ଓ୍ବାରେନ୍ ବଫେଟ୍ – ଏମିତି ଏକ ନାମ, ଯାହା କେବଳ ବିଶ୍ୱର ଧନୀ ବ୍ୟକ୍ତିମାନଙ୍କ ତାଲିକାରେ ନାହିଁ ବରଂ ନିବେଶ ଜଗତରେ ସେ ହେଉଛନ୍ତି ଜୀବନ୍ତ ପୁସ୍ତକ । ୱାରେନଙ୍କୁ ଯଦି ଆପଣ ପଢ଼ିବେ ଓ ବୁଝିବେ ତେବେ ନିବେଶର ଫଣ୍ଡା ପୁରା ସଫା ହୋଇଯିବ । ୯୪ ବର୍ଷ ବୟସର ଏହି ବୃଦ୍ଧ ଏବେ ମଧ୍ୟ କୋଟି କୋଟି ଯୁବକଙ୍କୁ ସେୟାର ବଜାରରେ ଦିଗଦର୍ଶନ ଦେଉଛନ୍ତି। ୧୩୦ ବିଲିୟନ୍ ଡଲାରରୁ ଅଧିକ ସମ୍ପତ୍ତିର ମାଲିକ ବଫେଟ୍ ଦେଖାଇଛନ୍ତି ଯେ ଧନୀ ହେବା ପାଇଁ ଚମକଦମକ କିମ୍ବା କୌଣସି ଯାଦୁକରୀ ସୂତ୍ରର ଆବଶ୍ୟକତା ନାହିଁ – କେବଳ ଅନୁଶାସନ, ବୁଝାମଣା ଓ ଲମ୍ବା ଅବଧି ପାଇଁ ନିବେଶ କରିବାର ଆବଶ୍ୟକତା ରହିଛି ।
ଭାରତର ଯୁବ ନିବେଶକମାନଙ୍କ ପାଇଁ, ଯେଉଁମାନେ ପ୍ରତିଦିନ ସେୟାର ବଜାରର ଉତ୍ଥାନ ପତନ ଦେଖୁଛନ୍ତି, ସେମାନେଙ୍କ ପାଇଁ , ଓ୍ବାରେନଙ୍କ ବଫେଟଙ୍କ ଏହି ସରଳ କିନ୍ତୁ ଦୃଢ଼ ଚିନ୍ତାଧାରା ଏକ ସଠିକ୍ ପଥପ୍ରଦର୍ଶକ ହୋଇପାରେ। ସେ କ୍ରିପ୍ଟୋକରେନ୍ସିରେ ନିବେଶ କରିନାହାନ୍ତି, ଦିନରାତି ଷ୍ଟକ୍ କିଣାବିକା କରିନାହାନ୍ତି, କିମ୍ବା ଇନଷ୍ଟାଗ୍ରାମ୍ ରିଲ୍ଗୁଡ଼ିକୁ ଭରସା କରିନାହାନ୍ତି। ସେ କେବଳ ଗୋଟିଏ ଜିନିଷ କରିଛନ୍ତି – ବୁଦ୍ଧିମାନ ନିବେଶ ଓ ଦୀର୍ଘସ୍ଥାୟୀ ଧୈର୍ଯ୍ୟ। ବଫେଟଙ୍କ ଠାରୁ ଆମେ ଶିଖିବା ଉଚିତ ଯେ ବଜାର ନିମ୍ନଗାମୀରେ ଭୟଭୀତ ହେବାର ଆବଶ୍ୟକତା ନାହିଁ, କିମ୍ବା ସୋସିଆଲ ମିଡିଆରେ ‘୫ ଦିନରେ ଟଙ୍କା ଦୁଇଗୁଣ’ କହୁଥିବା ଲୋକଙ୍କ ପଛରେ ଦୌଡ଼ିବାର ଆବଶ୍ୟକତା ନାହିଁ। ଆସନ୍ତୁ ବଫେଟ୍ଙ୍କ କିଛି ନିବେଶ ପରାମର୍ଶ ବିଷୟରେ ଜାଣିବା।
ୱାରେନଙ୍କ ପ୍ରଥମ ନିୟମ- ନିବେଶ ପାଇଁ ଅତ୍ୟଧିକ ଚତୁର ହେବାର ଆବଶ୍ୟକତା ନାହିଁ
