍ଟ କହିଥିଲୁ ଯେ ଯଦି ପାକିସ୍ତାନୀ ସେନା ଗୁଳିଚାଳନା କରେ, ତେବେ ଭାରତୀୟ ସେନା ମଧ୍ୟ ଜବାବୀ ଗୁଳିଚାଳନା କରିବ। ଯଦି ପାକିସ୍ତାନ ଯୁଦ୍ଧ ବନ୍ଦ କରେ, ତେବେ ଭାରତ ମଧ୍ୟ ବନ୍ଦ କରିବ। ଏହି ବାର୍ତ୍ତା ଅପରେସନ ସିନ୍ଦୁର ଆରମ୍ଭ ସମୟରେ ପାକିସ୍ତାନକୁ ଦିଆଯାଇଥିଲା, ଯାହାକୁ ସେତେବେଳେ ପାକିସ୍ତାନ ଗୁରୁତ୍ୱ ଦେଇନଥିଲା। ସ୍ୱାଭାବିକ ଭାବେ ଅନେକ ବିଦେଶୀ ନେତା ଏହି କଥା ଶୁଣିଥିବେ ଏବଂ ସେମାନେ ନିଜର ପାକିସ୍ତାନୀ ସହଯୋଗୀମାନଙ୍କୁ ଏହା ବିଷୟରେ ଜଣାଇଥିବେ।
କାଶ୍ମୀର ଉପରେ ତୃତୀୟ ଦେଶର ହସ୍ତକ୍ଷେପ ଗ୍ରହଣୀୟ ନୁହେଁ
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି, କାଶ୍ମୀର ପ୍ରସଙ୍ଗରେ ଆମର ଦୀର୍ଘ ସମୟରୁ ଏକ ନୀତି ରହିଛି ଯେ ଭାରତୀୟ କେନ୍ଦ୍ରଶାସିତ ପ୍ରଦେଶ ଜମ୍ମୁ ଓ କାଶ୍ମୀର ସମ୍ବନ୍ଧୀୟ ଯେକୌଣସି ମୁଦ୍ଦାକୁ ଭାରତ ଓ ପାକିସ୍ତାନ ମିଳିତ ଭାବେ ସମାଧାନ କରିବ। ଆମେ ଏହି ନୀତି ବଦଳାଇ ନାହୁଁ। କୌଣସି ତୃତୀୟ ଦେଶର ହସ୍ତକ୍ଷେପ ଏଥିରେ ଆଦୌ ଗ୍ରହଣୀୟ ନୁହେ। ବର୍ତ୍ତମାନ ଯଦି ଆଲୋଚନା ହେବ, ତେବେ କେବଳ ପିଓକେ (ପାକିସ୍ତାନ ଅଧିକୃତ କାଶ୍ମୀର) ଉପରେ ହେବ, ଯାହା ପାକିସ୍ତାନର ଅଧୀନରେ ଅଛି। ଏହା ହିଁ ଏକମାତ୍ର ବିବାଦୀୟ ମୁଦ୍ଦା ବାକି ରହିଛି। ପାକିସ୍ତାନକୁ ପିଓକେ ଖାଲି କରିବାକୁ ହେବ।
ଟ୍ରମ୍ପ ଓ ବାଣିଜ୍ୟ
ଟ୍ରମ୍ପ ଦାବି କରିଥିଲେ ଯେ ଆମେ ଦ୍ୱିପାକ୍ଷିକ ବାଣିଜ୍ୟ କଥା କହି ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି କରାଇଥିଲୁ, କିନ୍ତୁ ବୈଦେଶିକ ମନ୍ତ୍ରଣାଳୟ ତାଙ୍କ ଦାବିକୁ ଖାରଜ କରିଦେଇଛି। ରଣଧୀର ଜୟସୱାଲ କହିଛନ୍ତି, ୦୭ ମେ’ରୁ ଅପରେସନ ସିନ୍ଦୁର ଆରମ୍ଭ ହେବା ଠାରୁ ୧୦ ମେ’ରେ ଗୁଳିଚାଳନା ଓ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବା ଉପରେ ସହମତି ହେବା ପର୍ଯ୍ୟନ୍ତ, ଭାରତୀୟ ଓ ଆମେରିକୀୟ ନେତାମାନଙ୍କ ମଧ୍ୟରେ କେବଳ ସୈନ୍ୟ କାର୍ଯ୍ୟାନୁଷ୍ଠାନ ବିଷୟରେ ହିଁ ଆଲୋଚନା ହୋଇଥିଲା। କୌଣସି ଆଲୋଚନାରେ ବାଣିଜ୍ୟ ପ୍ରସଙ୍ଗ ଉଠି ନଥିଲା।
ପରମାଣୁ ଯୁଦ୍ଧ ଉପରେ ଅଟକଳ
ବୈଦେଶିକ ମନ୍ତ୍ରାଳୟ କହିଛି, ଭାରତର ସୈନ୍ୟ କାର୍ଯ୍ୟାନୁଷ୍ଠାନ ପାରମ୍ପରିକ ଥିଲା। କିଛି ରିପୋର୍ଟରେ କୁହାଯାଇଥିଲା ଯେ ପାକିସ୍ତାନର ନ୍ୟାସନାଲ କମାଣ୍ଡ ଅଥରିଟି ୧୦ ମେ’ରେ ବୈଠକ କରିବ। କିନ୍ତୁ ପରେ ସେମାନେ ଏହାର ଖଣ୍ଡନ କରିଥିଲେ। ପାକିସ୍ତାନର ବୈଦେଶିକ ମନ୍ତ୍ରୀ ନିଜେ ରେକର୍ଡରେ ପରମାଣୁ ବିଷୟରେ ବୈଠକ ହେବାକୁ ଅସ୍ୱୀକାର କରିଥିଲେ। ଆମର ଅବସ୍ଥାନ ସ୍ପଷ୍ଟ ଯେ ଆମେ ପରମାଣୁ ବ୍ଲାକମେଲ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ। ଆମେ ଏହାର ନାମରେ ଆତଙ୍କବାଦର ଆଡ୍ଡା ଚଳାଇବାକୁ ଅନୁମତି ଦେବୁ ନାହିଁ। ବିଶ୍ୱର ବିଭିନ୍ନ ଦେଶ ସହ ଆଲୋଚନାରେ ମଧ୍ୟ ଆମେ ଏହା ସ୍ପଷ୍ଟ କରିଦେଇଛୁ।