ରାଜ୍ୟ ରାଜନୀତିରେ ପ୍ରବେଶ କରିବାକୁ ଯାଉଛନ୍ତି ତାମିଲ ବୋହୂ ସୁଜାତା ରାଉତ କାର୍ତ୍ତିକେୟନ। କେବଳ ଓଡ଼ିଆ ବାପା-ମା’ଙ୍କଠାରୁ ଜନ୍ମ ହୋଇଛନ୍ତି ସୁଜାତା କିନ୍ତୁ ଜନ୍ମମାଟି, ପାଠପଢ଼ା, ସାମାଜିକ ଚଳଣି, ବିବାହ ସବୁକିଛି ତାଙ୍କର ଓଡ଼ିଶା ବାହାରେ। କିନ୍ତୁ ତାଙ୍କ ମନ ଏବେ ଓଡ଼ିଶାର ରାଜନୀତିରେ ଲାଗିଛି। ବିଜେଡିକୁ ହାଇଜ୍ୟାକ୍ କରିବାକୁ ଚାହିଁଥିବା ଚର୍ଚ୍ଚା ହେଉଛି। ଏ ବାବଦରେ ‘ପୂର୍ବପକ୍ଷ’ରେ ଆମେ ଗତ ୧୪ ତାରିଖରେ ସୂଚନା ଦେଇଥିଲୁ, ଏବେ କିନ୍ତୁ ଏ ନେଇ ଅନେକ ତଥ୍ୟ ସାମ୍ନାକୁ ଆସୁଛି।
ଓଡ଼ିଶାରେ ରାଜନୀତିରେ ସର୍ବାଧିକ ଦିନ ବଞ୍ଚି ରହିଥିବା ଆଞ୍ଚଳିକ ଦଳ ବିଜୁ ଜନତା ଦଳର ଅବସ୍ଥା ଆଗକୁ କ’ଣ ହେବ? ରାଜ୍ୟବାସୀଙ୍କ ଓଡ଼ିଆ ଅସ୍ମିତାର ଆହ୍ୱାନକୁ କେମିତି ମୁକାବିଲା କରିବ ଏହି ଦଳ?
ଏ ପ୍ରଶ୍ନ କେବଳ ବିଜେଡିରେ ନୁହେଁ, ରାଜ୍ୟର ପ୍ରତି କୋଣରେ ପ୍ରତିଧ୍ୱନୀତ ହେଉଛି। ଏହାର ପୃଷ୍ଠଭୂମିରେ ରହିଛି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଶାରିରୀକ ଅସୁସ୍ଥତା ଓ ପାଣ୍ଡିଆନ୍ଙ୍କ ଶକ୍ତି ବୃଦ୍ଧି। ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସେବକ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ କିନ୍ତୁ ଏ ଶକ୍ତି ପ୍ରତ୍ୟକ୍ଷ ଆହରଣ କରିନାହାନ୍ତି ବରଂ ପଛ ଦ୍ୱାର ଦେଇ ବିଜେଡିକୁ ହାଇଜାକ୍ କରିବାକୁ ଚାହିଁଛନ୍ତି। ଆଗରୁ ଅନେକ ଥର ଏପରି ଉଦ୍ୟମ ହୋଇଛି କିନ୍ତୁ ବିଜେଡିର କିଛି ସ୍ୱାଭିମାନୀ ନେତା ତାହାକୁ ବିରୋଧ କରିବାରୁ ତାହା ପଣ୍ଡ ହୋଇଛି। ବିରୋଧ କରୁଥିବା ନେତାମାନଙ୍କୁ ଦଳରୁ ବାହାର କରି ଦଣ୍ଡିତ କରାଯାଇଛି ତଥାପି ଦଳରେ ମରି ନାହିଁ ଓଡ଼ିଆ ଅସ୍ମିତା ଓ ଅଣ ଓଡ଼ିଆ ଘୃଣା ରାଜନୀତି। କି ମରି ନାହିଁ ପାଣ୍ଡିଆନ୍ଙ୍କ ଉତ୍ଥାନ ପ୍ରସଙ୍ଗ।
