ରଥଯାତ୍ରାର ଅନେକ ଶୁଭେଚ୍ଛା ଓ ଶୁଭକାମନା। ୧୫ ଦିନ ହେଲା ଆମର ଆରାଧ୍ୟଙ୍କୁ ଜ୍ୱର ହୋଇଥିଲା। ସମସ୍ତଙ୍କ ନଜର ଆଢ଼ୁଆଳରୁ ଦୂରକୁ ଯାଇ ସେ ଚିକିତ୍ସିତ ହେଉଥିଲେ। ଆଜି ସୁସ୍ଥ ହୋଇଛନ୍ତି। ଶରୀରର ସମସ୍ତ ବଳକୁ ଏକାଠି କରିଛନ୍ତି। ଆଉ ପୁଣିଥରେ ଆମମାନଙ୍କ ଗହଣକୁ ଫେରିଛନ୍ତି। ଆସନ୍ତା କାଲି ତାଙ୍କ ଯାତ୍ରା। ବିଶ୍ୱ ତାଙ୍କୁ ଅପେକ୍ଷା କରିଛି। ଏହାସହ ଅପେକ୍ଷା କରିଛି ଅନେକ କିଛି ନୂଆ ଘଟଣାକୁ, ତାହା ତ୍ରୁଟି ବିଚ୍ୟୁତି ହୋଇପାରେ ବା ଭକ୍ତର ଅନନ୍ୟ ପରିପ୍ରକାଶ ହୋଇପାରେ ବା ଭଗବାନଙ୍କ ଲୀଳା ହୋଇପାରେ। ତାହା ଲୋକଙ୍କ ଦ୍ୱାରା ହୋଇପାରେ, ଲୋକଙ୍କ ପାଇଁ ହୋଇପାରେ ବା ଅଲୌକିକ ହୋଇପାରେ। ଆଜି ଇତିହାସ ପୃଷ୍ଠାରୁ ଏମିତି କିଛି ଘଟଣାକୁ ଆପଣଙ୍କ ପାଖକୁ ଆଣିବାକୁ ଚାହିଁବି ଯାହା ଶୁଣି ଆପଣ କହିବେ ସତରେ ଏ ଲୀଳାମୟ।
ପ୍ରଥମେ ବିଂଶ ଶତାବ୍ଦୀ ଆରମ୍ଭ ବେଳର ଏକ ଘଟଣା। ୧୦୦ ବର୍ଷ ବିତିଥାଏ ବ୍ରିଟିଶ୍ ଶାସନକୁ। ପୁରୀକୁ ଇଂରେଜମାନେ କବଜାକୁ ନେବାକୁ ବାରମ୍ବାର ଚାହିଁ ମଧ୍ୟ ସଫଳ ହୋଇପାରି ନାହାନ୍ତି। ଶ୍ରୀ ଜଗନ୍ନାଥଙ୍କ କୃପାରୁ ଗଜପତି ମହାରାଜା ବଂଶଗତଭାବେ ଶ୍ରୀମନ୍ଦିର ପରିଚାଳନାର ମୁଖ୍ୟ ହୋଇ ରହିଛନ୍ତି। ତଥାପି ପୁଲିସ-ଅଧିକାରୀ-ସେବକଙ୍କ ଭିତରେ ବିବାଦ କମି ନାହିଁ। ସବୁବେଳେ କ୍ଷମତାରେ ଥିବା ଅଧିକାରୀ ନିଜର ପ୍ରାଧାନ୍ୟକୁ ବଜାୟ ରଖିବା ପାଇଁ କିଛି ନା କିଛି ଅଘଟଣ ପାଇଁ ମଞ୍ଜି ବୁଣିଛନ୍ତି। ମୁଁ ଆପଣଙ୍କୁ ୧୯୦୩ ମସିହା କଥା କହୁଛି। ଏହି ବର୍ଷ ରଥଯାତ୍ରା ସମୟରେ କିଛି ନୂଆ କଥା ଘଟିଲା ଆଉ କିଛି ହଜିଯାଇଥିବା ପ୍ରଥାର ପୁନରାବୃତ୍ତି ହୋଇଥିଲା।
