- କମିଛି ବହୁମୁଖୀ ବ୍ୟବହାର ଅଭ୍ୟାସ
- ପ୍ରଦୂଷଣ କମାଇଛି ଜଳର ମାନ
- ବିପଦରେ ଏକାମ୍ରର ପ୍ରମୁଖ ପବିତ୍ର ପୋଖରୀ
- ଦ୍ରୁତ ସହରୀକରଣ, ଜବରଦଖଲ ଓ ତ୍ରୁଟିପୂର୍ଣ୍ଣ ଯୋଜନାରେ ବଳି ପଡ଼ିଛି ହଜାର ବର୍ଷର ଜଳ ଐତିହ୍ୟ
ସ୍ୱୟଂସିଦ୍ଧଙ୍କ ରିପୋର୍ଟ
ଓଡ଼ିଶାର ରାଜଧାନୀ ସହର ଭୁବନେଶ୍ୱରରେ ରହିଛି ୫୦ରୁ ଅଧିକ ଧର୍ମୀୟ ପୁଷ୍କରିଣୀ। ଏହି ପୁଷ୍କରିଣୀ, କୁଣ୍ଡ ଓ ଜଳାଶୟଗୁଡ଼ିକ ଶତାବ୍ଦୀ ପ୍ରାଚୀନ ତଥା ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟର ପ୍ରତୀକ। ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ଥିବା ମରିଚି କୁଣ୍ଡ, ଗୌରୀ କୁଣ୍ଡ, ଦୁଗ୍ଧ କୁଣ୍ଡ ,କେଦାରକୁଣ୍ଡ, ପାପନାଶିନୀ, କୋଟି ତୀର୍ଥ, ଦେବୀ ପାଦହରା, ମଣିକର୍ଣ୍ଣିକା ସ୍ୱର୍ଣ୍ଣଜଳେଶ୍ୱର, ଗଙ୍ଗା ଯମୁନା ଓ ବିନ୍ଦୁସାଗର ଭଳି ଜଳାଶୟଗୁଡ଼ିକ କେବଳ ପବିତ୍ରତାର ପ୍ରତୀକ ନୁହଁନ୍ତି, ବରଂ ସ୍ଥାନୀୟ ସମୁଦାୟର ଜୀବନଶୈଳୀ ଓ ବିଶ୍ୱାସର ଏକ ପ୍ରମୁଖ ଅଂଶ। କେଦାର କୁଣ୍ଡରେ ସ୍ନାନ କଲେ ଜନ୍ମ ଓ ମୃତ୍ୟୁ ଚକ୍ରରୁ ମଣିଷ ମୁକ୍ତି ଲାଭ କରୁଥିବାର ବିଶ୍ୱାସ ରହିଛି। ଗୋରୀ କୁଣ୍ଡର ଜଳପାନ ଅମ୍ଳରୋଗ ଦୂର କରିଥାଏ ବୋଲି କହନ୍ତି ଗବେଷକ। ମରିଚିକୁଣ୍ଡର ପାଣିରେ ସ୍ନାନ କଲେ ସନ୍ତାନ ପ୍ରାପ୍ତି ହୁଏ ବୋଲି ରହିଛି ବିଶ୍ୱାସ। କିନ୍ତୁ ଏଭଳି ଅନେକ ବିଶ୍ୱାସର କେନ୍ଦ୍ର ବିନ୍ଦୁ ପାଲଟିଥିବା ପବିତ୍ର ପୋଖରୀ ଆଉ ପୂର୍ବ ସ୍ଥିତିରେ ନାହିଁ। ମୂଳ ଲକ୍ଷ୍ୟଠାରୁ ବଦଳି ଯାଇଛି ଏସବୁ ପୋଖରୀର ପରିଭାଷା।
ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ରହିଛି ଏକାଦଶ ଶତାବ୍ଦୀରେ ନିର୍ମିତ ଲିଙ୍ଗରାଜ ମନ୍ଦିର। ଶିବଙ୍କ ପ୍ରତି ସମର୍ପିତ ଏହି ମନ୍ଦିରରେ ଏପ୍ରିଲ ପ୍ରଥମ ସପ୍ତାହରେ ଆୟୋଜିତ ହୋଇଥିଲା ମହାଦେବଙ୍କ ପ୍ରସିଦ୍ଧ ବାର୍ଷିକ ରୁକୁଣା ରଥଯାତ୍ରା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରାର ପୂର୍ବ ରାତିରେ ନିଲାମ ହୋଇଛି ମୁକ୍ତେଶ୍ଵର ମନ୍ଦିରର ପବିତ୍ର ଜଳାଶୟ ମରିଚି କୁଣ୍ଡର ପାଣି। ବଡୁ ନିଯୋଗ ପକ୍ଷରୁ ଆୟୋଜିତ ନିଲାମି ପ୍ରକ୍ରିୟାରେ ସାମିଲ ହୋଇ ଚଳିତ ବର୍ଷ ପାଣି କିଣିଛନ୍ତି କଟକ ଦାମୋଦରପୁର ଗାଁ’ର ଜିତେନ୍ଦ୍ର ମହାରଣା ଓ ତାଙ୍କ ପତ୍ନୀ ଜ୍ୟୋସ୍ନା ମହାରଣା। ବିଶ୍ୱାସ ଅଛି ଯେ ମରିଚିକୁଣ୍ଡ ଜଳରେ ସ୍ନାନ କଲେ ନାରୀର ଦୂର ହୋଇଥାଏ ବନ୍ଧ୍ୟା ଦୋଷ। ଜଳ ନିଲାମୀ ପ୍ରକ୍ରିୟା ଅନେକ ବର୍ଷଧରି ପ୍ରଚଳିତ ଥିବା କହିଛନ୍ତି ବଡୁ ନିଯୋଗର ପ୍ରଚାରକ ଶିବ ନାରାୟଣ ସେନାପତି। ଚଳିତ ବର୍ଷ ଘଡ଼ାଏ ପାଣିକୁ ୨୧୧୦୦ ଟଙ୍କାରେ ଗ୍ରହଣ କରିଛନ୍ତି ଜିତେନ୍ଦ୍ର। ଆଜିର ବିଜ୍ଞାନ ଯୁଗରେ ମନ୍ଦିରର ଜଳକୁ ନେଇ ଲୋକଙ୍କ ବିଶ୍ୱାସ କେତେ ସୁଦୃଢ଼ ତାହାର ବୟାନ କରୁଛି ଏହି ପାଣି ନିଲାମୀ ଘଟଣା।

କେବଳ ମରିଚି କୁଣ୍ଡ ନୁହେଁ ଏକାମ୍ରର ଅନେକ ମନ୍ଦିର ଜଳାଶୟର ଅନେକ ଅଲୌକିକ ଗୁଣକୁ ନେଇ ରହିଛି ଅନେକ କଥା। ଭୁବନେଶ୍ୱରକୁ ମନ୍ଦିର ମାଳିନୀ ସହର କୁହାଯାଏ। ଭଗବାନ ଶିବଙ୍କୁ ସମର୍ପିତ ଏହି ସହରରେ ରହିଛି ଶତାଧିକ ମନ୍ଦିର। ମନ୍ଦିର କଳାର ନିପୂଣ ଓ ଚମତ୍କାର କାରିଗରୀ ସହିତ ଏଠାରେ ଥିବା ବହୁ ପୁରୁଣା ପବିତ୍ର ପୁଷ୍କରିଣୀର ଜଳ ସ୍ଥାନୀୟ ବାସିନ୍ଦା ଓ ବହିରାଗତଙ୍କ ପାଇଁ ରହି ଆସିଛି ଆକର୍ଷଣ।