ବିଜେଡି ସୁପ୍ରିମୋଙ୍କୁ ପାଣ୍ଡିଆନ୍ଙ୍କ ହାଇଜାକ୍ କଥା ଅନେକ ବର୍ଷ ହେଲା ରାଜ୍ୟରେ ଚର୍ଚ୍ଚିତ ହୋଇ ରହିଛି। କ୍ଷମତାରେ ଥିବାବେଳେ ପାଣ୍ଡିଆନ୍ ଜଣେ ଅଧିକାରୀଭାବେ ନବୀନଙ୍କ ପାଖେ ପାଖେ ରହି ସବୁ ରାଜନେତାଙ୍କୁ ନିରସ୍ତ୍ର କରିବାରେ ଲାଗିଥିଲେ। ତାଙ୍କର ପକ୍ଷ ଛେଦନ କରି ଦଳରେ ଏକମାତ୍ର ନେତା ନବୀନ ବୋଲି ଏକ ଭାବାବେଗ ସୃଷ୍ଟି କରିଥିଲେ। ଏହିକ୍ରମରେ ଅନେକ ମନ୍ତ୍ରୀ ନିଜର ପଦବୀ ହରାଇଥିଲେ। ଏପରିକି ପାଣ୍ଡିଆନ୍ଙ୍କ ଏପରି ଉତ୍ଥାନ ନେତାଙ୍କ ଘରେ କଳି ମଞ୍ଜି ପୋତିଥିବା ଅଭିଯୋଗ ହୁଏ। ବାପା-ପୁଅ, ପତି-ପତ୍ନୀ ବିବାଦ, ପରକୀୟା ପ୍ରୀତି, ଯୌତୁକ ନିର୍ଯାତନା ଭଳି ଅନେକ ପ୍ରସଙ୍ଗ ସୃଷ୍ଟି କରିଥିଲା। ଏଥିରେ ଅନେକ ନେତା ନିଜର ସାମାଜିକ ପ୍ରତିଷ୍ଠା ହରାଇଥିଲେ। ନିର୍ବାଚନ ରାଜନୀତିରୁ ଅନେକଙ୍କ ପତ୍ତା କଟିଥିଲା। କିଛି ଦଳରୁ ବାହାରିବାକୁ ବାଧ୍ୟ ହେଲେ ବା ବାହାର କରିଦିଆଗଲା ଆଉ କିଛି ନେତା ବିଜେଡିରେ ରହି ପଙ୍ଗୁ ହୋଇଗଲେ।
ଦଳରେ ଏପରି ଅନେକ ବିଦ୍ରୋହ ସତ୍ତ୍ୱେ ନବୀନ ପଟ୍ଟନାୟକ କେବେ ପାଣ୍ଡିଆନ୍ଙ୍କୁ ଦଳ ବିରୋଧୀ ବୋଲି କହି ନାହାନ୍ତି ବରଂ ଯେତେବେଳେ ଏପରି ନାରେସନ୍ ସୃଷ୍ଟି ହୋଇଛି ତାହାକୁ ନିଜର ସଂକ୍ଷିପ୍ତ ବୟାନରେ ଖଣ୍ଡନ କରି ଚର୍ଚ୍ଚାକୁ ଦୂରେଇଛନ୍ତି। ଆଉ ତା’ପରେ ଅଧିକ ଶକ୍ତିଶାଳୀ ହୋଇଛନ୍ତି ପାଣ୍ଡିଆନ୍।
