ବାଲେଶ୍ୱର ଏଫ୍ଏମ୍ କଲେଜ୍ ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମଦାହ ଓ ମୃତ୍ୟୁ ନିଆଁ ପ୍ରଶମିତ ହୋଇନଥିବା ବେଳେ ବଳଙ୍ଗାରେ ଜଣେ ନାବାଳିକାଙ୍କୁ ଦୁର୍ବୃତ୍ତମାନେ ଜିଅନ୍ତା ଜାଳି ହତ୍ୟା ଉଦ୍ୟମ କରିଛନ୍ତି। ପୀଡ଼ିତା ସଙ୍କଟାପନ୍ନ ଅବସ୍ଥାରେ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଘଟଣାର ତଦନ୍ତ ଆରମ୍ଭ ହୋଇଛି। କେତେଦିନ ପରେ ଅଭିଯୁକ୍ତ ଧରାପଡ଼ିବେ, କେବେ ଦୋଷୀ ସାବ୍ୟସ୍ତ ହେବେ, କି ପ୍ରକାର ଦଣ୍ଡବିଧାନ ହେବ, ରାଜ୍ୟ ରାଜନୀତି କେଉଁ ମୋଡ଼ ନେବ, ତାହା ଭିନ୍ନ କଥା। କିନ୍ତୁ ଲଗାତାର ନିଆଁ ଓ ଜୀବନ-ମୃତ୍ୟୁ ଭିତରେ ଆରମ୍ଭ ହୋଇଥିବା ଏହି ଅଭୂତପୂର୍ବ ନାରକୀୟ ଖେଳ ଶାନ୍ତିପ୍ରିୟ ଓଡ଼ିଶାକୁ ଯେ ଜାତୀୟସ୍ତରରେ ନିନ୍ଦିତ କରିଛି ଏହା ଲଜ୍ଜାର ସହିତ ସ୍ଵୀକାର କରିବାକୁ ପଡ଼ିବ। ଦୁର୍ଯୋଗବଶତଃ ଦୁଇଟିଯାକ ଘଟଣା ଶନିବାର ଦିନ ହିଁ ଘଟିଛି।
ଉପରୋକ୍ତ ଘଟଣାକୁ ରାଜନୀତି ବିଶାରଦମାନେ କେଉଁ ଦୃଷ୍ଟିରୁ ବିଶ୍ଲେଷଣ କରିବେ, କେଉଁ ନିଷ୍କର୍ଷରେ ପହଞ୍ଚିବେ ତାହା ଅଳ୍ପେବହୁତ ବୁଝାପଡ଼ୁଛି। କିନ୍ତୁ ସମାଜବିଜ୍ଞାନୀଙ୍କ ମତରେ ନିକଟ ଅତୀତର ଗୋପାଳପୁର ଗଣଦୁଷ୍କର୍ମ ଅଘଟଣରୁ ସଦ୍ୟତମ ବଳଙ୍ଗା ପର୍ଯ୍ୟନ୍ତ ଗତ ପ୍ରାୟ ଏକମାସର ଘଟଣାବଳୀକୁ ତର୍ଜମା କଲେ ରାଜ୍ୟରେ ସାମାଜିକ ମୂଲ୍ୟବୋଧର ଗୁରୁତର ଅବକ୍ଷୟ ଘଟିଚାଲିଛି। ଏହିସବୁ ଘଟଣାବଳୀକୁ ତର୍ଜମା କଲେ ଲାଗୁଛି ମଣିଷ ମାନବିକତା ହରାଇଛି ଏବଂ ଆଇନ, ବିଚାର, ଦଣ୍ଡବିଧାନ ପ୍ରତି ଭୟ ତା’ ମନରୁ ପୂରା ଦୂରେଇ ଯାଇଛି। ଯଦି ଏହି ନାରକୀୟ ଧାରା ଜାରି ରହେ ତେବେ ଓଡ଼ିଶା ଖୁବ୍ ଶୀଘ୍ର ବିହାରର ଜଙ୍ଗଲୀରାଜ କିମ୍ବା ମଣିପୁର ହେବାକୁ ବେଶୀ ବିଳମ୍ବ ହେବ ନାହିଁ ।
ଯେତେବେଳେ ଜନତାଙ୍କ ମନରୁ ଆଇନ ଶୃଙ୍ଖଳାର ଭୟ ଦୂରେଇ ଯାଏ ସେତେବେଳେ ରାଜ୍ୟ କିମ୍ବା ଦେଶ ଅରାଜକତା ଦିଗକୁ ଯାଉଛି ବୋଲି ବୁଝାଯାଏ। ଓଡ଼ିଶା ପରିପ୍ରେକ୍ଷୀରେ ଏତେଶୀଘ୍ର କୌଣସି ନିଷ୍କର୍ଷରେ ପହଞ୍ଚିବା ଉଚିତ ନ ହେଲେ ମଧ୍ୟ ଅବଚେତନ ମନରେ ଏହି ଧାରଣାଟିଏ କ୍ରମଶଃ ଦୃଢ଼ୀଭୂତ ହେଉଛି। ଅପରାଧର ଆୟୁଧ ଛୁରୀ, ଭୁଜାଲି, ଖଣ୍ଡା ଆଦିରୁ ବିଗତ ଶତାବ୍ଦୀର