ରାଜ୍ୟରେ ଏବେ ବିଜେଡି ଭିତର ରାଜନୀତି ବେଶୀ ଚର୍ଚ୍ଚା ହେଉଛି। ଦିନେ ଯାହା ଏକ ଗଡ଼ ଭଳି ରହିଥିଲା, ଏବେ ସେଠାରେ ଶୋରିଷ ଫୁଟିଲେ ବି ଚାରିଦିଗ ଜାଣୁଛି। ଏଣୁ ଲୋକେ ଆଉ ଗଡ଼ପତି ଓ ଗଡ଼ ସର୍ଦ୍ଦାରଙ୍କୁ ବିଶ୍ୱାସକୁ ନେଉନାହାନ୍ତି। ଓଡ଼ିଶାର ଇତିହାସ ଏମିତି ଅନେକ ବିଶ୍ୱାସଘାତକତା ଦେଖିଛି। ଦୁର୍ଗ ସର୍ଦ୍ଦାରଙ୍କ ବିଶ୍ୱାସଘାତକତା ଯୋଗୁ ଉତ୍କଳର ଶାସନ କିପରି ମୋଗଲଙ୍କ ପାଦତଳେ ପଡ଼ିଥିଲା ତାହା ଏଯାଏ ସମସ୍ତଙ୍କ ମନରେ ଉଜ୍ଜୀବୀତ ରହିଛି। ଏମିତି ଦିନେ ଜଣେ ଗଡ଼ ସର୍ଦ୍ଦାରଙ୍କୁ ମୁକୁନ୍ଦ ଦେବ ଅତ୍ୟନ୍ତ ବିଶ୍ୱାସ କରିଥିଲେ। ଆଉ ସେଇ ରାଇବଣିଆ ଗଡ଼ସର୍ଦ୍ଦାରଙ୍କ କାପୁରୁଷତ୍ୱ ଯୋଗୁ ସେ ଚିତପଟାଙ୍ଗ ହେବାକୁ ବାଧ୍ୟ ହୋଇଥିଲେ। କୁହାଯାଉଛି ଆଜି ସେହି ଅସତ୍ୟ, ମିଛ, ବିଶ୍ୱାସଘାତକତାର କାହାଣୀ ପୁଣିଥରେ ରାଜ୍ୟ ଦେଖିବାକୁ ଯାଉଛି ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜେଡିରେ।
ଓଡ଼ିଶାର ଶେଷ ସ୍ୱାଧୀନ ରାଜାଙ୍କ ବାବଦରେ ଆପଣ ପରିଚିତ ଥିବେ। ସେ ହେଉଛନ୍ତି ଗଜପତି ମୁକୁନ୍ଦ ଦେବ। ସେତେବେଳେ କେନ୍ଦ୍ରରେ ଅର୍ଥାତ୍ ଦିଲ୍ଲୀ ସିଂହାସନରେ ବସିଥିଲେ ସମ୍ରାଟ୍ ଆକବର। ତାଙ୍କ ସହ ଭଲ ସମ୍ପର୍କ ରକ୍ଷା କରି ରାଜ୍ୟକୁ ବାହ୍ୟ ଆକ୍ରମଣରୁ ରକ୍ଷା କରିବା ଲାଗି ମୁକୁନ୍ଦ ବେଶ୍ ତତ୍ପର ଥିଲେ। ସେଥିଲାଗି କଲିକତାରେ ଥିବା ଆଫଗାନ୍ ସୁଲତାନମାନଙ୍କ ସହ ଗଜପତିଙ୍କର ଅନେକ ଯୁଦ୍ଧ ହୋଇଛି। ସେମାନଙ୍କଠାରୁ ବର୍ତ୍ତିବା ଲାଗି ରାଜ୍ୟରେ ୧୨୯ଟି ଦୁର୍ଗ ବି ଗଢ଼ିଥିଲେ ଗଜପତି ମୁକୁନ୍ଦ ଦେବ। ଆକବର ବି ବେଳେ ବେଳେ ସହାୟତା କରୁଥିଲେ। କିନ୍ତୁ ତାଙ୍କର ନିବିଡ଼ ସମ୍ପର୍କ ସ୍ଥାପନ ହେବା ପୂର୍ବରୁ ଗଜପତି ମୁକୁନ୍ଦ ଦେବଙ୍କ ରାଇବଣିଆ ଦୁର୍ଗପତି ଆଫଗାନ୍ଙ୍କ ସହ ହାତ ମିଳାଇଲେ। ଆଉ ଶ୍ରୀମନ୍ଦିର ଆକ୍ରମଣର ରାସ୍ତା ବତାଇ ଦେଲେ। ଖାଲି ସେତିକି ନୁହେଁ ରାଜଧାନୀ କଟକ ଯାଏ ଆସିବାକୁ ମୁକୁନ୍ଦ ପଠାଇଥିବା ଦୁଇ ଅନ୍ୟ କର୍ମଚାରୀ ଆଫଗାନ୍ ସୈନ୍ୟଙ୍କ ସହିତ ହାତ ମିଳାଇଲେ। ଆଫଗାନ୍ମାନେ କର୍ମଚାରୀଙ୍କୁ ଲୋଭାନ୍ୱିତ କରି ତାଙ୍କରି ହାତରେ ଗଜପତି ମୁକୁନ୍ଦ ଦେବଙ୍କୁ ହତ୍ୟା କରିଥିଲେ।
ଠିକ୍ ସମାନ ଅବସ୍ଥା ଆଜି ରାଜ୍ୟର ସର୍ବବୃହତ୍ ଆଞ୍ଚଳିକ ଦଳରେ ଘଟୁଥିବା ଅଭିଯୋଗ ହୋଇଛି। ଘର ଢିଙ୍କି କୁମ୍ଭୀର ହେବା ପରି ବିଜେଡି ଘରେ ପାଣ୍ଡିଆନ୍ଙ୍କ ସ୍ଥିତି ହୋଇଥିବା ଅଭିଯୋଗ ହେଉଛି। କିଛିଦିନ ହେଲା କେବଳ ପାଣ୍ଡିଆନ୍ଙ୍କୁ ନେଇ ଚର୍ଚ୍ଚା ହେଉଥିଲା; ସେ ଦୂର୍ଗପତି ଅର୍ଥାତ୍ ବିଜେଡି ସଭାପତିଙ୍କୁ ହାଇଜାକ୍ କରି ନେଇଛନ୍ତି ବୋଲି କୁହାଗଲା, ଗଣମାଧ୍ୟମରେ ରିପୋର୍ଟ ମଧ୍ୟ ପ୍ରକାଶ ପାଇଲା। ଏବେ କିନ୍ତୁ ଏହି ଅଭିଯୋଗରେ ପାଣ୍ଡିଆନ୍ଙ୍କ ପତ୍ନୀ ବି ସମ୍ପୃକ୍ତ ଥିବା ନେଇ ଚର୍ଚ୍ଚା ହେଉଛି। ଏ ଭିତରେ ଚର୍ଚ୍ଚା ହେଉଛି ବିଜେଡି ଛାମୁଙ୍କ ଅସହାୟତା ଓ ଡାହା ମିଛ।
