ସଞ୍ଜୟ ଗାନ୍ଧୀଙ୍କ ମଣ୍ଡଳୀରେ ଅଧିକାଂଶ ଏମିତି ବ୍ୟକ୍ତି ଥିଲେ, ଯେଉଁମାନେ କୌଣସି ନା କୌଣସି ଭାବରେ ରାଜନୀତି ସହିତ ଜଡ଼ିତ ଥିଲେ, ସେ ବଂଶୀଲାଲ ହୁଅନ୍ତୁ କିମ୍ବା ବିଦ୍ୟାଚରଣ ଶୁକ୍ଳ କିମ୍ବା ଅମ୍ବିକା ସୋନୀ। କିନ୍ତୁ ତାଙ୍କ ରାଜନୈତିକ ମଣ୍ଡଳୀରେ ଜଣେ ସୋସିଆଲାଇଟ୍ ରୁଖସାନା ସୁଲତାନାଙ୍କ ଉପସ୍ଥିତି ଅନେକଙ୍କୁ ଆଶ୍ଚର୍ଯ୍ୟ କରୁଥିଲା ଏବଂ ମେନକାଙ୍କଠାରୁ ଆରମ୍ଭ କରି ଅମ୍ବିକା ପର୍ଯ୍ୟନ୍ତ ଅନେକ ନେତା ତାଙ୍କୁ ଆଡ଼ ଆଖିରେ ଦେଖି ପାରୁନଥିଲେ ।
ରୁଖସାନା ଜଣେ ଭିନ୍ନ ପ୍ରକାରର ମୁଖର ବ୍ୟକ୍ତିତ୍ୱ ଥିଲେ। ଜରୁରୀକାଳୀନ ସମୟରେ ସେ ଦିଲ୍ଲୀର ମୁସଲିମ ବସ୍ତିଗୁଡ଼ିକରେ ସଞ୍ଜୟଙ୍କ ପ୍ରତିନିଧି ଭାବେ କାମ କରିଥିଲେ। ଯୁବ କଂଗ୍ରେସର ଅଧ୍ୟକ୍ଷା ଭାବେ ଅମ୍ବିକା ସୋନୀ ପ୍ରାୟତଃ ସଞ୍ଜୟଙ୍କ ସହ ମଞ୍ଚ ସେୟାର କରୁଥିଲେ ଏବଂ ତାଙ୍କ ପ୍ରଶଂସାରେ କୌଣସି କମି ରଖୁ ନଥିଲେ। ସଞ୍ଜୟଙ୍କ ସହ ନିକଟତା ଦେଖାଇବା ପାଇଁ ରୁଖସାନା ମଧ୍ୟ କେବେ ସୁଯୋଗ ଛାଡ଼ୁ ନଥିଲେ ଏବଂ କହୁଥିଲେ ଯେ ସେ ଏବଂ ସଞ୍ଜୟ ତ ‘ଆଇସକ୍ରିମ ବଡିଜ୍’। ଏହାର ଅର୍ଥ କେବଳ ସେ ହିଁ ଜାଣିଥିଲେ।
ଅଭିନେତ୍ରୀ ବେଗମ ପାରାଙ୍କ ଭାଣିଜୀ ଏବଂ 1950 ଦଶକର ଏକ ପିନ-ଅପ୍ ଗାର୍ଲ ଥିବା ରୁଖସାନା ଜଣେ ଶିଖଙ୍କୁ ବିବାହ କରିଥିଲେ। କିନ୍ତୁ ଏହା ଅଧିକ ସମୟ ଚାଲି ନଥିଲା। କନଟ ପ୍ଲେସରେ ତାଙ୍କର ଏକ ବୁଟିକ ଥିଲା, ଯେଉଁଠାରେ ସେ କମିସନରେ ହୀରାର ମହଙ୍ଗା ଅଳଙ୍କାର ବିକ୍ରି କରୁଥିଲେ। ଦିନେ ପ୍ରଧାନମନ୍ତ୍ରୀଙ୍କ ପୁତ୍ରଙ୍କୁ ନିଜ ବୁଟିକରେ ଦେଖି ରୁଖସାନା ବହୁତ ଉତ୍ସାହିତ ହୋଇପଡ଼ିଥିଲେ। ସେ ସଞ୍ଜୟଙ୍କୁ ଏହା କହିବାରେ ବିଳମ୍ବ କରି ନଥିଲେ ଯେ ସେ ତାଙ୍କ ନେତୃତ୍ୱ ଗୁଣରେ ଅତ୍ୟନ୍ତ ପ୍ରଭାବିତ ଏବଂ ନିଜର ସମ୍ପୂର୍ଣ୍ଣ ଜୀବନ ତାଙ୍କ ‘ମିଶନ’ ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି।
ରୁଖସାନାଙ୍କ ଏତେ ଦ୍ରୁତ ଉତ୍ଥାନ ମେନକା, ଇନ୍ଦିରା, ଅମ୍ବିକା ଏବଂ ଅନ୍ୟ ଅନେକଙ୍କୁ ପସନ୍ଦ ହେଉ ନଥିଲା, କିନ୍ତୁ ସଞ୍ଜୟ ତାଙ୍କୁ ଲଗାତାର ଭାବେ ବସ୍ତି ଏବଂ ମୁସଲିମ ବହୁଳ ଜାମା ମସଜିଦ ଅଞ୍ଚଳରେ କାମ କରିବାକୁ ପ୍ରେରଣା ଦେଉଥିଲେ। ଏକଦା ଇନ୍ଦିରା ଗାନ୍ଧୀଙ୍କୁ କୁହାଯାଉଥିବା ଶୁଣାଯାଇଥିଲା, ‘ସେ (ରୁଖସାନା) ବଡ଼ ଅଜଣା ଚିନ୍ତାଧାରା ବିଶିଷ୍ଟ ମହିଳା।’ ମେନକା ମଧ୍ୟ କହିଥିଲେ, ରୁଖସାନା ବହୁତ ଅଯଥା କଥା କହୁଛନ୍ତି।
ଜାମା ମସଜିଦ ଅଞ୍ଚଳରେ ରୁଖସାନାଙ୍କୁ ଭାରୀ ମେକଅପ୍ କରି, ଅନେକ ଅଳଙ୍କାର ପିନ୍ଧି, ଆଖିରେ ଗୋଲାପୀ ଚଶମା ଲଗାଇ, ରେଶମୀ ଶାଢ଼ୀ ଏବଂ ଲୋ-କଟ୍ ବ୍ଲାଉଜରେ ଦେଖି,ସେତେବେଳେ ପୁରୁଷ ଓ ମହିଳା ଉଭୟେ ଅସହଜ ହୋଇପଡ଼ୁଥିଲେ। କିନ୍ତୁ ସେମାନଙ୍କ ପ୍ରତିକ୍ରିୟାର ରୁଖସାନାଙ୍କ ଉପରେ କୌଣସି ପ୍ରଭାବ ପଡ଼ୁ ନଥିଲା। ସେ କହୁଥିଲେ ଯେ ତାଙ୍କ ଅଳଙ୍କାର ତାଙ୍କ ବ୍ୟକ୍ତିତ୍ୱର ଏକ ଅଂଶ। ସେ ପଚାରୁଥିଲେ, ‘ମୁଁ ମୋ ପ୍ରକୃତ ପରିଚୟ କାହିଁକି ଛାଡ଼ିବି?’। ତାଙ୍କୁ ଜାମା ମସଜିଦ ଅଞ୍ଚଳରେ ନାକରେ କୋଲୋନରେ ଭିଜା ରୁମାଲ ରଖି ଏବଂ ତାଙ୍କ ପ୍ରସିଦ୍ଧ ବଡ଼ ବଡ଼ ‘ଗୋ-ଗୋ’ ଚଶମା ପିନ୍ଧି ବୁଲୁଥିବା ଅନେକ ସମୟରେ ଦେଖାଯାଉଥିଲା।
