ଡ. ସମନ୍ୱୟ ନନ୍ଦ
ଉତ୍ତର ପ୍ରଦେଶର ପବିତ୍ର ନଗରୀ ପ୍ରୟାଗରାଜଠାରେ ଆୟୋଜିତ ହୋଇଥିବା କୁମ୍ଭମେଳା ସମାପ୍ତ ହୋଇଛି। ୧୩ ଜାନୁଆରୀଠାରୁ ଆରମ୍ଭ ହୋଇଥିବା ଓ ୪୫ ଦିନ ଧରି ଚାଲିଥିବା ଏହି କୁମ୍ଭମେଳା ବାସ୍ତବରେ ଭବ୍ୟ ଓ ଦିବ୍ୟ ଥିଲା। ଏଥିରେ ସାରାଭାରତ ଓ ଭାରତ ବାହାରୁ ୬୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ଆସି ଗଙ୍ଗା- ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି । ସାରାବିଶ୍ୱରେ ଏଭଳି ଆୟୋଜନ କେଉଁଠାରେ ଆଉ ହେବା ସମ୍ଭବ ନୁହେଁ ଯେଉଁଠାରେ ଏତେ କମ୍ ଦିନ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ ଏକାଠି ହୋଇପାରିବେ।
ତେବେ କୁମ୍ଭ ମେଳା ଏତେ ଭବ୍ୟ ଓ ଦିବ୍ୟ ହୋଇଥିବା ସତ୍ତ୍ୱେ ହିନ୍ଦୁ ବିରୋଧୀମାନଙ୍କର ଆକ୍ରମଣରୁ ଏହା ବର୍ତ୍ତିପାରିନାହିଁ। ହିନ୍ଦୁ ବିରୋଧୀ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି କୁମ୍ଭମେଳାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। କେବଳ ସେତିକି ନୁହେଁ ବିଦେଶୀନଙ୍କ ବିଚାରରେ ଅନୁପ୍ରାଣିତ ଲେଫ୍ଟ ଲିବରାଲ ବର୍ଗର ବୁଦ୍ଧିଜୀବୀ, ଏକାଡେମିସିଆନ ତଥା ଇସଲାମିଷ୍ଟମାନେ ମଧ୍ୟ କୁମ୍ଭ ବିରୁଦ୍ଧରେ ମନ୍ତବ୍ୟ ଦେବା ଦେଖିବାକୁ ମିଳିଥିଲା।
କଂଗ୍ରେସର ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ କୁମ୍ଭମେଳାର ସର୍ବପ୍ରଥମେ ଔଚିତ୍ୟକୁ ନେଇ ପ୍ରଶ୍ନ ଉଠାଇଥିଲେ। ସେ କହିଥିଲେ ଯେ କୁମ୍ଭମେଳାରେ ବୁଡ ପକାଇଲେ କଣ ଲୋକମାନଙ୍କର ଦାରିଦ୍ର୍ୟ ହ୍ରାସ ପାଇବ। କୋଟି କୋଟି ଲୋକଙ୍କର ଆସ୍ଥା ଓ ବିଶ୍ୱାସ ଉପରେ ସେ ସିଧାସଳଖ ଆକ୍ରମଣ କରିବାକୁ ପଛାଇ ନ ଥିଲେ। କୋଟି କୋଟି ଲୋକଙ୍କ ଆସ୍ଥା ସହ ଜଡ଼ିତ ହୋଇଥିବା କାରଣରୁ ଉତ୍ତର ପ୍ରଦେଶର ବିରୋଧୀ ଦଳ ସମାଜବାଦୀ ପାର୍ଟିର ନେତା ଅଖିଳେଶ ଯାଦବ ପ୍ରତ୍ୟକ୍ଷଭାବେ ଖଡଗେଙ୍କ ପରି ବିରୋଧ ତ କରିପାରିନଥିଲେ ହେଲେ ସେ ଏହି ମେଳାରେ ଅବ୍ୟବସ୍ଥା ଥିବା ପ୍ରସଙ୍ଗ ଉଠାଇଥିଲେ। ହେଲେ ତାଙ୍କ ଦଳର ସାଂସଦ ଜୟା ବଚ୍ଚନ କୁମ୍ଭ ମେଳା ସମ୍ପର୍କରେ ଯେଉଁ ବକ୍ତବ୍ୟ ଦେଇଥିଲେ ତାହାଦ୍ୱାରା ସେ ସମସ୍ତଙ୍କୁ ପାର କରିଯାଇଥିଲେ। ସେ ସଂସଦ ଭବନ ପରିସରରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତାବେଳେ କହିଥିଲେ ଯେ କୁମ୍ଭମେଳାର ପାଣି ସର୍ବାଧିକ ଦୂଷିତ। ସେ କହିଥିଲେ ଯେ, ‘ବର୍ତ୍ତମାନ ସବୁଠାରୁ ଦୂଷିତ ପାଣି କେଉଁଠାରେ ଅଛି। ସେଠାରେ ଘଟିଥିବା ଦଳା ଚକଟା କାରଣରୁ ଯେଉଁ ଲୋକମାନଙ୍କର ମୃତ୍ୟୁ ହେଲା ସେମାନଙ୍କର ଶବକୁ ନଦୀରେ ଫିଙ୍ଗି ଦିଆଯାଇଛି। ଏହି କାରଣରୁ ସେଠାକାର ପାଣି ଖୁବ୍ ଦୂଷିତ ହୋଇଯାଇଛି।’ ସେ ଆହୁରି କହିଥିଲେ ଯେ ‘କୁମ୍ଭରେ ଆସୁଥିବା ସାଧାରଣ ଲୋକମାନଙ୍କୁ କୌଣସି ବିଶେଷ ସୁବିଧା ପ୍ରଦାନ କରାଯାଉ ନାହିଁ। ତାଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇନାହିଁ। କୋଟି କୋଟି ଲୋକ ଆସୁଛନ୍ତି ବୋଲି ମିଛ କୁହାଯାଉଛି। ଏତେ ସଂଖ୍ୟାରେ ଲୋକମାନେ ଗୋଟିଏ ସମୟରେ କିପରି ଏକତ୍ରିତ ହୋଇପାରିବେ?’
ପଶ୍ଚିମ ବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଉ ଗୋଟିଏ ପାଦ ଆଗକୁ ଚାଲି ଯାଇଥିଲେ। ସେ କୁମ୍ଭକୁ ମୃତ୍ୟୁର କୁମ୍ଭ ବୋଲି କହିଥିଲେ। ହିନ୍ଦୁ ଆସ୍ଥା, ମାନ୍ୟତା ପ୍ରତି ସେ କେତେ ସମ୍ବେଦନଶୀଳ ତାକୁ ସେ ସ୍ପଷ୍ଟ କରିଦେଇଥିଲେ।
କେବଳ ସେତିକି ନୁହେଁ ଲେଫ୍ଟ – ଲିବରାଲ ଓ ଇସଲାମିଷ୍ଟ ଶକ୍ତିମାନଙ୍କ ପକ୍ଷରୁ କୁମ୍ଭ ବିରୁଦ୍ଧରେ ବ୍ୟାପକ ଅପପ୍ରଚାର କରାଗଲା। ବିଭିନ୍ନ ଖବର କାଗଜରେ କୁମ୍ଭ ବିରୋଧୀ ଓ ହିନ୍ଦୁ ଧର୍ମ ବିରୋଧୀ ଲେଖାମାନ ପ୍ରକାଶିତ ହେଲା। ଗୋଟିଏ ଲେଖାର ଉଦାହରଣ ଦେଲେ ଯଥେଷ୍ଟ ହେବ। ଏକ ଇଂରାଜୀ ସମ୍ବାଦପତ୍ରରେ ଡ. ସବିତା ଝାଙ୍କ ନାମରେ ଏକ ଲେଖା ପ୍ରକାଶିତ ହେଲା ଯାହାର ଶୀର୍ଷକ ଥିଲା, “ରଶ୍ – ଏଟ୍ ମହାକୁମ୍ଭ ସୋଜ ହାଉ ହିନ୍ଦୁଇଜିମ ଇଜ ଲୁଜିଂ ଇଟ ପ୍ଲୁରାଲିଷ୍ଟିକ କ୍ୟାରେକ୍ଟର \”। ଅର୍ଥାତ କୁମ୍ଭରେ କୋଟି କୋଟି ସଂଖ୍ୟାରେ ହିନ୍ଦୁମାନେ ଏକତ୍ରିତ ହୋଇ ବୁଡ଼ ପକାଇବା