ରାଜ୍ୟବାସୀ ପୂର୍ବରୁ ପାଣ୍ଡିଆନ୍ଙ୍କୁ ବିଜେଡି ଛାମୁଙ୍କ ଉତ୍ତରାଧିକାରୀ ବୋଲି କୁହାକହି ହେଉଥିଲେ। ନବୀନ ପଟ୍ଟନାୟକ ନିଜକୁ ରାଜ୍ୟର ସାଢ଼େ ୪ କୋଟି ଓଡ଼ିଆଙ୍କ ମୂରବୀ ବୋଲି କହୁଥିଲେ ମଧ୍ୟ ଓଡ଼ିଆଙ୍କ ଭିତରୁ କାହାକୁ ରାଜ୍ୟ ଶାସନ ପାଇଁ ଯୋଗ୍ୟ ବୋଲି ଗ୍ରହଣ କରିପାରିନଥିଲେ। କେବଳ ନାମକୁ ମାତ୍ର କିଛି ଓଡ଼ିଆଙ୍କୁ ନିଜ ପାର୍ଷଦ ଭାବେ ରଖି ନିଜର ଅଣ ଓଡ଼ିଆ ସେବକ-କର୍ମଚାରୀଙ୍କ ଦ୍ୱାରା ତାଙ୍କୁ ନିୟନ୍ତ୍ରଣ କରୁଥିଲେ। କହିବାକୁ ଗଲେ ଶାସନରେ ଥିବାବେଳେ ଓଡ଼ିଆ ମନ୍ତ୍ରୀମାନେ କେବଳ ନାମକୁମାତ୍ର ରହିଥିଲେ। ସବୁ ଫାଇଲ ସେବକ ପାଣ୍ଡିଆନ୍ଙ୍କ ଦ୍ୱାରା ହିଁ ଯାଞ୍ଚ ହେଉଥିଲା।
କିନ୍ତୁ ଏ ଚର୍ଚ୍ଚା ଯେତେବେଳେ ଶିଖର ଛୁଇଁ ଛାମୁଙ୍କ ଆଡ଼କୁ ନିର୍ଦ୍ଦେଶିତ ହେଉଥିଲା ସେତେବେଳେ ଖୋଦ୍ ଛାମୁ ବାହାରକୁ ଆସୁଥିଲେ ସେବକଙ୍କ ସୁରକ୍ଷା ପାଇଁ। ନିର୍ବାଚନ ପୂର୍ବରୁ ଓ ନିର୍ବାଚନ ପରେ ଏମିତି ଅନେକ ଥର ହୋଇଛି। କିନ୍ତୁ କେବେ ବି ଛାମୁ ସେବକଙ୍କ ଉପରକୁ ଦୋଷ ଦେଇ ନାହାନ୍ତି। ଏପରିକି ସେ ଭଲ କାମ କରୁଛନ୍ତି ବୋଲି କହିଛନ୍ତି।
ଏଠାରେ ଭଲ କାମ କ‘ଣ?
- ରାଜ୍ୟର ଜନପ୍ରତିନିଧି ତଥା ବିଜୁ ଜନତା ଦଳର ତୁଙ୍ଗ ନେତାମାନଙ୍କୁ ସଭାପତିଙ୍କ ସହ ଦେଖା ନ କରାଇବା କ’ଣ ଭଲ କାର୍ଯ୍ୟ?
- ଦଳୀୟ ନେତାଙ୍କୁ ନ ଜଣାଇ ଦଳର ସଭାପତିଙ୍କୁ ନିଜ ଅନୁସାରେ ନିୟନ୍ତ୍ରଣ କରିବା କ’ଣ ଭଲ କାର୍ଯ୍ୟ?
- ଦଳୀୟ ନେତାଙ୍କ ସହ ପାର୍ଟି କାର୍ଯ୍ୟକ୍ରମ ବାବଦରେ ଆଲୋଚନା କରିବା, ତାଙ୍କୁ ନିଲମ୍ବନ କରିବା ପାଇଁ ଧମକ ଦେବା କ’ଣ ଭଲ କାର୍ଯ୍ୟ?
