ତପନ ମିଶ୍ର
ଭୁବନେଶ୍ୱରସ୍ଥିତ ବିଶ୍ୱ ସମ୍ବାଦ କେନ୍ଦ୍ର ପକ୍ଷରୁ କିଛିବର୍ଷ ଧରି ରାଜ୍ୟର ଜଣେ ଜଣେ ପ୍ରତିଷ୍ଠିତ ସାମ୍ବାଦିକଙ୍କୁ ପ୍ରତିବର୍ଷ ମର୍ଯ୍ୟଦାଜନକ ‘ନାରଦ’ ସମ୍ମାନ ପ୍ରଦାନ କରାଯାଇଆସୁଛି। ଏହି ପୁରସ୍କାର ଏଯାବତ୍ ଯେଉଁମାନେ ପାଇଛନ୍ତି ସେମାନେ ନିଜ ନିଜ କ୍ଷେତ୍ରରେ ନିଃସନ୍ଦେହରେ ଜଣେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି। ସେମାନଙ୍କର ପେଶାଦାରିତା ଓ ଉତ୍ସର୍ଗୀକୃତ ଅବଦାନ ଅନସ୍ୱୀକାର୍ଯ୍ୟ। ଏହି ପୁରସ୍କାର ପାଇଁ କେହି ଆବେଦନ କରନ୍ତି ନାହିଁ। ବିଶ୍ୱ ସମ୍ବାଦ କେନ୍ଦ୍ରର କର୍ମକର୍ତ୍ତାମାନେ ନିଜସ୍ୱ ପ୍ରୟାସରେ ରାଜ୍ୟର ଯୋଗ୍ୟ, ବରିଷ୍ଠ ସାମ୍ବାଦିକମାନଙ୍କର କାର୍ଯ୍ୟର ସମୀକ୍ଷା କରି ସେମାନଙ୍କର ଏକ ତାଲିକା ପ୍ରସ୍ତୁତ କରନ୍ତି। ତା ‘ପରେ ସେହି ତାଲିକାରୁ ଜଣଙ୍କୁ ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ପାଇଁ ‘ନାରଦ’ ସମ୍ମାନ ପ୍ରଦାନ କରାଯାଏ। ସେଥିପାଇଁ ଭୁବନେଶ୍ୱରରେ ଏକ ସଭା ହୁଏ ଏବଂ ଶେଷ ପର୍ଯ୍ୟନ୍ତ ସମ୍ପୃକ୍ତ ସାମ୍ବାଦିକଙ୍କ ନାମକୁ ସାର୍ବଜନୀନ କରା ନ ଯାଇ ଗୁପ୍ତ ରଖାଯାଇଥାଏ। ଏହି ସାମ୍ବାଦିକକୁ କେଇ ବର୍ଷ ତଳେ ‘ନାରଦ ସମ୍ମାନ ପ୍ରଦାନ କରାଯାଇଥିଲା। ମୁଁ ଏହି ମନୋନୟନ ପ୍ରକ୍ରିୟା ବିଷୟରେ କର୍ମକର୍ତ୍ତାଙ୍କୁ ପଚାରିବାରୁ ସେମାନେ କହିଲେ ଯେ ବୃତ୍ତି ପ୍ରତି ସମର୍ପିତ ଏବଂ ସମାଜ ଓ ରାଷ୍ଟ୍ରର କଲ୍ୟାଣ କଳ୍ପେ କାମ କରି ଆସୁଥିବା ପ୍ରବୀଣ ସାମ୍ବାଦିକମାନଙ୍କୁ ସଙ୍ଗଠନ ପକ୍ଷରୁ ମନୋନୀତ କରାଯାଏ। ଏହି ମନୋନୟନରେ ସମ୍ପୃକ୍ତ ସାମ୍ବାଦିକଙ୍କ ବ୍ୟକ୍ତିଗତ ରାଜନୀତିକ ବିଚାରକୁ ଗୁରୁତ୍ୱ ଦିଆଯାଏ ନାହିଁ କିମ୍ବା ତାଙ୍କଠାରୁ ବିଶ୍ୱ ସମ୍ବାଦ ସଂସ୍ଥା ଓ ଏହାର ପୃଷ୍ଠପୋଷକ କୌଣସି ପ୍ରତ୍ୟାଶା ରଖନ୍ତି ନାହିଁ।
