ଯମୁନାକୁ ମିଳିଲା ସାଥି
ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଶିମିଳିପାଳକୁ ଆସିଛି ଆଉ ଏକ ବାଘୁଣୀ । ବାଘୁଣୀର ନାଁ ରଖାଯାଇଛି ଗଙ୍ଗା । ଆଜି ସକାଳ ୯ଟାରେ ବାଘୁଣୀ ଗଙ୍ଗାକୁ ଏନକ୍ଲୋଜରକୁ ଛଡାଯାଇଛି । ଯମୁନାକୁ ଛଡାଯାଇଥିବା ଏନକ୍ଲୋଜରରେ ବାଘୁଣୀ ଗଙ୍ଗାକୁ ଛଡାଯାଇଛି । ତାର ବୟସ ୩ ବର୍ଷ । ତାର ସ୍ୱାସ୍ଥ୍ୟାବସ୍ଥା ଠିକ୍ ଥିବା କହିଛନ୍ତି ଆରସିସିଏଫ। କିଛି ଦିନ ଏନକ୍ଲୋଜରରେ ରଖି ତାର ଗତିବିଧି ଉପରେ ନଜର ରଖାଯିବ । ଏହାପରେ ଗଙ୍ଗାକୁ ଜଙ୍ଗଲକୁ ଛଡାଯିବ । ୧୩ ନଭେମ୍ବରରୁ ମହାରାଷ୍ଟ୍ର ତଡବା ଅଭୟାରଣ୍ୟରୁ ଗଙ୍ଗାକୁ ରାୟପୁର, ସମ୍ବଲପୁର, ଯଶିପୁର ଦେଇ ଶିମିଳିପାଳକୁ ଅଣାଯାଇଛି । ପୂର୍ବରୁ ଯମୁନାକୁ ୧୫ ଦିନ ଲାଗି ଯେଉଁ ଏନକ୍ଲୋଜରରେ ରଖାଯାଇଥିଲା । ଏବେ ତାକୁ ମଧ୍ୟ ସେହିଠାରେ ଛଡାଯାଇଛି ।
ତେବେ ଗଙ୍ଗାକୁ ଧରିବାକୁ ୧୦ ଜଣିଆ ଏସଟିଆର ଟିମକୁ ସପ୍ତାହେ ନାକେଦମ ହେବାକୁ ପଡିଛି। ଗତ ୧୩ ତାରିଖ ଅପରାହ୍ନରେ ତାବୋଡା ଠାରେ ତାକୁ ନିଶ୍ଚେତକ ଦିଆଯାଇ ଧରାଯିବା ପରେ ୯୦୦କିମି ଯାତ୍ରା କରାଇ ଗୁରୁବାର ରାତି ୧୦ଟାରେ ଶିମିଳିପାଳର ଗୁଡୁଗୁଡ଼ିୟା ଠାରେ ପହଞ୍ଚିଥିଲା । ଗଙ୍ଗା ୩ ବର୍ଷ ବୟସର ବାଘୁଣୀ ହୋଇଥିବା ବେଳେ ସୁସ୍ଥ ଓ ସକ୍ରିୟ ଅଛି । କଲର୍ ଆଇଡି ଦ୍ଵାରା ଏବେ ୧୫ ଦିନ ଯାଏଁ ତା ସ୍ୱାସ୍ଥ୍ୟ ଓ ଗତିବିଧି ଉପରେ ନଜର ରଖାଯିବ ବୋଲି ଏସଟିଆର୍ ପକ୍ଷରୁ ସୂଚନା ମିଳିଛି।
୨୦୨୩ ବାଘ ଗଣନା ଅନୁସାରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ମହାବଳ ବାଘ ସଂଖ୍ୟା ବଢିଛି । ୩୯ଟି ବାଘ ଥିବା ବେଳେ ୫୦ପ୍ରତିଶତ କଳା ବାଘ ରହିଛନ୍ତି। ଏହି ବାଘଙ୍କ ମଧ୍ୟରେ ୧୨ଟି ଛୁଆ ବାଘ ରହିଛନ୍ତି। ତେଣୁ ଭବିଷ୍ୟତରେ ବାଘ ସଂଖ୍ୟା ବୃଦ୍ଧି ପାଇଁ ବାହାର ରାଜ୍ୟରୁ ୬ଟି ବାଘ ଆଣିବା ନେଇ ଯୋଜନା ହୋଇଥିଲା। ତିନିମାସ ତଳେ ରାଜ୍ୟ ମୁଖ୍ୟ ବନ ସଂରକ୍ଷକ ଏନଟିସିଏକୁ ଆବେଦନ କରିଥିଲେ। ଏଟିସିଏ ପକ୍ଷରୁ ଅନୁମତି ମିଳିବା ପରେ କେନ୍ଦ୍ର ସରକାର ସବୁଜ ସଙ୍କେତ ଦେଇଥିଲେ। ପୂର୍ବରୁ ଅକ୍ଟୋବର ମାସରେ ଶିମିଳିପାଳ ଜଙ୍ଗଲରେ ଯମୁନାକୁ ଛଡାଯାଇଥିଲା ।

ମହାରାଷ୍ଟ୍ରର ତଡବା-ଅନ୍ଧାରୀ ଟାଇଗର ରିଜର୍ଭରୁ ଆସିଥିବା ଅଢେଇ ବର୍ଷର ବାଘୁଣୀ ଯମୁନାକୁ ଶିମିଳିପାଳର ବ୍ୟାଘ୍ର ସଂରକ୍ଷଣରେ ଛଡ଼ା ଯାଇଥିଲା । ଏବେ ଦ୍ୱିତୀୟ ବାଘୁଣୀକୁ ଶିମିଳିପାଳ ଅଣାଯାଇଛି । ଜୈବ ବିବିଧତାରେ ଭରପୁର ଶିମିଳିପାଳ ଅଭୟାରଣ୍ୟ ଦେଶ ବିଦେଶର ପର୍ଯ୍ୟଟକଙ୍କୁ ସବୁବେଳେ ଆକର୍ଷିତ କରିଥାଏ। ତେଣୁ ଅଧିକରୁ ଅଧିକ ପର୍ଯ୍ୟଟକଙ୍କୁ ଏଠାକୁ ଆକର୍ଷିତ କରିପା ପାଇଁ ଏସଟିଆର ପକ୍ଷରୁ ବାଘ ବଂଶ ବଢାଇବା ପାଇଁ ସବୁ ପ୍ରକାର ଯୋଜନା କରାଯାଇଛି। ଏବେ ନିକଟରେ କିଛି ପର୍ଯ୍ୟଟକ କଳା ବାଘ ବୁଲୁଥିବାର ଦେଖିଥିଲେ। ଯାହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଏହାସହ ରାଜ୍ୟରେ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି। ଅନୁଗୁଳ ଜିଲ୍ଲାରେ ଥିବା ସାତକୋଶିଆରେ ପୁଣି ବାହାରୁ ବାଘ ଆଣି ଛାଡିବାକୁ ନକ୍ସା ପ୍ରସ୍ତୁତ କରାଯାଇଛି। ଏଠାରେ ସ୍ୱତନ୍ତ୍ର ଭାବେ ବାଘ ସଫାରୀ କରାଯିବାର ନୀଳ ନକ୍ସା ପ୍ରସ୍ତୁତ ହୋଇଛି। ସେଥିପାଇଁ ମଧ୍ୟ ସର୍ବେକ୍ଷଣ ଚାଲୁ ରହିଛି।
previous article: https://purvapaksa.com/historical-balijatra-in-cuttack/

