ଅହମଦାବାଦରେ ଗୁରୁବାର ଦିନ ଲଣ୍ଡନ୍ ଅଭିମୁଖେ ଯାତ୍ରା କରୁଥିବା ଏୟାର ଇଣ୍ଡିଆର ଏକ ବିମାନ ଟେକ୍ ଅଫ୍ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ବିମାନରେ ୨ଶହରୁ ଅଧିକ ଯାତ୍ରୀ ଓ ଚାଳକଦଳ ସଦସ୍ୟ ଥିଲେ । ଏହି ବିମାନରେ ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ମଧ୍ୟ ଥିଲେ । ମୃତହାତଙ୍କ ସଠିକ ସଂଖ୍ୟାକୁ ନେଇ ଏଯାଏ କୌଣସି ସୂଚନା ମିଳିନଥିଲେ ମଧ୍ୟ ମୃତକଙ୍କ ସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି । ତେବେ ରିପୋର୍ଟ ଅନୁସାରେ ଟେକଅଫ ସମୟରେ ହିଁ ଅଧିକ ବିମାନ ଦୁର୍ଘଟଣା ହୋଇଥାଏ । ପ୍ରଶ୍ନ ହେଉଛି ଯେ, ଏମିତି କାହିଁକି ହୁଏ । ବିମାନର ଉଡ଼ାଣ ଭରିବା ସମୟକୁ ଏଭିଏସନରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାନାଯାଏ। ତଥ୍ୟ ଅନୁଯାୟୀ, ବିଶ୍ୱରେ ଘଟୁଥିବା ମୋଟ ବିମାନ ଦୁର୍ଘଟଣାରୁ ପ୍ରାୟ ୩୫% ଟେକଅଫ ବା ତା’ ଠିକ ପରେ ଘଟେ। ଅନ୍ୟଦିଗରେ, ଉଡ଼ାଣର ଅବଶିଷ୍ଟ ଅଂଶରେ ଏହି ହାର ବହୁତ କମ ହୋଇଥାଏ।
ପ୍ରଶ୍ନ: ଟେକଅଫ ସମୟରେ ବିମାନ କିପରି ଦୁର୍ଘଟଣାର ଶିକାର ହୁଏ?
• କାରଣ ଟେକଅଫ ସମୟରେ ବିମାନ ଭୂମିରୁ ଉଚ୍ଚ ଗତିରେ ଚାଲିଥାଏ। ପାଇଲଟଙ୍କୁ ସୀମିତ ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼େ। ଇଞ୍ଜିନ, ରନୱେ, ପାଗ ଏବଂ ବିମାନର ସିସ୍ଟମ ଉପରେ ସବୁଠାରୁ ଅଧିକ ଚାପ ଥାଏ। କୌଣସି ଛୋଟ ଭୁଲ ବା ତ୍ରୁଟି ବଡ଼ ଦୁର୍ଘଟଣାରେ ପରିଣତ ହୋଇପାରେ।
ପ୍ରଶ୍ନ: ଏହି ସମୟରେ ଦୁର୍ଘଟଣାର କାରଣ କ’ଣ ହୋଇପାରେ?
• ଇଞ୍ଜିନ ବିଫଳତା: ଟେକଅଫ ସମୟରେ ଇଞ୍ଜିନ ନିଜର ସର୍ବାଧିକ କ୍ଷମତାରେ କାର୍ଯ୍ୟ କରେ। ଏହି ସମୟରେ ଇଞ୍ଜିନରେ କୌଣସି ଯାନ୍ତ୍ରିକ ତ୍ରୁଟି (ଯେପରିକି ପକ୍ଷୀ ଧକ୍କା, ଇନ୍ଧନ ଚାପ ସମସ୍ୟା ବା ଉତ୍ପାଦନ ତ୍ରୁଟି) ତୁରନ୍ତ ଦୁର୍ଘଟଣାର କାରଣ ହୋଇପାରେ।
• ପାଇଲଟର ଭୁଲ: ପାଇଲଟର ଭୁଲ ଏଭିଏସନ ଦୁର୍ଘଟଣାର ଏକ ପ୍ରମୁଖ କାରଣ। ବିଶେଷକରି ଟେକଅଫ ସମୟରେ ଯଦି ପାଇଲଟ ଗତି, ରନୱେ ଲିଫ୍ଟ-ଅଫ ପଏଣ୍ଟ ବା ପିଚ୍ ଆଙ୍ଗଲର ଭୁଲ ଆକଳନ କରେ। ଜରୁରୀ ପରିସ୍ଥିତିରେ ସଠିକ ନିଷ୍ପତ୍ତି ନେଇନପାରେ, ତେବେ ଏହା ଦୁର୍ଘଟଣାର କାରଣ ହୋଇପାରେ। ଆନ୍ତର୍ଜାତୀୟ ଏଭିଏସନ ରିପୋର୍ଟ ଅନୁଯାୟୀ, ଟେକଅଫ ଓ ଅବତରଣ ସମୟରେ ଘଟୁଥିବା ଅଧିକାଂଶ ଦୁର୍ଘଟଣାରେ ମାନବୀୟ ତ୍ରୁଟିର ଭୂମିକା ଥାଏ।
ପ୍ରଶ୍ନ: ଟେକଅଫ ସମୟରେ ଯାନ୍ତ୍ରିକ ତ୍ରୁଟିର ମଧ୍ୟ କିଛି ଭୂମିକା ରହିପାରେ କି?
• ନିଶ୍ଚିତ ଭାବେ। ଅନେକ ସମୟରେ ବିମାନର ଲ୍ୟାଣ୍ଡିଂ ଗିଅର, ହାଇଡ୍ରୋଲିକ୍ସ, ଅଟୋଥ୍ରଟଲ ସିସ୍ଟମ ବା ଏୟାରସ୍ପିଡ ଇଣ୍ଡିକେଟରରେ ତ୍ରୁଟି ଟେକଅଫ ସମୟରେ ଉଭା ହୁଏ। ଯେହେତୁ ଟେକଅଫ ସମୟରେ ବହୁତ କମ ସମୟ ମିଳେ, ସିସ୍ଟମର ନିର୍ଭରଯୋଗ୍ୟତା ଅତ୍ୟନ୍ତ ଜରୁରୀ। ଏପରି ସ୍ଥିତିରେ କୌଣସି ତ୍ରୁଟି ତୁରନ୍ତ ବିପଦଜନକ ହୋଇପାରେ।
ପ୍ରଶ୍ନ: ଖରାପ ପାଗ କାରଣରୁ ମଧ୍ୟ ଟେକଅଫ ସମୟରେ ବିମାନ ଦୁର୍ଘଟଣାର ଆଶଙ୍କା ରହେ କି?
• ଟେକଅଫ ସମୟରେ ପ୍ରବଳ ପବନ, ବଜ୍ରପାତ, ଦୃଶ୍ୟମାନତା କମ ହେବା ବା ମାଇକ୍ରୋବର୍ଷ୍ଟ (ହଠାତ୍ ତଳକୁ ମାଡ଼ ହେଉଥିବା ତୀବ୍ର ପବନ ) ଭଳି ଘଟଣାଗୁଡ଼ିକ ଦୁର୍ଘଟଣାର ପ୍ରମୁଖ କାରଣ ହୋଇପାରେ। ମାଇକ୍ରୋବର୍ଷ୍ଟ ଟେକଅଫ କରୁଥିବା ବିମାନକୁ ହଠାତ୍ ତଳକୁ ଠେଲିଦେଇପାରେ।
ପ୍ରଶ୍ନ: ଏହି ସମୟରେ କୌଣସି ବାଧା ମଧ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରିପାରେ କି?