ଏହି ପରିପ୍ରେକ୍ଷୀରେ ୨୦୧୯ ନିର୍ବାଚନ ଓ ୨୦୨୪ ନିର୍ବାଚନକୁ ପାଣ୍ଡିଆନ୍ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରିଥିବା ନେଇ ଅଭିଯୋଗ ହୁଏ। ବିଜୁ ବାବୁଙ୍କ ପ୍ରତି ରହିଥିବା ଅହେତୁକ ଭଲ ପାଇବା ଏବଂ ରାଜ୍ୟରେ ଅଣ କଂଗ୍ରେସ, ଅଣ କେନ୍ଦ୍ରୀୟ ରାଜନୀତିର ଶକ୍ତିଶାଳୀ ବଳ ୨୦୧୯ରେ ବିଜେଡିକୁ ବିଜୟ ଦେଇଥିଲା।
ଏହା ପାଣ୍ଡିଆନ୍ଙ୍କ ସଫଳତା ବୋଲି କୁହାଯାଇଥିଲା। ଫଳରେ ପାଣ୍ଡିଆନ୍ ଆହୁରି ଶକ୍ତିଶାଳୀ ହୋଇଥିଲେ। ୨୦୧୯ରୁ ୨୦୨୪ ଭିତରେ ରାଜ୍ୟରେ ଆଉ ସଚିବ କି ରାଜନେତା ରହିଲେ ନାହିଁ। ସବୁ ସରକାରୀ ଫାଇଲକୁ ସେ ନିୟନ୍ତ୍ରଣ କରୁଥିବା ଅଭିଯୋଗ ହେଲା। ନବୀନ ନୀରବରେ ତାଙ୍କୁ ହିଁ ଭରସା କରି ଅନ୍ୟ ମନ୍ତ୍ରୀ ଓ ନେତାଙ୍କୁ ପଛକୁ ଠେଲିଦେଲେ। ଫଳରେ ୨୦୨୪ ନିର୍ବାଚନରେ ନେତାଙ୍କ ମରୁଡ଼ି ପଡ଼ିଲା ଓ ପାଣ୍ଡିଆନ୍ଙ୍କ ପ୍ରଚାର ଦଳକୁ ପରାଜୟ ଆଣିଦେଲା।
ହେଲେ ପାଣ୍ଡିଆନ୍ ଏହାକୁ ସଫଳତା ବୋଲି ଗ୍ରହଣ କରିନେଲେ। ଭାରତର ଗଣତନ୍ତ୍ରରେ ୫ ଥର କ୍ଷମତାରେ ରହିଥିବା ଏକ ଦଳ ଏପରି ସମର୍ଥନ ହାସଲ କରିବ ବୋଲି କେହି ଗ୍ରହଣ କରିନଥିଲେ। ଏଣୁ ଯେଉଁ ଭୋଟ ସେ ପାଇଛନ୍ତି ତାହା ତାଙ୍କୁ କ୍ଷମତା ଦେଇନଥାଇପାରେ କିନ୍ତୁ ସଫଳତା ଦେଇଛି ବୋଲି ପାଣ୍ଡିଆନ୍ ସୋସାଲ୍ ମିଡିଆରେ କହିଲେ। କିନ୍ତୁ ସକ୍ରିୟ ରାଜନୀତିରୁ ଦୂରକୁ ଯାଇ ନବୀନଙ୍କ ଫୁଲ୍ ଟାଇମ୍ ସେବକ ବୋଲି ପରିଚୟ ଦେଲେ। ହେଲେ ତାଙ୍କରି ଇଙ୍ଗିତରେ ପୂର୍ବଭଳି ଦଳ ପରିଚାଳିତ ହେଉଛି ତାହାକୁ କେହି ଅସ୍ୱୀକାର କରୁ ନାହିଁ।
ହେଲେ ଦଳର ନେତାଙ୍କୁ ଏହା ସନ୍ତୁଷ୍ଟ କରିପାରିନଥିଲା। ନବୀନଙ୍କଠାରୁ ଦୂରତା ଦଳୀୟ ନେତାତାଙ୍କୁ ପରୋକ୍ଷରେ ଏକ ବିଦେଶୀ ଶାସନକୁ ସ୍ୱୀକାର କରିବାକୁ ବାଧ୍ୟ କରୁଛି ବୋଲି ସେମାନେ ଜାଣିଲେ। ପୁରୁଣା ନେତାମାନେ ଏହା ବିରୋଧରେ ସ୍ୱର ଉତ୍ତୋଳନ କଲେ। ଏପରିକି ଦଳରେ ମଧ୍ୟ ଅନେକ ବିଶୃଙ୍ଖଳା ସୃଷ୍ଟି ହେଲା। ରାଜ୍ୟସଭାରେ ଦଳ କୌଣସି ପ୍ରସଙ୍ଗରେ ଭାଗଭାଗ ହେବା ବାରମ୍ବାର ଦେଖିବାକୁ ମିଳିଲା। ବିଧାନସଭାରେ ତ ମୁଖ୍ୟ ବିରୋଧୀ ଦଳ ହୋଇ ମଧ୍ୟ ବିଜେଡିର ସ୍ୱର କ୍ଷୀଣ ହୋଇଗଲା।