ବିଶ୍ୱାସ ଅଛି ଯେ ପୁରୁଣା ଭୁବନେଶ୍ଵର ଅଞ୍ଚଳର ପ୍ରସିଦ୍ଧ କେଦାର ଗୌରୀ ମନ୍ଦିର ପରିସରରେ ଥିବା ଗୌରୀ କୁଣ୍ଡର ଜଳପାନ କଲେ ଏସିଡିଟି ଵା ଅମ୍ଲ ସମସ୍ୟାରୁ ମୁକ୍ତି ମିଳିଥାଏ। ଉଦ୍ଭିଦ ବିଜ୍ଞାନୀ ତଥା ଗବେଷକ ବିଜୟ ମିଶ୍ରଙ୍କ କହିବା କଥା ହେଉଛି ଗୌରୀ କୁଣ୍ଡ ଚାରିପଟେ ଦିନେ ଥିଲା ଅସଂଖ୍ୟ ବେଲ ଓ କୋଚିଲା ବୃକ୍ଷ (strychnos nux vomica )। ଏହାର ସଂସ୍ପର୍ଶରେ ଆସି କୁଣ୍ଡର ଜଳ ଔଷଧୀୟ ଗୁଣ ପ୍ରଦାନ କରୁଥିଲା। ୮୩ ବର୍ଷ ବୟସ୍କ ସ୍ଥାନୀୟ ବାସିନ୍ଦା ମାନଗୋବିନ୍ଦ କହନ୍ତି ଏବେ କୁଣ୍ଡରେ ନାଳ ନର୍ଦ୍ଦମାର ବର୍ଜ୍ୟପାଣି ପ୍ରବେଶ କରି ପିଇବା ଗୁଣ ହରାଇ ସାରିଛି। କୁହାଯାଏ ସ୍ୱଚ୍ଛ ଜଳ ସର୍ବଦା ରଙ୍ଗହୀନ ,ସ୍ୱାଦହୀନ ଓ ଗନ୍ଧହୀନ। କିନ୍ତୁ ଏଠାରେ ଥିବା ହଜାର ବର୍ଷର ପବିତ୍ର କୁଣ୍ଡର ଜଳ ଡ୍ରେନ ପ୍ରଭାବରେ ଆସି ନୀଳ, ସବୁଜ, କଳା, ଫେଣଯୁକ୍ତ ଓ ଭାସମାନ ବର୍ଜ୍ୟ ସାମଗ୍ରୀରେ ପୂର୍ଣ୍ଣ ହୋଇ ଯାଇଛି। ପାଣିର ପୂର୍ବଭଳି ବ୍ୟବହାର ଆଉ ନାହିଁ। କୁଣ୍ଡକୁ ପ୍ରବେଶ କରୁଥିବା ଜଳ ଓ ନିର୍ଗମନ ନଳୀ ଉଭୟ ଅବରୋଧ କାରଣରୁ ପୂତିଗନ୍ଧମୟ ପାଲଟିଛି ଏହି ପବିତ୍ର କୁଣ୍ଡ। ନିୟମିତ ବ୍ୟବଧାନରେ ସଫେଇ ହେଉନଥିବାରୁ ଜଳ ତାହାର ଗୁଣବତ୍ତା ହରାଇ ସାରିଛି ବୋଲି କହିଛନ୍ତି ବାସିନ୍ଦା।

ଏକାମ୍ର କ୍ଷେତ୍ରର ଅନ୍ୟ ନାମ ଗୁପ୍ତ କାଶୀ। ଏଠାରେ ରହିଛି ଶତାଧିକ ଶିବ ମନ୍ଦିର ଓ ଅଧିକାଂଶ ମନ୍ଦିରର ରହିଛି ନିଜସ୍ୱ ଜଳାଶୟ। ଏକାମ୍ରର ପ୍ରମୁଖ ପବିତ୍ର ପୁଷ୍କରଣୀ ମଧ୍ୟରେ ଅନନ୍ୟ ହେଉଛି ବିନ୍ଦୁ ସାଗର। ୨୦ .