ଭୁବନେଶ୍ୱର କ୍ଲବରେ କ’ଣ ଅଛି? କାହିଁକି ପୂର୍ବତନ ମୁଖ୍ୟ ସଚିବରୂପୀ ପବ୍ଲିକ ସର୍ଭାଣ୍ଟମାନେ ଏହାର ସଭାପତି ହେବା ପାଇଁ ହାଇଁପାଇଁ କାହିଁକି ହୁଅନ୍ତି? ଏହାର ନିର୍ବାଚନ କାହିଁକି ଚର୍ଚ୍ଚାର କେନ୍ଦ୍ରବିନ୍ଦୁରେ ରହେ? ପୁଣି କେମିତି ଏହି କ୍ଲବ୍ ପରିଚାଳନାରୁ ରାଜନେତାଙ୍କୁ ଦୂରେଇ ଦିଆଯାଏ? ଏମିତି ଅନେକ ପ୍ରଶ୍ନ ରାଜ୍ୟର ସବୁଠାରୁ ସମ୍ଭ୍ରାନ୍ତ ଭୁବନେଶ୍ୱର କ୍ଲବକୁ ନେଇ ଏବେ କିଛି ମହଲରେ ଚର୍ଚ୍ଚା ହେଉଛି। ସାଧାରଣ ଲୋକଟିଏ ମଧ୍ୟ ରାଜଧାନୀକୁ ଆସିଲେ ଏଜି ଛକ ଦେଇ ରାଜଭବନ ଗଲାବେଳେ ବାମ ପାର୍ଶ୍ୱରେ ଏହି କ୍ଲବର ଗେଟକୁ ଦେଖି ବହୁତ କିଛି ଭାବେ କିନ୍ତୁ ପ୍ରଶ୍ନ କାହାକୁ ପଚାରିବ ତାହା ଖୋଜି ପାଏ ନାହିଁ। ଆସନ୍ତା କିଛିଦିନ ଭିତରେ ନୂଆ ପରିଚାଳନା କମିଟି ଗଠନ ପାଇଁ ହାଇଭୋଲ୍ଟେଜ୍ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ହେଉଥିବା ଭୁବନେଶ୍ୱର କ୍ଲବ୍।
ପ୍ରତିବନ୍ଧକଯୁକ୍ତ ଆଡ୍ଡାସ୍ଥଳ ଭୁବନେଶ୍ୱର କ୍ଳବ
ବିଧାନସଭା ଓ ସଚିବାଳୟରୁ ମାତ୍ର ଅଳ୍ପକିଛି ଦୂରରେ ରହିଛି ଭୁବନେଶ୍ୱର କ୍ଲବ। କେବଳ କିଛି ପ୍ରଭାବଶାଳୀ ପବ୍ଲିକ ସର୍ଭାଣ୍ଟ ଓ ବ୍ୟବସାୟୀଙ୍କ ଏହା ଏକ ସ୍ୱତନ୍ତ୍ର ପ୍ରତିବନ୍ଧକଯୁକ୍ତ ଆଡ୍ଡାସ୍ଥଳ ନୁହେଁ ବରଂ ରାଜ୍ୟର ଜନସାଧାରଣଙ୍କ ଝାଳବୁହା ଟିକସ ଅର୍ଥକୁ ଲୁଟ୍ କରିବାର ଯୋଜନା କେନ୍ଦ୍ର ବୋଲି ଆଲୋଚନା ହୁଏ। ରାଜ୍ୟ ଶାସନରେ ଏହି କ୍ଲବ୍ର ସନ୍ଧ୍ୟା ଅନେକ ପ୍ରଭାବ ପକାଏ ବୋଲି ଚର୍ଚ୍ଚା ହୁଏ। ଯାହା ଅଫିସ କୋଠାର ଚାରିକାନ୍ଥ ଭିତରେ ହୋଇନପାରେ ଏଠାର ବିଲିୟାର୍ଡସ୍ ଟେବୁଲ ଓ ପୁଲ୍ ପାର୍ଟିରେ ନିର୍ଦ୍ଧାରିତ ହୋଇଥାଏ ବୋଲି କୁହାଯାଏ। ଏଇଥିପାଇଁ କିଛି ବ୍ୟବସାୟୀ ପ୍ରଭାବଶାଳୀ ପବ୍ଲିକ ସର୍ଭାଣ୍ଟମାନଙ୍କ ସହ ମେଣ୍ଟ କରିବା ତଥା ପରିଚୟ ବୃଦ୍ଧି ପାଇଁ ଲକ୍ଷ ଲକ୍ଷ ଟଙ୍କା ଦେଇ ଏହାର ସଦସ୍ୟତା ନିଅନ୍ତି। ଏହି ବ୍ୟବସାୟୀମାନେ ପ୍ରତିଟି କାର୍ଯ୍ୟକ୍ରମରେ ମୋଟା ଅଙ୍କର ଦାନ ବି ଦିଅନ୍ତି। ହେଲେ କେବେ ଏ କ୍ଲବର ନେତୃତ୍ୱ ନେବାକୁ ସକ୍ଷମ ହୋଇପାରନ୍ତି ନାହିଁ। ତେଣୁ ସାଧାରଣ ଲୋକ ସଦସ୍ୟ ହେବା ବା କ୍ଳବ ପରିସରକୁ ଯିବାକୁ ଅନୁମତି ନ ଥାଏ।
ରାଜନେତା କ୍ଳବର ସଦସ୍ୟ ନୁହଁନ୍ତି
କେବଳ ବ୍ୟବସାୟୀ ବା ଅନ୍ୟ କମ୍ୟୁନିଟି ନୁହଁନ୍ତି, ରାଜନେତା ବି କ୍ଲବ ପରିଚାଳନାର ଚାରିକଡ଼ରେ ପଶିବାକୁ ସକ୍ଷମ ହୋଇପାରନ୍ତି ନାହିଁ। ସେଥିପାଇଁ କ୍ଷମତାରେ ଥାଇ ବି ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଅନ୍ୟ ମନ୍ତ୍ରୀ ଏ କ୍ଲବ୍ର ନିର୍ବାଚନରେ ଭାଗ ନିଅନ୍ତି ନାହିଁ। ଏବର୍ଷ ଚାଲିଥିବା ନିର୍ବାଚନ ପ୍ରସ୍ତୁତି କଥା କୁହନ୍ତୁ କି ବିଗତ ଦିନମାନଙ୍କର ସଭାପତି ତାଲିକାକୁ ଦେଖିଲେ ଏ ବିଷୟକୁ ଆପଣ ଅନୁମାନ କରିପାରିବେ। ଖାଲି ସେତିକି ନୁହେଁ ଆହୁରି ଅନେକ କଥା ଏ ପରିଚାଳନା କମିଟିର ତାଲିକାକୁ ଦେଖିଲେ ସ୍ପଷ୍ଟ ହୁଏ। ଅନେକ ପ୍ରଶ୍ନ ବି ଉଠେ। ସେସବୁକୁ ତିନିଟି ବିନ୍ଦୁରେ ମୁଁ ଆପଣଙ୍କ ସାମ୍ନାକୁ ଆଣିବାକୁ ଯାଉଛି।
କ୍ଳବକୁ ନେଇ ତିନିଟି ପ୍ରଶ୍ନ
- ପ୍ରଥମେ ହେଉଛି ଏ କ୍ଳବ୍ କ’ଣ କେବଳ ଆଇଏଏସ୍ରୂପୀ ପବ୍ଲିକ ସର୍ଭାଣ୍ଟଙ୍କ କ୍ଲବ?
- ଦ୍ୱିତୀୟରେ ଏ କ୍ଲବରେ ହୁଏ କ’ଣ? କାହିଁକି ପୂର୍ବତନ ମୁଖ୍ୟ ସଚିବରୂପୀ ପବ୍ଲିକ ସର୍ଭାଣ୍ଟମାନେ ଏହି କ୍ଲବ୍ର ସଭାପତି ହେବା ପାଇଁ ଦୌଡ଼ନ୍ତି।
- ତୃତୀୟରେ ନିର୍ବାଚନ ଲଢ଼ିବାକୁ ସବୁବେଳେ ଆଗ୍ରହୀ ଥିବା ରାଜନେତା କାହିଁକି ଏ କ୍ଲବରେ ପ୍ରବେଶ କରନ୍ତି ନାହିଁ? ସବୁ କ୍ଲବ, ସୋସାଇଟିରେ ନେତା ମନ୍ତ୍ରୀ ରହିବାକୁ ପସନ୍ଦ କରୁଥିବାବେଳେ ଭୁବନେଶ୍ୱର କ୍ଲବଠୁ ସେମାନେ କାହିଁକି ଦୂରେଇ ରହନ୍ତି? କିଛି ପ୍ରତିବନ୍ଧକ ଅଛି କି?