ଦ୍ୱାରା ହିନ୍ଦୁଧର୍ମ ତାର ବହୁଳତାବାଦୀ ଚରିତ୍ରକୁ ହରାଉଛି। ଲେଖିକାଙ୍କ ମନରେ କଷ୍ଟ ଥିଲା ଯେ ହିନ୍ଦୁ ସମାଜ ଜାତି–ଭାଷା-ରାଜ୍ୟ ଆଦିରେ ବିଭାଜିତ। ସେମାନେ କେବେ ବି ଏକାଠି ହୋଇପାରନ୍ତି ନାହିଁ। ସେମାନେ କିପରି ଏକାଠି ହେଉଛନ୍ତି? ଏହାଦ୍ୱାରା ହିନ୍ଦୁ ଧର୍ମ ପ୍ରତି ବିପଦ ସୃଷ୍ଟି ହୋଇଛି। ଲେଖିକା ଜଣେ ଏକାଡେମିସିଆନ ଓ ତାଙ୍କ ବିଷୟରେ ଅଧିକ ଅନୁସନ୍ଧାନ କରିବା ପରେ ଜଣାପଡ଼ିଲା ଯେ ତାଙ୍କର ବାସ୍ତବିକ ନାମ ସବିତା ଝା ନୁହେଁ ବରଂ ସବିତା ଝା ଖାନ। କିଛି ଲେଫ୍ଟ ଲିବରାଲ ସାମ୍ବାଦିକ ଓ ବୁଦ୍ଧିଜୀବୀ ଯେଉଁମାନେ ବେଶୀ କିଛି କରିପାରୁନଥିଲେ ସେମାନେ ତାଙ୍କର ସୋସିଆଲ ମିଡିଆରେ କୁମ୍ଭକୁ ନେଇ ଉପହାସ କରୁଥିବା ଦେଖିବାକୁ ମିଳୁଥିଲା।
ତେବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ବିଧାନସଭାରେ କୁମ୍ଭକୁ ନେଇ ଯେଉଁ ବକ୍ତବ୍ୟ ଦେଇଥିଲେ ତାହା ସମ୍ପୂର୍ଣ ଠିକ୍ ବୋଲି ମନେହୁଏ। ସେ ବିଧାନସଭାରେ ତାଙ୍କର ଉଦବୋଧନରେ କହିଥିଲେ ଯେ “କୁମ୍ଭ ମେଳାରେ ଯିଏ ଯେଉଁ ବିଷୟ ଖୋଜିଲା ସେ ତାକୁ ସେଇଆ ମିଳିଲା। ଶାଗୁଣାକୁ ଶବ ମିଳିଲା। ଘୁସୁରୀମାନଙ୍କୁ ମଇଳା ମିଳିଲା। ସମ୍ବେଦନଶୀଳ ଲୋକନଙ୍କୁ ସମ୍ପର୍କର ସୁନ୍ଦର ଚିତ୍ର ମିଳିଲା। ଆସ୍ଥାବାନମାନଙ୍କୁ ପୁଣ୍ୟ ମିଳିଲା। ସଜ୍ଜନମାନଙ୍କୁ ସଜ୍ଜନତା ମିଳିଲା। ଗରିବମାନଙ୍କୁ ରୋଜଗାର ମିଳିଲା। ବ୍ୟବସାୟୀମାନଙ୍କୁ ବେପାର ମିଳିଲା। ଭକ୍ତମାନଙ୍କୁ ସଫା ସୁତୁରା ବ୍ୟବସ୍ଥା ମିଳିଲା। ପର୍ଯ୍ୟଟକମାନଙ୍କୁ ସୁନ୍ଦର ବ୍ୟବସ୍ଥା ମିଳିଲା। ସଦଭାବନା ଚାହୁଁଥିବା ଲୋକମାନଙ୍କୁ ଜାତି ବିହୀନ ବ୍ୟବସ୍ଥା ମିଳିଲା। ଭକ୍ତ ମାନଙ୍କୁ ଭଗବାନ ମିଳିଲେ। ”
ଯୋଗୀ ଆଦିତ୍ୟନାଥ କହିଥିଲେ ଯେ ଏଥିରୁ ସ୍ପଷ୍ଟ ଯେ ସମସ୍ତେ ନିଜ ନିଜ ସ୍ୱଭାବ ଓ ଚରିତ୍ର ଅନୁସାରେ ଜିନିଷଗୁଡ଼ିକୁ ଦେଖିଲେ। ଗୋଟିଏ ଘାଟରେ ସମସ୍ତ ତୀର୍ଥ ଯାତ୍ରୀ ବିନା ଭେଦଭାବରେ ସ୍ନାନ କରିବାରେ ଲାଗିଥିଲେ।
କୁମ୍ଭକୁ ନେଇ ଏତେ ଘୃଣା ଓ ଏତେ ବିଷ ବାନ୍ତି କରାଯିବାର କାରଣ କ’ଣ?
