ଆଡ଼ପ ବିଜେ ପୂର୍ବରୁ ପୁରୀରେ ଘଟିଛି ବଡ ଅଘଟଣ। ଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ଜନିତ ଦୁର୍ଘଟଣା ନେଇଛି ତିନି ଜୀବନ । ମାନବୀୟ ତ୍ରୁଟି ଓ ଅବହେଳା କାରଣରୁ ରଥ ସାମ୍ନାରେ—ପ୍ରେମକାନ୍ତ ମହାନ୍ତି (୭୬), ବାସନ୍ତୀ ସାହୁ (୩୬), ଏବଂ ପ୍ରଭାତୀ ଦାସ (୪୨)ଙ୍କର ମୃତ୍ୟୁ ହୋଇଛି । ଏଥିରେ ୬ ଜଣ ଆହତ ହୋଇଛନ୍ତି। ଆହତମାନେ ପୁରୀ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି । ଗୁଣ୍ଡିଚା ମନ୍ଦିର ନିକଟରେ ଭିଡ଼ ଜନିତ ଏଭଳି ମୃତ୍ୟୁ ପ୍ରଥମ । ଏହାକୁ ନେଇ ମୂଖ୍ୟମନ୍ତ୍ରୀ ମୋହନ ମାଝି ଜଗନ୍ନାଥ ପ୍ରେମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି । ମୃତକଙ୍କ ପରିବାର ନିକଟରେ ସମବେଦନା ଜ୍ଞାପନ କରିଛନ୍ତି ମୂଖ୍ୟମନ୍ତ୍ରୀ । ଗଜପତି ମହାରାଜା ଦୁଃଖ ପ୍ରକାଶ କରିବା ସହିତ ଆଗକୁ ଏଭଳି ଘଟଣାକୁ କିପରି ଏଡ଼ାଇ ହେବ ସେ ଦିଗରେ କାର୍ଯ୍ୟ ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଘଟଣାର ତ୍ୱରିତ ପଦକ୍ଷେପ ସ୍ୱରୂପ ମୂଖ୍ୟମନ୍ତ୍ରୀ ମୋହନ ମାଝି ନିଜ ବାସ ଭବନରେ ଗୁରୁତ୍ବପୂର୍ଣ୍ଣ ବୈଠକ ଡକାଇ ବଡ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦୁଇ ଉପ ମୂଖ୍ୟମନ୍ତ୍ରୀ, ଆଇନ ମନ୍ତ୍ରୀ ଓ ଗୃହ ସଚିବଙ୍କ ସହିତ ଆଲୋଚନା ପରେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଓ ପୁରୀ ଏସପି ଭିନିତ ଅଗ୍ରୱାଲଙ୍କୁ ବଦଳି କରିବା ସହିତ ଚଞ୍ଚଳ ରାଣାଙ୍କୁ ନୁଆ ଜିଲ୍ଲାପାଳ ଭାବେ ଦାୟିତ୍ଵ ଦିଆଯିବା ସହିତ ପିନାକ ମିଶ୍ରଙ୍କୁ ଏସ୍ ପି ଭାବେ ଦାୟିତ୍ଵ ଦିଆଯାଇଛି। ଡିସିପି ବିଶ୍ନୂପତି ଓ କମଣ୍ଡାଣ୍ଟ ଅଜୟ ପାଢ଼ୀଙ୍କୁ ଦାୟିତ୍ୱରେ ଅବହେଳା କାରଣରୁ ନିଲମ୍ବିତ କରାଯାଇଛି। ଏହା ବ୍ୟତୀତ ପୂର୍ବତନ ପୁରୀ ଜିଲ୍ଲାପାଳ ତଥା ବର୍ତ୍ତମାନର ଉଚ୍ଚ ଶିକ୍ଷା ସଚିବ ଅରବିନ୍ଦ ଅଗ୍ରୱାଲଙ୍କୁ ରଥର ଅତିରିକ୍ତ ଦାୟିତ୍ଵ ପ୍ରଦାନ କରଯାଇଛି । ମୃତକଙ୍କ ପରିବାରକୁ ୨୫ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ରାଜ୍ୟ ସରକାର । ଉନ୍ନୟନ କମିଶନର ଅନୁଗର୍ଗଙ୍କ ନେତୃତ୍ୱରେ ଭିଡ ମୁତ୍ୟୁର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି ।
ରଥଯାତ୍ରା ପାଇଁ ୧୩ ଲକ୍ଷ ଭକ୍ତଙ୍କ ସମାଗମ ଆକଳନ ହୋଇଥିବା ବେଳେ ଏଥର ଦେଢ଼ଗୁଣ ଅଧିକ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା ବୋଲି ସ୍ୱୟଂ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ରଥଯାତ୍ରା ସନ୍ଧ୍ୟାରେ ସୁଚନା ଦେଇଥିଲେ। କର୍ଡ଼ନ ଭିତରେ ଅଧିକ ଲୋକ ପ୍ରବେଶ କରିଥିବାରୁ ନନ୍ଦିଘୋଷ ରଥ ଟଣା ଯିବାରେ ବହୁ ବିଳମ୍ବ ଘଟିଥିଲା। ଏହାକୁ ନେଇ ସରକାରଙ୍କୁ ସମାଲୋଚନା କରାଯିବା ପରେ ସରକାର କୌଣସି ତ୍ରୁଟି ହୋଇ ନ ଥିବା ସଫେଇ ଦେଇଥିଲେ। ସରକାର ଭଲ ଭାବେ ଜାଣିଥିଲେ ଯେ ରବିବାର ଛୁଟିଦିନ। ମହାପ୍ରଭୁଙ୍କ ଆଡ଼ପ ବିଜେ। ଗତ ରାତିରେ ନିତିକାନ୍ତି ସରି ପହଡ଼ ହେବା ବେଳକୁ ରାତି ୧୨ ହୋଇଥିଲା । ଆଜି ସକାଳୁ ପହଡ଼ ଖୋଲିବା ବେଳକୁ ବହୁ ଭକ୍ତ ରଥ ଆଗରେ ଅପେକ୍ଷା କରି ବସି ରହିଥିଲେ। ଏହି ସମୟରେ କିଛି ଭକ୍ତ ରଥ ଆଡ଼କୁ ଆଗେଇ ଆସିବାରୁ ତଳେ ବସିଥିବା ଲୋକଙ୍କୁ ଝୁଣ୍ଟି ପଡିଗଲେ। ଗୁଣ୍ଡିଚା ମନ୍ଦିର ଓ ରଥ ମଝିରେ ଥିବା ଖାଲି ଯାଗାରେ ଦଳାଚକଟା ଆରମ୍ଭ ହୋଇଗଲା। ଏଥିରେ ୩ଜଣଙ୍କ ମୃତ୍ୟୁ ସହିତ ୬ ଜଣ ଆହତ ହେଇଥିଲେ। ଏହା ସ୍ପଷ୍ଟ ରୂପେ ଏକ ମାନବୀୟ ଅବହେଳା। ଭିଡ଼ ନିୟନ୍ତ୍ରଣରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସ୍ପଷ୍ଟ ହୋଇଛି। ଏ ଆଇ କ୍ୟାମେରା, କମାଣ୍ଡ କଣ୍ଟ୍ରୋଲ ସିଷ୍ଟମ , ବିପୁଳ ସୁରକ୍ଷା କର୍ମୀ ମୁତୟନ ଓ ଅତ୍ୟାଧୁନିକ ବ୍ୟବସ୍ଥା କୁଆଡେ ଗଲା ବୋଲି ଉଠିଛି ପ୍ରଶ୍ନ । ଘଟଣା ସ୍ଥଳରେ ପୋଲିସ ନ ଥିବା ନେଇ ଗୁରୁତର ଅଭିଯୋଗ ଉଠିଛି। ଅନେକ ବ୍ୟବସ୍ଥା ହୋଇଥିଲା କିନ୍ତୁ ଏହା ଅବ୍ୟବସ୍ଥାରେ ପରିଣତ ହୋଇଥିଲା। ଦାୟିତ୍ୱରେ ଥିବା ଆଇପିଏସ, ଡିଏସପି, ଇନ୍ସପେକ୍ଟର କାହିକି ନ ଥିଲେ ତାକୁ ନେଇ ମଧ୍ଯ ପ୍ରଶ୍ନ ଉଠିଛି। ପହୁଡ଼ ଖୋଲିବା ବେଳେ ସୁରକ୍ଷା ବ୍ୟବସ୍ଥା କୁଆଡେ଼ ଗଲା। ରଥ ଆଗରେ ବିଛା ଯାଇଥିବା ଜରିପାଲ ବର୍ଷାରେ ଓଦା ହୋଇଥିବା ସତ୍ତ୍ୱେ କାହିକି ଉଠା ଯାଇ ନ ଥିଲା। ଓଦା କରିପାଲରେ ଗୋଡ ଖସିବାରୁ ଅନେକ ଲୋକ ତଳେ ପଡ଼ିଯାଇଥିବା କୁହାଯାଇଛି।
କେମିତି ଘଟିଲା ଦୁର୍ଘଟଣା?