କାହିଁକି ଆଜିର ପ୍ରସଙ୍ଗ ଭୁବନେଶ୍ୱର କ୍ଳବ?
ଏସବୁ ପ୍ରଶ୍ନର ଉତ୍ତର ଆଜି କହିବି। ତା’ ଭିତରେ କହିବି ଭୁବନେଶ୍ୱର କ୍ଲବର ଆଭ୍ୟନ୍ତରୀଣ ରାଜନୀତି କଥା। ତା ପୂର୍ବରୁ ଏହାର ପୃଷ୍ଠଭୂମିଟି ସ୍ପଷ୍ଟ କରିବାକୁ ଚାହେଁ। କାହିଁକି ଆମେ ଆଜି ଏ ବିଷୟକୁ ବାଛିଲୁ?
ଏପଛର ମୂଳ କାରଣ ହେଲା ଆସନ୍ନ ହୋଇଥିବା ଭୁବନେଶ୍ୱର କ୍ଲବ ନିର୍ବାଚନ। ଆସନ୍ତା ୨୦ ଓ ୨୧ ତାରିଖରେ ଏଥିଲାଗି ଭୋଟ ଗ୍ରହଣ କରାଯିବ। ୨୧ରେ ନୂଆ ପରିଚାଳନାମଣ୍ଡଳୀ ସ୍ଥିର କରାଯିବ ଯେଉଁମାନେ ଆସନ୍ତା ୨ ବର୍ଷ ଯାଏ କାର୍ଯ୍ୟ କରିବେ। ଏଥିଲାଗି ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ଆସନ୍ତା କାଲି ଶେଷ ହେଉଛି।
ଭୁବନେଶ୍ୱର କ୍ଳବ ସଭାପତି ପାଇଁ ଅସିତ ବନାମ ପ୍ରଦୀପ
ସଭାପତିଙ୍କ ପ୍ୟାନେଲ୍ ଅନୁସାରେ ଏହି ନିର୍ବାଚନରେ ଭୋଟ ଗ୍ରହଣ କରାଯିବ। ଏଥିନେଇ ମୁଖ୍ୟତଃ ଦୁଇଟି ଦାବିଦାର ରହିଛନ୍ତି। ଜଣେ ହେଉଛନ୍ତି ପୂର୍ବତନ ସଭାପତି ଅସିତ ତ୍ରିପାଠୀ। ସେ ତାଙ୍କ ପ୍ୟାନେଲ୍ ପ୍ରସ୍ତୁତ କରି ପୋଷ୍ଟର ବ୍ୟାନର ବ୍ୟବସ୍ଥା କଲେଣି। ବିଭିନ୍ନ ପ୍ଲାଟଫର୍ମରେ ଏନେଇ ପ୍ରଚାର ବି ହେଲାଣି।
ଆଉ ଏହାଙ୍କ ପ୍ୟାନେଲ ବିରୋଧରେ ପ୍ରାର୍ଥୀ ହୋଇଛନ୍ତି ପ୍ରଦୀପ ଜେନା। ସେ ପୂର୍ବରୁ କେବଳ ସଦସ୍ୟ ଥିଲେ, କ୍ଲବର କୌଣସି ପଦପଦବୀ ଗ୍ରହଣ କରିନଥିଲେ। କିନ୍ତୁ ସେ ତାଙ୍କ ପ୍ୟାନେଲ୍ ସ୍ଥିର କରି ଏବେ ମୈଦାନକୁ ଓହ୍ଲାଇଛନ୍ତି। ପ୍ରାୟ ୩ ହଜାର ସଦସ୍ୟଙ୍କ ଭିତରୁ ଭୋଟ ଅଧିକାର ଥିବା ସଦସ୍ୟମାନେ ହିଁ ଏଥିଲାଗି ଭୋଟ ଦେବେ। ଏହା ଆସନ୍ତ ୨୧ ତାରିଖରେ ସ୍ପଷ୍ଟ ହେବ।
କ୍ଳବ ନା ବେପାରସ୍ଥଳ
ଏବେ ପ୍ରଥମ ପ୍ରଶ୍ନର ଉତ୍ତର ଖୋଜିବା। ପ୍ରଶ୍ନ ହେଉଛି ଏ କ୍ଳବ୍ କ’ଣ କେବଳ ପବ୍ଲିକ ସର୍ଭାଣ୍ଟଙ୍କ କ୍ଲବ? ଉତ୍ତର ହେଉଛି ସ୍ପଷ୍ଟ ଭାବେ ନା। ଏହି ଉତ୍ତର ପରେ ଆପଣଙ୍କ ମନରେ ପ୍ରଶ୍ନ ଉଠିପାରେ ତେବେ ପବ୍ଲିକ ସର୍ଭାଣ୍ଟରୂପୀ ଆଇଏଏସ୍ମାନେ ଏଠାରେ କାହିଁକି ସବୁବେଳେ ସଭାପତି ହୁଅନ୍ତି?