ଏହାର ପଛରେ ପାଣ୍ଡିଆନ୍ ରହିଛନ୍ତି ବୋଲି ଚର୍ଚ୍ଚା ହେଲା। ଦଳର ସବୁ ଅସନ୍ତୋଷର କାରଣ ଓ କେନ୍ଦ୍ରବିନ୍ଦୁ ସେ ହୋଇଥିଲେ ମଧ୍ୟ ସେ ଯେ ଦଳର ଭବିଷ୍ୟତ ଓ ଧ୍ରୁବତାରା ତାହାକୁ ଅସ୍ୱୀକାର କରିବା ମିଡିଆ ପକ୍ଷେ ସମ୍ଭବ ହେଲା ନାହିଁ। ଏହି ଥିଓରୀ ଏବେ ପୁଣିଥରେ ଉଜାଗର ହୋଇଛି। ହେଲେ ଏକ ନୂଆ ରୂପରେ।
ପାଣ୍ଡିଆନଙ୍କୁ ଓଡ଼ିଶାବାସୀ ଅଣ ଓଡ଼ିଆ ବୋଲି କହି ତାଙ୍କ ବିରୋଧରେ ଥିବାବେଳେ ପାଣ୍ଡିଆନ୍ ଏବେ ତାଙ୍କ ପତ୍ନୀଙ୍କୁ ରାଜନୀତିକ ମୈଦାନରେ ଉତ୍ତାରିବାକୁ ସଜବାଜ ହେଉଛନ୍ତି। ସେ ଓଡ଼ିଆ ବୋଲି ଏକ ଧାରଣା ଜନ୍ମାଯାଇଛି। ସେ ମଧ୍ୟ ବିଜେଡିର ବିଭିନ୍ନ ବରିଷ୍ଠ ନେତାଙ୍କ ସହ ଆଲୋଚନା କରି ସେମାନଙ୍କୁ ପରାମର୍ଶ ଦେବା ଆରମ୍ଭ କରିଛନ୍ତି। ଏମିତି ଏକ ଭିଡିଓ ଉଜାଗର ହେବା ପରେ ଏବେ ଧାରଣା ସ୍ପଷ୍ଟ ହୋଇଛି।

କିନ୍ତୁ ଏହା ମନେରଖାଯାଇପାରେ ଯେ ପାଣ୍ଡିଆନ୍ଙ୍କ ବ୍ୟାକଡୋର ଏଣ୍ଟ୍ରିର ଏହା ଆଉ ଏକ ପ୍ରୟାସ ହୋଇପାରେ। ଯେଉଁ ଏଣ୍ଟ୍ରିଦ୍ୱାରା ପାଣ୍ଡିଆନ୍ ପ୍ରଥମରୁ ଅନେକ ବିଦ୍ରୋହ ସମାଲୋଚନା ଓ ବିଫଳତାକୁ ଦେଖିଛନ୍ତି ତାହାର ଏହା ନୂଆ ଅବତାର। କାରଣ ପାଣ୍ଡିଆନ୍ ପତ୍ନୀଙ୍କୁ ଓଡ଼ିଆ ବୋଲି କହିବା ପୂର୍ବରୁ ଆମେ ଜାଣିବା ଦରକାର ଯେ ସେ କେବଳ ଓଡ଼ିଆ ବାପା-ମା’ଙ୍କଠୁ ଜନ୍ମ ହୋଇଥାଇପାରନ୍ତି କିନ୍ତୁ ତାଙ୍କର ଜନ୍ମ, ପାଠପଢ଼ା, ସାମାଜିକ ଚଳଣି ସବୁକିଛି ଅଣ ଓଡ଼ିଆ। ଝାଡ଼ଖଣ୍ଡର ଜାମସେଦପୁରରେ ତାଙ୍କର ଜନ୍ମ ଓ ପାଠପଢ଼ା ହୋଇଛି।
