ସାଧାରଣତଃ କୌଣସି ଦେଶର ସେନା ଧାର୍ମିକ ବିଶ୍ୱାସରୁ ଦୂରେଇ ରହିଥାଏ। ଏକ ପେଶାଦାର ସେନାର ସ୍ୱରୂପ ଧର୍ମନିରପେକ୍ଷ ହୋଇଥାଏ। କିନ୍ତୁ ପାକିସ୍ତାନୀ ସେନାର ମାମଲା କିଛି ଭିନ୍ନ। ପାକିସ୍ତାନୀ ସେନାରେ ଧର୍ମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ ଏବଂ ସୈନିକମାନଙ୍କୁ ଏହା ପାଳନ କରିବାକୁ ଶିଖାଯାଏ। ଧାର୍ମିକ ଶିକ୍ଷା ପାକିସ୍ତାନୀ ସେନାର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ, ଯାହା ସୈନିକମାନଙ୍କୁ ଇସଲାମିକ ମୂଲ୍ୟବୋଧ ଓ ସିଦ୍ଧାନ୍ତ ସହ ପରିଚିତ କରାଏ। କିନ୍ତୁ ଆପଣ ଜାଣନ୍ତି କି ପାକିସ୍ତାନୀ ସେନାର ଧାର୍ମିକ ଶିକ୍ଷା ପଛରେ ଭାରତରେ ଜନ୍ମ ହୋଇଥିବା ଜଣେ ବ୍ୟକ୍ତିଙ୍କ ହାତ ରହିଛି। ତାଙ୍କ ଲେଖା ପୁସ୍ତକଗୁଡ଼ିକ ମାଧ୍ୟମରେ ପାକିସ୍ତାନୀ ସେନାକୁ ଧାର୍ମିକ ଶିକ୍ଷା ଦିଆଯାଏ। ସେ ଆଉ କେହି ନୁହନ୍ତି, ପ୍ରସିଦ୍ଧ ଇସଲାମିକ ବିଦ୍ୱାନ ମୌଲାନା ଅବୁଲ ଆଲା ମୌଦୂଦୀ। ସେ ଜମାତ-ଏ-ଇସଲାମୀର ପ୍ରତିଷ୍ଠାତା ମଧ୍ୟ ଥିଲେ। ଦେଶବିଭାଜନ ପରେ ସେ ପାକିସ୍ତାନକୁ ଚାଲିଯାଇଥିଲେ।
ମୌଲାନା ଅବୁଲ ଆଲା ମୌଦୂଦୀଙ୍କର ଜନ୍ମ ୧୯୦୩ରେ ତତ୍କାଳୀନ ହାଇଦ୍ରାବାଦର ଔରଙ୍ଗାବାଦରେ ଏକ ପ୍ରତିଷ୍ଠିତ ମୁସଲିମ୍ ପରିବାରରେ ହୋଇଥିଲା। ଦେଶବିଭାଜନ ପୂର୍ବରୁ ୧୯୪୧ରେ ସେ ଲାହୋରରେ ‘ଜମାତ-ଏ-ଇସଲାମୀ’ ନାମକ ସଂଗଠନର ପ୍ରତିଷ୍ଠା କରିଥିଲେ, ଯାହାର ଉଦ୍ଦେଶ୍ୟ ଥିଲା ଇସଲାମର ସାମ୍ରାଜ୍ୟ ସ୍ଥାପନ କରିବା। ଏକ ସମୟରେ ଜମାତ-ଏ-ଇସଲାମୀକୁ ଏସିଆର ସବୁଠାରୁ ପ୍ରଭାବଶାଳୀ ଇସଲାମିକ ସଂଗଠନ ମଧ୍ୟରେ ଗଣାଯାଉଥିଲା। ଏହାର ପ୍ରେରଣା ତାଙ୍କୁ ୧୯୨୮ରେ ପ୍ରତିଷ୍ଠିତ ମୁସଲିମ ବ୍ରଦରହୁଡରୁ ମିଳିଥିଲା। ଅବୁଲ ଆଲା ମୌଦୂଦୀ ଭାରତ-ପାକିସ୍ତାନ ବିଭାଜନର ବିରୋଧୀ ଥିଲେ। କିନ୍ତୁ ବ୍ରିଟିଶ ଶାସନରୁ ସ୍ୱାଧୀନତା ମିଳିବା ଓ ଦେଶ ବିଭାଜନ ହେବା ପରେ ସେ ପାକିସ୍ତାନକୁ ଚାଲିଯାଇଥିଲେ। ଅବୁଲ ଆଲା ମୌଦୂଦୀଙ୍କୁ ଜଣେ ମୌଳବାଦୀ ଇସଲାମିକ ବିଦ୍ୱାନ ବୋଲି ଗଣାଯାଏ, ଯାହଙ୍କ ଦ୍ୱାରା ଆତଙ୍କବାଦୀ ସଂଗଠନ ଆଇଏସ ବା ଇସଲାମିକ ଷ୍ଟେଟ ମଧ୍ୟ ପ୍ରଭାବିତ ହୋଇଥିଲା।
ମୌଲାନା ଅବୁଲ ଆଲା ମୌଦୂଦୀଙ୍କ ବାଲ୍ୟକାଳରେ ତାଙ୍କ ପାଇଁ ଘରେ ପାରମ୍ପରିକ ଇସଲାମିକ ଶିକ୍ଷାର ବ୍ୟବସ୍ଥା କରାଯାଇଥିଲା। ସେହି ସମୟରେ ସେ ତାରିକା ବା ମୁସଲିମ ଆଧ୍ୟାତ୍ମିକ ପଥରେ ଚାଲିବା ଆରମ୍ଭ କରିଥିଲେ। ମୌଦୂଦୀ ୧୧ ବର୍ଷ ବୟସରେ ମଦରସାରେ ପଢ଼ିବା ଆରମ୍ଭ କରିଥିଲେ। ଯଦିଓ ପରେ ଅବୁଲ ଆଲା ମୌଦୂଦୀଙ୍କ ପିତା ତାଙ୍କୁ ଆଙ୍ଗ୍ଲୋ-ମୋହାମ୍ମଡ଼ାନ ଓରିଏଣ୍ଟାଲ କଲେଜରେ ଭର୍ତ୍ତି କରାଇଥିଲେ, ଯାହାକୁ ସୈୟଦ ଅହମଦ ଖାନ ୧୮୭୫ରେ ମୁସଲମାନମାନଙ୍କ ମଧ୍ୟରେ ଆଧୁନିକତାବାଦୀ ଚିନ୍ତାଧାରା ପ୍ରୋତ୍ସାହନ ଦେବା ପାଇଁ ପ୍ରତିଷ୍ଠା କରିଥିଲେ। ଏହି କଲେଜ ପରେ ଅଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇଥିଲା। କିନ୍ତୁ ପରିବାର ତାଙ୍କୁ ପାରମ୍ପରିକ ଶିକ୍ଷା ଦେବାକୁ ଚାହୁଁଥିଲେ, ତେଣୁ ତାଙ୍କୁ ଅଲିଗଡ଼ରୁ ଫେରାଇ ଆଣିଥିଲେ।
୨୪ ବର୍ଷ ବୟସରେ ଲେଖିଥିଲେ ପ୍ରଥମ ପୁସ୍ତକ
ଅବୁଲ ଆଲା ମୌଦୂଦୀ ମାତ୍ର ୨୪ ବର୍ଷ ବୟସରେ ତାଙ୍କର ପ୍ରଥମ ପୁସ୍ତକ ‘ଅଲ-ଜିହାଦ ଫିଲ ଇସଲାମ’ ଲେଖିଥିଲେ। ଏହାପରେ ମୌଦୂଦୀ ଦର୍ଶନଶାସ୍ତ୍ର, ମୁସଲିମ ନ୍ୟାୟଶାସ୍ତ୍ର, ଇତିହାସ, ଅର୍ଥନୀତି, ସମାଜଶାସ୍ତ୍ର ଓ ଧର୍ମଶାସ୍ତ୍ର ସମେତ ବିଭିନ୍ନ ବିଷୟରେ ଲେଖିଥିଲେ। ସେ ତାଙ୍କର ଏହି ଥିସିସ ପାଇଁ ସବୁଠାରୁ ଅଧିକ ଜଣାଶୁଣା, ଯେ କେବଳ ଈଶ୍ୱର ହିଁ ସର୍ବୋଚ୍ଚ ଶାସକ, ମାନବ ଶାସକ ନୁହନ୍ତି। ଏହି ଦୁନିଆରେ ରାଜନୈତିକ ଶକ୍ତି ଶରିୟତର (ଇସଲାମିକ ଆଇନଗତ ଓ ନୈତିକ ସଂହିତା) ଐଶ୍ୱରିକ ସିଦ୍ଧାନ୍ତଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ହେବା ଉଚିତ। ଯେହେତୁ ସମସ୍ତ ମୁସଲମାନ ଈଶ୍ୱର ସହ ଏକ ସମାନ ସମ୍ପର୍କ ରଖନ୍ତି, ତେଣୁ ମୌଦୂଦୀଙ୍କ ମତରେ ରାଷ୍ଟ୍ର ଏପରି ହେବା ଉଚିତ ଯେଉଁଠାରେ ‘ଐଶ୍ୱରିକ ଗଣତନ୍ତ୍ର’ ରହିବ।
