Gandhi Family: କଂଗ୍ରେସ ଦଳ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଏବଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ନ୍ୟାୟ ଦେଇନାହିଁ, ଯେଉଁମାନେ ନିଜ କାର୍ଯ୍ୟକାଳ ମଧ୍ୟରେ ଦଳ ଏବଂ ଦେଶ ପାଇଁ ଉଲ୍ଲେଖନୀୟ ଅବଦାନ ଦେବା ସତ୍ତ୍ୱେ ଆନୁଗତ୍ୟର ମାନଦଣ୍ଡପୂରଣ କରିନଥିଲେ।
କଂଗ୍ରେସ ଦଳର ଇତିହାସ ଭାରତର ସ୍ୱାଧୀନତା ସଂଗ୍ରାମ ସହିତ ଜଡ଼ିତ ଏବଂ ଏହି ଦଳ ଏକଦା ଦେଶର ରାଜନୈତିକ ଦୃଶ୍ୟପଟରେ ଆଧିପତ୍ୟ ବିସ୍ତାର କରିଥିଲା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ ଦଳ ଭିତରେ ରାଜନୀତି ଏବଂ ଏହାର ନିଷ୍ପତ୍ତି ଅନେକ ପ୍ରଶ୍ନ ଉଠାଇଛି। ଗାନ୍ଧି ପରିବାର ପ୍ରତି ଆନୁଗତ୍ୟ ଏବଂ ଏହାକୁ ନେଇ ଚାଲିଥିବା ନୀତି ଦଳକୁ କେଉଁଠି ନା କେଉଁଠି ସୀମିତ ଓ ରାଜନୀତିରେ ଅପ୍ରାସଙ୍ଗିକ କରିଦେଇଛି। ଏହି ସ୍ଥିତି ସେତେବେଳେ ଅଧିକ ସ୍ପଷ୍ଟ ହୋଇଯାଏ, ଯେତେବେଲେ କଂଗ୍ରେସ ଦଳ ଭିତରେ ସଂଗଠନ ଓ ଦେଶର ବିକାଶରେ ଯୋଗଦାନ ଦେଇଥିବା ଗାନ୍ଧିପରିବାର ବାହାର ବ୍ୟକ୍ତିଙ୍କୁ ଯଥେଷ୍ଟ ସମ୍ମାନ ଓ ଗୁରୁତ୍ୱ ଦିଆଯାଏନା। ଉଣା ଅଧିକେ ଏହା ଦେଶର ସ୍ୱାଧିନତା ପରଠାରୁ ହୋଇ ଆସୁଛି।
ନିକଟରେ ଡ. ମନମୋହନ ସିଂହଙ୍କ ଦେହାନ୍ତ ପରେ କଂଗ୍ରେସ ପକ୍ଷରୁ ସ୍ମାରକୀ ଦାବି ପୁଣିଥରେ ଏହି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି। ୨୬ ଡିସେମ୍ବର ୨୦୨୪ରେ ଦୁଇ ଥର ପ୍ରଧାନମନ୍ତ୍ରୀ ଥିବା ମନମୋହନ ସିଂହଙ୍କ ଦେହାନ୍ତ ହୋଇଥିଲା। ତାଙ୍କ ଦେହାନ୍ତ ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖି ଦିଲ୍ଲୀରେ ତାଙ୍କ ନାମରେ ଏକ ସ୍ମାରକୀ ନିର୍ମାଣ କରିବାକୁ ଦାବି କରିଛନ୍ତି। ଖଡଗେ ତାଙ୍କ ଚିଠିରେ ମନମୋହନ ସିଂହଙ୍କ ଅବଦାନ ବିଷୟରେ ଉଲ୍ଲେଖ କରିବା ସହ ଏହାକୁ ଦେଶ ପାଇଁ ସମ୍ମାନ ବୋଲି ବର୍ଣ୍ଣନା କରିଛନ୍ତି। ଏହି ଦାବି ସମ୍ବେଦନଶୀଳ ଓ ଯଥାର୍ଥ ମନେ ହେଉଥିଲେ ହେଁ ଏହା ପୁଣିଥରେ ଦଳର ରାଜନୀତି ଓ ଏହାର ପ୍ରକୃତ ଉଦ୍ଦେଶ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହାକୁ ନେଇ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ ସୋସିଆଲ ମିଡିଆରେ କହିଛନ୍ତି ଯେ ଯେତେବେଳେ ତାଙ୍କ ପିତା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ହୋଇଥିଲା, ସେତେବେଳେ କଂଗ୍ରେସ ତାଙ୍କ ସମ୍ମାନରେ ଏକ ଶୋକସଭା ମଧ୍ୟ ଆୟୋଜନ କରିନଥିଲା। ରାଷ୍ଟ୍ରପତି ହୋଇଥିବା ବ୍ୟକ୍ତିଙ୍କ ମୃତ୍ୟୁ ନେଇ କଂଗ୍ରେସ ସିଡବ୍ଲ୍ୟୁସି (କଂଗ୍ରେସ ୱାର୍କିଂ ଗ୍ରୁପ୍)ର ବୈଠକ ଡକାଯାଏ ନାହିଁ କହି ତାଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା ହୋଇଥିଲା ବୋଲି ଶର୍ମିଷ୍ଠା ଲେଖିଛନ୍ତି। ଯେତେବେଳେକି ନିଜେ ପ୍ରଣବ ମୁଖାର୍ଜୀ ତାଙ୍କ ଡାଏରୀରେ ଲେଖିଛନ୍ତି ଯେ ପୂର୍ବତନ ରାଷ୍ଟ୍ରପତି ଡକ୍ଟର କେଆର୍ ନାରାୟଣନଙ୍କ ମୃତ୍ୟୁ ନେଇ ବୈଠକ ଡକାଯାଇଥିଲା।ଶର୍ମିଷ୍ଠାଙ୍କ ଅନୁସାରେ ଡାଏରୀ ଅନୁସାରେ ପ୍ରଣବ ମୁଖାର୍ଜୀ ନିଜେ ଶୋକ ବାର୍ତ୍ତା ଲେଖିଥିଲେ। ଶର୍ମିଷ୍ଠା ମୁଖାର୍ଜୀଙ୍କ ଅଭିଯୋଗ କଂଗ୍ରେସ ନେତୃତ୍ୱର ପ୍ରାଥମିକତା ହେଉଛି ଗାନ୍ଧୀ ପରିବାର ପ୍ରତି କାହାର ଆନୁଗତ୍ୟ କେତେ।
ଏହା ପୂର୍ବରୁ ମଧ୍ୟ କଂଗ୍ରେସର ଏହି ନୀତିର ଉଦାହରଣ ହୋଇ ରହିଛନ୍ତି ପିଭି ନରସିଂହ ରାଓ। ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିବା ଏବଂ ଯାହାଙ୍କ କାର୍ଯ୍ୟକାଳ ରେ ଦେଶରେ ଅର୍ଥନୈତିକ ଉଦାରୀକରଣର ମୂଳଦୁଆ ପଡ଼ିଥିଲା, ସେହି ନରସିଂହ ରାଓଙ୍କ ଦେହାନ୍ତ ପରେ ଦଳ ତାଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରିଥିଲା। ୨୦୦୪ରେ ତାଙ୍କ ମୃତ୍ୟୁ ବେଳକୁ କଂଗ୍ରେସ କ୍ଷମତାରେ ଥିଲା, କିନ୍ତୁ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ ଦଳୀୟ ମୁଖ୍ୟାଳୟରେ ରଖାଯାଇନଥିଲା। ଏପରିକି ଦିଲ୍ଲୀରେ ତାଙ୍କର ଅନ୍ତିମ ସଂସ୍କାର କରିବାକୁ ଅନୁମତି ଦିଆଯାଇନଥିଲା ଏବଂ ପରିବାର ଲୋକେ ବାଧ୍ୟ ହୋଇ ତାଙ୍କ ମୃତଦେହକୁ ହାଇଦ୍ରାବାଦ ନେଇଯାଇଥିଲେ।
ମନମୋହନ ସିଂହଙ୍କ ମିଡିଆ ଉପଦେଷ୍ଟା ଥିବା ଡାକ୍ତର ସଞ୍ଜୟ ବାରୁ ତାଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ୍ ମିନିଷ୍ଟର’ରେ ଏହି ଘଟଣା ବିଷୟରେ ଉଲ୍ଲେଖ କରି ଲେଖିଛନ୍ତି ଯେ ନରସିଂହ ରାଓ ଗାନ୍ଧୀ ପରିବାରର ବାହାର ବ୍ୟକ୍ତି ହୋଇଥିବାରୁ ଓ ସୋନିଆଙ୍କ ସହିତ ତାଙ୍କ ସମ୍ପର୍କ ତିକ୍ତ ଥିବାରୁ ରାଓଙ୍କୁ ଦଳ ସମୁଚିତ ସମ୍ମାନ ମଧ୍ୟ ଦେଇନଥିଲା । ଏହା କେବଳ ନରସିଂହ ରାଓ କିମ୍ବା ପ୍ରଣବ ମୁଖାର୍ଜୀଙ୍କ ମଧ୍ୟରେ ସୀମିତ ନୁହେଁ, ଲାଲ ବାହାଦୁର ଶାସ୍ତ୍ରୀଙ୍କ ଭଳି ନେତାଙ୍କୁ ସମାନ ବ୍ୟବହାର କରାଯାଇଥିଲା। ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ତଥା ‘ଜୟ ଯବାନ, ଜୟ କିଷାନ’ର ସ୍ଲୋଗାନ୍ ଆଜି ବି ଲୋକଙ୍କ ହୃଦୟରେ ଚିହ୍ନିତ ହୋଇ ରହିଥିବା ଶାସ୍ତ୍ରୀଜୀଙ୍କୁ ଦଳ ଭିତରେ ସେଭଳି ସ୍ଥାନ ମିଳିନଥିଲା।