ଓ୍ବାରେନ୍ ବଫେଟ୍ କୁହନ୍ତି ଯେ, ‘ନିବେଶ କରିବା ପାଇଁ ବହୁତ ଚତୁର ହେବାର ଆବଶ୍ୟକତା ନାହିଁ।’ ଦେଶରେ ନିବେଶ ସମ୍ବନ୍ଧରେ ପ୍ରତିଦିନ କିଛି ନା କିଛି ନୂଆ ଚାଲିଥାଏ – କେତେବେଳେ କ୍ରିପ୍ଟୋ କିଣିବାକୁ କୁହାଯାଏ, କେତେବେଳେ IPOରେ ଟଙ୍କା ଲଗାଇବାକୁ କୁହାଯାଏ, ତ କେତେବେଳେ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଗୁପ୍ତ ଟିପ୍ସ ଆସିଥାଏ। ବଫେଟ୍ କ’ଣ କରନ୍ତି? ସେ ଏପରି ବ୍ୟବସାୟରେ ଟଙ୍କା ଲଗାନ୍ତି ଯାହା ମଜବୁତ ଓ ଶସ୍ତା ମୂଲ୍ୟରେ ମିଳୁଛି। ସେ ପ୍ରତ୍ୟେକ ନୂଆ IPOର ପଛରେ ଦୌଡ଼ନ୍ତି ନାହିଁ କିମ୍ବା ସୋସିଆଲ ମିଡିଆରେ ଫରୱାର୍ଡ ହେଉଥିବା ଟିପ୍ସ ଉପରେ ଭରସା କରନ୍ତି ନାହିଁ। ନିବେଶ ଏପରି କମ୍ପାନୀରେ କରିବା ଉଚିତ ଯାହାର ବ୍ୟବସାୟ ବିଷୟରେ ଆପଣ ଜାଣନ୍ତି।
ୱାରେନଙ୍କ ଦ୍ୱିତୀୟ ନିୟମ,ମେଣ୍ଢା ଦୌଡ଼ରେ ସାମିଲ ହୁଅନ୍ତୁ ନାହିଁ ।
ଯେତେବେଳେ ଭିଡ଼ ମେଣ୍ଢାପହ୍ଲ ଭଳି ବ୍ୟବହାର କରେ, କାହା ପଛରେ ଦୌଡ଼େ ସେତେବେଳ, ଲାଭ ହେବ ବୋଲି କିଛି ଗ୍ୟାରେଣ୍ଟି ନାହିଁ । ଯେମିତି ଦୀପାବଳି ସେଲ୍ରେ ଲୋକେ ଅନାବଶ୍ୟକ ଜିନିଷ ମଧ୍ୟ କିଣି ନିଅନ୍ତି। ସେହିପରି ସେୟାର ବଜାରରେ ମଧ୍ୟ ଅନେକ ସମୟରେ ଲୋକେ ବିନା ବିଚାରରେ ନୂଆ ଷ୍ଟକ୍ କିଣନ୍ତି । ଯେମିତି କ୍ରିପ୍ଟୋ କିମ୍ବା କ୍ଷତିରେ ଚାଲୁଥିବା ଷ୍ଟାର୍ଟଅପ୍। କିନ୍ତୁ ଓ୍ବାରେନ୍ ବଫେଟ୍ ଏହା କରନ୍ତି ନାହିଁ। ସେ ଶାନ୍ତ ରହନ୍ତି, ଭିଡ଼ଠାରୁ ଅଲଗା ଭାବନ୍ତି ଓ ଏପରି କମ୍ପାନୀରେ ନିବେଶ କରନ୍ତି ଯାହା ମଜବୁତ, ଯଦିଓ ସେଗୁଡ଼ିକ ଦେଖାଯିବାରେ ସରଳ ଲାଗେ।