ପ୍ରଥମେ କହୁଛି କ୍ୟାଲେଣ୍ଡରରେ ସେହିବର୍ଷ ରଥଯାତ୍ରା ଜୁନ୍ ୨୬ ତାରିଖ ପଡ଼ିଥିଲା। ଅନେକ ବର୍ଷ ହେଲା ରାଜା- ଇଂରେଜ ଅଧିକାରୀଙ୍କ ଭିତରେ ଆଇନଗତ ଲଢ଼େଇ ଚାଲିବା ପରେ ସ୍ୱୟଂ ଗଜପତି ମହାରାଜା ଛେରା ପହଁରା ଦେବେ ବୋଲି ସ୍ଥିର ହେଲା। ଶ୍ରଦ୍ଧାଳୁ ତାଙ୍କ ଗଜପତିଙ୍କୁ ଦେଖିବା ପାଇଁ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ। କାରଣ ଏହା ପୂର୍ବ ବର୍ଷମାନଙ୍କରେ ରାଜାଙ୍କ ପ୍ରତିନିଧିଭାବେ ମୁଦିରଥ ଏହି ସେବା କରୁଥିଲେ। ଏଣୁ ଏହା ଏକ ପୁରୁଣା ଅଧ୍ୟାୟର ପୁନରାବୃତ୍ତି ଥିଲା।
ସେତେବେଳେ ପୁରୀ ଆସନରେ ବସିଥାଆନ୍ତି ଗଜପତି ମହାରାଜା ତୃତୀୟ ମୁକୁନ୍ଦ ଦେବ। ୧୮୮୨ ମସିହାରୁ ସେ ମହାରାଜା ପଦବୀ ଅଳଂକୃତ କରୁଥିଲେ ମଧ୍ୟ ସାବାଳକ ହୋଇନଥିବାରୁ ତାଙ୍କୁ ଏହି ସେବା ପାଇଁ ନିୟୋଜିତ କରାଯାଉନଥିଲା। ପୁଣି ତାଙ୍କ ମା’ ରାଣୀ ସୂର୍ଯ୍ୟମଣୀ ପାଟ୍ଟମହାଦେଈ ଇଂରେଜଙ୍କ ସଙ୍ଗେ ଅନେକ ଆଇନଗତ ଲଢ଼େଇ କରିଥିବା ଇତିହାସ କହେ। ସେତେବେଳେ ପୁରୀରେ ଗଜପତିଙ୍କ ସେବାକୁ ଅକ୍ଷୁର୍ଣ୍ଣ ରଖିବାରେ ଯଦି କିଏ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ ସେ ଥିଲେ ରାଣୀ ସୂର୍ଯ୍ୟମଣୀ ପାଟ୍ଟମହାଦେଈ। ତାଙ୍କୁ ଆଇନଗତ ଲଢ଼େଇରେ ଉତ୍କଳ ଗୌରବ ମଧୁସୂଦନ ଦାସ ଅନେକ ସହାୟତା କରିଥିଲେ। ଏ ବିଷୟରେ ଆଉ କେବେ କହିବି କିନ୍ତୁ ୧୯୦୩ ମସିହାରେ ଭକ୍ତଙ୍କ ଆବେଗକୁ ରକ୍ଷା କରି ମହାରାଜା ହାତୀ ପିଠିରେ ବସି ପରମ୍ପରା ଅନୁସାରେ ରଥ ବିଜେ କରିଥିଲେ। ରଥ ଉପରେ ସମସ୍ତ ଭକ୍ତଙ୍କ ଉଦ୍ଦେଶ୍ୟରେ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ। ଆଉ ଆରମ୍ଭ ହୋଇଥିଲା ଛେରା