କୁହାଯାଏ ଯେ ଏକଦା କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତାଙ୍କୁ ୮,୦୦୦ ପୁରୁଷଙ୍କୁ ନସବନ୍ଦୀ ପାଇଁ ‘ପ୍ରେରଣା’ ଦେବା ପାଇଁ କଥିତ ଭାବେ ୮୪ ହଜାର ଟଙ୍କା ଦେଇଥିଲା। ୧୯୭୬ ଜୁନରେ ଯେତେବେଳେ ସେ ଦିଲ୍ଲୀର ପୁରୁଣା ଅଞ୍ଚଳରେ ଥିବା ତୁର୍କମାନ ଗେଟରେ ଅନେକ ଦୋକାନ ଭାଙ୍ଗିବା ଅଭିଯାନର ନୀରିକ୍ଷଣ କରୁଥିଲେ, ସେତେବେଳେ ଅନେକ ଲୋକ ବିରୋଧ କରିବାକୁ ଆସିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ ବ୍ୟବହାର କରିବାକୁ ପଡ଼ିଥିଲା। ଶେଷରେ ଗୁଳିଚାଳନା କରାଯାଇଥିଲା, ଯେଉଁଥିରେ ଅନେକ ଲୋକ ମରିଥିଲେ।
ସାମ୍ବାଦିକ ତଥା ଲେଖିକା ପ୍ରୋମିଲା କଲ୍ହଣଙ୍କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ଅମ୍ବିକା ସୋନୀ ରୁଖସାନାଙ୍କ କାର୍ଯ୍ୟକଳାପର ସମାଲୋଚନା କରି କହିଥିଲେ ଯେ ସେ (ଅମ୍ବିକା) ଇନ୍ଦିରାଙ୍କ ନିବାସରେ ରୁଖସାନାଙ୍କ ଉପସ୍ଥିତିକୁ ସହ୍ୟ କରିପାରୁ ନଥିଲେ। ଅମ୍ବିକାଙ୍କ ମତରେ, ସେ ଇନ୍ଦିରାଙ୍କୁ ରୁଖସାନା ଓ ସଞ୍ଜୟଙ୍କ ନିକଟତା ବିଷୟରେ ସତର୍କ କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଇନ୍ଦିରା ଏହାକୁ ଗୁରୁତ୍ୱ ଦେଇ ନଥିଲେ। ଯେତେବେଳେ ଅମ୍ବିକା ପୁନର୍ବାର ଏହି ଚେଷ୍ଟା କରିଥିଲେ, ଇନ୍ଦିରା ତାଙ୍କୁ (ଅମ୍ବିକା) କହିଥିଲେ ଯେ ସେ ନିଜେ ଏ ବିଷୟରେ ସଞ୍ଜୟଙ୍କ ସହ କଥା ହେବେ। କିନ୍ତୁ ସଞ୍ଜୟ ଅମ୍ବିକାଙ୍କ ଆପତ୍ତିକୁ ଖାରଜ କରି କହିଥିଲେ: “ଯୁବ କଂଗ୍ରେସକୁ ରୁଖସାନାଙ୍କ ଆବଶ୍ୟକତା ଅଛି, ରୁଖସାନାଙ୍କୁ ଯୁବ କଂଗ୍ରେସର ଆବଶ୍ୟକତା ନାହିଁ।” (ପ୍ରୋମିଲା କଲ୍ହଣ, ବ୍ଲାକ୍ ଓ୍ୱେଡନେସଡେ, ଷ୍ଟର୍ଲିଂ ପବ୍ଲିଶର୍ସ, ନୂଆଦିଲ୍ଲୀ, ୧୯୭୭)।