ଏହାର ଉତ୍ତର ଭାରି ଜଟିଳ। ତେବେ ତାହାକୁ ଯଥା ସମ୍ଭବ ସରଳ କରିବାକୁ ଏଠାରେ ଚେଷ୍ଟା କରୁଛି। ସେଥିଲାଗି କ୍ଲବର ଇତିହାସ ପୃଷ୍ଠାକୁ ବି ଓଲଟାଇବାକୁ ଚାହିଁବି। ୫୦ ଦଶକରେ ପ୍ରତିଷ୍ଠା ହୋଇଥିବା ଏହି କ୍ଲବ୍ ତତ୍କାଳୀନ ଭୁବନେଶ୍ୱରରର ସମ୍ଭ୍ରାନ୍ତଙ୍କ ଲାଗି ଏକ ଅବସର ବିନୋଦନ ସ୍ଥାନ ଭାବେ ପରିଚିତ ଥିଲା। ଏବେ ତ ବାହାଘର ମଣ୍ଡପ ବି କ୍ଲବ ପରିସରରେ ଖୋଲିଛି। ଏହା ହୁଏତ କ୍ଲବର ଆୟ ବଢ଼ାଇବାକୁ ହୋଇଥାଇପାରେ କିନ୍ତୁ ସରକାର ଯେତେବେଳେ ଜାଗା ପ୍ରଦାନ କରିଥିଲେ ସେତେବେଳେ ଏ ବିଷୟକୁ ଆଖିରେ ରଖାଯାଇନଥିଲା।
ଭୁବନେଶ୍ୱର କ୍ଳବର ପ୍ରତିଷ୍ଠାତା ପବ୍ଲିକ ସର୍ଭାଣ୍ଟ ନୁହେଁ ଖଲ୍ଲିକୋଟ୍ ରାଜା
ଯେମିତି ସ୍ୱାଧୀନତା ପରେ ସମ୍ବିଧାନ ସଭାର ବିଶିଷ୍ଟ ବ୍ୟକ୍ତିମାନଙ୍କ ଅବସର ବିନୋଦନ ଲାଗି ନୂଆଦିଲ୍ଲୀରେ କନ୍ଷ୍ଟିଚ୍ୟୁସନ୍ କ୍ଲବ୍ ତିଆରି କରାଯାଇଥିଲା ଠିକ୍ ସେହି ଧାରାରେ ହୁଏତ ତତ୍କାଳୀନ ଭୁବନେଶ୍ୱର ନିର୍ମାତାମାନଙ୍କୁ ଏହି କ୍ଲବ୍ ପ୍ରୋତ୍ସାହିତ କରୁଥିଲା। ସେତେବେଳେ ଏହାର ପୃଷ୍ଠପୋଷକ ଥିଲେ ଖଲିକୋଟର ରାଜା ହରିହର ମର୍ଦ୍ଦରାଜ ଦେଓ। ସେ ରାଜ୍ୟର ଜଣେ ମାନ୍ୟଗଣ୍ୟ ବ୍ୟକ୍ତିଭାବେ ସେ ପରିଚିତ। ଓଡ଼ିଶା ଗଠନରେ ତାଙ୍କର ଭୂମିକା ଅନନ୍ୟ। ତାଙ୍କ ସହ ସମ୍ପାଦକ ଭାବେ କ୍ଲବରେ ଥିଲେ ପୂର୍ତ୍ତ ଇଞ୍ଜିନିୟର ସିଏମ୍ ବେନେଟ। ଏହି ଦୁଇଜଣଙ୍କ ଯୋଡ଼ି ୧୯୫୧ରୁ ୧୯୫୩ ଯାଏ କ୍ଲବର ପରିଚାଳନା କମିଟିର ଅଧ୍ୟକ୍ଷ ଓ ସମ୍ପାଦକ ଭାବେ ସାମିଲ ରହିଛି। ଅର୍ଥାତ୍ ଆଜି ଆପଣ କ୍ଲବର ଯେଉଁ ପ୍ରତିଷ୍ଠା ଦେଖୁଛନ୍ତି ତାହାର ମୂଳପିଣ୍ଡ ଏମାନେ ପକାଇଥିଲେ।
ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ କ୍ଳବର ସଭାପତି ଥିଲେ