ଯଦି ନା ତେବେ ନବୀନ ବିଭ୍ରାନ୍ତ କରୁଛନ୍ତି। ନିଜେ ସ୍ୱୟଂ ଏପରି ଏକ ପରିବେଶ ସୃଷ୍ଟି କରିବାକୁ ଚାହୁଁଛନ୍ତି ଯେଉଁଠ ସମସ୍ତେ ବିଭ୍ରାନ୍ତ ହେବେ। ବାରମ୍ବାର ଏପରି ବିଭିନ୍ନ ଘଟଣାରେ ବୟାନ ଦେବା ଏବଂ ଯେଉଁମାନେ ଆପତ୍ତି ଉଠାଉଛନ୍ତି ସେମାନଙ୍କୁ ଦଳରୁ ବାହାର କରିଦେବା, ତାଙ୍କୁ କ୍ଷମତାହୀନ କରିବା ପ୍ରମାଣିତ କରୁଛି ଯେ ନବୀନ ନିଜର ସୁରକ୍ଷା ଖୋଜୁଛନ୍ତି, ଯାହା ପାଣ୍ଡିଆନ୍ ଏବଂ ତାଙ୍କ ପାରିଷଦ ଦେବାରେ ଅକ୍ଷମ ହେଉଛନ୍ତି। ଏ ଅକ୍ଷମତା କେବଳ ନବୀନଙ୍କ ମିଛ କହିବାର ଅଭ୍ୟାସ ଯୋଗୁ ସୃଷ୍ଟି ହୋଇଛି କହିଲା ଅତ୍ୟୁକ୍ତି ହେବ ନାହିଁ।
ଏମିତି ମିଛ ତଥା ଅସତ୍ୟ କଥା ମଧ୍ୟ ନବୀନଙ୍କ ସେବକ ତଥା ଗଡ଼ ସର୍ଦ୍ଦାର ପାଣ୍ଡିଆନ୍ କହିଛନ୍ତି। ଗଡ଼ ସର୍ଦ୍ଦାର ପାଣ୍ଡିଆନ୍ ବିଜେଡି କ୍ଷମତାକୁ ନ ଆସିବାରୁ ସେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି। ତାଙ୍କ ଉକ୍ତି ଏବେ ମିଛ ପ୍ରମାଣିତ ହୋଇଛି। ସନ୍ୟାସ ନେବା ବଦଳରେ ସେ ଏବେ ନବୀନଙ୍କ ଉତ୍ତରାଧିକାରୀ ସାଜିଛନ୍ତି। ପୁଅ ନ ହୋଇଥିଲେ ମଧ୍ୟ ସେ ଯେ ତାଙ୍କ ପୁଅ ଏବଂ ତାଙ୍କ ପତ୍ନୀ ଯେ ତାଙ୍କର ବୋହୂ ଏ ନାରେଟିଭ୍କୁ ସୋସାଲ୍ ମିଡିଆରେ ପ୍ରସାର କରାଯାଛନ୍ତି। ତାହା ଯଦି ସତ୍ୟ ତେବେ ନବୀନ କାହିଁକି ଖୋଲାଖୋଲି ଭାବେ ଏହାକୁ ଗ୍ରହଣ କରୁନାହାନ୍ତି? ଅର୍ଥାତ୍ ପାଣ୍ଡିଆନ୍ ବି ମିଛ କହୁଛନ୍ତି।
