କଥାରେ ଅଛି ଆରେ କ’ଣ କୁମ୍ଭ ମେଳାରେ ହଜିଯାଇଥିଲ କି ? ଆଉ ଆଜି ସେ କଥା ସତ ହୋଇଛି । ପ୍ରୟାଗରାଜରେ ଚାଲିଥିବା ମହାକୁମ୍ଭ ମେଳାରେ ଏକ ପରିବାରର ମହାମିଳନ ହୋଇଛି । ଝାଡ଼ଖଣ୍ଡର ଜଣେ ପରିବାର ସହ ୨୭ ବର୍ଷ ପରେ ଚମତ୍କାର ଭଳି ଘଟଣା ଘଟିଛି । ଏହି ପରିବାର ୨୭ ବର୍ଷରୁ ନିଖୋଜ ଥିବା ପୁଅଙ୍କୁ ପ୍ରୟାଗରାଜରେ ପାଇଥିବାର ଦାବି କରିଛନ୍ତି । ହେଲେ ସେ ଅଘୋରୀ ସାଧୁ ହୋଇଯାଇଛନ୍ତି ।
ପରିବାର ଲୋକଙ୍କ କହିବା ମୁତାବକ, ୧୯୯୮ରେ ନିଖୋଜ ହୋଇଥିବା ଗଙ୍ଗାସାଗର ଯାଦବ ଏବେ ଅଘୋରୀ ସାଧୁ ହୋଇଯାଇଛନ୍ତି । ଯାହାଙ୍କୁ ଏବେ ବାବା ରାଜକୁମାର ନାମରେ ଲୋକମାନେ ଡାକୁଛନ୍ତି । ବର୍ତ୍ତମାନ ତାଙ୍କ ବୟସ ୬୫ ବର୍ଷ ରହିଛି । ଗଙ୍ଗାସାଗର ୧୯୯୮ରେ ପାଟନା ଯିବା ପରେ ହଠାତ୍ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହାପରେ ତାଙ୍କ ସ୍ତ୍ରୀ ଧନୱା ଦେବୀ ଏକାକୀ ନିଜର ଦୁଇ ପୁଅଙ୍କର ପାଳନ ପୋଷଣ କରିଥିଲେ ।
ଗଙ୍ଗାସାଗରଙ୍କ ଭାଇ କହିଛନ୍ତି, ଅନେକ ବର୍ଷ ପୂର୍ବରୁ ନିଖୋଜ ଥିବା ଭାଇକୁ ଆମେ ପୁଣି ପାଇବୁ ବୋଲି ଆଶା ହରେଇଦେଇଥିଲୁ । ହେଲେ କୁମ୍ଭ ମେଳାକୁ ଯାଇଥିବା ଜଣେ ସଂପର୍କୀୟ ଗଙ୍ଗାସାଗରଙ୍କ ଭଳି ଦିଶୁଥିବା ଜଣେ ବ୍ୟକ୍ତିଙ୍କୁ ଦେଖିଥିଲେ । ସେ ତାଙ୍କ ଫଟୋ ଉଠାଇଲେ ଏବଂ ଆମକୁ ପଠାଇଲେ । ଫଟୋ ଦେଖିବା ମାତ୍ରେ ଭାଇ ମୂରଲୀ ଯାଦବ, ଧନୱା ଦେବୀ ଏବଂ ତାଙ୍କର ଦୁଇଜଣ ପୁଅ ତାଙ୍କୁ ପୁଣିଥରେ ଘରକୁ ଆଣିବା ଲାଗି ଦୃଢ ନିଷ୍ପତ୍ତି ନେଇ ପ୍ରୟାଗରାଜ ଗସ୍ତ କରିଥିଲେ ।
ମେଳାରେ ପହଞ୍ଚିବା ପରେ ପରିବାର ରାଜକୁମାର ବାବାଙ୍କୁ ଭେଟିଥିଲେ । ହେଲେ ସେ ଗଙ୍ଗାସାଗର ଯାଦବ ପରିଚୟକୁ ଅସ୍ୱୀକାର କରିଛନ୍ତି । ବାବା ରାଜକୁମାର ବାରଣାସୀର ସାଧୁ ବୋଲି ଦାବି କରିଛନ୍ତି ଏହାକୁ ଅସ୍ୱୀକାର କରିଛନ୍ତି । ହେଲେ ପରିବାର ଲୋକେ ଏହାକୁ ସ୍ୱୀକାର କରିନାହାନ୍ତି ।
ମୂରଲୀ ଯାଦବ କହିଛନ୍ତି ଯେ, ଆମେ କୁମ୍ଭ ମେଳାର ଶେଷ ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଯଦି ଦରକାର ପଡେ, ତେବେ ଡିଏନଏ ଟେଷ୍ଟ କରିବା ପାଇଁ ଦାବି କରିବୁ । ଯଦି ପରୀକ୍ଷଣରେ ଭୁଲ ଆସିଲା, ତେବେ ଆମେ ରାଜକୁମାରଙ୍କୁ ଭୁଲ୍ ମାଗିଦେବୁ । ଏବେ ଆମ ପରିବାର ଲୋକ କୁମ୍ଭମେଳାରେ ରହିଛନ୍ତି ଏବଂ ବାବା ରାଜକୁମାରଙ୍କ ଉପରେ ନଜର ରଖିଛୁ ।
Also read https://purvapaksa.com/odisha-govt-cancels-special-bus-service-to-maha-kumbh-mela-till-feb-4/
ଫେବୃଆରୀ ୪ ତାରିଖ ପର୍ଯ୍ୟନ୍ତ ମହାକୁମ୍ଭ ମେଳା ପାଇଁ ସ୍ଵତନ୍ତ୍ର ବସ୍ ଚଳାଚଳ ବାତିଲ କଲେ ରାଜ୍ୟ ସରକାର