ଏହାଙ୍କ ପରେ ଦଶପଲ୍ଲାର ରାଜା ସାହେବ କ୍ଲବର ସଭାପତି ହେଲେ। ସେ ୧୯୫୪ରୁ ୫୭ ଯାଏ କ୍ଲବର ସଭାପତି ରହିଲେ। ତାଙ୍କୁ ତତ୍କାଳୀନ ଆର୍ଡିସି ତଥା ପବ୍ଲିକ ସର୍ଭାଣ୍ଟ ପି କେ କପିଳା, ଏବଂ ପବ୍ଲିକ ସର୍ଭାଣ୍ଟ ବି ମୁଖାର୍ଜୀ ସହାୟତା କରୁଥିଲେ। ସେମାନେ ସମ୍ପାଦକ ଭାବେ ମଧ୍ୟ କ୍ଲବରେ କାର୍ଯ୍ୟ କରିଛନ୍ତି। ଏହାଙ୍କ ପରେ ହରେକୃଷ୍ଣ ମହତାବ ଓ ବିଜୁ ପଟ୍ଟନାୟକ ଭୁବନେଶ୍ୱର କ୍ଲବର ସଭାପତି ରହିଛନ୍ତି। ସେତେବେଳେ ମୁଖ୍ୟମନ୍ତ୍ରୀ ପଦରେ ଥାଇ ମଧ୍ୟ ଏହି ଦୁଇ ନେତା କ୍ଲବର ସଭାପତି ଥିଲେ। ନିର୍ବାଚନ ଲଢ଼ୁଥିଲେ। ଏ ଦୁଇ ନେତାଙ୍କ ପରେ କିନ୍ତୁ ଭୁବନେଶ୍ୱର କ୍ଲବର ସଭାପତି ପଦବୀରେ ଆଉ କୌଣସି ରାଜନେତାଙ୍କୁ ଦେଖିବାକୁ ମିଳି ନାହିଁ। ଅମଲାତନ୍ତ୍ରୀ ଅଧିକାରୀମାନେ ଏହି କ୍ଲବର ପ୍ରଶାସନକୁ ଅକ୍ତିଆର କରି ଏପରି ଦୁର୍ଗନିର୍ମାଣ କରିଛନ୍ତି ଯେ କୌଣସି ରାଜନେତା ଏ ଦୁର୍ଗକୁ ଭାଙ୍ଗିବା ଦୂରେ ଥାଉ କବାଟ ଖୋଲିବାରେ ମଧ୍ୟ ସମର୍ଥ ହେଉ ନାହିନ୍ତି।
ନିନ୍ଦା ପାଇଁ ରାଜନେତା ଦୂରେଇ ରହୁଛନ୍ତି କ୍ଳବରୁ
କିନ୍ତୁ କାହିଁକି? ନେତା ଅଫିସରଙ୍କୁ ଡରୁଛନ୍ତି କି? ପୂର୍ବରୁ ଉଠିଥିବା ତୃତୀୟ ପ୍ରଶ୍ନର ଏହା ହେଉଛି ଅଂଶ ବିଶେଷ। ଦ୍ୱିତୀୟ ପ୍ରଶ୍ନକୁ ଯିବା ପୂର୍ବରୁ ଆସନ୍ତୁ ପ୍ରଥମେ ତୃତୀୟ ପ୍ରଶ୍ନର ଉତ୍ତର ଖୋଜିବା। ପ୍ରଶ୍ନଥିଲା ନିର୍ବାଚନ ଲଢ଼ିବାକୁ ସବୁବେଳେ ଆଗ୍ରହୀ ଥିବା ରାଜନେତା କାହିଁକି ଏ କ୍ଲବରେ ପ୍ରବେଶ କରନ୍ତି ନାହିଁ? ସବୁ କ୍ଲବ, ସୋସାଇଟିରେ ନେତା ମନ୍ତ୍ରୀ ରହିବାକୁ ପସନ୍ଦ କରୁଥିବା ବେଳେ ଭୁବନେଶ୍ୱର କ୍ଲବଠୁ ସେମାନେ କାହିଁକି ଦୂରେଇ ରହନ୍ତି? କିଛି ପ୍ରତିବନ୍ଧକ ଅଛି କି?