ପାଣ୍ଡିଆନଙ୍କୁ ଦଳରୁ କାଢ଼ିବା ପାଇଁ ନିର୍ବାଚନ ପରେ ରାଜ୍ୟର ଶତାଧିକ ବରିଷ୍ଠ ନେତା କହିବା ସତ୍ତ୍ଵେ ଯଦି ନବୀନ ତାଙ୍କୁ ଛାଡ଼ିବାକୁ ପ୍ରସ୍ତୁତ ନାହାନ୍ତି ତେବେ ଦଳରେ ରହିକି କିଛି ଲାଭ ନାହିଁ ବୋଲି ଅନେକେ କହିଲେଣି। ନବୀନ ନିବାସକୁ ଯଦି କୌଣସି ବିଜେଡି ନେତା ଯିବାକୁ ଚାହୁଁଛନ୍ତି ସେମାନଙ୍କୁ ପାଣ୍ଡିଆନଙ୍କ ଅନୁମତି ନେବାକୁ ପଡୁଛି। ଅର୍ଥାତ୍ ଆଗକୁ ନବୀନଙ୍କ ତରଫରୁ ବିଜେଡିର ନେତାମାନଙ୍କୁ ଲୋଡ଼ାଯିବାର କୌଣସି ସମ୍ଭାବନା ବନ୍ଦ ହୋଇସାରିଛି। ଯାହାକିଛି ବିଜେଡି କାର୍ଯ୍ୟକ୍ରମ ହେବ ସେସବୁ ପାଣ୍ଡିଆନ ହିଁ ପରିଚାଳନା କରିବେ।
ଏସବୁ କଥାକୁ କେହି ଗ୍ରହଣ କରିବାକୁ ଆଉ ପ୍ରସ୍ତୁତ ନାହାନ୍ତି। ଉଦାହରଣ ଭାବେ, ନବୀନ ନିବାସକୁ ରାଜ୍ୟପାଳ ହରିବାବୁ କମ୍ଭମପାଟି ସୋମବାର ଆସି ନବୀନଙ୍କ ସ୍ଵାସ୍ଥ୍ୟବସ୍ଥା କଥା ବୁଝିଥିଲେ। ହେଲେ ସେତେବେଳେ ସ୍ଥାନୀୟ ୩ ନିର୍ବାଚନମଣ୍ଡଳୀର କୌଣସି ଦଳୀୟ ନେତାଙ୍କୁ ଲୋଡ଼ାଗଲା ନାହିଁ। ୨ ଜଣ ନିର୍ବାଚିତ ବିଧାୟକ ଥିଲେ ମଧ୍ୟ ସେମାନଙ୍କୁ ସେଠାକୁ ଡକାଗଲା ନାହିଁ, ଯାହାକୁ ନେଇ ଦଳ ଭିତରେ ଏକ ପ୍ରକାର ଚର୍ଚ୍ଚା ଜୋର୍ ଧରିଛି।
ନବୀନ ହସ୍ପିଟାଲରୁ ଡିସ୍ଚାର୍ଜ ହେବାର ଦିନକ ପୂର୍ବରୁ ସୁଜାତା କାର୍ତ୍ତିକେୟନ କେତେଜଣ ବରିଷ୍ଠ ନେତା ଯଥା ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାଏକ, ପ୍ରଣବ ପ୍ରକାଶ ଦାସ ଓ ସଞ୍ଜୟ କୁମାର ଦାସବର୍ମାଙ୍କ ସହ ହସ୍ପିଟାଲର ଏକ କନ୍ଫରେନ୍ସ ରୁମରେ ଆଲୋଚନା କରୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ରବିବାରଠାରୁ ବହୁଳ ପ୍ରସାରିତ ହୋଇଛି। ସେମାନଙ୍କ ସହ ପାଣ୍ଡିଆନ୍ଙ୍କ ଜଣେ ଅତ୍ୟନ୍ତ ଅନୁଗତ ଭାବେ ଜଣାଶୁଣା ପୂର୍ବତନ ରାଜ୍ୟସଭା ଏସ୍ପି ମଧ୍ୟ ସେଠାରେ ଉପସ୍ଥିତ ଥିଲେ ବୋଲି ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଏହି ଭିଡିଓକୁ ମଧ୍ୟ ଉକ୍ତ ସାଂସଦ ଜଣଙ୍କ ପ୍ରଥମେ ବାହାରକୁ ଛାଡ଼ିଛନ୍ତି। ଯେପରି ସୁଜାତାଙ୍କ ପ୍ରଚାର କରାଯାଇପାରିବ। କାରଣ କିଛିଦିନ ତଳୁ ହିଁ ସୁଜାତାଙ୍କୁ ରାଜନୀତିରେ ଆଗକୁ ଆଣି ଦଳର କମାଣ୍ଡ ଦେବା ପାଇଁ ଏକ ପ୍ରକାର ଯୋଜନା କରାଯାଇଥିଲା। ହେଲେ ହସ୍ପିଟାଲ ଘଟଣା ପରଠାରୁ ନବୀନଙ୍କ ଘନିଷ୍ଠ କୁହାଯାଉଥିବା ଦମ୍ପତିଙ୍କ ଚାଲ୍ ଧରାପଡ଼ିଯାଇଛି ବୋଲି ଦଳ ଭିତରେ ଚର୍ଚ୍ଚା ଚାଲିଛି। ତେଣୁ ଏଭଳି ଚର୍ଚ୍ଚାକୁ ପ୍ରତିହତ କରିବା ପାଇଁ ହିଁ ପୂର୍ବରୁ ଯୋଜନାବଦ୍ଧ ଭାବେ ପ୍ରସ୍ତୁତ ସୁଜାତାଙ୍କ ଭିଡିଓ ସମୟ ଦେଖି ପଦାକୁ ଛଡ଼ାଯାଇଥିବା ଶୁଣିବାକୁ ମିଳୁଛି।
୨୦୨୪ ନିର୍ବାଚନ ପରଠାରୁ ଦଳର ବହୁ ବରିଷ୍ଠ ନେତା ଯେପରିକି, ପ୍ରଫୁଲ୍ଲ ସାମଲ, ଅମର ଶତପଥୀ, ପ୍ରଫୁଲ୍ଲ ମଲିକ, ଶଶିଭୂଷଣ ବେହେରା, ବଦ୍ରି ନାରାୟଣ ପାତ୍ର ପ୍ରମୁଖ ପ୍ରାୟତଃ ଦଳଠାରୁ ଦୂରେଇ ଯାଇଛନ୍ତି। ଅନ୍ୟ କେତେଜଣ ବିଧାୟକ ଓ ବରିଷ୍ଠ ନେତା ଦଳରେ ଥାଇ ବିଜେଡି ସରକାରରୁ ଯିବାର ପ୍ରଥମ ଦିନରୁ ହିଁ ପାଣ୍ଡିଆନ୍ଙ୍କୁ ସିଧାସଳଖ ବିରୋଧ କରୁଛନ୍ତି। ଆଉ ଯେଉଁମାନେ ପାଣ୍ଡିଆନ୍ଙ୍କ ସହଯୋଗୀ ଭାବେ ଥିଲେ ବର୍ତ୍ତମାନ ଜନମତ ଦେଖିବା ପରେ ନିଜ ଭାଷା ବଦଳେଇଲେଣି। ସେମାନେ ବୁଝିଗଲେଣି ପ୍ରବଳ ଅର୍ଥ ଥିଲେ ମଧ୍ୟ ସେହି ନାମରେ ଆଉ ଭୋଟ୍ ମିଳିବ ନାହିଁ।
ପୂର୍ବ ଦୁଇଟି ଯୁକ୍ତି ଏହା ସ୍ପଷ୍ଟ କରୁଛି ଯେ ଉଭୟ ନବୀନ ଓ ପାଣ୍ଡିଆନ୍ ମିଛ କହି ତାହାକୁ ପ୍ରଚାର କରିବାରେ ଲାଗିପଡ଼ିଛନ୍ତି। କିନ୍ତୁ କାହିଁକି ଏ ମିଛ?