୮୯ ଏକର ଜମି ଉପରେ ବିସ୍ତାରିତ ବିନ୍ଦୁସାଗର ଦିନେ ଏକାଧିକ ବ୍ୟବହାରରେ ଲାଗୁଥିଲା। ଦକ୍ଷିଣ ପାର୍ଶ୍ୱରେ ଚନ୍ଦନ ଯାତ୍ରା ସମୟରେ ପ୍ରଭୁ ଲିଙ୍ଗରାଜଙ୍କ ଚାପ ଖେଳ (ନୌକା ବିହାର) ନୀତି ଓ ଅନ୍ୟାନ୍ୟ ଦେବନୀତି ହେଉଥିବାବେଳେ ପୂର୍ବ ଓ ଉତ୍ତର ପାର୍ଶ୍ୱରେ ତିଳତର୍ପଣ, ପିଣ୍ଡଦାନ ଓ ପିତୃଶ୍ରାଦ୍ଧ ହେଉଥିଲା। ଦିନେ ଏହି ସରୋବରକୁ ଖଣ୍ଡଗିରିରୁ ପ୍ରବାହମାନ ଏକ ଝରଣା ସଂଯୋଜିତ ହେଉଥିବାବେଳେ, ବଳକା ପାଣି ନିଷ୍କାସନ ପାଇଁ ପୂର୍ବ ଦିଗରେ ଥିଲା ସୁନ୍ଦର ନିର୍ଗମନ ବ୍ୟବସ୍ଥା। ପୋଖରୀ ପୁନଃ ଉଦ୍ଧାର ଓ ପାହାଚ ପ୍ରଶସ୍ତିକରଣ ଭଳି କାମରେ ଜଳ ପ୍ରବେଶ ଓ ନିଷ୍କାସନ ପ୍ରଣାଳୀଗୁଡ଼ିକ ଅବରୋଧ ହୋଇଗଲା। ଏବେ ବୟସ୍କ ଲୋକ ପାଣି ଭିତରକୁ ଯିବା ପାଇଁ ଡରୁଥିବା କହନ୍ତି ସମାଜସେବୀ ଅଶୋକ ପଟ୍ଟନାୟକ। ପଟ୍ଟନାୟକଙ୍କ କହିବା କଥା ହେଲା ବିକାଶ ନାଁ’ରେ ଏହାର ପାହାଚଗୁଡ଼ିକ ଅଧିକ ଉଚ୍ଚ କରିଦିଆଯାଇଥିବାରୁ ବାହାରୁ ଆସୁଥିବା ତୀର୍ଥଯାତ୍ରୀ ଏହାର ପବିତ୍ର ଜଳକୁ ସ୍ପର୍ଶ କରିବାର ସୁଯୋଗରୁ ବଞ୍ଚିତ ହେଉଛନ୍ତି ଓ ବ୍ୟବହାର ସୀମିତ ହୋଇଯାଇଛି।
କେବଳ ସେତିକି ନୁହଁ ପଶ୍ଚିମ ଦିଗରେ ଔଷଧୀୟ ବୃକ୍ଷଲତା ଉଦ୍ୟାନ କରି ପ୍ରବେଶ ପାଇଁ ଲାଗୁ କରାଯାଇଛି ଶୁଳ୍କ ବ୍ୟବସ୍ଥା। ଏହାର ପୁଣି ରହିଛି ସମୟ ଅନୁସାରେ ଖୋଲିବା ଓ ବନ୍ଦ କରିବା ସମୟ। ସୌନ୍ଦର୍ଯ୍ୟ କରଣ ନାଁ’ରେ ଓ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ପାଇଁ ରାଜ୍ୟ ସରକାର ଇଡକୋ ସହାୟତାରେ ବିନ୍ଦୁ ସାଗରରେ ୭ କୋଟି ଟଙ୍କା ଖର୍ଚ୍ଚ କରି ଯେଉଁ ମ୍ୟୁଜିକାଲ ସୋ ଆରମ୍ଭ କରିଥିଲେ ତାହା ବହୁ ଆଡମ୍ବରରେ ଲଘୁ କ୍ରିୟାରେ ପରିଣତ ହୋଇଛି। ଅଳ୍ପ କିଛିଦିନ ଚାଲିବା ପରେ ବନ୍ଦ ହୋଇଯାଇଛି ସାଉଣ୍ଡ ଆଣ୍ଡ ଲାଇଟ ଲେଜର ସୋ। ୨୦୧୯ରେ ତତ୍କାଳୀନ ବିଜେଡି ସରକାର ୨୮୦ କୋଟି ଟଙ୍କା ବ୍ୟୟରେ ଯେଉଁ ଏକାମ୍ର ଉନ୍ନୟନ ପ୍ରକଳ୍ପ ଆରମ୍ଭ କରିଥିଲେ ସେଥିରେ ଏହି ଧର୍ମୀୟ ପୁଷ୍କରଣୀଗୁଡ଼ିକର ବିକାଶ କଥା କୁହାଯାଇଥିଲା। କିନ୍ତୁ ପ୍ରକଳ୍ପ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଏସବୁ ପୁଷ୍କରିଣୀର ବିକାଶ ଧର୍ମକୁ ଆଖିଠାର ସଦୃଶ।
ମଣିକର୍ଣ୍ଣିକା ପୁଷ୍କରଣୀଏହି ପ୍ରକଳ୍ପରେ କପିଳେଶ୍ୱର ମନ୍ଦିରକୁ ସାମିଲ କରାଯାଇନାହିଁ। ମଣିକର୍ଣ୍ଣିକା ପୁଷ୍କରଣୀର ବିକାଶ ପାଇଁ ଟଙ୍କାଟିଏ ବ୍ୟୟ ହୋଇନାହିଁ।

ସେହିପରି ୨୦୦୦ ବର୍ଷର ପୁରୁଣା ଦେବୀ ପାଦହରା କୁଣ୍ଡ ଅଲୋଡ଼ା ହୋଇ ରହିଛି। କୁଣ୍ଡ ଚାରିପାଖରେ ଥିବା ୧୦୮ କ୍ଷୁଦ୍ର ଶିବ ମନ୍ଦିର ଭାଙ୍ଗିରୁଜି ଗଲାଣି। ବହୁ ଦିନ ଧରି ରହିଥିବା ଜବରଦଖଲ ହଟିଥିଲେ ହେଁ କୁଣ୍ଡର ବିକାଶ ଦିଗରେ ଦୃଷ୍ଟି ପଡ଼ିନି। ପାପନାଶିନୀ ଓ କୋଟିତୀର୍ଥ ଯଥା ପୂର୍ଵମ ତଥା ପରଂ ଅବସ୍ଥା ଭୋଗୁଛି।
ଲିଙ୍ଗରାଜ ମନ୍ଦିରଠାରୁ ୮୦୦ ମିଟର ପଶ୍ଚିମରେ ଥିବା ଗୋସାଗରେଶ୍ୱର ଜଳାଶୟର ପ୍ରବେଶ ଓ ନିର୍ଗମନ ପଥ ସଂକୁଚିତ କାରଣ ମନ୍ଦିର ପ୍ରତି ବିପଦ ଡାକି ଆଣିଛି। ଏଗୁଡିକର ସଂରକ୍ଷଣ ଓ ସୁରକ୍ଷା ପାଇଁ ଫଳକ ଲାଗିଛି। କିନ୍ତୁ ଓଲଟା ମିଳୁଛି ଫଳ। ପୂଜା ପରେ ବ୍ୟବହାର ହୋଇଥିବା ଫୁଲ, ଚାଉଳ, ପତ୍ର, ପଲିଥିନର ବର୍ଜ୍ୟ ଜଳ ପ୍ରଦୂଷଣର କାରଣ ସାଜିଛି।