ଉତ୍ତର ହେଉଛି କିଛି ଆଇନଗତ ପ୍ରତିବନ୍ଧକ ନାହିଁ। କିନ୍ତୁ ନେତାମାନେ ଏଠାକୁ ଯାଇ ଅମଲାଙ୍କ ସଙ୍ଗେ ବସିବାର ସାହସ କରିପାରୁ ନାହାନ୍ତି। ଏହାର କାରଣ ପଛରେ ନିଜ ଭିତରେ ଥିବା ହୀନମନ୍ୟତା ଅଥବା ସଙ୍କୋଚ ଭାବ ରହିଥାଇପାରେ। ଅଥବା ଏଠାରେ ଯେଉଁ କାରବାର ଚାଲେ ସେଥିଲେ ନେତାଙ୍କ ଆଗ୍ରହ ରହେ ନାହିଁ ଅବା ସେଥିରେ ନିନ୍ଦିତ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇନପାରେ।
କ୍ଲବ ନୋଟିସ ବୋର୍ଡରେ ରାଜନେତା ତଥା ସମ୍ପାଦକଙ୍କୁ ଅଶାଳୀନ ମନ୍ତବ୍ୟ
ତେବେ ଏ କ୍ଲବରେ ଏମିତି କ’ଣ ହୁଏ କି ଏପରି ଆଶଙ୍କା ହେଉଛି? ଦ୍ୱିତୀୟ ପ୍ରଶ୍ନର ଏହି ଉତ୍ତର ଏହାର କାର୍ଯ୍ୟଧାରେରେ ସମ୍ପୃକ୍ତ ରହିଛି। ଅତୀତରେ ଜଣେ ସଭାପତିଙ୍କ କାର୍ଯ୍ୟକୁ ନେଇ ଏକ ଖବରକାଗଜରେ ଛୋଟିଆ ଖବରଟିଏ ପ୍ରକାଶ କରିବାକୁ ଚେଷ୍ଟା କରାଯାଇଥିଲା। ଯେଉଁଥିରେ ଉତ୍କ୍ଷୀପ୍ତ ହୋଇ ସଭାପତି ଥିବା ସେଇ ପବ୍ଲିକ ସର୍ଭାଣ୍ଟ ଜଣକ ଏମିତି ନୋଟିସ ଜାରି କଲେ ଯେ ସରକାର ବି ତାହାକୁ ଡରିଲେ। ଏପରିକି କ୍ଲବରେ ନୋଟିସ୍ ବୋର୍ଡରେ ଖବର ପ୍ରକାଶ କରିଥିବା ସମ୍ପାଦକଙ୍କୁ କୁକୁର ବୋଲି ସମ୍ବୋଧନ କରାଗଲା। ସମ୍ପୃକ୍ତ ସମ୍ପାଦକ ଜଣେ ରାଜନେତା ଓ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବି ସେହି ପବ୍ଲିକ ସର୍ଭାଣ୍ଟଙ୍କର କିଛି କରିପାରିନଥିଲେ। ଏଥିରୁ ଆପଣ ଅନୁମାନ କରନ୍ତୁ, ସେଠାରେ କ’ଣ ହେଉଥାଇପାରେ। ଯେତିକି ପରୋକ୍ଷ ସୂଚନା ଆସେ ସେହି ଅନୁସାରେ ଏଠାରେ ବ୍ୟବସାୟୀ ଓ ଅଧିକାରୀଙ୍କ ଭିତରେ ବଡ଼ ବଡ଼ ‘ଡିଲ୍’ ସବୁ ହୁଏ। ଅବସର ବିନୋଦନ ନାଁରେ ବ୍ୟବସାୟ ବି ହୁଏ। ଏ କଥାର କୌଣସି ପ୍ରମାଣ ଆମ ପାଖରେ ନାହିଁ। ଏଣୁ ଏପରି ଅଭିଯୋଗ ଅନୁସନ୍ଧାନ ସାପେକ୍ଷ।