ଶେଷ ଦଶକରେ ଗୁଳିଗୋଳାର ରୂପ ନେଇ ଚଳିତ ଶତାବ୍ଦୀ ଆରମ୍ଭ ବେଳକୁ ଏସିଡ୍ ଆକ୍ରମଣରେ ପହଞ୍ଚିଥିଲା। ଏବେ କିନ୍ତୁ ବାଲେଶ୍ୱରରୁ ବଳଙ୍ଗା ପର୍ଯ୍ୟନ୍ତ ଘଟଣାକ୍ରମକୁ ଅନୁଶୀଳନ କଲେ ପେଟ୍ରୋଲ୍ କିରାସିନି ଆଦି ଦହନଶୀଳ ପଦାର୍ଥ ଅପରାଧର ନୂଆ ଆୟୁଧ ହୋଇଛି। ବୋଧହୁଏ ଅପରାଧୀ ଚାହୁଁଛି ତା’ ଆଖୁରେ ଶତ୍ରୁ ସାଜିଥିବା ବ୍ୟକ୍ତିଟିକୁ ସେ କେବଳ ହତ୍ୟା କରିବ ନାହିଁ, ବରଂ କଲବଲ କରି ହତ୍ୟା କରିବ। ହଠାତ୍ ଏ ପୈଶାଚିକ ମାନସିକତା ଜନ୍ମ ନେଲା କେଉଁଠୁ ଏବଂ କିପରି?
ବୁଦ୍ଧିଜୀବୀ ମହଲରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ଏହାର ନିରାକରଣ ହେବ କେମିତି ଏବଂ କରିବ କିଏ? କେତେକ ମହଲର ମତ ଯେ ଏଭଳି ମାନସିକତାଧାରୀ ଦୁବୃର୍ତ୍ତଙ୍କୁ ଆଇନ ଅନୁଯାୟୀ ଦଣ୍ଡ ଅପେକ୍ଷା ଏନ୍କାଉଣ୍ଟର ହତ୍ୟା ବା ଯେସାକୁ ତେସା ଭଳି ଦଣ୍ଡବିଧାନ ସର୍ବାଦୌ ଉଚିତ ବିକଳ୍ପ। ପୀଡ଼ିତ/ପୀଡ଼ିତାଙ୍କ ମଧ୍ୟ ସ୍ୱଚ୍ଛନ୍ଦରେ ସ୍ୱାଧୀନ ଭାବରେ ବଞ୍ଚିବାର ଅଧିକାର ଅଛି। ସେହି ଆକାରର ଯିଏ ଯେଭଳି ହନନ କରୁଛି ତା’କୁ ସେଭଳି ଦଣ୍ଡିତ ନ କରିବା ପର୍ଯ୍ୟନ୍ତ ସମାଜର କଳୁଷିତ ମାନସିକତାରେ ସୁଧାର କଦାପି ଆସିବ ନାହିଁ। କିନ୍ତୁ ଏ ଦିଗରେ ପ୍ରତିବନ୍ଧକ ସାଜିଥିବା ବିଭିନ୍ନ ତଥାକଥିତ ସଂସ୍ଥାମାନେ ଏହା ହୃଦୟଙ୍ଗମ କରିବା ଦରକାର।
ବସ୍ତୁତଃ ଆଜି ଝିଅଟିଏ କିମ୍ବା ଯୁବତୀଟିଏ ଘରେ, ବାହାରେ, କାର୍ଯ୍ୟାଳୟରେ କେଉଁଠାରେ ମଧ୍ୟ ସୁରକ୍ଷିତ ନୁହେଁ। ଘରେ ପାରିବାରିକ ହିଂସା ବଢ଼ି ଚାଲୁଥିବାବେଳେ କର୍ମକ୍ଷେତ୍ରରେ ଯୌନ ଓ ମାନସିକ ନିର୍ଯାତନା ଆଜିକାଲି ଏକ ସାଧାରଣ କଥା ହୋଇଗଲାଣି। ସବୁଠାରୁ ଉଦ୍ବେଗଜନକ ହୋଇଛି ମଣିଷ ଜୀବନରେ ଶିକ୍ଷା ଓ ଚାରିତ୍ରିକ ସଂସ୍କାରର ଭିତ୍ତି ଗଢୁଥିବା ପବିତ୍ର ଶିକ୍ଷାନୁଷ୍ଠାନମାନଙ୍କୁ ମଧ୍ୟ ଯୌନପିପାସା ସଞ୍ଚରି ଚାଲିଛି।
ବାଲେଶ୍ୱର ଏଫ୍ଏମ୍ କଲେଜରେ ବିଭାଗୀୟ ମୁଖ୍ୟଙ୍କ ପରେ ସମ୍ବଲପୁର ଜିଏମ୍ କଲେଜର ଆଉ ଜଣେ ଅଧ୍ୟାପକଙ୍କ କଳାକାରନାମା ସାମ୍ନାକୁ ଆସିଛି । ସନ୍ଧ୍ୟା ପରେ ଶିକ୍ଷାନୁଷ୍ଠାନ ପରିସରରେ କୌଣସି ମହିଳା ଅଧ୍ୟାପକ, ମହିଳା କର୍ମଚାରୀ କିମ୍ବା ଛାତ୍ରୀ ରହିପାରିବେ ନାହିଁ ବୋଲି ରାଜ୍ୟର ସ୍ୱନାମଧନ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିର୍ଦ୍ଦେଶନାମା ଜାରି(ବିରୋଧ ପରେ ପ୍ରତ୍ୟାହୃତ ହୋଇଛି) ପରେ ଶିକ୍ଷାନୁଷ୍ଠାନମାନଙ୍କରେ ଯେ ମହିଳା କିମ୍ବା ଛାତ୍ରୀ ସୁରକ୍ଷିତ ନୁହନ୍ତି ତାହା ଉପରେ ମୋହର ଲାଗିଛି।