ଦେଶରେ ଇସଲାମିକ ଆଇନର ସମର୍ଥକ
ମୌଲାନା ଅବୁଲ ଆଲା ମୌଦୂଦୀ ଇସଲାମିକ ଆଇନର ସମର୍ଥକ ଥିଲେ। ତେଣୁ ସେ ଏହାକୁ ପାକିସ୍ତାନରେ କାର୍ଯ୍ୟକାରୀ କରିବା ପାଇଁ ବହୁତ ଓକାଲତି କରିଥିଲେ। ତାଙ୍କର ବିଚାରଧାରା ହେତୁ ପାକିସ୍ତାନରେ ତାଙ୍କୁ ଅନେକ ଥର ଗିରଫ କରାଯାଇ ଜେଲରେ ରଖାଯାଇଥିଲା। ପ୍ରଥମ ଥର ପାଇଁ ତିନି ବର୍ଷ ଏବଂ ଦ୍ୱିତୀୟ ଥର ପାଇଁ ଦୁଇ ବର୍ଷ ସେ ପାକିସ୍ତାନର ବିଭିନ୍ନ ଜେଲରେ ବନ୍ଦୀ ରହିଥିଲେ। ୧୯୫୩ରେ ତାଙ୍କୁ ଏକ ସେନା ଅଦାଲତ ମୃତ୍ୟୁଦଣ୍ଡ ଶୁଣାଇଥିଲା, ଯାହା ପରେ ଆଜୀବନ କାରାଦଣ୍ଡରେ ପରିଣତ ହୋଇଥିଲା। ମୁସଲମାନମାନଙ୍କର ପବିତ୍ର ଧାର୍ମିକ ଗ୍ରନ୍ଥ କୁରାନ ଶରିଫ ଉପରେ ସେ ତିନି ଦଶନ୍ଧି ଧରି କାମ କରିଥିଲେ ଏବଂ ୧୯୭୨ରେ ତଫହିମ-ଉଲ-କୁରାନ ସମ୍ପୂର୍ଣ୍ଣ କରିଥିଲେ। ୧୯୭୯ରେ ଚିକିତ୍ସା ପାଇଁ ସେ ଆମେରିକା ଯାଇଥିଲେ ଏବଂ ସେହିଠାରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କୁ ଲାହୋରକୁ ଆଣି ସମାଧି ଦିଆଯାଇଥିଲା। ମୌଦୂଦୀ ତାଙ୍କ ଜୀବନରେ ୭୦ରୁ ଅଧିକ ପୁସ୍ତକ ଲେଖିଥିଲେ ଏବଂ ହଜାରେରୁ ଅଧିକ ବକ୍ତୃତା ଦେଇଥିଲେ। ଇସଲାମିକ କଟ୍ଟରପନ୍ଥୀଙ୍କ ଉପରେ ତାଙ୍କର ବକ୍ତୃତାର ବିଶେଷ ପ୍ରଭାବ ରହୁଥିଲା।
ବିଭାଜନ ପରେ ବିଭାଜିତ ହୋଇଥିଲା ଜମାତ
ଅବୁଲ ଆଲା ମୌଦୂଦୀଙ୍କ ଦ୍ୱାରା ଗଠିତ ‘ଜମାତ-ଏ-ଇସଲାମୀ’ ୧୯୪୭ରେ ଦେଶବିଭାଜନ ପରେ ଭାରତ ଓ ପାକିସ୍ତାନରେ ଅଲଗା ଅଲଗା ସଂଗଠନରେ ବିଭାଜିତ ହୋଇଥିଲା। ଗୋଟିଏ ଦଳର ନାମ ହେଲା ଜମାତ-ଏ-ଇସଲାମୀ ପାକିସ୍ତାନ ଏବଂ ଅନ୍ୟଟି ହେଲା ଜମାତ-ଏ-ଇସଲାମୀ ହିନ୍ଦ। ଜମାତ-ଏ-ଇସଲାମୀ ହିନ୍ଦର