ଆନ୍ଧ୍ରପ୍ରଦେଶର ତିରୁପତି ମନ୍ଦିରରେ ଦଳାଚକଟାରେ ୬ ଜଣଙ୍କ ଜୀବନ ଚାଲିଯାଇଛି । ଏହାସହିତ ଅନେକ ଲୋକ ଆହତ ହୋଇଛନ୍ତି । ଏହାପରେ ତିରୁମାଲା ତିରୁପତି ଦେବସ୍ଥାନମ(TTD) ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗିଛନ୍ତି ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ ।
ବୋର୍ଡର ସଦସ୍ୟ ଭାନୁ ପ୍ରକାଶ ରେଡ୍ଡୀ କହିଛନ୍ତି କି, ମନ୍ଦିରରେ ଏକାଦଶୀ ଦର୍ଶନ ପାଇଁ ଟୋକନ ବଣ୍ଟାଯିବାର ଥିଲା । ତେଣୁ ୯୧ କାଉଣ୍ଟର ଖୋଲାଯାଇଥିଲା । ହେଲେ ଶ୍ରଦ୍ଧାଳୁଙ୍କ ଭିଡ ଅଧିକ ରହିଥିଲା । ତେଣୁ ଦଳାଚକଟା ସ୍ଥିତି ଉପୁଜିଥିଲା । ଘଟଣାରେ ୬ ଜଣଙ୍କର ଜୀବନ ଚାଲିଯାଇଥିବା ବେଳେ ୪୦ରୁ ଅଧିକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଯାଇଛି । ତେବେ ଟିଟିଡି ଇତିହାସରେ ପ୍ରଥମ ଥର ଏଭଳି ଘଟଣା ଘଟିଛି । ମୁଁ ସମସ୍ତ ଶ୍ରଦ୍ଧାଳୁଙ୍କୁ କ୍ଷମା ମାଗୁଛି ।
ଆନ୍ଧ୍ରପ୍ରଦେଶର ତିରୁପତି ସ୍ଥିତ ପ୍ରଭୁ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିରରେ ବୈକୁଣ୍ଠ ଏକାଦଶୀ ପର୍ବ ଆରମ୍ଭ ହେବାକୁ ଯାଉଛି । ୧୦ ଦିନ ଧରି ଚାଲିବାକୁ ଥିବା ଏହି ଉତ୍ସବ ପାଇଁ ଦର୍ଶନ ଟୋକନ ଗୁରୁବାର ସକାଳ ୫ ଟାରୁ ବଣ୍ଟନ କରାଯିବାର ଥିଲା । ତେବେ ବୁଧବାର ରାତିରୁ ହିଁ ହଜାର ହଜାର ଶ୍ରଦ୍ଧାଳୁ ଟିକେଟ୍ କାଉଣ୍ଟରରେ ଭିଡ ଜମାଇଥିଲେ । ଉତ୍ସବ ପାଇଁ ସ୍ଥାପିତ ୯୦ରୁ ଅଧିକ ଟିକେଟ୍ କାଉଣ୍ଟରରେ ଟୋକନ ପାଇଁ ପ୍ରବଳ ଭିଡ଼ ଜମିଥିଲା ।
ଟୋକନ ନେବା ପାଇଁ ପ୍ରାୟ ୪ ହଜାରରୁ ଅଧିକ ଲୋକ ଏକାଠି ହୋଇଥିଲେ । ହେଲେ ଏଥିପାଇଁ ମାତ୍ର ୯୧ କାଉଣ୍ଟର ଖୋଲାଯାଇଥିଲା । ଟୋକନ ନେବା ପାଇଁ ଭିଡ ଅନିୟନ୍ତ୍ରିତ ହୋଇପଡିଥିଲା । ଭିଡ଼ରେ ମହିଳା, ବୟସ୍କ ମଧ୍ୟ ସାମିଲ ଥିଲେ ।
ଟିଟିଡିର ଅଧ୍ୟକ୍ଷଙ୍କ କହିବା ମୁତାବକ, ଭିଡ ଭତରେ ଜଣେ ମହିଳା ଅସୁସ୍ଥ ଅନୁଭବ କରୁଥିଲେ। ତାଙ୍କୁ ସାହାଯ୍ୟ କରିବା ପାଇଁ ଫାଟକ ଖୋଲିବା ମାତ୍ରେ ଲୋକମାନେ ଗେଟ୍ ଡେଇଁ ଆଗକୁ ବଢ଼ି ଯାଇଥିଲେ । ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଥିଲା । ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥାର ଅଭାବ ହେତୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା ।
ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଦୁଃଖ ପ୍ରକାଶ କରିଛନ୍ତି । ଅଧିକାରୀଙ୍କୁ ଘଟଣା ସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିବାକୁ କହିଛନ୍ତି ।
also read https://purvapaksa.com/this-indian-got-the-first-india-gem-know-when-it-started/
ଏହି ଭାରତୀୟ ପାଇଥିଲେ ପ୍ରଥମ ଭାରତ ରତ୍ନ, ଜାଣନ୍ତୁ କେବେ ହୋଇଥିଲା ଆରମ୍ଭ