ChildThe child’s childhood returns : ମା’ ବାପା,ଭାଇ ଭଉଣୀ ,ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କ ସହ ମିଶି ନ ପାରିବା ଫଳରେ ସେମାନେ ମୋବାଇଲ ଫୋନକୁ ହିଁ ସମୟ ବିତାଇବାର ବିକଳ୍ପ ପନ୍ଥା ବୋଲି ଧରି ନେଉଛନ୍ତି।
କିଛି ମାସ ତଳେ ଛତିଶଗଡ଼ରେ ଏକ ଅଭାବନୀୟ ଘଟଣା ଘଟିଥିଲା।ସେଠାର ଜଣେ ୧୨ ବର୍ଷର ପୁଅ ତା ଶିକ୍ଷୟିତ୍ରୀ ମାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୩ଲକ୍ଷ ଦୁଇ ହଜାର ଟଙ୍କା ଉଠାଇ ଅନଲାଇନ ଗେମରେ ଖର୍ଚ୍ଚ କରିଦେଲା, କିନ୍ତୁ ତା’ ମା’ ଏହି ଘଟଣାର ସୁରାକ ବି ପାଇଲେ ନାହିଁ। ବ୍ୟାଙ୍କ ଆକାଉଣ୍ଟରୁ ତିନି ଲକ୍ଷ ଟଙ୍କା ଚାଲିଯିବା ପରେ ଶିକ୍ଷୟିତ୍ରୀ ଜଣକ ଧରିନେଲେ ଯେ ସେ ଅନଲାଇନ ଠକେଇର ଶିକାର ହୋଇଛନ୍ତି।ପୁଲିସ ପାଖରେ ଅଭିଯୋଗ ପହଞ୍ଚିବା ପରେ ତନାଘନା ତ ଆରମ୍ଭ ହେଲା। ପୁଲିସ ପକ୍ଷରୁ ସେହି ଶିକ୍ଷୟିତ୍ରୀଙ୍କୁ କୁହାଗଲା ଥରେ ପୁଅକୁ ପଚାରନ୍ତୁ। ସେ ତାହା ହିଁ କଲେ। ଯେତେବେଳେ ପୁଅକୁ ପଚରାଗଲା ସବୁକଥା ପଦାକୁ ଆସିଲା। ଆଜିକାଲି ପିଲାମାନେ ମୋବାଇଲରେ ଦିନସାରା ବ୍ୟସ୍ତ ରହିବା ଓ ଅନଲାଇନ ଗେମ ଖେଳିବା ଏକ ସାଧାରଣ କଥା ହୋଇ ସାରିଲାଣି ଓଏଥିରେ ଆଶ୍ଚର୍ଯ୍ୟ ହେବାର ବି କିଛି ନାହିଁ।
ତେବେ ଅତି ଛୋଟ ବେଳୁ ପିଲାମାନେ ଯେଉଁଭଳି ଶିଶୁମାନେ ଯେଉଁଭଳି ମୋବାଇଲପ୍ରିୟ ହୋଇପଡ଼ିଛନ୍ତି ତାହା କେତେ ଯେ ବିପଜ୍ଜନକ ତାହା ଅନୁମାନ କରିବା କଷ୍ଟ। ଛତିଶଗଡ଼ ଘଟଣାରୁ ଏହା ସ୍ପଷ୍ଟ। ଏକକ ପରିବାର ଭିତରେ ନିଜର ଦୈନନ୍ଦିନ କାର୍ଯ୍ୟ ସମ୍ପାଦନ ପାଇଁ ବ୍ୟସ୍ତ ରହୁଥିବା ବାପା-ମା ପିଲାଙ୍କ ପାଇଁ ସମୟ ଦେଉନାହାନ୍ତି ଏଥିରେ ଦ୍ୱିମତ ନାହିଁ। ବାପା ମା’ ଯେତେବେଳେ ଛୁଆଙ୍କ ପାଇଁ ସମୟ ଦେଉନାହାନ୍ତି ସେହି ଅଭାବବୋଧକୁ ପିଲାମାନେ ମୋବାଇଲ ଫୋନ ଜରିଆରେ ପୂରଣ କରୁଛନ୍ତି। ଫଳରେ ବହୁତ କମ ବୟସରୁ ପିଲାଙ୍କ ହାତରେ ମୋବାଇଲ ପହଞ୍ଚିଯାଉଛି ଓ ଇଣ୍ଟରନେଟର ମାୟା ଜାଲରେ ସେମାନେ ପଡ଼ିଯାଉଛନ୍ତି।