ଶିକ୍ଷାନୁଷ୍ଠାନଗୁଡ଼ିକରେ ଏଭଳି ଘଟଣାମାନ ନିୟମିତ ଘଟିଚାଲିଛି, ଯାହା ଭିତରୁ କାଁ ଭାଁ ଗଣମାଧମରେ ପ୍ରକାଶ ପାଉଛି । ଏପରିକି ଅଧ୍ୟାପକ/ ପ୍ରଧାପକମାନଙ୍କ ମାନସିକ ନିର୍ଯାତନାକୁ ସହି ନ ପାରି ଏବଂ ସେମାନଙ୍କ ଯୌନଲାଳସାକୁ ଚରିତାର୍ଥ ନ କରିପାରି ଅନେକ ମେଧାବୀ ଛାତ୍ରୀ ଅଧାରୁ ପାଠପଢ଼ା ଓ ଗବେଷଣାରୁ ଓହରି ଯିବାକୁ ବାଧ୍ୟ ହୋଇଥିବାର ଉଦାହରଣ ମଧ୍ୟ ବହୁଳ। ଚାରିକାନ୍ଥ ଭିତରେ ଯେଉଁଠି ଝିଅଟିଏ ସୁରକ୍ଷିତ ନୁହେଁ, ରାସ୍ତାଘାଟରେ ସୁରକ୍ଷା ବିଷୟ ଉଠୁଛି କେଉଁଠୁ? ତେବେ କ’ଣ ସମାଜ ପୁଣି ସେହି ମଧ୍ୟଯୁଗୀୟ ସମୟକୁ ଫେରିଯିବାକୁ ବାଧ୍ୟ ହେବ ଯେଉଁଠାରେ ମହିଳାମାନଙ୍କୁ ଲୌହପରଦା ଆଢ଼ୁଆଳରେ ରହିବାକୁ ପଡ଼ୁଥିଲା?
ଏଫ୍ଏମ୍ କଲେଜ୍ ଓ ଜିଏମ୍ କଲେଜରେ ଯୌନ ନିର୍ଯାତନା ଘଟଣା ପଦାକୁ ଆସିବା ପରେ ଯାଇ ବୋଧହୁଏ ସରକାର ଚେତିଛନ୍ତି। ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଛାତ୍ରୀଙ୍କ ନିରାପତ୍ତା ଲାଗି ‘ଶକ୍ତିଶ୍ରୀ’ ନାମରେ ଏକ ଯୋଜନା ଘୋଷଣା କରିଛି। ଏହି ଯୋଜନା କେବଳ ଦନ୍ତହୀନ ବ୍ୟାଘ୍ର ହୋଇ ରହିଯିବ କି ପ୍ରଭାବଶାଳୀ ହେବ ତାହା ରୂପାୟନ ଓ ଅଭିଯୋଗ ପରବର୍ତ୍ତୀ ତତ୍କାଳ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ନିର୍ଭର କରୁଛି। ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷଙ୍କ ଉଦାସୀନତା ଓ ସରକାରଙ୍କ ନିଷ୍ଠାର ଅଭାବ ଯୋଗୁଁ ରାଗିଂ ଭଳି ଅମାନୁଷିକ କଳୁଷିତ ପରମ୍ପରା ଅନେକ କଠୋର କଟକଣା ସତ୍ତ୍ୱେ ପ୍ରାୟ ସବୁ ଶିକ୍ଷାନୁଷ୍ଠାନରେ ଜାରିରହିଛି। ତେଣୁ ଯୋଜନା ଅପେକ୍ଷା ରୂପାୟନ ହିଁ ଅଧିକ ଗୁରୁତ୍ଵ ରଖେ। ଆଶା ସରକାର ଏ ଦିଗଟିକୁ ଅଧିକ ଗୁରୁତ୍ୱ ଦେବେ।
Also Readhttps://purvapaksa.com/kerala-nurse-nimisha-priyas-execution-and-kerala-credit-politics/