ମେନକାଙ୍କ ଦୃଷ୍ଟିରେ ସଞ୍ଜୟ ସବୁବେଳେ ଏକ ଚିନ୍ତିତ ଏବଂ ଯତ୍ନଶୀଳ ସ୍ୱାମୀ ଥିଲେ। ମେନକାଙ୍କ ସ୍ୱାସ୍ଥ୍ୟ ଅଳ୍ପ ଖରାପ ହେଲେ ସଞ୍ଜୟ ସଂସଦ ଛାଡ଼ି ତାଙ୍କ ସହ ରହୁଥିଲେ। ଅସମୟରେ ମୃତ୍ୟୁ ହେବା ତିନି ମାସ ପୂର୍ବେ ଯେତେବେଳେ ତାଙ୍କ ପୁତ୍ର ବରୁଣ ଫିରୋଜର ଜନ୍ମ ହେବାକୁ ଥିଲା, ସେତେବେଳେ ସଞ୍ଜୟ ମେନକାଙ୍କୁ ନେଇ ଏମ୍ସ ଯାଇଥିଲେ ଏବଂ ଶିଶୁ ଜନ୍ମ ସମୟରେ ପୂରା ସମୟ ତାଙ୍କ ସହ ରହିଥିଲେ। ମେନକାଙ୍କ ମତରେ, ‘ପରେ ଏମ୍ସର ଡାକ୍ତରମାନେ ମୋତେ କହିଥିଲେ ଯେ ସେ ପ୍ରଥମ ପୁରୁଷ ଥିଲେ, ଯିଏ ପ୍ରସବ ସମୟରେ ତାଙ୍କ ସ୍ତ୍ରୀଙ୍କ ସହ ଡେଲିଭରୀ ରୁମରେ ଥିଲେ।’ (ମେନକା ଗାନ୍ଧୀ, ‘ସଞ୍ଜୟ ଗାନ୍ଧୀ’, ବକିଲ, ଫେଫର୍ସ ଆଣ୍ଡ ସାୟମନ୍ସ ଲିମିଟେଡ, ମୁମ୍ବାଇ, ୧୯୮୦)।
ସ୍ତମ୍ଭକାର କୁମକୁମ ଚଢ଼ା, ଯିଏ ଜରୁରୀକାଳୀନ ସମୟରେ ଏବଂ ତା’ପରେ ସଞ୍ଜୟ ଗାନ୍ଧୀଙ୍କୁ କଭର କରିଥିଲେ, ସେ ମନେ କରନ୍ତି ଯେ ଏକଦା ସଞ୍ଜୟ ନ୍ୟାୟପାଳିକାର ସମାଲୋଚନା କରି ତାଙ୍କୁ ଏକ ବିବାଦୀୟ ସାକ୍ଷାତକାର ଦେଇଥିଲେ। ପରଦିନ ସକାଳେ ସେ କୁମକୁମଙ୍କୁ ଫୋନ କରି ପଚାରିଥିଲେ ଯେ ତାଙ୍କୁ କୌଣସି ଅସୁବିଧା ହେଉଛି କି କିମ୍ବା ତାଙ୍କୁ କୌଣସି ଆଇନଗତ ସାହାଯ୍ୟର ଆବଶ୍ୟକତା ଅଛି କି? ସଞ୍ଜୟ ସେତେବେଳେ ଜଣେ ଓକିଲ ଆର.କେ. ଆନନ୍ଦଙ୍କୁ (ଯିଏ ପରେ ସାଂସଦ ହୋଇଥିଲେ) ତାଙ୍କ ଘରକୁ ପଠାଇଥିଲେ ଏହା କହିବା ପାଇଁ ଯେ ଆବଶ୍ୟକ ହେଲେ ସେ (ସଞ୍ଜୟ) କେବଳ ଏକ ଫୋନ କଲର ଦୂରତ୍ୱରେ ଅଛନ୍ତି।
Also read https://purvapaksa.com/irans-supreme-leader-khamenei-will-come-out-of-the-bunker-on-this-day/