ଏ ମିଛ ଏଥିପାଇଁ ଯେ ନବୀନ ଏହାକୁ ପ୍ରତ୍ୟକ୍ଷ ଓ ପରୋକ୍ଷରେ ପ୍ରଶ୍ରୟ ଦେଉଛନ୍ତି। ରାଜ୍ୟର ଜନତା ଯେମିତି ବିଭ୍ରାନ୍ତ ହୋଇ ଭୋଟ୍ ଦେବେ ତାହାକୁ ସେ ଆଶା ରଖିଛନ୍ତି। ଓଡ଼ିଆ ଅସ୍ମିତାକୁ ସେ ଦଳି ଚକଟି ନର୍ଦ୍ଦମା ପାଣିରେ ଫିଙ୍ଗି ଦେବାକୁ ଚାହିଁଛନ୍ତି, ତାହା ସତ୍ୟ ନୁହେଁ କି? ସେଥିଲାଗି ଗଣମାଧ୍ୟମ ଏବେ ପାଣ୍ଡିଆନ୍ ନୁହନ୍ତି ନବୀନଙ୍କୁ ହିଁ ଅସଲି କାର୍ପଟଦାର ଭାବେ ଗ୍ରହଣ କରୁଛନ୍ତି।
ନବୀନଙ୍କ ପ୍ରଚ୍ଛନ୍ନ ହାତ ଯୋଗୁ ପାଣ୍ଡିଆନ୍ ଏପରି ଭାବଭଙ୍ଗୀ ଦେଖାଉଛନ୍ତି, ବରିଷ୍ଠ ନେତାଙ୍କୁ ଧମକ ଦେଉଥିବା କୁହାଯାଉଛି। ଏପରିକି ପାଣ୍ଡିଆନ୍ଙ୍କ ପତ୍ନୀଙ୍କୁ ଓଡ଼ିଆ ବୋଲି ଦର୍ଶାଇ ତାଙ୍କୁ ଦଳର ସର୍ବେସର୍ବା କରିବା ପାଇଁ ଯୋଜନା ଚାଲିଥିବା ଚର୍ଚ୍ଚା ହେଉଛି। ପାଣ୍ଡିଆନ୍ ପତ୍ନୀ ବି ଏହି ଦାୟିତ୍ୱ ଗ୍ରହଣ କରିବାକୁ ଆଗଭର ହୋଇଛନ୍ତି।
ଯଦି ବିହାରି ଝିଅରୁ ଓଡ଼ିଆ ବୋହୁ ହୋଇଥିବା ଅପରାଜିତା ଷଡ଼ଙ୍ଗୀଙ୍କୁ ଭୁବନେଶ୍ୱରବାସୀ ଦୁଇଥର ସାଂସଦ ଭାବେ ପଠାଇପାରିଛନ୍ତି ତେବେ ଜାମସେଦପୁରରେ ଜନ୍ମିତ ତାମିଲ ବୋହୂ ସୁଜାତାଙ୍କୁ କାହିଁକି ନୁହେଁ ବୋଲି ବି ଚର୍ଚ୍ଚା ହେଉଛି।
ଏଭଳି ଚର୍ଚ୍ଚଲାଗି ବିଜେଡିରେ ଏବେ ପୁଣିଥରେ ବିଦ୍ରୋହ ସ୍ୱର ସୃଷ୍ଟି ହୋଇଛି। ପ୍ରଶ୍ନ ଉଠୁଛି ଏ ବିଦ୍ରୋହ କ’ଣ ଓଡ଼ିଶାବାସୀ ଯାହା ଚାହୁଁଛନ୍ତି ତାହାକୁ ରୂପରେଖ ଦେବାରେ ସହାୟକ ହେବ? ବିଜେଡି ଶାସନରୁ ଅଣ ଓଡ଼ିଆଙ୍କୁ ଦୂରରେ ରଖିପାରିବ? କ’ଣ ପାଣ୍ଡିଆନ୍ ଦମ୍ପତ୍ତି ବିଜୁ ଲିଗାସୀର ଉତ୍ତରାଧିକାରୀ ହୋଇପାରିବେ?
Also readhttps://purvapaksa.com/do-you-know-how-many-ganesha-idols-are-there-in-the-temple-premises/