ଏହାପରେ ସେ ଦିଲ୍ଲୀରେ ଉଚ୍ଚଶିକ୍ଷା ଓ ପରେ ୟୁପିଏସ୍ସିରେ କୃତକାର୍ଯ୍ୟ ହେଲାପରେ ଓଡ଼ିଶା ଆସିଛନ୍ତି। ପାଣ୍ଡିଆନ୍ଙ୍କୁ ବିବାହ କରିବା ପରେ ସୁଜାତା ନିଜର ଉପନାମରେ ପରିବର୍ତ୍ତନ କରି ତାମିଲ ସଂସ୍କୃତିକୁ ଆପଣାଇଛନ୍ତି। ଆଉ ନିର୍ବାଚନରେ ଜଣେ ନିରପେକ୍ଷ ଅଧିକାରୀ ହେବା ବଦଳରେ ବିଜେଡିକୁ ସହାୟତା କରୁଥିବା ଅଭିଯୋଗ ହୋଇଛି। ପାଣ୍ଡିଆନ୍ଙ୍କ କ୍ଷମତା ବିଜେଡିରେ ବିସ୍ତୃତ ଥିବାରୁ ସଭ୍ୟପଦ ନ ନେଇ ମଧ୍ୟ ସୁଜାତା ଦଳୀୟ କାର୍ଯ୍ୟରେ ହସ୍ତକ୍ଷେପ କରିପାରୁଛନ୍ତି। ଏହାଠୁ ବଳି ଲଜ୍ଜାର ବିଷୟ ବିଜେଡି ପାଇଁ ଆଉ କ’ଣ ହୋଇପାରେ!
ଖାଲି ସେତିକି ନୁହେଁ ଅତୀତରେ ଯେତେବେଳେ ନବୀନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଥିଲେ ସେତେବେଳେ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତା ନବୀନଙ୍କୁ ଘେରି ରହିଥିବା ଅଭିଯୋଗ ହୋଇଥିଲା। ଏପରିକି ବରିଷ୍ଠ ନେତାମାନଙ୍କୁ ସେମାନେ ନବୀନଙ୍କୁ ଭେଟିବାକୁ ବି ଦେଇନଥିବା ଅଭିଯୋଗ ହୋଇଥିଲା।
ଭୈରବ-ସୁଜାତାଙ୍କ ଏପରି ଆଚରଣରେ ନବୀନଙ୍କ ସମର୍ଥନକୁ କେନ୍ଦ୍ର କରି ସୋଶାଲ୍ ମିଡିଆରେ ଅନେକ ପ୍ରଚାର ହୋଇଛି। ଏପରିକି ନବୀନଙ୍କ ପୁଅ-ବୋହୁ ବୋଲି ବି ଚର୍ଚ୍ଚା କରାଯାଇଛି। ଏହାକୁ ପାଣ୍ଡିଆନ୍ ପ୍ରାୟୋଜିତ ବୋଲି ବି ଅଭିଯୋଗ କରାଯାଇଛି।
ଆମେ ପୂର୍ବପକ୍ଷରେ ଗତ ୧୪ ତାରିଖ ଦିନ ଏମିତି ବିଷୟକୁ ନେଇ ଏକ ରିପୋର୍ଟ ପ୍ରକାଶ କରିଥିଲୁ। ନବୀନଙ୍କ ଡାକ୍ତରଖାନା ଆଡମିଶନ ପୂର୍ବରୁ ଏ ଚର୍ଚ୍ଚା ଥିଲା। ଏଥିରେ ଆମେ ସୂଚନା ଦେଇଥିଲୁ ଯେ ବିଜେଡି ପକ୍ଷରୁ ସୁଜାତାଙ୍କୁ ଦଳରେ ଆଣିବା ଲାଗି ଏକ ବ୍ୟାପକ ପ୍ରୟାସ ହେଉଛି। କେନ୍ଦ୍ରାପଡ଼ା ବା ପୁରୀରେ ଏ ନେଇ ଏକ ବିଶାଳ ଇଭେଣ୍ଟ ଆୟୋଜନ ହେବାକୁ ଯାଉଛି।