• ଯଦି ଟେକଅଫ ସମୟରେ ରନୱେରେ କୌଣସି ଯାନବାହନ, ପକ୍ଷୀ ବା ଅନ୍ୟ ବିମାନ ଆସିଯାଏ, ତେବେ ପାଇଲଟଙ୍କ ପାଖରେ ପ୍ରତିକ୍ରିୟା ଦେବା ପାଇଁ ବହୁତ କମ ସମୟ ଥାଏ।
ପ୍ରଶ୍ନ: ଟେକଅଫ ସମୟରେ ଦୁର୍ଘଟଣାର ପ୍ରକ୍ରିୟା କିପରି ହୁଏ?
• ବିମାନ ରନୱେରେ ଦ୍ରୁତ ଗତିରେ ଚାଲିବା ଆରମ୍ଭ କରେ।
• ନିର୍ଦ୍ଧାରିତ ଗତି (V1) ପହଞ୍ଚିବା ପୂର୍ବରୁ ଯଦି କୌଣସି ତ୍ରୁଟି ଦେଖାଯାଏ, ତେବେ ଟେକଅଫ ବନ୍ଦ କରାଯାଇପାରେ।
• V1 ଗତି ଅତିକ୍ରମ ହେବା ପରେ ଟେକଅଫ ବନ୍ଦ କରିବା ବିପଦଜନକ ହୁଏ। ଏହା ପରେ ବିମାନକୁ ଟେକଅଫ କରିବାକୁ ହିଁ ପଡ଼େ।
• ଏହି ସମୟରେ ଇଞ୍ଜିନ ତ୍ରୁଟି, ପକ୍ଷୀ ଧକ୍କା ବା ସିସ୍ଟମ ବିଫଳତା ହେଲେ ପାଇଲଟଙ୍କୁ କିଛି ସେକେଣ୍ଡ ମଧ୍ୟରେ ନିଷ୍ପତ୍ତି ନେବାକୁ ହୁଏ ଯେ ଟେକଅଫ ଜାରି ରଖିବେ ନା ବିମାନକୁ କୌଣସି ପ୍ରକାରେ ରନୱେରେ ଅଟକାଇବାର ଚେଷ୍ଟା କରିବେ।
• ଭୁଲ ନିଷ୍ପତ୍ତି ବା ବିଳମ୍ବ ଦୁର୍ଘଟଣାର କାରଣ ହୁଏ।
ପ୍ରଶ୍ନ: ଟେକଅଫ ସମୟରେ ପାଇଲଟର ଭୂମିକା କ’ଣ?
• ଟେକଅଫ ସମୟରେ ପାଇଲଟର କାମ କେବଳ ବିମାନ ଉଡ଼ାଇବା ନୁହେଁ, ବରଂ ପ୍ରତି ସେକେଣ୍ଡରେ ପ୍ରତ୍ୟେକ ସିସ୍ଟମର ଅବସ୍ଥା ଉପରେ ନଜର ରଖିବା।
ପ୍ରଶ୍ନ: ଟେକଅଫ ସମୟରେ ପାଇଲଟର ଭୂମିକା ?
• ଟେକଅଫ ସମୟରେ ପାଇଲଟର ଭୂମିକା ୩ଟି ଭାଗରେ ବଣ୍ଟିତ:
1. ଟେକଅଫ ଯୋଜନା: ପାଗ ରିପୋର୍ଟ, ରନୱେ ଅବସ୍ଥା, ଓଜନ ଓ ଇନ୍ଧନ ସ୍ତରର ଆକଳନ। V1, VR (ରୋଟେଟ ସ୍ପିଡ) ଏବଂ V2 (ନିରାପଦ ଚଢ଼ାଇ ସ୍ପିଡ) ନିର୍ଦ୍ଧାରଣ। ଜରୁରୀ ଯୋଜନା ତିଆରି କରିବା ଯେ ଟେକଅଫ ସମୟରେ କିଛି ତ୍ରୁଟି ହେଲେ କ’ଣ କରାଯିବ।
2. ରନୱେ ଉପରେ ଧ୍ୟାନ: ଗତି ସୂଚକ ଓ ଥ୍ରଟଲ ପାୱାର ସ୍ତର ଦେଖିବା। ପ୍ରତ୍ୟେକ ଇଞ୍ଜିନର RPM ଓ ତାପମାତ୍ରା ନିରୀକ୍ଷଣ। ପକ୍ଷୀ ଧକ୍କା, ରନୱେ ବାଧା ବା ପାର୍ଶ୍ୱ ପବନର ଧ୍ୟାନ ରଖିବା।
3. ଜରୁରୀ ପ୍ରତିକ୍ରିୟା: ଟେକଅଫ ସମୟରେ ଇଞ୍ଜିନ ବିଫଳ ହେଲେ, ପକ୍ଷୀ ଧକ୍କା ହେଲେ, ସିସ୍ଟମ ଆଲାର୍ମ ବାଜିଲେ, ପାଇଲଟଙ୍କୁ ସେକେଣ୍ଡ ମଧ୍ୟରେ ଟେକଅଫ ଜାରି ରଖିବା ବା ବନ୍ଦ କରିବାର ନିଷ୍ପତ୍ତି ନେବାକୁ ହୁଏ।
ଏଠାରେ ପାଇଲଟର ପ୍ରଶିକ୍ଷଣ, ଅଭିଜ୍ଞତା ଓ ମାନସିକ ସ୍ଥିରତା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।
ପ୍ରଶ୍ନ: ଟେକଅଫ ସମୟରେ ଦୁର୍ଘଟଣାରେ ପାଇଲଟଙ୍କୁ କାହିଁକି ଅଧିକ ଦାୟୀ ମନାଯାଏ?
• ଟେକଅଫର ସମ୍ପୂର୍ଣ୍ଣ ପ୍ରକ୍ରିୟା ପାଇଲଟର ନିୟନ୍ତ୍ରଣରେ ଥାଏ। ପ୍ରତ୍ୟେକ ନିଷ୍ପତ୍ତି ସେକେଣ୍ଡ ମଧ୍ୟରେ ନେବାକୁ ପଡ଼େ। ଟେକଅଫରେ ଅଟୋ-ପାଇଲଟ ନଥାଏ, ସମସ୍ତ ମାନୁଆଲ ନିୟନ୍ତ୍ରଣରେ ହୋଇଥାଏ। ଟେକଅଫ ଯୋଜନା ଓ ଜରୁରୀ ସ୍କ୍ରିପ୍ଟ ମଧ୍ୟ ପାଇଲଟର ଯୋଜନା ଉପରେ ନିର୍ଭର କରେ। ତେଣୁ ଟେକଅଫ ସମୟରେ ଦୁର୍ଘଟଣା ହେଲେ ଏଭିଏସନ ବିଶେଷଜ୍ଞମାନେ ପ୍ରଥମେ ପାଇଲଟର ନିଷ୍ପତ୍ତି ଓ ପ୍ରତିକ୍ରିୟାର ଯାଞ୍ଚ କରନ୍ତି।
ପ୍ରଶ୍ନ: ତଥ୍ୟ କ’ଣ କହୁଛି?
• ଆନ୍ତର୍ଜାତୀୟ ସିଭିଲ ଏଭିଏସନ ଅର୍ଗାନାଇଜେସନ (ICAO) ଅନୁଯାୟୀ, ୬୫% ଟେକଅଫ ଦୁର୍ଘଟଣା ମାନବୀୟ ତ୍ରୁଟି ହେତୁ ହୁଏ, ୨୦% ଯାନ୍ତ୍ରିକ ତ୍ରୁଟି ହେତୁ, ୧୦% ପାଗ କାରଣରୁ ଏବଂ ୫% ଅନ୍ୟ କାରଣରୁ ହୁଏ।
Also read https://purvapaksa.com/air-india-flight-with-242-passengers-crashes-near-ahmedabad-airport/