ପହଁରା। ଏଇ ତୃତୀୟ ମୁକୁନ୍ଦ ଦେବ ଅନେକ କଷ୍ଟ ସହ୍ୟ କରିଛନ୍ତି। ପୁଣି ନିଜର ପୁତ୍ର ସନ୍ତାନ ନ ହେବାରୁ ଯାହାଙ୍କୁ ପୋଷ୍ୟ ଗ୍ରହଣ କରିଥିଲେ ସେ ବି ତାଙ୍କର ହୋଇ ରହି ନାହାନ୍ତି। ପରେ ବାମଣ୍ଡାରୁ ପୁଣି ଲାଲମୋହନ ଦେବଙ୍କୁ ପୁତ୍ରଭାବେ ଗ୍ରହଣ କରିଥିଲେ। ପରେ ସେ ରାମଚନ୍ଦ୍ର ଦେବଚତୁର୍ଥ ଭାବେ ପରିଚିତ ହୋଇଥିଲେ।
ଭକ୍ତଙ୍କ ଭିଡ଼ ତଥା ପୂର୍ବ ବର୍ଷର ତିକ୍ତ ଅନୁଭୂତିକୁ ଏଡ଼ାଇବା ଲାଗି ଏଥର ପୁଲିସ ପ୍ରଶାସନ ବେଶ୍ ତତ୍ପର ହୋଇଥିଲା। ପ୍ରଥମ ଥର ପାଇଁ ରଥ ପରିଚାଳନା ପାଇଁ କଡନ ବ୍ୟବସ୍ଥା ଆପଣାଯାଇଥିଲା। ରଥ ନିର୍ମାଣ ଠିକ୍ ଅଛି ବୋଲି ଇଞ୍ଜିନିୟର ସାର୍ଟିଫିକେଟ୍ ଦେବା ପରେ ରଥଗୁଡ଼ିକୁ ସ୍ୱତନ୍ତ୍ର ପୁଲିସଙ୍କ ଦ୍ୱାରା କଡନ କରାଯାଇଥିଲା। କେହିଁ ଚାହିଁଲେ ଆଉ ସେ ଭିତରକୁ ଯିବା ସମ୍ଭବ ହେଲା ନାହିଁ। ଆଜି ଯେଉଁଭଳି ଭାବେ ତ୍ରିସ୍ତରୀୟ ବ୍ୟବସ୍ଥା ଦେଖୁଛନ୍ତି ସେତେବlଳେ ତାହାର ନିଅଁ ପଡ଼ିଥିଲା କହିଲେ ଅତ୍ୟୁକ୍ତି ହେବ ନାହିଁ। ବୃତ୍ତ ଆକାରେ ପୁଲିସ ଘେରି ରହିବା ସହ ଭକ୍ତଙ୍କ ପାଇଁ ସ୍ଥାନ ନିରୂପଣ କରାଯାଇଥିଲା। ଅର୍ଥାତ୍ କେଉଁଠି ଯାତ୍ରୀ ରଥ ଦଉଡ଼ିକୁ ଧରି ଠିଆ ହେବେ ଏବଂ କେଉଁ ସ୍ଥାନରେ ପୁଲିସ ରହିବେ ତାହା ସ୍ଥିର ହୋଇଥିଲା ।
ରଥ, ପଥ ଓ ଭକ୍ତ ପ୍ରସ୍ତୁତ ହେବା ପରେ ଝୁଲି ଝୁଲି ପ୍ରଭୁମାନେ ରଥ ବିଜେ କରିଥିଲେ। ହରିବୋଲ, ହୁଳହୁଳି, ଘଣ୍ଟ ଘଣ୍ଟା ମାଡ଼ରେ ଦୁଲୁକୁଥିଲା ବଡ଼ ଦାଣ୍ଡ। ପରେ ହୋଇଥିଲା ଛେରା ପହଁରା।
