ରାଜ୍ୟର ମୁଖ୍ୟ ଶାସନ ସଚିବ ଗତ ବର୍ଷ ୧୧.ନଭେମ୍ବର.୨୦୨୪ରେ ସମସ୍ତ ବିଭାଗର ସଚିବ ଓ ଜିଲ୍ଲାପାଳମାନଙ୍କୁ ବଦଳି ନିର୍ଦ୍ଦେଶନାମା ପାଇଁ ଅନୁଚିତ ପ୍ରଭାବ ନ ପକେଇବା ନିମନ୍ତେ ସମସ୍ତ ଅଧିକାରୀ ଓ କର୍ମଚାରୀମାନଙ୍କୁ ଜଣେଇଦେବା ନିମନ୍ତେ ଚିଠି ସଂଖ୍ୟା ୩୩୯୩୯ରେ ଅନୁରୋଧ କରିଥିଲେ। ଉକ୍ତ ପତ୍ରରେ ଏହା ସ୍ପଷ୍ଟଭାବେ ଉଲ୍ଲେଖ ଥିଲା ଯେ ବଦଳି ପାଇଁ ଚାପ ପକେଇବା ହେଉଛି ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ନିୟମାବଳୀ, ୧୯୫୯ର ରୁଲ୍ ୨୩ ର ବିରୁଦ୍ଧାଚରଣ।
ଯେଉଁ କର୍ମଚାରୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିଜର ଇଚ୍ଛା ମୁତାବକ ପୋଷ୍ଟିଂ ପାଇଁ ଚାପ ପକେଇବେ ସେମାନଙ୍କ ବିରୁଦ୍ଧରେ ନିୟମ ଅନୁଯାୟୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ଉଲ୍ଲେଖ ଅଛି।
ହେଲେ ଏଠି କଥା ଉଠୁଛି ଯେ, ସରକାରୀ କର୍ମଚାରୀଙ୍କ ପୋଷ୍ଟିଂ ସରକାରଙ୍କ ଇଚ୍ଛାଧୀନ ନା ସମ୍ପୃକ୍ତ କର୍ମଚାରୀ ବା ଅଧିକାରୀଙ୍କ ପସନ୍ଦ? ମୁଖ୍ୟ ଶାସନ ସଚିବ ନୂଆ ସରକାର ଆସିବାର ୫ ମାସ ପରେ ଏହି ପତ୍ର କାହିଁକି ଲେଖିଲେ? ବିଭାଗୀୟ ସଚିବମାନେ ବଦଳି ବ୍ୟାପାରକୁ ନେଇ ଚାପର ସମ୍ମୁଖୀନ ହେଉଛନ୍ତି କି? କର୍ମଚାରୀ ଓ ଅଧିକାରୀମାନଙ୍କ ରାଜନୈତିକ ଏବଂ ପ୍ରଶାସନିକ ପହଞ୍ଚ ବିଭାଗୀୟ ସଚିବ ଓ ଜିଲ୍ଲାପାଳଙ୍କଠାରୁ ଅଧିକ କି?
ନୂଆ ସରକାର ଶପଥ ନେବାର ଆଜିକୁ ୧୦ ମାସ ବିତି ଗଲାଣି। ନୂଆ ସରକାର ଆସୁ ଆସୁ ପୁରୁଣା ସରକାରଙ୍କ ପୁରୁଣା ରୋଗ ଯାହାକି ଅବସର ନେଇଥିବା ଅଧିକାରୀମାନଙ୍କୁ ପୁନଃ ଥଇଥାନକୁ ନାକଚ କରିବା ଭଳି ପଦକ୍ଷେପ ନେଲେ ଓ ଚର୍ଚ୍ଚିତ ହେଲେ। ସେଇ ଭଳି ଗୋଟିଏ ଜାଗାରେ ବର୍ଷ ବର୍ଷ ଧରି ଅବସ୍ଥାପିତ ଥିବା ବଡ଼ ବାବୁମାନଙ୍କୁ ନିୟମିତ ଭାବରେ ବଦଳି କରି ପ୍ରଶାସନିକ କ୍ଷେତ୍ରରେ ପାରଦର୍ଶିତା ଆଣିବା ପାଇଁ ମଧ୍ୟ ଅଣ୍ଟା ଭିଡ଼ିଲେ। ଏସବୁ ଭିତରେ ମୁଖ୍ୟ ଶାସନ ସଚିବଙ୍କ ଏ ସମ୍ବନ୍ଧୀୟ ପତ୍ରଟି ମଧ୍ୟ ବେଶ୍ ଗୁରୁତ୍ଵ ବହନ କରେ ଏବଂ ଏହା ସମସ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ପାଇଁ ସମାନ ଭାବରେ ଲାଗୁ ହେବା ଉଚିତ ବୋଲି ବୁଦ୍ଧିଜୀବୀମାନଙ୍କ ମତ।
ହେଲେ ସରକାରୀ ଯୋଜନା ବାଟବଣା ହେଲା ପରି ମୁଖ୍ୟ ଶାସନ ସଚିବଙ୍କ ପତ୍ର ମଧ୍ୟ ବାଟବଣା ହୋଇଗଲା ବୋଲି ଅଭିଯୋଗ ଆସିଛି। ଖୋଦ୍ ମୁଖ୍ୟ ଶାସନ ସଚିବଙ୍କ ବିଭାଗ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଏହା ପାଳନ ହେଉନଥିବା ଅଭିଯୋଗ ହୋଇଛି ଏବଂ ତାହାବି ରାଜ୍ୟର ମୁଖିଆ ମୁଖ୍ୟମନ୍ତ୍ରୀଙ୍କ କରକମଳରେ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର ନିକଟ ଅତୀତରେ ପଦୋନ୍ନତି ପାଇ ଅନୁଶାସନ ସଚିବ ହୋଇଥିବା ପୂର୍ଣଚନ୍ଦ୍ର ମଲ୍ଲିକ ଯିଏ କି ୧୯୯୯ରୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗରେ ଅବସ୍ଥାପିତ ଅଛନ୍ତି, ତାଙ୍କୁ ଆଉଥରେ ସେହି ସମାନ ବିଭାଗ ଏବଂ ଉପବିଭାଗରେ ଅବସ୍ଥାପିତ କରିବା ପାଇଁ ଗୃହ ବିଭାଗକୁ ଅନୁରୋଧ କରିଥିଲେ। ଏହି ଅନୁରୋଧକୁ ଖୋଦ୍ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ସେହିପରି ଓଡିଶା ପ୍ରଶାସନିକ ଅଧିକାରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଯିଏକି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗରେ ୬ ବର୍ଷରୁ ଊର୍ଦ୍ଧ୍ଵ ସମୟ ଧରି ଅବସ୍ଥାପିତ ଅଛନ୍ତି, ତାଙ୍କ ବଦଳିକୁ ବାତିଲ କରିବାକୁ ବିଭାଗୀୟ ମନ୍ତ୍ରୀ ପତ୍ର ଲେଖିଛନ୍ତି। ଏହା ଅତି ଦୁର୍ଭାଗ୍ୟଜନକ।
ସେହିପରି ନିବେଦିତା ପୃଷ୍ଟି, ସ୍ଵତନ୍ତ୍ର ଶାସନ ସଚିବ, ଗୃହ ବିଭାଗ, ଆରତି ସାହୁ, ଯୁଗ୍ମ ଶାସନ ସଚିବ, ମତ୍ସ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ, ପ୍ରସନ୍ନ ପଟ୍ଟନାୟକ, ଉପ ଶାସନ ସଚିବ, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗମାନେ ମଧ୍ୟ ଦୀର୍ଘ ୬ ବର୍ଷରୁ ଊର୍ଦ୍ଧ୍ଵ ସମୟ ସମାନ ବିଭାଗରେ ଗାଦି ମାଡ଼ି ବସିଛନ୍ତି । ଇତି ମଧ୍ୟରେ ଶ୍ରୀ ବିକ୍ରମାଦିତ୍ୟ ବାରିକ, ନିଲୁ ମହାପାତ୍ର, ନୀଳମାଧବ ଭୋଇ ଏବଂ ୩୦ରୁ ଅଧିକ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ବଦଳି ନିର୍ଦ୍ଦେଶନାମାକୁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ବାତିଲ କରିଛନ୍ତି। କଥା ଉଠୁଛି ସରକାର ଏମାନଙ୍କୁ ବଦଳି କଲେ କାହିଁକି ଓ ପରମୁହୂର୍ତ୍ତରେ ବଦଳିକୁ ସ୍ଥଗିତ କଲେ କାହିଁକି? କିଛି ଅଦୃଶ୍ୟ ଶକ୍ତିର ଚାପର ବଶବର୍ତ୍ତୀ କି ଖୋଦ ମୁଖ୍ୟ ଶାସନ ସଚିବଙ୍କ ବିଭାଗ। ଖାଲି ଏତିକି ନୁହେଁ, ଏହି ଅଧିକାରୀମାନେ ବିଭିନ୍ନ ସମୟରେ ଦୁର୍ନୀତିରେ ଲିପ୍ତ ରହି ଥିବାର ମଧ୍ୟ ଅଭିଯୋଗ ହୋଇଥାଏ।
ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି, ସରକାରଙ୍କ ପଦକ୍ଷେପ ଉପରେ। ରାଜ୍ୟ ମୁଖ୍ୟ ଶାସନ ସଚିବ କେବେ ଏହି ଅଧିକାରୀମାନଙ୍କ ବିପକ୍ଷରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। କେବେ ଏମାନଙ୍କୁ ବଦଳି କରୁଛନ୍ତି ଦେଖିବାକୁ ବାକି ରହିଲା। ନିୟମିତ ବ୍ୟବଧାନରେ ବଦଳି ଏକ ପ୍ରଶାସନିକ ଅଙ୍ଗ ଏବଂ ଏହା ପ୍ରଶାସନିକ ଶୃଙ୍ଖଳା ବୋଧକୁ ଚେତାଇ ଥାଏ।
Also readhttps://purvapaksa.com/wakf-politics-division-of-minorities-in-bjd/