ତେଣୁ ଯେତେବେଳେ କେହି ଆପଣଙ୍କୁ ‘ନିଶ୍ଚିତ ଲାଭ’ ଷ୍ଟକ୍ ବିଷୟରେ କୁହେ, ତେବେ ରୁହନ୍ତୁ ଓ ଭାବନ୍ତୁ – ନିଜକୁ ନିଜେ ପ୍ରଶ୍ନ କରନ୍ତୁ ଯେ, ଏହି କମ୍ପାନୀରେ ନିବେଶ ପଛରେ କିଛି ଯୁକ୍ତିଯୁକ୍ତ କାରଣ ଅଛି କି ? କମ୍ପାନୀର ସେୟାରରେ ସେମିତି ଦମ ଅଛି କି ? ସମସ୍ତେ କିଣୁଛନ୍ତି ର ଅର୍ଥ ନୁହେଁ ଆପଣ ବି କିଣିବେ । ହୁଏତ କେହି ଅପରେଟର ସେହି ସେୟାରକୁ ନେଇ କିଛି ଖେଳ ଖେଳୁଥାଇ ପାରେ । ଆପଣଙ୍କୁ ସେୟାର ବିକ୍ରି କରି ସେ ଖସିଯିବା ଚକ୍କରରେ ଥାଇପାରେ ।
ୱାରେନଙ୍କ ତୃତୀୟ ନିୟମ କୁହେ,ତରବର ହୁଅନ୍ତୁ ନାହିଁ T20 ନୁହେଁ, ଟେଷ୍ଟ ମ୍ୟାଚ୍ ପରି ନିବେଶ କରନ୍ତୁ
ଓ୍ବାରେନ୍ ବଫେଟ୍ ସର୍ବଦା ଦୀର୍ଘମିଆଦୀ ନିବେଶର ସପକ୍ଷରେ ରହିଛନ୍ତି। ସେ 1988ରେ ‘କୋକା-କୋଲା’ର ସେୟାର କିଣିଥିଲେ ଓ ଆଜି ପର୍ଯ୍ୟନ୍ତ ତାହା ବିକ୍ରି କରିନାହାନ୍ତି। କାହିଁକି? କାରଣ ମଜବୁତ ଓ ବିଶ୍ୱସନୀୟ କମ୍ପାନୀଗୁଡ଼ିକ ସମୟ ସହିତ ବୃଦ୍ଧି ପାଇଥାଏ। ଭାରତରେ ଆଜିକାଲି ଦ୍ରୁତଗତିର ଟ୍ରେଡିଂରେ ଜବରଦସ୍ତ ଚାହିଦା ରହିଛି, ଯେମିତି ଅପସନ୍ ଟ୍ରେଡିଂ କିମ୍ବା ଇଣ୍ଟ୍ରାଡେ ଟ୍ରେଡିଂ। କିନ୍ତୁ SEBIର ତଥ୍ୟ କହୁଛି ଯେ ଏହି କ୍ଷୁଦ୍ର-ମିଆଦୀ ବ୍ୟବସାୟରେ ପ୍ରାୟ 90% ନିବେଶକଙ୍କୁ କ୍ଷତି ହୁଏ।
ବଫେଟଙ୍କ ରଣନୀତି ସମ୍ପୂର୍ଣ୍ଣ ଭିନ୍ନ। ସେ ସେୟାରଗୁଡ଼ିକୁ ଏକ ଟେଷ୍ଟ ମ୍ୟାଚ୍ ଟିମ୍ ପରି ଦେଖିବାକୁ ପରାମର୍ଶ ଦିଅନ୍ତି, ଅର୍ଥାତ୍ ଏପରି କମ୍ପାନୀ ବାଛନ୍ତୁ ଯାହା ମଜବୁତ ଓ ସେମାନଙ୍କ ସହିତ ଦୀର୍ଘସମୟ ରୁହନ୍ତୁ। ଯଦିଓ, ଆପଣଙ୍କ ପାଇଁ ନିବେଶର ସଠିକ୍ ଆରମ୍ଭ କ’ଣ ହୋଇପାରେ, ତାହା ଜାଣିବା ପାଇଁ ଆପଣଙ୍କୁ ଆପଣଙ୍କ ନିବେଶ ପରାମର୍ଶଦାତାଙ୍କ ସହ ଆଲୋଚନା କରିବା ଉଚିତ।