ମା’ ବାପା, ଭାଇ ଭଉଣୀ ,ସାଙ୍ଗ ସାଥୀ ଓ ସମ୍ପର୍କୀୟଙ୍କ ସହ ମିଶି ନ ପାରିବା ଫଳରେ ସେମାନେ ମୋବାଇଲ ଫୋନକୁ ହିଁ ସମୟ ବିତାଇବାର ବିକଳ୍ପ ପନ୍ଥା ବୋଲି ଧରି ନେଉଛନ୍ତି। ଅନଲାଇନ ଗେମ ଭଳି ନିଶା ଭିତରେ ସେମାନେ ନିଜକୁ ହଜାଇଦେବାକୁ ବାଧ୍ୟ ହେଉଛନ୍ତି। ଦୁର୍ଭାଗ୍ୟର ବିଷୟ ହେଲା ଯେ ପିଲାଙ୍କୁ ଏହି ପ୍ରଲୋଭନରୁ ଫେରାଇ ଆଣିବାକୁ କେହି ଚାହୁଁନାହାନ୍ତି।
ଶିଶୁଙ୍କୁ ସେମାନଙ୍କର ସୀମା ସମ୍ପର୍କରେ ଧାରଣା ଦେବା ସହିତ ସୀମା ଡେଇଁଲେ କ’ଣ ସବୁ ବିପଦ ରହିଛି ତାହା ଜଣାଇବା ପାଇଁ କେହି ଇଚ୍ଛା ପ୍ରକାଶ କରୁଥିବା ଦେଖାଯାଉନାହିଁ। ମା’ ବାପା ଦେଖୁଛନ୍ତି ପୁଅ କି ଝିଅ ତ ମୋବାଇଲ ଧରି ପାଖ ଘରେ ବସିଛି। କିନ୍ତୁ ସେହି ମୋବାଇଲ ଓ ଇଣ୍ଟରନେଟ ଭିତରେ ଛୁଆଟି କେଉଁ ଦୁନିଆଁରେ ପହଞ୍ଚିଲାଣି ତାହା ସେମାନେ ଆକଳନ କରି ପାରୁନାହାନ୍ତି। ପିଲାଙ୍କ ମୋବାଇଲ ପ୍ରେମକୁ ନେଇ ପୂର୍ବରୁ ଯେତେ ଅଧ୍ୟୟନ ହୋଇଛି ସେ ସବୁ ଗବେଷଣାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ ଖୁବ କମ ବୟସରୁ ପିଲାମାନେ ମୋବାଇଲ ବ୍ୟବହାର କରିବା ଫଳରେ ଏହା ସେମାନଙ୍କ ମନନ, ଚିନ୍ତାଶକ୍ତି, ଶରୀର ଓ କଅଁଳିଆ ଆଙ୍ଗୁଠି ଉପରେ ଭୀଷଣ ତଥା ଖରାପ ପ୍ରଭାବ ପକାଇଥାଏ।
କରୋନା ମହାମାରୀ ଆସିବା ପରେ ତ ଏହି ସମସ୍ୟାଟି ଆହୁରି ଗମ୍ଭୀର ହୋଇଛି। ଲକଡାଉନ ଯୋଗୁଁ ପିଲା ସ୍କୁଲକୁ ଯାଉନଥିଲେ ଯାହାଫଳରେ କି ମୋବାଇଲ ଉପରେ ସେମାନଙ୍କର ନିର୍ଭରଶୀଳତା ବଢ଼ି ଚାଲିଥିଲା। ପିଲାମାନେ ଏକଲା ହୋଇପଡ଼ିବା ଫଳରେ ସମୟ ବିତାଇବା ପାଇଁ ମୋବାଇଲ ଓ ଇଣ୍ଟରନେଟ ହିଁ ସେମାନଙ୍କ ପାଇଁ ସବୁ କିଛି ହୋଇପଡ଼ିଥିଲା।
ଟେକ୍ନୋଲଜି ସହିତ ତାଳ ମିଳାଇ ଚାଳିବାରେ କିଛି ଅସୁବିଧା ନାହିଁ।କିନ୍ତୁ ଶିଶୁ ମାନଙ୍କୁ ମୋବାଇଲ ଠାରୁ ଦୂରରେ ରଖିବା ବାପା ମା ମାନଙ୍କ ଦାୟିତ୍ୱ।ପିଲାମାନଙ୍କୁ ସେମାନଙ୍କ ଶୈଶବ ଫେରାଇବାର ସମୟ ଆସିଛି। ପରିବାର ଭିତରେ ଓ ଅଭିଭାବକ ମହଲରେ ଏହି ବିଷୟରେ ତର୍ଜମା ହେବା ଦରକାର।
Also readhttps://purvapaksa.com/wildlife-protection-and-animal-man-fight-in-odisha/