ଯମେଶ୍ୱର ମନ୍ଦିର ନିକଟରେ ଥିବା ପୁଷ୍କରଣୀକୁ ଚାରିପଟୁ ଘେରି ରହିଛନ୍ତି ଏକାଧିକ ଆପର୍ଟମେଣ୍ଟ। ଆପର୍ଟମେଣ୍ଟର ମଇଳା ଜଳ ପବିତ୍ର ପୁଷ୍କରଣୀର କାୟାକୁ ଅପବିତ୍ର କରିଦେଇଥିବା କହିଛନ୍ତି ସ୍ଥାନୀୟ ବାସିନ୍ଦା। ଦ୍ରୁତ ସହରୀକରଣ, ଜବରଦଖଲ ଓ ଅପରିକଳ୍ପିତ ନଗର ଯୋଜନା ଏହି ଜଳାଶୟଗୁଡ଼ିକର ଅସ୍ତିତ୍ୱକୁ ବିପଦରେ ପକାଇଛି। ରାଜସ୍ୱ ବିଭାଗ, ନଗର ଉନ୍ନୟନ ବିଭାଗ, ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଓ ମହାନଗର ନିଗମ ମଧ୍ୟରେ ସଂଯୋଜନା ଅଭାବରୁ ପବିତ୍ର ଜଳାଶୟଗୁଡ଼ିକର ଉପଯୁକ୍ତ ସୁରକ୍ଷା ହୋଇପାରୁନାହିଁ ବୋଲି ସାମାଜିକ ସଂଗଠନ ରୁଲସ ଆଇ ପକ୍ଷରୁ ଅଭିଯୋଗ ହୋଇଛି।

ତେଣେ ଜୈବ ବିବିଧତା, ଭୂତଳ ଜଳର ପୁନଃ ଭରଣା ଓ ଜଳ ଜନିତ ସଙ୍କଟରୁ ମୁକ୍ତି ପାଇଁ ଏସବୁ ପୋଖରୀଗୁଡ଼ିକର ସଂରକ୍ଷଣ ଜରୂରୀ ବୋଲି କହିଛନ୍ତି ଇଣ୍ଡିଆନ ନ୍ୟାସନାଲ କଲଚୂରାଲ ହେରିଟେଜର ରାଜ୍ୟ ଆବାହକ ଏସ ଏସ ରାୟl
ନିକଟରେ ଏହି ସଂସ୍ଥା ପକ୍ଷରୁ ଭୁବନେଶ୍ୱରର ୩୦ଟି ମନ୍ଦିର ଜଳାଶୟର ଜଳ ପରୀକ୍ଷଣ ପାଇଁ ଲ୍ୟାବକୁ ପଠାଯାଇଥିଲା। ସେଥିରୁ ୧୮ଟି ଜଳାଶୟର ମାନ ଖରାପ ଥିବା ଶ୍ରୀ ରାୟ କହିଛନ୍ତି। ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା, ନଗର ଉନ୍ନୟନ ବିଭାଗ, ମହାନଗର ନିଗମ ଓ ନିର୍ମାଣ ବିଭାଗ ପ୍ରାଚୀନ ପୁଷ୍କରଣୀଗୁଡ଼ିକର ସୁରକ୍ଷା ପାଇଁ ଯୋଜନା ସହିତ ଏକାଠି କାମ କରିବାର ସମୟ ଉପନୀତ। ମନ୍ଦିର ଜଳାଶୟରେ ସମୃଦ୍ଧ ଓଡ଼ିଶା। ରାଜ୍ୟରେ ଦେଢ଼ ଲକ୍ଷ ପୋଖରୀ ସହିତ ରହିଥିବା ଧର୍ମୀୟ ପୋଖରୀ ଆମର ବଡ଼ ଏକ ସାମୁହିକ ସମ୍ବଳ। ଏହା ସାମୁହିକଙ୍କ ଲାଭରେ ଲାଗୁ।
Also readhttps://purvapaksa.com/bjd-lost-due-to-pandians-political-entry-nrusingha-sahu/
ପାଣ୍ଡିଆନଙ୍କ ରାଜନୈତିକ ପ୍ରବେଶ ଯୋଗୁଁ ବିଜେଡି ହାରିଲା: ନୃସିଂହ ସାହୁ