କ୍ଳବ ନିର୍ବାଚନରେ ବି ପାଣ୍ଡିଆନ
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ବିଜୁ ପଟ୍ଟନାୟକଙ୍କ ସଭାପତିତ୍ୱ ପରେ ଏହାର ସଭାପତି ପଦ ପାଇଁ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ ପୂର୍ବତନ ମୁଖ୍ୟ ଶାସନ ସଚିବଙ୍କ ଭିତରେ ଅନେକ ଆଗ୍ରହ ଦେଖିବାକୁ ମିଳିଥିଲା। ନୀଳମଣି ସେନାପତିଙ୍କ କଥା କୁହନ୍ତୁ କି ଭିଏସ୍ ମାଥ୍ୟୁସ, ଏଲ୍ଆଇ ପରିଜା ହୁଅନ୍ତୁ କି ରବି ନାରାୟଣ ଦାସ. ସୁଧାଂଶୁ ଭୂଷଣ ମିଶ୍ର ହୁଅନ୍ତୁ ବା ଅସିତ ତ୍ରିପାଠୀ ଏହି ପଦବୀ ଲାଗି ଆଗଭର ହୋଇଛନ୍ତି। ଏବେ ବି ଯେଉଁ ସଭାପତି ନିର୍ବାଚନ ସମୟ ଚାଲିଛି ଏଥିରେ ଆଉ ଜଣେ ପୂର୍ବତନ ମୁଖ୍ୟ ସଚିବଙ୍କ ନାଁ ଚର୍ଚ୍ଚା ହେଉଛନ୍ତି। ଆଉ ଏହି ଚର୍ଚ୍ଚା ଭିତରକୁ କେବେ ରାଜନେତା ଆସିବାକୁ ସାହସ ବି କରି ନାହାନ୍ତି। ହେଲେ ଏଥର କିନ୍ତୁ ପରିସ୍ଥିତି ବଦଳିବାକୁ ଯାଉଛି। ପ୍ରଥମ ଥର ପାଇଁ ଅସିତଙ୍କ ବିରୋଧରେ ଠିଆ ହେବାକୁ ଯାଉଥିବା ପ୍ରାର୍ଥୀ ସରକାରୀ ଦଳ ଦ୍ୱାରା ପ୍ରାୟୋଜିତ ବୋଲି ଚର୍ଚ୍ଚା ହେଉଛି। ଏଣୁ ସରକାରଙ୍କ ଉପରେ ଆସ୍ଥା ଥିବା ଅଧିକାରୀମାନେ ତାଙ୍କୁ ଭୋଟ ଦେଇପାରନ୍ତି। ଆଉ ସେ ଯଦି ବିଜେତା ହୁଅନ୍ତି ତେବେ ଭୁବନେଶ୍ୱର କ୍ଲବରେ ଦୁଇଟି ପରିବର୍ତ୍ତନ ହେବ। ଗୋଟିଏ ହେଉଛି ପାଣ୍ଡିଆନ୍ ମାର୍କା ଅଧିକାରୀଙ୍କ ପ୍ରଭାବ କମିବ ଆଉ ଦ୍ୱିତୀୟରେ ସରକାରଙ୍କ ପ୍ରବେଶ ପୁଣିଥରେ ଆରମ୍ଭ ହେବ।
Also readhttps://purvapaksa.com/lopamudra-mohantys-recently-published-book-lokapua-suriya-review/
‘Lokapua Suriya’ ।। ଭଲ ଲାଗିଲେ ଜଣେଇବେ; ଲେଖିବି ଲୋକାପୁଅ ସୁରିଆ କଥା…