ୱାରେନଙ୍କ ଚତୁର୍ଥ ନିୟମ ହେଉଛି,ଯେତେବେଳେ ସମସ୍ତେ ଲୋଭି ହୁଅନ୍ତି ସେତେବେଳେ ଆପଣ ସତର୍କ ହୁଅନ୍ତୁ । ଏହା କହିବାର ତାତ୍ପର୍ଯ୍ୟ ହେଲା ଯେ,ଯେତେବେଳେ ସମସ୍ତେ ସେୟାର ମାର୍କେଟରେ ଟଙ୍କା ଲଗାଇବାକୁ ବ୍ୟାକୁଳ ହୁଅନ୍ତି,ସେତେବେଳେ ଆପଣ ସତର୍କ ହୁଅନ୍ତୁ । କାରଣ ଏହା ପାଣି ଫୋଟକା ପରି ଫାଟିପାରେ । କିନ୍ତୁ ବଜାର କ୍ରାସ କରିବା ବେଳେ ସମସ୍ତେ ଯେତେବେଳେ ବଜାରରୁ ବାହାରି ଯିବା ପାଇଁ ନିଜ ସେୟାର ବିକ୍ରି କରିବା ଆରମ୍ଭ କରନ୍ତି,ସେତେବେଳେ ଆପଣ ଲୋଭି ହୁଅନ୍ତୁ । ଭଲ ସେୟାରକୁ ମାର୍କେଟ୍ କ୍ରାସ ଟାଇମରେ କମ୍ ମୂଲ୍ୟରେ କିଣନ୍ତୁ । ଭବିଷ୍ୟତରେ ମାର୍କେଟ୍ ସ୍ଥିର ହେବା ପରେ ଆପଣ ଭଲ ରିଟର୍ଣ୍ଣ ପାଇବେ ।
ଯେମିତି ୨୦୦୮ ବିଶ୍ୱ ମାନ୍ଦାବସ୍ଥା କାଳରେ ସେୟାର ବଜାରରେ ଭାରି ବିକ୍ରି ଚାଲୁଥିବା ବେଳେ ୱାରେନ୍ ସପିଂ କରୁଥିଲେ । ଯେମିତି ୨୦୨୦ କୋଭିଡ୍ କାଳରେ ଭାରତୀୟ ସେୟାର ବଜାର ଡାଉନ ଥିବା ବେଳେ ଅନେକ ବୁଦ୍ଧିମାନ ନିବେଶକାରୀ ଭଲ ସେୟାରକୁ କମ ଦାମରେ କିଣିଥିଲେ । ଆଉ ୨୦୨୩,୨୪ ବେଳକୁ ଢେର ଲାଭ କମାଇଥିଲେ ।
ବଫେଟଙ୍କ ପଂଚମ ନିୟମ ହେଉଛି ଯେଉଁ ବ୍ୟବସାୟକୁ ବୁଝି ପାରୁଛନ୍ତି ସେଇଥିରେ ନିବେଶ କରନ୍ତୁ । ଆପଣ ଯଦି ଟେକ୍ନୋଲୋଜି ବ୍ୟବସାୟକୁ ବୁଝିପାରୁଛନ୍ତି ତେବେ ସେଥିରେ ନିବେଶ କରନ୍ତୁ । ଆପଣ ଯଦି ବ୍ୟାଙ୍କିଂ ସେକ୍ଟରକୁ ଭଲ କରି ଜାଣିଛନ୍ତି ସେଥିରେ ନିବେଶ କରନ୍ତୁ । ନିଜେ ୱାରେନ୍ ଟେକ୍ନୋଲୋଜି ବାବଦରେ ଅଧିକ ଜାଣି ନଥିବାରୁ ଅନେକ ବର୍ଷ ପର୍ଯ୍ୟନ୍ତ ଟେକ୍ନୋଲୋଜି ସେୟାରରେ ନିବେଶ କରିନଥିଲେ ।
ମନେ ରଖନ୍ତୁ ୱାରେନଙ୍କ ନିବେଶ ଫର୍ମୁଲା ବେସ ସରଳ । ଏହା ରକେଟ୍ ସାଇନ୍ସ ନୁହେଁ । ବାସ ଆପଣଙ୍କୁ କେବଳ ଡିସିପ୍ଲିନ୍ ଓ ଧୈର୍ଯ୍ୟ ରଖିବାକୁ ପଡ଼ିବ । କାରଣ ସେୟାର ବଜାରେ ଦିନକରେ କି ମାସକରେ ରିଟର୍ଣ୍ଣ ଦିଏ ନାହିଁ ।