କଂଗ୍ରେସ ରାଜନୀତି ସବୁବେଳେ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ଉପରେ ଆଧାରିତ ରହିଆସିଛି। ଯେଉଁ ନେତାମାନେ ପରିବାର ପ୍ରତି ନିଜର ଆନୁଗତ୍ୟ ଦେଖାଇନଥିଲେ, ସେମାନଙ୍କୁ ଦଳ ଭିତରେ ଅବହେଳିତ କରାଯାଇଥିଲା। ପ୍ରଣବ ମୁଖାର୍ଜୀଙ୍କ ଉଦାହରଣ ଏହାର ପ୍ରମାଣ। ଦୀର୍ଘ ଦଶନ୍ଧି ଧରି କଂଗ୍ରେସରେ ରହି ଦେଶର ରାଷ୍ଟ୍ରପତି ପଦରେ ପହଞ୍ଚିବା ସତ୍ତ୍ୱେ ତାଙ୍କ ବିୟୋଗରେ ଦଳ ପକ୍ଷରୁ ଶୋକସଭା ମଧ୍ୟ କରାଯାଇନଥିଲା। ଏହା ବିଡ଼ମ୍ବନାର ବିଷୟ ଯେ ଯେଉଁ ଦଳ ନିଜ ବରିଷ୍ଠ ନେତାଙ୍କୁ ଉଚିତ ସମ୍ମାନ ଦେଇନଥିଲା, ସେହି ଦଳ ଆଜି ଡ. ମନମୋହନ ସିଂହଙ୍କ ସ୍ମାରକୀ ଦାବି କରୁଛି।
ବିଜେପି ମଧ୍ୟ ଏହି ପ୍ରସଙ୍ଗରେ କଂଗ୍ରେସକୁ ସମାଲୋଚନା କରିଛି। ବିଜେପି ମୁଖପାତ୍ର ସି.ଆର.କେଶବନ କହିଛନ୍ତି ଯେ, ଯେଉଁ ଦଳ ନିଜ ନେତାଙ୍କୁ ଉଚିତ ସମ୍ମାନ ଦେଇପାରିନଥିଲା, ସେହି ଦଳ ଏବେ ସ୍ମାରକୀ ରାଜନୀତିରେ ଲିପ୍ତ ରହିବା ବିଡ଼ମ୍ବନା। କଂଗ୍ରେସକୁ ଟାର୍ଗେଟ କରି କେଶବନ୍ କହିଛନ୍ତି ଯେ ଦଳର ଇତିହାସ ତା’ର ଅନୁଗତ ନେତାଙ୍କୁ ଅବହେଳାରେ ପରିପୂର୍ଣ୍ଣ।
ମନମୋହନ ସିଂହଙ୍କ ମୃତ୍ୟୁ ପରେ କଂଗ୍ରେସ ଯେଉଁଭଳି ଭାବରେ ସ୍ମାରକୀ ଦାବି କରିଥିଲା, ତାହା ପ୍ରକୃତରେ ତାଙ୍କ ଅବଦାନ ପ୍ରତି ସମ୍ମାନ ନା ରାଜନୈତିକ ରଣନୀତି ବୋଲି ପ୍ରଶ୍ନ ଉଠୁଛି। କଂଗ୍ରେସର ଇତିହାସ ଦର୍ଶାଉଛି ଯେ ଦଳ ସର୍ବଦା ଗାନ୍ଧୀ ପରିବାରକୁ ପ୍ରାଥମିକତା ଦେଇ ଆସିଛି। ଯେଉଁ ନେତାମାନେ ଗାନ୍ଧୀ ପରିବାର ପ୍ରତି ନିଜର ଆନୁଗତ୍ୟ ଦେଖାଇ ନଥିଲେ ସେମାନଙ୍କୁ ଅଣଦେଖା କରାଯାଇଥିଲା କିମ୍ବା ଦଳରୁ ବାହାର କରିଦିଆଯାଇଥିଲା।
ଦେଶର ପ୍ରଧାନମନ୍ତ୍ରୀ ଥିବା ସମୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ପ୍ରଣୟନ କରି ଭାରତକୁ ବିଶ୍ୱସ୍ତରରେ ପ୍ରତିଷ୍ଠିତ କରିଥିବା ମନମୋହନ ସିଂହଙ୍କ ଅବଦାନ ନିଶ୍ଚିତ ଭାବେ ପ୍ରଶଂସନୀୟ। କିନ୍ତୁ ତାଙ୍କ ଦେହାନ୍ତ ପରେ ସ୍ମାରକୀ ଦାବି କରୁଥିବା ଦଳ ଅନ୍ୟନେତାଙ୍କ ପ୍ରତି କିଭଳି ବ୍ୟବହାର କରିଛି ତାହା ମଧ୍ୟ ଚିନ୍ତା କରିବା ଦରକାର। ଯଦିଓ ମୋଦି ସରକାର ଡକ୍ଟର ମନମୋହନ ସିଂହଙ୍କ ଅନ୍ତିମ ସଂସ୍କାର ପରେ ତାଙ୍କ ସ୍ମାରକୀ ନିର୍ମାଣ ପାଇଁ ସ୍ଥାନ ଚିହ୍ନଟ କରିବେ ବୋଲି କହିଛନ୍ତି, କିନ୍ତୁ ସରକାର କେବେ କହିନାହାନ୍ତି ଯେ ମନମୋହନ ସିଂହଙ୍କ ସ୍ମାରକୀ ପାଇଁ ସ୍ଥାନ ଦେବେ ନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ୨୦୧୩ ମସିହାରେ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ଥିବାବେଳେ କଂଗ୍ରେସ ସରକାର ନିୟମ କରିଥିଲେ ଯେ ରାଜଘାଟରେ କୌଣସି ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ସ୍ଥାନ ଦିଆଯିବ ନାହିଁ କି ନୂଆ ସ୍ମାରକୀ ନିର୍ମାଣ କରାଯିବ ନାହିଁ।
ପିଭି ନରସିଂହ ରାଓଙ୍କ ଉଦାହରଣ ସବୁଠାରୁ ପ୍ରାସଙ୍ଗିକ। ଅର୍ଥନୈତିକ ସଂସ୍କାରର ଜନକ କୁହାଯାଉଥିବା ରାଓଙ୍କୁ କଂଗ୍ରେସ ସବୁବେଳେ ଅବହେଳିତ କରିଛି। ଏହା କେବଳ ତାଙ୍କ ଦେହାନ୍ତ ସମୟରେ ସୀମିତ ନଥିଲା, ବରଂ ତାଙ୍କ ଜୀବନକାଳ ମଧ୍ୟରେ ମଧ୍ୟ ଦଳ ତାଙ୍କୁ ସେଭଳି ସମ୍ମାନ ଦେଇନଥିଲା। ଏହା ସହ ମୋଦି ସରକାର କେବଳ ନରସିଂହ ରାଓଙ୍କ ପାଇଁ ସ୍ମାରକୀ ନିର୍ମାଣ କରିନାହାନ୍ତି ବରଂ ତାଙ୍କୁ ପୂର୍ଣ୍ଣ ସମ୍ମାନ ମଧ୍ୟ ଦେଇଛନ୍ତି ।
ସେହିପରି ଅର୍ଥମନ୍ତ୍ରୀ ଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଭଳି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହି ଦଶନ୍ଧି ଧରି ଦଳର ସେବା କରିଥିବା ପ୍ରଣବ ମୁଖାର୍ଜୀ ଗାନ୍ଧୀ ପରିବାର ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରିନଥିବାରୁ ତାଙ୍କୁ ଅଣଦେଖା କରାଯାଇଥିଲା। ତାଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ଏହି ଅଭିଯୋଗ ଆଣି ଏହି ପ୍ରସଙ୍ଗକୁ ଅଧିକ ଗମ୍ଭୀର କରିଛନ୍ତି।
କଂଗ୍ରେସକୁ ଏବେ ଆତ୍ମନୀରିକ୍ଷଣ କରିବାକୁ ପଡ଼ିବ। ଦଳକୁ ବୁଝିବାକୁ ପଡ଼ିବ ଯେ କେବଳ ଗାନ୍ଧୀ ପରିବାରକୁ ନେଇ ଚାଲିଥିବା ରାଜନୀତି ଏହାକୁ ଅଧିକ ଦିନ ବଞ୍ଚାଇ ରଖିପାରିବ ନାହିଁ। ମନମୋହନ ସିଂହଙ୍କ ସ୍ମାରକୀ ଦାବି ଏକ ସକାରାତ୍ମକ ପଦକ୍ଷେପ ହୋଇପାରେ, କିନ୍ତୁ ଏହା କେବଳ ପ୍ରଦର୍ଶନ ପାଇଁ କରିବା ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। କାରଣ ଦେଶର ଜନତା ଏବେ ସଚେତନ ହୋଇ ରାଜନୈତିକ କଳହକୁ ବୁଝିବା ଆରମ୍ଭ କରିଛନ୍ତି।
Also readhttps://purvapaksa.com/monthly-household-consumer-spending-more-than-doubled-in-last-decade/