ପ୍ରତିଷ୍ଠା ୧୯୪୮ରେ ହୋଇଥିଲା। ଜମାତ-ଏ-ଇସଲାମୀ ପାକିସ୍ତାନ ପାକିସ୍ତାନର ବିଭାଜନ ଓ ଅଲଗା ବାଂଲାଦେଶ ଗଠନର ତୀବ୍ର ବିରୋଧ କରିଥିଲା। ୧୯୭୧ରେ ବାଂଲାଦେଶର ସ୍ୱାଧୀନତା ଆନ୍ଦୋଳନରେ ଏହି ସଂଗଠନ ପାକିସ୍ତାନର ସାଙ୍ଗରେ ରହିଥିଲା। ପରେ ଏହା ବାଂଲାଦେଶରେ ଇସଲାମୀକରଣର ପ୍ରୟାସରେ ଲାଗିଥିଲା ଏବଂ ସେଠାରେ ମଧ୍ୟ ଏକ ସକ୍ରିୟ ସଂଗଠନ ଭାବେ ଉଭା ହୋଇଥିଲା।
ନରସଂହାରରେ ଜମାତର ଭୂମିକା
ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଜମାତ-ଏ-ଇସଲାମୀ ୧୯୭୧ର ଯୁଦ୍ଧ ସମୟରେ ହିନ୍ଦୁ ଏବଂ ବାଂଲା ଭାଷୀ ମୁସଲମାନମାନଙ୍କ ନରସଂହାର ପାଇଁ ଦାୟୀ ଥିଲା। ଜମାତ-ଏ-ଇସଲାମୀର ବାଂଲାଦେଶୀ ଶାଖା ରଜାକାର, ଅଲ-ବଦ୍ର, ଅଲ-ଶମ୍ସ ଏବଂ ଶାନ୍ତି ସମିତି ଭଳି ପାକିସ୍ତାନୀ ସେନାର ସହାୟକ ବାହିନୀଗୁଡ଼ିକର ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା। ଏହି ବାହିନୀଗୁଡ଼ିକ ବାଂଲା ସ୍ୱାଧୀନତା ସଂଗ୍ରାମୀଙ୍କ ବିରୁଦ୍ଧରେ, ବିଶେଷତଃ ହିନ୍ଦୁମାନଙ୍କ ବିରୁଦ୍ଧରେ ଅତ୍ୟାଚାରରେ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ଜମାତ-ଏ-ଇସଲାମୀ ଏବଂ ପାକିସ୍ତାନୀ ସେନା ଦ୍ୱାରା ହଜାର ହଜାର ହିନ୍ଦୁ ପୁରୁଷ, ମହିଳା ଏବଂ ଶିଶୁଙ୍କୁ ହତ୍ୟା କରାଯାଇଥିଲା। ଏହା ସହିତ ବହୁ ସଂଖ୍ୟକ ହିନ୍ଦୁ ଝିଅ ଓ ମହିଳାଙ୍କ ସହ ଦୁଷ୍କର୍ମ କରାଯାଇଥିଲା।
ପାକିସ୍ତାନରେ ଆତଙ୍କବାଦୀଙ୍କ ସହ ସମ୍ପର୍କ
ପାକିସ୍ତାନ ଗଠନର ପ୍ରାରମ୍ଭିକ କିଛି ବର୍ଷ ମଧ୍ୟରେ ଜମାତ-ଏ-ଇସଲାମୀ ଗୁରୁତର ସରକାରୀ ଦମନର ଶିକାର ହୋଇଥିଲା। କିନ୍ତୁ ଯେତେବେଳେ ଜେନେରାଲ ମୁହମ୍ମଦ ଜିୟା-ଉଲ-ହକ (ରାଷ୍ଟ୍ରପତି, ୧୬ ସେପ୍ଟେମ୍ବର ୧୯୭୮ରୁ ୧୭ ଅଗଷ୍ଟ ୧୯୮୮) ପାକିସ୍ତାନର ନେତୃତ୍ୱ ଗ୍ରହଣ କରିଥିଲେ, ଜମାତ-ଏ-ଇସଲାମୀର ସ୍ଥିତିରେ ଉନ୍ନତି ହୋଇଥିଲା। ସେହି ସମୟରେ ଏହାକୁ ସରକାରର ବୈଚାରିକ ଓ ରାଜନୈତିକ ଶାଖା ଭାବେ ଦେଖାଯାଉଥିଲା। ଜେନେରାଲ ଜିୟା-ଉଲ-ହକଙ୍କ ଶାସନକାଳରେ ସଂଗଠନର ସଦସ୍ୟମାନେ ଅନେକ ଥର ସୂଚନା ଓ ପ୍ରସାରଣ ବିଭାଗ ସମେତ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟରେ ରହିଥିଲେ। କୁହାଯାଏ ଯେ ଜମାତର ପାକିସ୍ତାନରେ ଅନେକ ନିଷିଦ୍ଧ ସଂଗଠନ ସହ ଘନିଷ୍ଠ ସମ୍ପର୍କ ଥିଲା। ସବୁଠାରୁ ଉଲ୍ଲେଖନୀୟ ସମ୍ପର୍କ ଥିଲା ତେହରିକ-ଏ-ନଫାଜ-ଏ-ଶରିୟତ-ଏ-ମୋହାମ୍ମଦୀ ସହ। ଏହି ଉଗ୍ରବାଦୀ ସଂଗଠନ ଜମାତ-ଏ-ଇସଲାମୀର ଏକ ଶାଖା ଭାବେ ବିକଶିତ ହୋଇଥିଲା। ଏହାର ପ୍ରତିଷ୍ଠା ୧୯୯୨ରେ ସୂଫୀ ମୁହମ୍ମଦଙ୍କ ଦ୍ୱାରା ହୋଇଥିଲା।
ଇସଲାମିକ ରାଷ୍ଟ୍ର ଗଠନ ପାଇଁ ପ୍ରେରଣା
ଭାରତ ବିଭାଜନ ପରେ ଅବୁଲ ଆଲା ମୌଦୂଦୀ ଓ ତାଙ୍କ ଅନୁଗାମୀମାନେ ଇସଲାମର ରାଜନୈତିକୀକରଣ ଉପରେ ଧ୍ୟାନ କେନ୍ଦ୍ରୀତ କରିଥିଲେ। ସେମାନେ ପାକିସ୍ତାନକୁ ଏକ ଇସଲାମିକ ରାଷ୍ଟ୍ର କରିବା ପାଇଁ ନିଜ ପକ୍ଷରେ ସମର୍ଥନ ସୃଷ୍ଟି କରିଥିଲେ। ମନେ ହୁଏ ଯେ ସେମାନେ ଜେନେରାଲ ମୁହମ୍ମଦ ଜିୟା-ଉଲ-ହକଙ୍କୁ ପାକିସ୍ତାନକୁ ଇସଲାମିକ ରାଷ୍ଟ୍ର କରିବା ପାଇଁ ପ୍ରେରଣା ଦେବାରେ ସଫଳ ହୋଇଥିଲେ। ଜେନେରାଲ ଜିୟା-ଉଲ-ହକ ନ୍ୟାୟପାଳିକା ଓ ସିଭିଲ ସେବାରେ ଜମାତ-ଏ-ଇସଲାମୀର ହଜାର ହଜାର ସଦସ୍ୟ ଓ ସହାନୁଭୂତିଶୀଳମାନଙ୍କୁ ନିଯୁକ୍ତି ଦେଇଥିଲେ। ଯାହାଦ୍ୱାରା ଜମାତର ବିଚାରଧାରାକୁ ଆହୁରି ମଜବୁତ କରାଯାଇଥିଲା। ସେହି ସମୟରେ ପାକିସ୍ତାନୀ ସେନାକୁ ମଧ୍ୟ ଇସଲାମ ସହ ଯୋଡ଼ିବାର କାମ କରାଯାଇଥିଲା। ଅବୁଲ ଆଲା ମୌଦୂଦୀଙ୍କୁ ୧୯୭୯ରେ ଇସଲାମର ସେବା ପାଇଁ ସାଉଦି ଆରବର ଶାହ ଫୈସଲ ଆନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଆରବ ଦୁନିଆରେ ଫେଲ୍ ହେଲା ପାକିସ୍ତାନର ‘ମୁସଲିମ୍ ବ୍ରଦରହୁଡ୍’ କାର୍ଡ୍, ଜାଣନ୍ତୁ କାହା ସପକ୍ଷରେ କିଏ?