ଭାରତ ବିରୋଧୀ ବାମପନ୍ଥୀ-ଲିବରାଲ-ଇସଲାମିଷ୍ଟ ଓ ସୋରୋସ ସମର୍ଥିତ ତତ୍ତ୍ୱମାନେ ବର୍ଷ ବର୍ଷ ଧରି ହିନ୍ଦୁ ସମାଜ ସମ୍ପର୍କରେ ଏକ ବିଶେଷ ଚିତ୍ର ଦେଖାଇବାକୁ ଚେଷ୍ଟା କରି ସୁନିୟୋଜିତଭାବେ କାର୍ଯ୍ୟ କରି ଆସିଛନ୍ତି। ଏହି ନ୍ୟାରେଟିଭଟି ହେଲା ଯେ ହିନ୍ଦୁ ସମାଜରେ ଅନେକ ବିଭାଜନ ରହିଛି। ତେଣୁ ହିନ୍ଦୁମାନେ କେବେ ହେଲେ ଏକାଠି ହୋଇ ପାରିବେନାହିଁ। ଏହି ବର୍ଗର ଲୋକମାନେ ହିନ୍ଦୁ ସମାଜ ସମ୍ପର୍କରେ ଏହି ବିଶେଷ ପ୍ରକାରର ନ୍ୟାରେଟିଭକୁ ସ୍ଥାପିତ କରିବାକୁ ବହୁ ପରିଶ୍ରମ କରି ଆସିଛନ୍ତି। ଏହି ବାବଦରେ ବିଦେଶୀ ଶକ୍ତିମାନେ ଭାରତରେ ଥିବା ସେମାନଙ୍କର ବୌଦ୍ଧିକ କୁଲିମାନଙ୍କ ଜରିଆରେ ବିପୁଳ ଧନ ରାଶି ଖର୍ଚ କରିଛନ୍ତି। ଏକାଡେମିକ ଜଗତରେ ଏହି ନ୍ୟାରେଟିଭକୁ ସ୍ଥାପିତ କରିବାକୁ ସେମାନେ ଅନେକ ପୁସ୍ତକ ରଚନା କରିବା ସହ ଅନେକ ସେମିନାର ଆୟୋଜନ କରି ଆସିଛନ୍ତି। ଅନେକ ସମ୍ବାଦପତ୍ରରେ ସମ୍ପାଦକୀୟ ପୃଷ୍ଠାରେ ଏହି ନ୍ୟାରେଟିଭକୁ ସ୍ଥାପିତ କରାଇବାକୁ ଅନେକ ଲେଖା ଲେଖାଇଛନ୍ତି। ହେଲେ ପ୍ରୟାଗରାଜର ଏହି କୁମ୍ଭ ଲେଫ୍ଟ- ଲିବରାଲ-ଇସଲାମିଷ୍ଟ ଓ ବିଦେଶୀ ଶକ୍ତିମାନଙ୍କର ଏହି ନ୍ୟାରେଟିଭକୁ ଧ୍ୱସ୍ତ କରି ଦେଇଛି।
ପ୍ରୟାଗରାଜର କୁମ୍ଭରେ ୬୦ କୋଟିରୁ ଉର୍ଦ୍ଧ୍ୱ ହିନ୍ଦୁ ତ୍ରିବେଣୀ ସଂଗମଠାରେ ସ୍ନାନ କରିଛନ୍ତି। ଏକାଠି ସ୍ନାନ କରିବାବେଳେ ଓ ଏକାଠି ବୁଡ଼ ପକାଇବାବେଳେ କିଏ କେଉଁ ଜାତିର କେଉଁ ସମ୍ପ୍ରଦାୟର ତାହା କେହି ପଚାରି ନାହାନ୍ତି। କାହାକୁ ଜାଣିବାର ମଧ୍ୟ କୌଣସି ପ୍ରକାର ଆଗ୍ରହ ମଧ୍ୟ ନାହିଁ। ସମସ୍ତେ ତ୍ରିବେଣୀ ସଂଗମରେ ବୁଡ଼ ପକାଇ ନିଜର ସନାତନ ସଭ୍ୟତା ଓ ସଂସ୍କୃତି ପ୍ରତି ତାଙ୍କର ଗଭୀର ଶ୍ରଦ୍ଧାକୁ ପ୍ରଦର୍ଶିତ କରିଛନ୍ତି। ଏହା ଲେଫ୍ଟ-ଲିବରାଲ-ଇସଲାମିଷ୍ଟ ଓ ବିଦେଶୀ ଶକ୍ତିମାନଙ୍କୁ ଖୁବ୍ କଷ୍ଟ ଦେଇଛି। ତାଙ୍କଦ୍ୱାରା ସ୍ଥାପିତ ନ୍ୟାରେଟିଭ ଖୋଲାଖୋଲିଭାବେ କୁମ୍ଭରେ ଧ୍ୱସ୍ତ ହୋଇଛି।
ତାଙ୍କର କଷ୍ଟ ଏଇଥି ପାଇଁ ଅଧିକ ହେଉଛି ଯେ, ଭାରତୀୟମାନଙ୍କର ମଧ୍ୟରେ ସାଂସ୍କୃତିକ ପୁନର୍ଜାଗରଣ ହେବାରେ ଲାଗିଛି। କୁମ୍ଭମେଳାରେ ଏକାଠି ହୋଇ ୬୦ କୋଟି ହିନ୍ଦୁ ସ୍ନାନ କରିବା ଭାରତର ସାଂସ୍କୃତିକ ପୁନର୍ଜାଗରଣର ପ୍ରତୀକ। ଭାରତର ପୁନର୍ଜାଗରଣ ହେଉଛି। ଭାରତ ତା’ର ମୂଳକୁ ଫେରୁଛି। ଏହାହିଁ ଏହି ବର୍ଗକୁ ଗଭୀରଭାବେ କଷ୍ଟ ଦେଉଛି। ଏହି କଷ୍ଟ କାରଣରୁ ସେମାନେ ଏଭଳି ବ୍ୟବହାର କରୁଛନ୍ତି। ଏହାକୁ ବୁଝିବାକୁ ପଡ଼ିବ।
(ପ୍ରାବନ୍ଧିକ ଡ. ସମନ୍ୱୟ ନନ୍ଦ ବହୁଭାଷୀ ନ୍ୟୁଜ ଏଜେନ୍ସୀ ହିନ୍ଦୁସ୍ଥାନ ସମାଚାରର ଓଡ଼ିଶା ମୁଖ୍ୟଭାବେ କାମ କରୁଛନ୍ତି। ଭାରତୀୟ ରାଜନୀତି, ସଭ୍ୟତା, ସଂସ୍କୃତି, ଇତିହାସ ଓ ଭୂ ରାଜନୈତିକ ବିଷୟଗୁଡ଼ିକ ତାଙ୍କର ଅଧ୍ୟୟନର ବିଷୟ ।)
Also readhttps://purvapaksa.com/the-fundamental-difference-between-zakir-hussain-and-irfan-ansari/
