ପାୱାର କରିଡରରେ ଏବେ ବଡ଼ ଚର୍ଚ୍ଚା। ସିଏମଓରେ ଚୌକି ମାଡ଼ି ବସି ରାଜ୍ୟର ବିକାଶମୂଳକ କାମରେ ବାଧକ ସାଜିଥିବା ବଡ଼ ଆଇଏଏସ ପଦାଧିକାରୀ ନିକୁଞ୍ଜ ବିହାରୀ ଧଳ ହଟିବେ। ତାଙ୍କର କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ସରକାରୀ ନିର୍ଦ୍ଦେଶନାମା ଦିନେ କି ଦୁଇଦିନ ମଧ୍ୟରେ ବାହାରି ପାରେ ବୋଲି ଆଇଏଏସ୍ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ଏହି ଚର୍ଚ୍ଚା ଅନୁସାରେ ଗତ ନିର୍ବାଚନରେ ବିଜେଡି ପାଇଁ ଅଡୁଆ ସୃଷ୍ଟି କରିଥିବା ନିକୁଞ୍ଜ ବିହାରୀ ଧଳ ବିଜେପି କ୍ଷମତାକୁ ଆସିବା ପରେ ପୁରସ୍କୃତ ହୋଇଥିଲେ। କିନ୍ତୁ ତାଙ୍କର ସବୁକଥାରେ ସନ୍ଦେହ ମନୋବୃତ୍ତି ଯୋଗୁ ବିଜେପି ସରକାର କାମ କରିବାରେ ଅସହଜ ଅନୁଭବ କରୁଛନ୍ତି। ସିଏମଓରେ ବିଭିନ୍ନ ବିଭାଗର ଫାଇଲ ପଡ଼ିରହି ଛୋଟ ପାହାଡ଼ର ଭ୍ରମ ସୃଷ୍ଟି ହେଲାଣି ବୋଲି ପାୱାର କରିଡରରେ ଆଲୋଚନା ହେଉଛି। ଫଳରେ ବିଭିନ୍ନ ବିଭାଗରେ କାମ ଆଗେଇ ପାରୁନାହିଁ।
ନିକୁଞ୍ଜ ଧଳଙ୍କର ଏଭଳି ଆଚରଣ ସିଏମଓରୁ ବାହାରି ପିଏମଓରେ ପହଞ୍ଚି ଯାଇଥିବା କୁହାଯାଉଛି। ପିଏମଓର ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର ଓରଫ ପିକେ ମିଶ୍ର କୁଆଡ଼େ ଶ୍ରୀ ଧଳକୁ ଏଥିପାଇଁ ତାଗିଦ୍ କରିଥିବା ଏକ ଅସମର୍ଥିତ ସୂତରୁ ଜଣାପଡ଼ିଛି। ପିକେଙ୍କ ତାଗିଦ୍ ପରେ ଶ୍ରୀ ଧଳଙ୍କର ରକ୍ତଚାପ ବଢ଼ିଯିବାରୁ ସେ କୁଆଡ଼େ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହୋଇଥିବା କୁହାଯାଉଛି।
ନିକୁଞ୍ଜ ବିହାରୀ ଧଳ ସିଏମଓରୁ ହଟିଲେ ତାଙ୍କ ସ୍ଥାନ କିଏ ନେବ ବୋଲି ପାୱାର କରିଡରରେ ଏବେ ପ୍ରତିଯୋଗୀତା ଆରମ୍ଭ ହୋଇଛି। ଚର୍ଚ୍ଚା ଅନୁସାରେ ବିଜେଡି ସରକାର ସମୟରେ ଏବଂ ଏପରିକି ବିଜେପି ସରକାରରେ କରିତକର୍ମା ଅଫିସର ଭାବେ ପରିଚିତ ହେମନ୍ତ ଶର୍ମା ଓ ଶାଶ୍ୱତ ମିଶ୍ରଙ୍କ ନାମ ଶୁଣାଯାଉଛି। ହେମନ୍ତଙ୍କ ଉଦ୍ୟମରୁ ଉତ୍କର୍ଷ ଓଡ଼ିଶା କାର୍ଯ୍ୟକ୍ରମ ସଫଳତାର ସହିତ ହୋଇଥିଲା। ହେମନ୍ତ ଅଣଓଡ଼ିଆ ହୋଇଥିବାରୁ ତାଙ୍କ ବିଜେପି ମହଲରୁ ବିରୋଧ ମଧ୍ୟ କରାଯାଉଛି। କାରଣ ବିଜେଡି ଶାସନ କାଳରେ ଅଣଓଡ଼ିଆ ଭୈରବ କାର୍ତ୍ତିକେୟନ ପାଣ୍ଡିଆନଙ୍କ ଯୋଗୁ ନବୀନଙ୍କ ସରକାର ବଦନାମ ହୋଇଥିଲା। ଏବେ ରାଜ୍ୟରେ ମୁଖ୍ୟଶାସନ ସଚିବ, ଡିଜି ଅଣଓଡ଼ିଆ ହୋଇଥିବାରୁ ହେମନ୍ତଙ୍କ ପାଇଁ ଏତେ ସହଜ ମନେହେଉନାହିଁ।
ଅପର ପକ୍ଷରେ ଶାଶ୍ୱତ ମିଶ୍ର ଜଣେ ଦକ୍ଷ ଓଡ଼ିଆ ଅଫିସର। ସେ କୌଣସି ଗୋଷ୍ଠାଭୁକ୍ତ ନୁହଁନ୍ତି। ଚୁପ୍ଚାପ୍ କାମ କରୁଥିବାରୁ ସିଏମଓ ପାଇଁ ତାଙ୍କ ନାମ ଫାଇନାଲ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏସବୁ ପରେ ବି ବିଜେପିର କେନ୍ଦ୍ରୀୟ ନେତୃତ୍ୱଙ୍କ ନିଷ୍ପତ୍ତି ଉପରେ ସବୁକିଛି ନିର୍ଭର କରୁଛି।
Also readhttps://purvapaksa.com/naba-das-murder-consipirency/
