Pahalgam Terror Attack: ପହଲଗାମ ଆତଙ୍କବାଦୀ ଆକ୍ରମଣର ବିରୋଧରେ ଭାରତର ସିନ୍ଧୁ ଜଳ ଚୁକ୍ତିରୁ ପଛକୁ ହଟିବା ଘୋଷଣ ପରେ, ପାକିସ୍ତାନ ଏହାକୁ ତା ବିରୋଧରେ ଯୁଦ୍ଧ ଘୋଷଣା ବୋଲି କହିଛି। ପାଲଟା କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ୧୯୭୧ ଯୁଦ୍ଧ ପରେ ହୋଇଥିବା ଶିମଲା ଚୁକ୍ତି ସମେତ ସମସ୍ତ ଦ୍ୱିପାକ୍ଷିକ ଚୁକ୍ତିକୁ ସ୍ଥଗିତ ରଖିଛନ୍ତି।
ଏବେ ମନରେ ଏହି ପ୍ରଶ୍ନ ଉଠୁଛି ଯେ ଶିମଲା ଚୁକ୍ତି କ’ଣ ଏବଂ ଏଥିରୁ ପଛକୁ ହଟିବା ଦ୍ୱାରା ପାକିସ୍ତାନକୁ କ’ଣ ଲାଭ ମିଳିବ ? ଶିମଲା ଚୁକ୍ତିରୁ ପଛକୁ ହଟି ପାକିସ୍ତାନ ନିଜ ପାଦରେ କୁଠାର ମାରିବା ବ୍ୟତୀତ ଆଉ କିଛି କରିନାହିଁ। ଅଳ୍ପ ଶବ୍ଦରେ କହିବାକୁ ଗଲେ ପାକିସ୍ତାନ ଭାରତକୁ ପାକ୍ ଅଧିକୃତ କଶ୍ମୀର (PoK) କୁ ଭାରତରେ ମିଶାଇବାର ସୁଯୋଗ ଦେଇଛି। ଆସନ୍ତୁ, ଏବିଷୟରେ ବିସ୍ତୃତ ଭାବେ ଜାଣିବା।
ଶିମଲା ଚୁକ୍ତି କ’ଣ?
ଶିମଲା ଚୁକ୍ତି ୧୯୭୨ ମସିହା ଜୁଲାଇ ମାସରେ, ବାଂଲାଦେଶକୁ ଏକ ପୃଥକ ଦେଶ କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପାକିସ୍ତାନର ତତ୍କାଳୀନ ରାଷ୍ଟ୍ରପତି ଜୁଲଫିକାର ଅଲୀ ଭୁଟ୍ଟୋ ଏହି ଚୁକ୍ତିରେ ହସ୍ତାକ୍ଷର କରିଥିଲେ। ଏହି ଚୁକ୍ତି ଅନୁଯାୟୀ, ଉଭୟ ଦେଶ ଜମ୍ମୁ-କଶ୍ମୀର ବିବାଦକୁ ଦ୍ୱିପାକ୍ଷିକ ଆଲୋଚନା ମାଧ୍ୟମରେ, କୌଣସି ତୃତୀୟ ପକ୍ଷର ମଧ୍ୟସ୍ଥତା ବିନା ସମାଧାନ କରିବେ। ଏହି ଚୁକ୍ତିରେ ନିୟନ୍ତ୍ରଣ ରେଖା (LoC) କୁ ସମ୍ମାନ ଦେବା ଏବଂ ଏହାକୁ ବଦଳାଇବା ପାଇଁ ବଳ ପ୍ରୟୋଗରୁ ବିରତ ରହିବା ଉପରେ ସହମତି ହୋଇଥିଲା। ଉଭୟ ଦେଶ ପରସ୍ପରର ଆଞ୍ଚଳିକ ଅଖଣ୍ଡତା ଏବଂ ସାର୍ବଭୌମତ୍ୱକୁ ସ୍ୱୀକାର କରିଥିଲେ। ପାରସ୍ପରିକ ହିତ ପାଇଁ ସହଯୋଗ ବୃଦ୍ଧି କରିବେ। ଏହି ଚୁକ୍ତି ୧୯୭୧ ଯୁଦ୍ଧ ସମୟରେ ବନ୍ଦୀ ହୋଇଥିବା ଯୁଦ୍ଧବନ୍ଦୀଙ୍କ ମୁକ୍ତି ଏବଂ ଯୁଦ୍ଧଜନିତ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ମଧ୍ୟ ଏକ ରୂପରେଖା ପ୍ରଦାନ କରିଥିଲା।
ଚୁକ୍ତି ଭଙ୍ଗ ପଛରେ ପାକିସ୍ତାନର ଅଭିସନ୍ଧି କଣ