ଘଟଣାଟି ସକାଳ ୪:୦୦ରୁ ୫:୦୦ ମଧ୍ୟରେ ଘଟିଥିଲା, ପୂର୍ବ ଦିନରୁ ଶରଧା ବାଲିରେ ପହଞ୍ଚିଥିବା ତିନି ରଥ ଉପରେ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ଶନିବାର ରାତି ୧୨.୩୦ ବେକକୁ ପହୁଡ଼ ପଡ଼ିଥିଲା । ସକାଳୁ ପହଡ଼ କେତେବେଳେ ଖୋଲିବ ତାର ସୁଚନା ଭକ୍ତ ମାନଙ୍କୁ ଦିଆଯାଇ ନ ଥିଲା । ପହଡ଼ ଖୋଲିବା ପୁର୍ବରୁ ରଥ ନିକଟରେ ଅନେକ ଭକ୍ତ ଚଟାଣରେ ବସି ଯାଇଥିଲେ । ମହାପ୍ରଭୁଙ୍କ ପ୍ରାତଃ ଦର୍ଶନ ପାଇଁ ବହୁ ସଂଖ୍ୟାରେ ଭକ୍ତ ରଥ ଆଡ଼କୁ ପ୍ରବେଶ କରି ତଳେ ବସିଥିବା ଲୋକଙ୍କ ଉପରେ ଚଢ଼ି ଯାଇଥିଲେ । ଏହି ସମୟରେ ଚାରମାଳ ବହନ କରୁଥିବା ଦୁଇଟି ଟ୍ରକ ଭିଡ଼ଭାଡ଼ ଅଞ୍ଚଳରେ ପ୍ରବେଶ କରିବା ଯୋଗୁଁ ରଥ ଆଗରେ ଭିଡ ଅଧିକ ହୋଇଯାଇଥିଲା। ରବିବାର ସକାଳୁ ଭିଡ ହେବ ଜାଣି ସୁଦ୍ଧା ପହଡ଼ କାହିକି ପୂର୍ବରୁ ଖୋଲିଲାନି ତାକୁ ନେଇ ମଧ୍ଯ ଉଠିଲାଣି ପ୍ରଶ୍ନ। ପହୁଡ଼ ହେବା ପରେ ଘଣ୍ଟାଏ ଭିତରେ ପହୁଡ଼ ଖୋଲିଥିଲେ ଏହି ଘଟଣାକୁ ଏଡ଼ାଇ ଦିଆଯାଇ ପାରନ୍ତା। ଏ ନିଷ୍ପତ୍ତି ମନ୍ଦିର ପ୍ରଶାସନ ନେବାର ଥିଲା ବୋଲି କହିଛନ୍ତି ସେବାୟତ ଓ ବଡୁ ନିଯୋଗର ପ୍ରତିନିଧି।
ଘଟଣାକୁ ଅତ୍ୟନ୍ତ ଦୁର୍ଭାଗ୍ୟ ପୂର୍ଣ୍ଣ କହିଲେ ପୁରୀ ଗଜପତି ଦିବ୍ୟସିଂହ ଦେବ। ବ୍ୟାପକ ତଦନ୍ତ ପାଇଁ ସେ ରାଜ୍ୟ ସରକାରଙ୍କୁ ନିବେଦନ କରିବା ସହିତ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଗଜପତି ମହାରାଜା।
ମୁଖ୍ୟମନ୍ତ୍ରୀଙ୍କ କଡ଼ା ପ୍ରତିକ୍ରିୟା
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଅବହେଳାକୁ “ଅକ୍ଷମଣୀୟ ” ବୋଲି ବର୍ଣ୍ଣନା କରି ଦାୟୀ ବ୍ୟକ୍ତିଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ ଏହାକୁ ଦୁର୍ଘଟଣା ବୋଲି ସୂଚାଇ ଅବହେଳା କଥାକୁ ସ୍ବୀକାର କରିଛନ୍ତି। ଅବହେଳା କରିଥିବା କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି।
ବିରୋଧୀଙ୍କ ସମାଲୋଚନା
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ନେତା ରାମ ଚନ୍ଦ୍ର କଦମ ରାଜ୍ୟ ସରକାରଙ୍କୁ ଅବ୍ୟବସ୍ଥା ପାଇଁ ଦାୟୀ କରିଛନ୍ତି। ସେମାନେ ଭିଡ଼ ନିୟନ୍ତ୍ରଣ ଏବଂ ସୁରକ୍ଷା ବ୍ୟବସ୍ଥାର ତ୍ରୁଟିକୁ ନେଇ ସମାଲୋଚନା କରିଛନ୍ତି। ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ଘଟଣା ସମୟରେ ପୁଲିସ, ଅଗ୍ନିଶମ ବାହିନୀ କିମ୍ବା ଉଦ୍ଧାରକାରୀ ଦଳର ତୁରନ୍ତ ସାହାଯ୍ୟ ମିଳି ନ ଥିଲା।
ନିରାପତ୍ତା ପ୍ରଶ୍ନ ଉପରେ ଚିନ୍ତା
ଗୁଣ୍ଡିଚା ମନ୍ଦିରରେ ଏହା ପ୍ରଥମ ଭିଡ଼ଜନିତ ମୃତ୍ୟୁ ଘଟଣା, ଯାହା ବଡ଼ ଧାର୍ମିକ ସମାବେଶରେ ନିରାପତ୍ତା ବ୍ୟବସ୍ଥା ଉପରେ ଗମ୍ଭୀର ପ୍ରଶ୍ନ ଉଠାଇଛି । ରଥଯାତ୍ରାର ପ୍ରସ୍ତୁତି ବୈଠକ ସମୟରେ ସୁରକ୍ଷାକୁ ନେଇ ଯେଉଁ ବଡ ବଡ କଥା କୁହାଯାଉଥିଲା ତାହା କୁଆଡେ଼ ଗଲା ?