ଶୁଣିଥିଲି, ଥରେ ଜଣେ ବରିଷ୍ଠ ସାମ୍ବାଦିକ ‘ନାରଦ’ ସମ୍ମାନରେ ସମ୍ମାନିତ ହେବାର ବହୁଦିନ ପରେ ହଠାତ୍ ବିଶ୍ୱ ସମ୍ବାଦ କେନ୍ଦ୍ରକୁ ଏକ ଦକ୍ଷିଣପନ୍ଥୀ ସଙ୍ଗଠନ କହି ସେହି ପୁରସ୍କାର ଫେରାଇ ଦେଇଥିଲେ। କେଉଁ ପରିସ୍ଥିତିରେ ଓ କାହିଁକି ସେ ଏଭଳି କଲେ ତାହାର କାରଣ ମୋତେ ଜଣାନାହିଁ। ମୋ ଜାଣିବାରେ ରାଜ୍ୟର ଯେତେ ପ୍ରତିଷ୍ଠିତ ସାମ୍ବାଦିକ ଏହି ସମ୍ମାନ ଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ସ୍ୱାଧୀନଚେତା, ବାମ, ଦକ୍ଷିଣ କିମ୍ବା କେନ୍ଦ୍ରପନ୍ଥୀ ବିଚାରରୁ ଉର୍ଦ୍ଧ୍ୱରେ। ଆହୁରି ମଧ୍ୟ ମୁଁ ଦେଖୁଛି ଯେ ବିଶ୍ୱ ସମ୍ବାଦ କେନ୍ଦ୍ରର ସେମିତି କୌଣସି ଦକ୍ଷିଣପନ୍ଥୀ ବା ସାମ୍ପ୍ରଦାୟିକ କାର୍ଯ୍ୟସୂଚୀ ନାହିଁ। ସେମାନେ ନିରପେକ୍ଷତା, ସମାଜ ଗଠନ ଓ ଲୋକ କଲ୍ୟାଣରେ ସାମ୍ବାଦିକତାର ଅବଦାନକୁ ଗୁରୁତ୍ୱ ଦିଅନ୍ତି।
‘ନାରଦ’ଙ୍କ ନାମରେ ସାମ୍ବାଦିକଙ୍କୁ ସମ୍ମାନିତ କରିବାର ଯଥାର୍ଥତାକୁ ଅନେକ ପ୍ରଶ୍ନ କରନ୍ତି। ଆମ ଶାସ୍ତ୍ର ପୁରାଣରେ ଦୁଇଟି ଚରିତ୍ର ନାରଦ ଓ ସଞ୍ଜୟଙ୍କୁ ବାର୍ତ୍ତାକାର ବା ସାମ୍ବାଦିକ ଭାବେ ବିବେଚନା କରାଯାଏ। ସଞ୍ଜୟଙ୍କର ଦିବ୍ୟ ଦୃଷ୍ଟି ଥିଲା। ତେଣୁ ସେ ମହାଭାରତ ଯୁଦ୍ଧ କ୍ଷେତ୍ରରେ ଉପସ୍ଥିତ ନ ରହି ମଧ୍ୟ କୁରୁ-ପାଣ୍ଡବ ଯୁଦ୍ଧର ପ୍ରତ୍ୟେକ ଘଟଣା ନିଜର ଦିବ୍ୟଚକ୍ଷୁରେ ଦେଖି ନେତ୍ରହୀନ ଧୃତରାଷ୍ଟ୍ରଙ୍କୁ ପ୍ରତ୍ୟକ୍ଷ ଧାରା ବିବରଣୀ ଦେଉଥିଲେ। ସେ ବାସ୍ତବରେ ଥିଲେ ଜଣେ ରାଜକୀୟ ଅଭିଲେଖନକାରୀ ବା ରୟାଲ କ୍ରନିକଲର୍।