ଶିମଲା ଚୁକ୍ତିରୁ ପଛକୁ ହଟିବା ଦ୍ୱାରା ପାକିସ୍ତାନ ଜମ୍ମୁ-କଶ୍ମୀର ମୁଦ୍ଦାକୁ ସଂଯୁକ୍ତ ରାଷ୍ଟ୍ର (UN) ଏବଂ ଅନ୍ୟାନ୍ୟ ଆନ୍ତର୍ଜାତୀୟ ମଞ୍ଚରେ ଉଠାଇବା ପାଇଁ ମୁକ୍ତ ହେବ। ଚୁକ୍ତିରୁ ପଛକୁ ହଟିବାର ଘୋଷଣା କରି ପାକିସ୍ତାନ ଏହି ବାର୍ତ୍ତା ଦେଇପାରେ ଯେ ସେ କଶ୍ମୀରକୁ ଏକ ଆନ୍ତର୍ଜାତୀୟ ବିବାଦ ରୂପେ ପୁନଃ ଉପସ୍ଥାପନ କରିବାକୁ ଚାହୁଁଛି। ପାକିସ୍ତାନ ୧୯୪୮ ଓ ୧୯୪୯ ମସିହାରେ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦର ପ୍ରସ୍ତାବ ଅନୁଯାୟୀ ଜମ୍ମୁ-କଶ୍ମୀର ମୁଦ୍ଦାକୁ ଆନ୍ତର୍ଜାତୀୟ ମଞ୍ଚରେ ସମାଧାନ କରିବାକୁ ଉଠାଇପାରେ। ଏହାକୁ ଭାରତ ଶିମଲା ଚୁକ୍ତିର ନିୟମ ଅନୁସାରେ ବାରମ୍ବାର ପାକିସ୍ତାନକୁ ଚୁପ କରାଇ ଦେଉଥିଲା, ଯେ କୌଣସି ବାହାରେ ଦେଶ ବା ସଂଗଠନ ଜମ୍ମୁ-କଶ୍ମୀର ମୁଦ୍ଦାରେ ମଧ୍ୟସ୍ଥତା କରିପାରିବ ନାହିଁ।
ଚୁକ୍ତି ରଦ୍ଦ କରି ଶହବାଜ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଲେ ବଡ଼ ସୁଯୋଗ
ଏହା ମନେ କରାଯାଉଛି ଯେ ଶିମଲା ଚୁକ୍ତିରୁ ପଛକୁ ହଟି ପାକିସ୍ତାନ ନିଜ ପାଦ ଉପରେ କୁଠାର ମାରିଛି। କାରଣ ଏହି ଚୁକ୍ତି ଅନୁଯାୟୀ ଉଭୟ ଦେଶ LoC କୁ ସମ୍ମାନ ଦେବେ ଏବଂ ଏହାକୁ ବଦଳାଇବା ପାଇଁ ବଳ ପ୍ରୋଗ କରିବେ ନାହିଁ। ପାକିସ୍ତାନ ଏବେ ନିଜେ ଏହି ଚୁକ୍ତିକୁ ସ୍ଥଗିତ କରିଦେଇଛି। ତେଣୁ ପାକିସ୍ତାନ ଅଧିକୃତ କଶ୍ମୀର (PoK) କୁ ଫେରାଇ ଆଣିବା ପାଇଁ ଭାରତ ଏବେ ସମ୍ପୂର୍ଣ୍ଣ ସ୍ୱାଧୀନ। ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବରୁ ଅନେକ ଥର କହିଛନ୍ତି ଯେ ସମଗ୍ର କଶ୍ମୀର ଭାରତର। ପାକିସ୍ତାନ PoK ଉପରେ ଅବୈଧ ଦଖଲ କରିଛି। PoK କୁ ଭାରତରେ ପୁନଃ ସାମିଲ କରିବା ପାଇଁ ଆମେ ପ୍ରତିବଦ୍ଧ। ଏପରି ପରିସ୍ଥିତିରେ ଭାରତ ଏବେ ଚାହିଁଲେ କୌଣସି ଆଇନଗତ ବାଧା ବିନା ବଳ ପ୍ରୟୋଗ କରି ସମଗ୍ର କଶ୍ମୀରକୁ ଏକତ୍ରିତ କରିବାର ଯୋଜନା ଉପରେ ଖୋଲାଖୋଲି କାମ କରିପାରେ। ଯଦିଓ ଏପରି ହେଲେ ପାକିସ୍ତାନ ୧୯୪୮ ମସିହାରେ ସଂଯୁକ୍ତ ରାଷ୍ଟ୍ରର ପ୍ରସ୍ତାବକୁ ଉଲ୍ଲେଖ କରି ଏହା ଉପରେ ହଟ୍ଟଗୋଳ କରିପାରେ।
ALSO READ: https://purvapaksa.com/pahalgam-terror-attack-truth/
ପହଲଗାମ ଆକ୍ରମଣ କିଏ କରାଇଥିଲା, କିଏ ଅସ୍ତ୍ରଶସ୍ତ୍ର ଯୋଗାଇଥିଲା? ଷଡଯନ୍ତ୍ର ଉପରୁ ପରଦା ଉଠାଇଲେ ପାକିସ୍ତାନୀ ସୈନିକ