ଆଉ ଏ ଭିଡିଓ ଏବେ ଏ ସୂଚନାକୁ ଆହୁରି ସ୍ପଷ୍ଟ କରୁଛି। ଅର୍ଥାତ୍ ବିଜେଡି ପ୍ରେମୀ ଏବେ ପ୍ରସ୍ତୁତ ରହନ୍ତୁ ଆଗକୁ ପତ୍ନୀଙ୍କ ମାଧ୍ୟମରେ ପତି ପାଣ୍ଡିଆନ୍ ଦଳର ପୁଣି ସର୍ବେସର୍ବା ହେବେ, ତାହାକୁ କେବଳ ଅପେକ୍ଷା କରନ୍ତୁ। ଆଉ ତଥାକଥିତ ବରିଷ୍ଠ ନେତାମାନଙ୍କ ଆଖି ଆଗରେ ଦିନି ଦଶନ୍ଧିର ଏ ଆଞ୍ଚଳିକ ଦଳ ହାଇଜାକ୍ ହେବ।
କାରଣ ବିଜେଡି ନେତାମାନେ ମଧୁବାବୁ ଓ ବିଜୁ ପଟ୍ଟନାୟକଙ୍କୁ ଆଉ ଆଦର୍ଶ ବୋଲି ମାନୁ ନାହାନ୍ତି। ସେମାନେ ଏବେ ପାଣ୍ଡିଆନ୍ଙ୍କୁ ଆଦର୍ଶ ବୋଲି ଭାବୁ ଥିବାରୁ ତାଙ୍କରି ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଓଡ଼ିଆ ଅସ୍ମିତା ବଦଳରେ ତାମିଲ ପରମ୍ପରାକୁ ଆପଣାଇ ନେଲେଣି। କାରଣ ବିଜେଡି ନେତାଙ୍କ ସାର ବୋଲାଉଥିବା ଥିବା ପାଣ୍ଡିଆନଙ୍କ ତଥାକଥିତ ଓଡ଼ିଆ ପତ୍ନୀ ସମ୍ପୂର୍ଣ୍ଣ ଭାବରେ ତାମିଲ ହୋଇସାରିଥିବାରୁ ଏହି ନେତାମାନେ ଭବିଷ୍ୟତରେ ଯେ ତାମିଲ ହୋଇନଯିବେ ତା’ର କେହି ଗ୍ୟାରେଣ୍ଟି ଦେଇପାରିବେ ନାହିଁ।
କାରଣ ଚୟଚନ୍ଦ୍ରରୂପୀ ବିଜେଡି ନେତାମାନେ ଓଡ଼ିଆ ଅସ୍ମିତାରୂପୀ ପୃଥ୍ୱୀରାଜ ଚୌହ୍ୱାନଙ୍କୁ ହରାଇବା ପାଇଁ ତାମିଲ ବୋହୂକୁ ନିଜର ନେତାଭାବେ ମାନି ତାଙ୍କର ଗୋଲାମ ହେବାକୁ ନିଜ ନିଜ ଭିତରେ ପ୍ରତଯୋଗୀତା ଆରମ୍ଭ କରିଛନ୍ତି। ଏହି ଦୃଶ୍ୟକୁ ଦେଖି ସ୍ୱର୍ଗରେ ନିଶ୍ଚିତ ଭାବରେ ମଧୁବାବୁ ଓ ବିଜୁ ପଟ୍ଟନାୟକଙ୍କ ଆତ୍ମା କାନ୍ଦି ଉଠୁଥିବ ଏଥିରେ ସନ୍ଦେହ ନାହିଁ।
Also readhttps://purvapaksa.com/odisha-hc-seeks-report-on-misuse-of-dmf-funds/