ଅପରପକ୍ଷରେ ନାରଦ ବା ନାରଦମୁନି ହିନ୍ଦୁ ଶାସ୍ତ୍ର ପୁରାଣର ଜଣେ ଗୁରୁତ୍ୱପୂର୍ଣ୍ଣ ଚରିତ୍ର। ସେ ଏକଧାରରେ ଜଣେ ଦିବ୍ୟ ସାଧୁ, ବାର୍ତ୍ତାବହ, ପରିବ୍ରାଜକ- ଯାହାଙ୍କୁ ଅନେକ ‘କଳିହା’ ବୋଲି କହିଥାନ୍ତି। ସେ ତିନିଲୋକ ପରିଭ୍ରମଣ କରି ଖବର ଓ ଜ୍ଞାନ ବିତରଣ ପାଇଁ ପରିଚିତ। ଦେବ-ମାନବଙ୍କ ମଧ୍ୟରେ ସେ ଥିଲେ ବାର୍ତ୍ତାବହ ଓ ସଂଯୋଜନକାରୀ। ସେ ଯେଉଁ ଖବର ଅନ୍ୟକୁ ଦେଉଥିଲେ ତାହା ଜଟିଳ ମନେ ହେଉଥିଲେ ମଧ୍ୟ ସେଥିରେ ରହୁଥିଲା ଗୁରୁତ୍ୱପୂର୍ଣ୍ଣ ସୂଚନା ଓ ଅନ୍ତର୍ନିହିତ ଅର୍ଥ। ଯିଏ ନିରନ୍ତର ଯାତ୍ରା ନ କରେ ଓ ପାଞ୍ଚଲୋକଙ୍କ ସହ ନ ମିଶେ ତା’ ପାଖରେ ଦେଶ ଦୁନିଆର ଖବର ରହିବା ସମ୍ଭବ ନୁହେଁ। ନାରଦ ଥିଲେ ନିତ୍ୟଜୀବୀ। ତାଙ୍କର ଭ୍ରମଣ ଥିଲା ଶାଶ୍ୱତ। ତେଣୁ ସେ ଅନେକ ଖବର ରଖୁଥିଲେ ଏବଂ ଯାହା ବ୍ୟକ୍ତି, ସମାଜ, ଅନୁଷ୍ଠାନ ଓ ଦେଶ ଦଶ ପାଇଁ ଜରୁରୀ ତାହା ପ୍ରଘଟ କରୁଥିଲେ। ଏଥିରେ କାହାର ଅମଙ୍ଗଳ କରିବା ବା ନାଟ ଲଗାଇବା ତାଙ୍କ ଉଦ୍ଦେଶ୍ୟ ନ ଥିଲା। କେବଳ ହିନ୍ଦୁ ଧର୍ମ ନୁହେଁ, ଜୈନ ଓ ବୌଦ୍ଧ ଧର୍ମରେ ମଧ୍ୟ ନାରଦଙ୍କ ଉଲ୍ଲେଖ ଅଛି ତାଙ୍କର ବିଶେଷ ଗୁଣ ପାଇଁ । ବୌଦ୍ଧ ଧର୍ମରେ ତାଙ୍କୁ ସାରିପୁତ୍ତଙ୍କ ପୂର୍ବଜନ୍ମର ଚରିତ୍ର ସହିତ ତୁଳନା କରାଯାଏ।
ନାର+ଧର୍ମୋ ଇତି ନାରଦ। ଯିଏ ନରଧର୍ମ ପାଳନ କରେ, ନିୟମ, ନ୍ୟାୟ, ଧର୍ମ ଓ ସତ୍ୟର କଥା କୁହେଁ, ଅସତ୍ୟ, ଅନୀତିର କଥା ସର୍ବସାଧାରଣରେ ପ୍ରକାଶ କରେ ସେ ନାରଦ। ତେଣୁ ପ୍ରକୃତ ସାମ୍ବାଦିକ ସେହିଭଳି ହେବା ଉଚିତ। ବିଶ୍ୱ ସମ୍ବାଦ କେନ୍ଦ୍ରର ଏହି ଉଦ୍ୟମ ପ୍ରଶଂସନୀୟ। ଆୟୋଜକମାନଙ୍କୁ ମୁଁ ଏଥିପାଇଁ ଅଭିନନ୍ଦନ ଜଣାଉଛି। ସାମ୍ବାଦିକତା ବୃତ୍ତିରେ ନୀତି ନୌତିକତା ରକ୍ଷାକୁ ଏହା ନିଶ୍ଚିତ ଉତ୍ସାହିତ କରିବ।
ସମାଜ ସମ୍ପାଦକ
ସୂଚନା କମିଶନ ନିଯୁକ୍ତିରେ ବାବୁ ପ୍ରୀତି; ଅମଲାଙ୍କ ଚକ୍ରବ୍ୟୁହରେ ଓଡ଼ିଶା ତନ୍ତ୍ର-୨