ଜୁଲାଇ ୩ ତାରିଖରେ ସନ୍ଧ୍ୟା ଦର୍ଶନ ତିଥି ଥିବାରୁ ହଜାର ହଜାର ସଂଖ୍ୟାରେ ଯାତ୍ରୀଙ୍କ ସମାଗମ ହୋଇଥିଲା। ଏଥିରେ ବିଶେଷକରି ସ୍ଥାନୀୟ ଓଡ଼ିଆ ଭକ୍ତଙ୍କ ସଂଖ୍ୟା ଅଧିକ ଥିଲା। ସେହିଦିନ ରାତିରେ ଖେଚୁଡ଼ି ଭୋଗ ହୋଇଥିଲା। ଶନିବାର ସନ୍ଧ୍ୟାରେ ଠାକୁରମାନଙ୍କୁ ରଥବିଜେ କରାଯାଇ ବାହୁଡ଼ାଯାତ୍ରା ଆରମ୍ଭ ହୋଇଥିଲା। ପୂର୍ବ ବର୍ଷମାନଙ୍କରେ ଦଶମୀ ଦିନ ବାହୁଡ଼ା ଯାତ୍ରା ତଥା ରଥାରୋହଣ ଦେଖିବା ଦୁଷ୍ପ୍ରାପ୍ୟ ହୋଇଥିଲା। ଏବର୍ଷ ବାହୁଡ଼ା ପୂର୍ବଦିନ ଦକ୍ଷିଣମୋଡ଼ କରାଯାଇଥିଲା। ସାତତାରିଖ ମଙ୍ଗଳବାର ଦିନ ଜଗନ୍ନାଥଙ୍କ ରଥ ଟଣା ହୋଇ କାଞ୍ଜିହାଉସ୍ ପର୍ଯ୍ୟନ୍ତ ଆସିଥିବା ସମୟେ ଦୈବାତ୍ ଗୋଟିଏ ଚକର ତୁମ୍ବ ଫାଟିଗଲା । ଫଳରେ ରଥ ସେହି ସ୍ଥାନରେ ଅଟକି ରହିଲା । ୯ ତାରିଖ ଦିନ ଜଗନ୍ନାଥଙ୍କ ରଥ ରାଜବାଟୀରେ ପହଞ୍ଚିଲା ପରେ ଲକ୍ଷ୍ମୀ ନାରାୟଣ ଭେଟ ହୋଇଥିଲା। ୧୦ ତାରିଖରେ ନିଳାଦ୍ରୀ ବିଜୟ ହେଲା। ଫଳରେ ୧୫ ଦିନ ଭିତରେ ସମୁଦାୟ ରଥଯାତ୍ରା ସମାପ୍ତ ହୋଇଥିଲା। ଏଥିଲାଗି ସମସ୍ତେ ମନ୍ଦିରର ନୂତନ ମ୍ୟାନେଜରଙ୍କ କର୍ତ୍ତବ୍ୟନିଷ୍ଠା ଯୋଗୁ ଏସବୁ ସମ୍ଭବ ହୋଇଥିବାରୁ ତାଙ୍କୁ ଭକ୍ତମାନେ ଭୁରି ଭୁରି ପ୍ରଶଂସା କରିଥିଲେ । ଏ ପ୍ରଶଂସାର କାରଣ ଥିଲା ପୂର୍ବ ବର୍ଷର ଅଘଟଣ। କାରଣ ସେ ବର୍ଷ ରଥଯାତ୍ରା ଦେଢ଼ ମାସ ଧରି ଚାଲିଥିଲା। ପ୍ରଭୁ ଦେଢ଼ମାସ ରତ୍ନସିଂହାସନ ବାହାରେ ରହିଥିଲେ। ସେ କଥା କହିବି ଆସନ୍ତା ଅଧ୍ୟାୟରେ। ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ ପ୍ରସ୍ତୁତ ଏହି ସ୍ୱତନ୍ତ୍ର ସିରିଜ୍। ତା’ ସହ ମତାମତ ବି ଦେଉ ଥାଆନ୍ତୁ।
Also readhttps://purvapaksa.com/jayachandras-active-in-bjd-politics/
Jayachandras active in BJD politics ।। ବିଜେଡି ରାଜନୀତିରେ ସକ୍ରିୟ ଜୟଚନ୍ଦ୍ରମାନେ
